Biblia Todo Logo
Bìoball air-loidhne

- Sanasan -

ପ୍ରେରିତ 14 - ପବିତ୍ର ବାଇବଲ (Re-edited) - (BSI)


ଇକନୀୟରେ କାର୍ଯ୍ୟ

1 ଇକନୀୟରେ ମଧ୍ୟ ସେହି ପ୍ରକାର ଘଟିଲା; ସେମାନେ ଯିହୁଦୀମାନଙ୍କ ସମାଜଗୃହରେ ପ୍ରବେଶ କରି ଏପରି କଥା କହିଲେ ଯେ, ଯିହୁଦୀ ଓ ଗ୍ରୀକ୍ମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ବିଶ୍ଵାସ କଲେ।

2 କିନ୍ତୁ ଯେଉଁ ଯିହୁଦୀମାନେ ବିଶ୍ଵାସ କଲେ ନାହିଁ, ସେମାନେ ବିଜାତିମାନଙ୍କର ମନକୁ ଉତ୍ତେଜିତ କରି ଭାଇମାନଙ୍କ ବିରୁଦ୍ଧରେ ମନ୍ଦ ଭାବ ଜନ୍ମାଇଦେଲେ।

3 ସେମାନେ ଅନେକ ଦିନ ପର୍ଯ୍ୟନ୍ତ ସେହି ସ୍ଥାନରେ ରହି ପ୍ରଭୁଙ୍କ ଉପରେ ନିର୍ଭର କରି ସାହସରେ ପ୍ରଚାର କଲେ; ଆଉ, ସେ ସେମାନଙ୍କ ହସ୍ତ ଦ୍ଵାରା ନାନା ଲକ୍ଷଣ ଓ ଅଦ୍ଭୁତ କର୍ମ ସାଧନ କରି ଆପଣା ଅନୁଗ୍ରହବାକ୍ୟ ସପକ୍ଷରେ ସାକ୍ଷ୍ୟ ଦେଲେ।

4 କିନ୍ତୁ ନଗରର ଲୋକସମୂହ ଦୁଇ ଦଳ ହେଲେ, ଦଳେ ଯିହୁଦୀମାନଙ୍କ ପକ୍ଷରେ, ଆଉ ଦଳେ ପ୍ରେରିତ-ମାନଙ୍କ ପକ୍ଷରେ।

5 ଯେତେବେଳେ ବିଜାତି ଓ ଯିହୁଦୀମାନେ ସେମାନଙ୍କର ଅଧ୍ୟକ୍ଷମାନଙ୍କ ସହିତ ସେମାନଙ୍କ ପ୍ରତି ଦୌରାତ୍ମ୍ୟ କରିବାକୁ ଓ ପଥର ଫୋପାଡ଼ିବାକୁ ଉଠିଲେ,

6 ସେତେବେଳେ ସେମାନେ ତାହା ଜାଣି ପାରି ଲୁକାୟନିଆର ଲୁସ୍ତ୍ରା ଓ ଦର୍ବୀ ନଗର, ପୁଣି ଚାରିଆଡ଼ର ଅଞ୍ଚଳକୁ ପଳାଇଗଲେ,

7 ଆଉ ସେମାନେ ସେଠାରେ ସୁସମାଚାର ପ୍ରଚାର କରିବାକୁ ଲାଗିଲେ।


ଲୁସ୍ତ୍ରା ଓ ଦର୍ବୀରେ କାର୍ଯ୍ୟ

8 ଲୁସ୍ତ୍ରାରେ ଜଣେ ଲୋକ ରହୁଥିଲା, ତାʼର ପାଦ ଦୁର୍ବଳ, ସେ ମାତୃଗର୍ଭରୁ ଖଞ୍ଜ, ଆଉ ସେ କେବେ ଚାଲି ନ ଥିଲା।

9 ସେହି ଲୋକଟି ପାଉଲଙ୍କ ପ୍ରଚାର ଶୁଣୁଥିଲା। ପାଉଲ ତାକୁ ଏକଦୃଷ୍ଟିରେ ଚାହିଁ ସୁସ୍ଥ ହେବା ପାଇଁ ତାʼର ବିଶ୍ଵାସ ଥିବାର ଦେଖି ଉଚ୍ଚସ୍ଵରରେ କହିଲେ,

10 ତୁମ୍ଭର ପାଦରେ ଭାର ଦେଇ ସିଧା ଠିଆ ହୁଅ। ସେଥିରେ ସେ କୁଦା ମାରି ଚାଲିବାକୁ ଲାଗିଲା।

11 ପାଉଲ ଯାହା କରିଅଛନ୍ତି, ଲୋକସମୂହ ତାହା ଦେଖି ଲୁକାୟନିଆ ଭାଷାରେ ଉଚ୍ଚସ୍ଵରରେ କହିବାକୁ ଲାଗିଲେ, ଦେବତାମାନେ ମନୁଷ୍ୟ ରୂପରେ ଆମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇ ଆସିଅଛନ୍ତି।

12 ସେମାନେ ବର୍ଣ୍ଣବ୍ବାଙ୍କୁ ବୃହସ୍ପତି ବୋଲି କହିଲେ, ପୁଣି, ପାଉଲ ପ୍ରଧାନ ବକ୍ତା ଥିବାରୁ ତାହାଙ୍କୁ ବୁଧ ବୋଲି କହିଲେ।

13 ନଗର ସମ୍ମୁଖରେ ଥିବା ବୃହସ୍ପତିଙ୍କ ମନ୍ଦିରର ଯାଜକ କେତେକ ବୃଷ ଓ ପୁଷ୍ପହାର ଦ୍ଵାର ନିକଟକୁ ଆଣି ଲୋକସମୂହ ସହିତ ବଳି ଦେବାକୁ ଇଚ୍ଛା କରିଥିଲେ।

14 କିନ୍ତୁ ପ୍ରେରିତମାନେ, ଅର୍ଥାତ୍ ବର୍ଣ୍ଣବ୍ବା ଓ ପାଉଲ, ଏହା ଶୁଣି ଆପଣା ଆପଣାର ବସ୍ତ୍ର ଚିରି ଲୋକସମୂହ ମଧ୍ୟକୁ ବେଗେ ଦୌଡ଼ିଯାଇ ଉଚ୍ଚସ୍ଵରରେ କହିବାକୁ ଲାଗିଲେ,

15 ହେ ମହାଶୟମାନେ, କାହିଁକି ଏସମସ୍ତ କରୁଅଛନ୍ତି? ଆମ୍ଭେମାନେ ମଧ୍ୟ ଆପଣମାନଙ୍କ ପରି ସୁଖଦୁଃଖଭୋଗୀ ମନୁଷ୍ୟ, ଆପଣମାନଙ୍କ ନିକଟରେ ଏହି ସୁସମାଚାର ପ୍ରଚାର କରୁଅଛୁ, ଯେପରି ଆପଣମାନେ ଏହିସବୁ ଅସାର ବସ୍ତୁଠାରୁ ବିମୁଖ ହୋଇ ଜୀବନ୍ତ ଈଶ୍ଵରଙ୍କ ପ୍ରତି ଫେରନ୍ତି। ସେ ଆକାଶମଣ୍ତଳ, ପୃଥିବୀ, ସମୁଦ୍ର ଓ ସେସବୁରେ ଥିବା ସମସ୍ତ ସୃଷ୍ଟି କରିଅଛନ୍ତି;

16 ସେ ଅତୀତ ପୁରୁଷପରମ୍ପରାରେ ସମସ୍ତ ଜାତିର ଲୋକଙ୍କୁ ଆପଣା ଆପଣା ପଥରେ ଚାଲିବାକୁ ଛାଡ଼ି ଦେଇଥିଲେ।

17 ତଥାପି ସେ ଆପଣାକୁ ସାକ୍ଷ୍ୟବିହୀନ କରି ରଖି ନାହାନ୍ତି, କାରଣ ସେ ମଙ୍ଗଳ କରିଅଛନ୍ତି, ଆଉ ଆକାଶରୁ ବୃଷ୍ଟି ଓ ଫଳଦାୟକ ଋତୁଗୁଡ଼ିକ ଦେଇ ଭକ୍ଷ୍ୟ ଓ ଆନନ୍ଦରେ ଆପଣମାନଙ୍କ ହୃଦୟ ପରିତୃପ୍ତ କରିଅଛନ୍ତି।

18 ଏହିସବୁ କଥା କହି ସେମାନେ ଅତି କଷ୍ଟରେ ସେମାନଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବାରୁ ଲୋକସମୂହଙ୍କୁ ନିବୃତ୍ତ କଲେ।


ଲୁସ୍ତ୍ରାରେ ପାଉଲଙ୍କୁ ପ୍ରସ୍ତରାଘାତ

19 କିନ୍ତୁ ଆନ୍ତିୟଖିଆ ଓ ଇକନୀୟରୁ ସେଠାକୁ ଯିହୁଦୀମାନେ ଆସି ଲୋକସମୂହଙ୍କୁ ପ୍ରବର୍ତ୍ତାଇଲେ, ପୁଣି ପାଉଲଙ୍କୁ ପଥର ମାରି ସେ ମରିଅଛନ୍ତି ବୋଲି ମନେ କରି ବାହାରକୁ ଟାଣି ଘେନିଗଲେ।

20 ମାତ୍ର ଶିଷ୍ୟମାନେ ତାଙ୍କୁ ଘେରି ଠିଆ ହୁଅନ୍ତେ ସେ ଉଠି ନଗର ମଧ୍ୟରେ ପ୍ରବେଶ କଲେ। ପରଦିନ ସେ ବର୍ଣ୍ଣବ୍ବାଙ୍କ ସହିତ ଦର୍ବୀକୁ ବାହାରିଗଲେ।

21 ସେମାନେ ସେହି ନଗରରେ ସୁସମାଚାର ପ୍ରଚାର କରି ଓ ଅନେକଙ୍କୁ ଶିଷ୍ୟ କଲା ଉତ୍ତାରେ ଲୁସ୍ତ୍ରା, ଇକନୀୟ ଓ ଆନ୍ତିୟଖିଆକୁ ବାହୁଡ଼ି ଆସିଲେ,

22 ପୁଣି, ସେସ୍ଥାନମାନଙ୍କରେ ଶିଷ୍ୟମାନଙ୍କ ମନକୁ ସୁସ୍ଥିର କଲେ ଓ ବିଶ୍ଵାସରେ ଅଟଳ ରହିବା ପାଇଁ ସେମାନଙ୍କୁ ଉତ୍ସାହ ପ୍ରଦାନ କରି କହିଲେ, ଅନେକ କ୍ଳେଶ ମଧ୍ୟ ଦେଇ ଆମ୍ଭମାନଙ୍କୁ ଈଶ୍ଵରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ।

23 ଆଉ, ସେମାନେ ସେମାନଙ୍କ ନିମନ୍ତେ ପ୍ରତ୍ୟେକ ମଣ୍ତଳୀରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରି ଉପବାସ ସହିତ ପ୍ରାର୍ଥନା କଲେ, ପୁଣି ଯେଉଁ ପ୍ରଭୁଙ୍କଠାରେ ସେମାନେ ବିଶ୍ଵାସ କରିଥିଲେ, ତାହାଙ୍କ ହସ୍ତରେ ସେମାନଙ୍କୁ ସମର୍ପଣ କଲେ।


ସିରିଆର ଆନ୍ତିୟଖିଆକୁ ପ୍ରତ୍ୟାବର୍ତ୍ତନ

24 ପରେ ସେମାନେ ପିସିଦିଆ ମଧ୍ୟ ଦେଇ ପଂଫୂଲିଆକୁ ଆସିଲେ,

25 ଆଉ ପର୍ଗୀରେ ବାକ୍ୟ ପ୍ରଚାର କରି ଆତ୍ତାଲିଆକୁ ଗଲେ।

26 ସେଠାରୁ ସେମାନେ ଆନ୍ତିୟଖିଆକୁ ଜାହାଜରେ ଯାତ୍ରା କଲେ; ସେମାନେ ଯେଉଁ କାର୍ଯ୍ୟ ସାଧନ କରିଥିଲେ, ତାହା କରିବା ନିମନ୍ତେ ଈଶ୍ଵରଙ୍କ ଅନୁଗ୍ରହରେ ସମର୍ପିତ ହୋଇ ସେସ୍ଥାନରୁ ବାହାରିଥିଲେ।

27 ସେମାନେ ପହଞ୍ଚି ମଣ୍ତଳୀକି ଏକତ୍ର କଲେ; ପୁଣି ଈଶ୍ଵର ସେମାନଙ୍କ ସାଙ୍ଗରେ ଥାଇ ଯେସମସ୍ତ କାର୍ଯ୍ୟ କରିଥିଲେ ଓ ବିଜାତିମାନଙ୍କ ପ୍ରତି ବିଶ୍ଵାସର ଦ୍ଵାର ଫିଟାଇ ଦେଇଥିଲେ, ସେହିସବୁ ବର୍ଣ୍ଣନା କଲେ।

28 ଆଉ, ସେମାନେ ଶିଷ୍ୟମାନଙ୍କ ସହିତ ଅନେକ ଦିନ ପର୍ଯ୍ୟନ୍ତ ରହିଲେ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan