ପ୍ରେରିତ 11 - ପବିତ୍ର ବାଇବଲ (Re-edited) - (BSI)ଯିରୂଶାଲମ ମଣ୍ତଳୀରେ ପିତରଙ୍କ ବିବୃତି 1 ବିଜାତିମାନେ ମଧ୍ୟ ଯେ ଈଶ୍ଵରଙ୍କ ବାକ୍ୟ ଗ୍ରହଣ କରିଅଛନ୍ତି, ଏହା ପ୍ରେରିତମାନେ ଓ ଯିହୁଦା ପ୍ରଦେଶରେ ଥିବା ଭାଇମାନେ ଶୁଣିଲେ। 2 ଆଉ, ଯେତେବେଳେ ପିତର ଯିରୂଶାଲମକୁ ଆସିଲେ, ସେତେବେଳେ ସୁନ୍ନତି ଶିଷ୍ୟମାନେ ତାଙ୍କ ସହିତ ବିବାଦ କରି କହିଲେ, 3 ତୁମ୍ଭେ ଅସୁନ୍ନତି ଲୋକମାନଙ୍କ ଗୃହରେ ପ୍ରବେଶ କରି ସେମାନଙ୍କ ସହିତ ଭୋଜନ କରିଅଛ। 4 କିନ୍ତୁ ପିତର ବିଷୟଟି ଆଦ୍ୟପ୍ରା; ବୁଝାଇବାକୁ ଆରମ୍ଭ କରି କହିଲେ, 5 ମୁଁ ଯାଫୋ ନଗରରେ ପ୍ରାର୍ଥନା କରୁଥିଲି ଏବଂ ମୂର୍ଚ୍ଛିତ ହୋଇ ଏହି ଦର୍ଶନ ପାଇଲି, ଗୋଟିଏ ପାତ୍ର ତଳକୁ ଆସୁଅଛି, ଯେପରି ଗୋଟିଏ ବଡ଼ ଚାଦର ଚାରି କୋଣରେ ଧରା ହୋଇ ଆକାଶରୁ ଖସାଇ ଦିଆଯାଉଅଛି, 6 ଆଉ ତାହା ମୋʼ ପର୍ଯ୍ୟନ୍ତ ଆସିଲା; ମୁଁ ତାହା ପ୍ରତି ଏକଦୃଷ୍ଟିରେ ଚାହିଁ ଚିନ୍ତା କରିବାକୁ ଲାଗିଲି ଓ ସେଥିରେ ପୃଥିବୀର ଚତୁଷ୍ପଦ ପ୍ରାଣୀ, ବନ୍ୟ ପଶୁ, ସରୀସୃପ ଓ ଆକାଶର ପକ୍ଷୀସବୁ ଦେଖିଲି, 7 ପୁଣି, ମୋତେ କୁହାଯାଉଥିବା ଗୋଟିଏ ବାଣୀ ମଧ୍ୟ ମୁଁ ଶୁଣିଲି, ହେ ପିତର, ଉଠ, ବଧ କରି ଭୋଜନ କର। 8 କିନ୍ତୁ ମୁଁ କହିଲି, ନାହିଁ, ପ୍ରଭୋ, ଅପବିତ୍ର କି ଅଶୁଚି ବସ୍ତୁ ମୋହର ମୁଖରେ କେବେହେଲେ ପ୍ରବେଶ କରି ନାହିଁ। 9 କିନ୍ତୁ ଦ୍ଵିତୀୟ ଥର ଆକାଶରୁ ଗୋଟିଏ ସ୍ଵର ଉତ୍ତର ଦେଲା, ଈଶ୍ଵର ଯାହା ଶୁଚି କରିଅଛନ୍ତି, ତୁମ୍ଭେ ତାହା ଅଶୁଚି ବୋଲି ନ କୁହ। 10 ଏହିପ୍ରକାରେ ତିନି ଥର ହେଲା, ପରେ ସମସ୍ତ ପୁନର୍ବାର ଆକାଶକୁ ନିଆଗଲା। 11 ପୁଣି ଦେଖନ୍ତୁ, ସେହିକ୍ଷଣି ତିନି ଜଣ ଲୋକ, ଆମ୍ଭେମାନେ ଯେଉଁ ଗୃହରେ ଥିଲୁ, ସେଥିର ସମ୍ମୁଖରେ ଆସି ଠିଆ ହେଲେ, ସେମାନେ କାଇସରିଆରୁ ମୋʼ ନିକଟକୁ ପ୍ରେରିତ ହୋଇଥିଲେ। 12 ପୁଣି, କିଛି ସନ୍ଦେହ ନ କରି ସେମାନଙ୍କ ସାଙ୍ଗରେ ଯିବା ନିମନ୍ତେ ଆତ୍ମା ମୋତେ କହିଲେ। ଆଉ, ଏହି ଛଅ ଜଣ ଭାଇ ମଧ୍ୟ ମୋʼ ସାଙ୍ଗରେ ଗଲେ, ପୁଣି ଆମ୍ଭେମାନେ ସେହି ବ୍ୟକ୍ତିଙ୍କ ଗୃହରେ ପ୍ରବେଶ କଲୁ। 13 ସେ କିପରି ଜଣେ ଦୂତଙ୍କର ଦର୍ଶନ ପାଇଥିଲେ, ତାହା ଆମ୍ଭମାନଙ୍କୁ ଜଣାଇଲେ, ସେହି ଦୂତ କିପରି ତାଙ୍କ ଗୃହରେ ଠିଆ ହୋଇ କହିଲେ, ଯାଫୋକୁ ଲୋକ ପଠାଇ ପିତର ଉପନାମପ୍ରାପ୍ତ ଶିମୋନଙ୍କୁ ଡକାଇ ଆଣ; 14 ଯେସମସ୍ତ ବାକ୍ୟ ଦ୍ଵାରା ତୁମ୍ଭେ ଓ ତୁମ୍ଭର ସମସ୍ତ ପରିବାର ପରିତ୍ରାଣ ପାଇବ, ସେ ତୁମ୍ଭକୁ ସେହିସବୁ କହିବେ। 15 ପରେ ମୁଁ କଥା କହିବାକୁ ଆରମ୍ଭ କରିବା ସମୟରେ ପବିତ୍ର ଆତ୍ମା ପ୍ରଥମରେ ଆମ୍ଭମାନଙ୍କ ଉପରେ ଅବତରଣ କଲା ପରି ସେମାନଙ୍କ ଉପରେ ସୁଦ୍ଧା ଅବତରଣ କଲେ। 16 ସେତେବେଳେ ପ୍ରଭୁଙ୍କ ଉକ୍ତ ଏହି ବାକ୍ୟ ମୋହର ସ୍ମରଣରେ ପଡ଼ିଲା, ଯୋହନ ଜଳରେ ବାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମ୍ଭେମାନେ ପବିତ୍ର ଆତ୍ମାରେ ବାପ୍ତିଜିତ ହେବ। 17 ଅତଏବ, ଆମ୍ଭେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବା ସମୟରେ ଈଶ୍ଵର ଯେପରି ଆମ୍ଭମାନଙ୍କୁ ଦାନ ଦେଇଥିଲେ, ସେହିପରି ଯେବେ ସେମାନଙ୍କୁ ସୁଦ୍ଧା ସମାନ ଦାନ ଦେଲେ, ମୁଁ କିଏ ଯେ ଈଶ୍ଵରଙ୍କୁ ପ୍ରତିରୋଧ କରି ପାରିଥାʼନ୍ତି? 18 ଏହି ସମସ୍ତ କଥା ଶୁଣିବାରୁ ସେମାନେ ନିରୁତ୍ତର ହେଲେ ଓ ଈଶ୍ଵରଙ୍କର ପ୍ରଶଂସା କରି କହିଲେ, ତେବେ ଈଶ୍ଵର ବିଜାତିମାନଙ୍କୁ ମଧ୍ୟ ଜୀବନପ୍ରାପ୍ତି ନିମନ୍ତେ ମନ ପରିବର୍ତ୍ତନ ଦାନ କରିଅଛନ୍ତି। ଆନ୍ତିୟଖିଆର ମଣ୍ତଳୀ 19 ଇତିମଧ୍ୟରେ ସ୍ତିଫାନଙ୍କ ସକାଶେ ଘଟିଥିବା କ୍ଳେଶ ହେତୁ ଯେଉଁମାନେ ଛିନ୍ନଭିନ୍ନ ହୋଇଯାଇଥିଲେ, ସେମାନେ ଫୈନୀକିଆ, ସାଇପ୍ରସ ଓ ଆନ୍ତିୟଖିଆ ପର୍ଯ୍ୟନ୍ତ ଭ୍ରମଣ କରି କେବଳ ଯିହୁଦୀମାନଙ୍କ ବିନା ଆଉ କାହାରି ନିକଟରେ ବାକ୍ୟ ପ୍ରଚାର କରୁ ନ ଥିଲେ। 20 କିନ୍ତୁ ସେମାନଙ୍କ ମଧ୍ୟରୁ କେତେକ କୁପ୍ରୀୟ ଓ କୂରୀଣୀୟ ଲୋକ ଆନ୍ତିୟଖିଆକୁ ଆସି ଗ୍ରୀକ୍ମାନଙ୍କ।। ନିକଟରେ ମଧ୍ୟ କଥା କହି ପ୍ରଭୁ ଯୀଶୁଙ୍କ ସୁସମାଚାର ପ୍ରଚାର କରିବାକୁ ଲାଗିଲେ। 21 ଆଉ, ସେମାନଙ୍କ ସହିତ ପ୍ରଭୁଙ୍କର ହସ୍ତ ଥିଲା, ପୁଣି ଅନେକ ଅନେକ ଲୋକ ବିଶ୍ଵାସ କରି ପ୍ରଭୁଙ୍କ ପ୍ରତି ଫେରିଲେ। 22 ସେମାନଙ୍କ ବିଷୟକ ସମ୍ଵାଦ ଯିରୂଶାଲମସ୍ଥ ମଣ୍ତଳୀର କର୍ଣ୍ଣଗୋଚର ହେଲା, ସେଥିରେ ସେମାନେ ଆନ୍ତିୟଖିଆ ପର୍ଯ୍ୟନ୍ତ ବର୍ଣ୍ଣବ୍ବାଙ୍କୁ ପ୍ରେରଣ କଲେ। 23 ସେ ଉପସ୍ଥିତ ହୋଇ ଈଶ୍ଵରଙ୍କର ଅନୁଗ୍ରହ ଦେଖି ଆନନ୍ଦିତ ହେଲେ, ଆଉ ଯେପରି ସେମାନେ ହୃଦୟର ଏକାଗ୍ରତାରେ ପ୍ରଭୁଙ୍କ ପ୍ରତି ଆସକ୍ତ ହୋଇ ରୁହନ୍ତି, ସେଥିନିମନ୍ତେ ସମସ୍ତଙ୍କୁ ଉତ୍ସାହ ଦେଲେ; 24 କାରଣ ସେ ଜଣେ ଉତ୍ତମ ବ୍ୟକ୍ତି, ପୁଣି ପବିତ୍ର ଆତ୍ମା ଓ ବିଶ୍ଵାସରେ ପରିପୂର୍ଣ୍ଣ ଥିଲେ। ଏହିପ୍ରକାରେ ଅନେକ ଅନେକ ଲୋକ ପ୍ରଭୁଙ୍କଠାରେ ସଂଯୁକ୍ତ ହେଲେ। 25 ପରେ ସେ ଶାଉଲଙ୍କୁ ଖୋଜିବା ପାଇଁ ତାର୍ଷକୁ ବାହାରିଗଲେ, 26 ପୁଣି, ସେ ତାଙ୍କୁ ପାଇ ଆନ୍ତିୟଖିଆକୁ ଘେନିଆସିଲେ। ସେମାନେ ସମ୍ପୂର୍ଣ୍ଣ ଏକ ବର୍ଷ ପର୍ଯ୍ୟନ୍ତ ମଣ୍ତଳୀର ସହିତ ରହି ଅନେକ ଲୋକଙ୍କୁ ଶିକ୍ଷା ଦେଲେ, ପୁଣି ଆନ୍ତିୟଖିଆରେ ଶିଷ୍ୟମାନେ ପ୍ରଥମରେ ଖ୍ରୀଷ୍ଟିୟାନ ବୋଲି ଆଖ୍ୟାତ ହେଲେ। 27 ସେହି ସମୟରେ କେତେକ ଜଣ ଭାବବାଦୀ ଯିରୂଶାଲମରୁ ଆନ୍ତିୟଖିଆକୁ ଆସିଲେ। 28 ସେମାନଙ୍କ ମଧ୍ୟରୁ ଆଗାବ ନାମକ ଜଣେ ବ୍ୟକ୍ତି ଉଠି ସମୁଦାୟ ପୃଥିବୀରେ ମହା ଦୁର୍ଭିକ୍ଷ ପଡ଼ିବ ବୋଲି ଆତ୍ମାଙ୍କ ଦ୍ଵାରା ଜଣାଇଲେ; ତାହା କ୍ଲାଉଦିଅଙ୍କ ସମୟରେ ଘଟିଲା। 29 ସେଥିରେ ଶିଷ୍ୟମାନେ ପ୍ରତ୍ୟେକ ଜଣ ଆପଣା ଶକ୍ତି ଅନୁସାରେ ଯିହୁଦା ପ୍ରଦେଶ ନିବାସୀ ଭାଇମାନଙ୍କ ନିମନ୍ତେ ସାହାଯ୍ୟ ପ୍ରେରଣ କରିବାକୁ ସ୍ଥିର କଲେ, 30 ଆଉ ସେମାନେ ମଧ୍ୟ ତାହା କରି ବର୍ଣ୍ଣବ୍ବା ଓ ଶାଉଲଙ୍କ ହସ୍ତରେ ପ୍ରାଚୀନମାନଙ୍କ ନିକଟକୁ ପଠାଇଦେଲେ। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India