Biblia Todo Logo
Bìoball air-loidhne

- Sanasan -

୨ ତୀମଥି 4 - ପବିତ୍ର ବାଇବଲ (Re-edited) - (BSI)


ବାକ୍ୟ ପ୍ରଚାରରେ ଉଦ୍ଯୋଗ

1 ମୁଁ ଈଶ୍ଵରଙ୍କ ସାକ୍ଷାତରେ, ଆଉ ଯେଉଁ ଖ୍ରୀଷ୍ଟ ଯୀଶୁ ଜୀବିତ ଓ ମୃତ ଉଭୟଙ୍କର ବିଚାର କରିବାକୁ ଯାଉଅଛନ୍ତି, ତାହାଙ୍କ ସାକ୍ଷାତରେ, ପୁଣି ତାହାଙ୍କ ପୁନରାଗମନ ଓ ରାଜ୍ୟର ଶପଥ ଦେଇ ତୁମ୍ଭକୁ ଦୃଢ଼ ଆଜ୍ଞା ଦେଉଅଛି,

2 ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍ଯୋଗୀ ହୁଅ, ପୂର୍ଣ୍ଣ ସହିଷ୍ଣୁତା ସହ ଶିକ୍ଷା ଦେଇ ଅନୁଯୋଗ କର, ପୁଣି ଧମକ ଓ ଉତ୍ସାହ ଦାନ କର।

3 କାରଣ ସମୟ ଆସିବ, ଯେତେବେଳେ ସେମାନେ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ, ମାତ୍ର ଶ୍ରୁତିମଧୁର କଥାରେ ସନ୍ତୁଷ୍ଟ ହୋଇ ଅଭିଳାଷାନୁସାରେ ଆପଣାମାନଙ୍କ ନିମନ୍ତେ ବହୁସଂଖ୍ୟକ ଶିକ୍ଷକଙ୍କୁ ସଂଗ୍ରହ କରିବେ,

4 ପୁଣି, ସତ୍ୟ ବାକ୍ୟରେ କର୍ଣ୍ଣ ନ ଦେଇ କଳ୍ପିତ କାହାଣୀ ପ୍ରତି ମନ ଦେବେ।

5 କିନ୍ତୁ ତୁମ୍ଭେ ସମସ୍ତ ବିଷୟରେ ସଚେତନ ହୁଅ, କ୍ଳେଶ ସହ୍ୟ କର, ସୁସମାଚାର ପ୍ରଚାରକର କାର୍ଯ୍ୟସାଧନ କର, ତୁମ୍ଭ ସେବାର କାର୍ଯ୍ୟ ସମ୍ପନ୍ନ କର।

6 କାରଣ ଏବେ ହେଁ ମୋʼର ପ୍ରାଣ ଆହୁତି ପରି ଢଳାଯାଉଅଛି, ମୋହର ମହାପ୍ରୟାଣର ସମୟ ଉପସ୍ଥିତ।

7 ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି, ମୁଁ ବିଶ୍ଵାସ ରକ୍ଷା କରିଅଛି;

8 ଅଦ୍ୟାବଧି ମୋʼ ନିମନ୍ତେ ଧାର୍ମିକତାର ମୁକୁଟ ରଖାଯାଇଅଛି, ତାହା ସେହି ମହାଦିନରେ ନ୍ୟାୟବାନ ବିଚାରକର୍ତ୍ତା ପ୍ରଭୁ ମୋତେ ଦେବେ, ପୁଣି କେବଳ ମୋତେ ନୁହେଁ, ମାତ୍ର ଯେତେ ଲୋକ ତାହାଙ୍କ ଆଗମନକୁ ପ୍ରିୟଜ୍ଞାନ କରନ୍ତି, ସେସମସ୍ତଙ୍କୁ ଦେବେ।


ବ୍ୟକ୍ତିଗତ ନିର୍ଦ୍ଦେଶ

9 ଶୀଘ୍ର ମୋʼ ନିକଟକୁ ଆସିବାକୁ ଯନି କର;

10 କାରଣ ଦୀମା ଏହି ବର୍ତ୍ତମାନ ସଂସାରକୁ ପ୍ରେମ କରି ମୋତେ ପରିତ୍ୟାଗ କରିଅଛି ଓ ଥେସଲନୀକୀକୁ ଯାଇଅଛି; କ୍ରେସ୍କେନ୍ସ୍ ଗାଲାତିଆକୁ ଓ ତୀତସ୍ ଦଲ୍ମତିଆକୁ ଯାଇଅଛନ୍ତି।

11 କେବଳ ଲୂକ ମୋʼ ସହିତ ଅଛନ୍ତି। ମାର୍କଙ୍କୁ ତୁମ୍ଭ ସଙ୍ଗରେ ଘେନି ଆସ, କାରଣ ମୋହର ସେବା ନିମନ୍ତେ ସେ ଉପକାରୀ।

12 ତୁଖିକଙ୍କୁ ମୁଁ ଏଫିସକୁ ପଠାଇଅଛି।

13 ତ୍ରୋୟାରେ କାର୍ପଙ୍କ ପାଖରେ ମୁଁ ଯେଉଁ ଉତ୍ତରୀୟ ବସ୍ତ୍ର ଛାଡ଼ି ଆସିଅଛି, ତୁମ୍ଭେ ଆସିବା ସମୟରେ ତାହା ଏବଂ ପୁସ୍ତକଗୁଡ଼ିକ, ବିଶେଷତଃ ଚର୍ମପୁସ୍ତକଗୁଡ଼ିକ ଆଣିବ।

14 କଂସାରି ଆଲେକ୍ଜାଣ୍ତର ମୋହର ବହୁତ ଅନିଷ୍ଟ କରିଅଛି; ପ୍ରଭୁ ତାହାର କର୍ମ ଅନୁସାରେ ତାହାଙ୍କୁ ପ୍ରତିଫଳ ଦେବେ;

15 ତୁମ୍ଭେ ମଧ୍ୟ ତାହାଠାରୁ ସାବଧାନ ଥାଅ, କାରଣ ସେ ଆମ୍ଭମାନଙ୍କ ବାକ୍ୟର ଘୋର ପ୍ରତିରୋଧ କରିଥିଲା।

16 ମୋହର ପ୍ରଥମ ଆତ୍ମପକ୍ଷ ସମର୍ଥନ ସମୟରେ କେହି ମୋହର ସପକ୍ଷ ହେଲେ ନାହିଁ, ମାତ୍ର ସମସ୍ତେ ମୋତେ ପରିତ୍ୟାଗ କଲେ; ଏହା ସେମାନଙ୍କ ବିରୁଦ୍ଧରେ ଗଣିତ ନ ହେଉ।

17 କିନ୍ତୁ ପ୍ରଭୁ ମୋହର ସପକ୍ଷ ହୋଇ ମୋତେ ବଳବାନ କଲେ, ପୁଣି ମୁଁ ସିଂହ ମୁଖରୁ ରକ୍ଷା ପାଇଲି, ଯେପରି ମୋʼ ଦ୍ଵାରା ସୁସମାଚାର ସମ୍ପୂର୍ଣ୍ଣ ରୂପେ ପ୍ରଚାରିତ ହୋଇ ପାରେ ଓ ବିଜାତି ସମସ୍ତେ ତାହା ଶ୍ରବଣ କରି ପାରନ୍ତି;

18 ପ୍ରଭୁ ମୋତେ ସମସ୍ତ ମନ୍ଦ କର୍ମରୁ ଉଦ୍ଧାର କରିବେ ଏବଂ ମୋତେ ରକ୍ଷା କରି ଆପଣା ସ୍ଵର୍ଗୀୟ ରାଜ୍ୟରେ ପ୍ରବେଶ କରାଇବେ; ଯୁଗେ ଯୁଗେ ତାହାଙ୍କର ମହିମା ହେଉ, ଆମେନ୍।


ଶେଷ ଶୁଭେଚ୍ଛା

19 ପ୍ରୀସ୍କା ଓ ଆକ୍ଵିଲା ପୁଣି ଅନୀସିଫରଙ୍କ ପରିବାରଙ୍କୁ ମୋହର ନମସ୍କାର ଜଣାଅ।

20 ଏରାଷ୍ଟ କରିନ୍ଥରେ ରହିଅଛନ୍ତି, କିନ୍ତୁ ତ୍ରଫିମ ପୀଡ଼ିତ ହେବାରୁ ମୁଁ ତାହାଙ୍କୁ ମୀଲୀତରେ ଛାଡ଼ିଦେଇ ଆସିଅଛି।

21 ତୁମ୍ଭେ ଶୀତକାଳ ପୂର୍ବରୁ ଆସିବାକୁ ଯନି କର। ଇଉବୁଲ୍, ପୁଦେନ୍ସ୍, ଲିନ, କ୍ଳୌଦିୟା ଓ ଭାଇମାନେ ସମସ୍ତେ ତୁମ୍ଭକୁ ନମସ୍କାର ଜଣାଉଅଛନ୍ତି।

22 ପ୍ରଭୁ ତୁମ୍ଭ ଆତ୍ମାର ସହବର୍ତ୍ତୀ ହେଉନ୍ତୁ। ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ ବର୍ତ୍ତୁ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan