Biblia Todo Logo
Bìoball air-loidhne

- Sanasan -

2 ଶାମୁୟେଲ 8 - ପବିତ୍ର ବାଇବଲ (Re-edited) - (BSI)


ଦାଉଦଙ୍କ ସାମରିକ ବିଜୟ

1 ଅନନ୍ତର ଦାଉଦ ପଲେଷ୍ଟୀୟମାନଙ୍କୁ ପରାସ୍ତ କରି ନତ କଲେ ଓ ଦାଉଦ ପଲେଷ୍ଟୀୟମାନଙ୍କ ହସ୍ତରୁ ସେମାନଙ୍କ ମାତୃନଗରର କର୍ତ୍ତୃତ୍ଵ ନେଲେ।

2 ପୁଣି ସେ ମୋୟାବକୁ ପରାସ୍ତ କରି ସେହି ଲୋକମାନଙ୍କୁ ଭୂମିରେ ଶୟନ କରାଇ ଦଉଡ଼ିରେ ମାପିଲେ ଓ ସେ ବଧ କରିବା ପାଇଁ ଦୁଇ ଦଉଡ଼ି ଓ ଜୀବିତ ରଖିବା ପାଇଁ ସମ୍ପୂର୍ଣ୍ଣ ଏକ ଦଉଡ଼ି ମାପିଲେ। ତହିଁରେ ମୋୟାବୀୟମାନେ ଦାଉଦଙ୍କର ଦାସ ହୋଇ ଦର୍ଶନୀ ଆଣିଲେ ।

3 ସୋବାର ରାଜା ରହୋବର ପୁତ୍ର ହଦଦେଷର ଫରାତ୍ ନଦୀ ନିକଟରେ ଆପଣା ରାଜ୍ୟ ପୁନର୍ବାର ହସ୍ତଗତ କରିବାକୁ ଯିବା ସମୟରେ ଦାଉଦ ତାହାକୁ ପରାସ୍ତ କଲେ।

4 ପୁଣି ଦାଉଦ ତାହାଠାରୁ ଏକ ସହସ୍ର ସାତ ଶହ ଅଶ୍ଵାରୂଢ଼ ଓ କୋଡ଼ିଏ ସହସ୍ର ପଦାତିକ ସୈନ୍ୟ ନେଲେ; ଆଉ ଦାଉଦ ରଥ-ଅଶ୍ଵସମସ୍ତର ଗୋଡ଼-ଶିରା କାଟି ପକାଇଲେ,ମାତ୍ର ତହିଁ ମଧ୍ୟରୁ ଶହେ ରଥ ପାଇଁ ଅଶ୍ଵ ରଖିଲେ।

5 ଏଉତ୍ତାରେ ଦମ୍ମେଶକର ଅରାମୀୟମାନେ ସୋବାର ହଦଦେଷର ରାଜାର ସାହାଯ୍ୟ କରିବାକୁ ଆସନ୍ତେ, ଦାଉଦ ସେହି ଅରାମୀୟମାନଙ୍କର ବାଇଶ ହଜାର ଲୋକଙ୍କୁ ଆଘାତ କଲେ।

6 ତହୁଁ ଦାଉଦ ଦମ୍ମେଶକର ଅରାମ ଦେଶରେ ପ୍ରହରୀ-ଦଳ ସ୍ଥାପନ କଲେ; ପୁଣି ଅରାମୀୟ ଲୋକମାନେ ଦାଉଦଙ୍କର ଦାସ ହୋଇ ଦର୍ଶନୀ ଆଣିଲେ। ଏହି ପ୍ରକାରେ ଦାଉଦ ଯେଉଁଆଡ଼େ ଗଲେ, ସଦାପ୍ରଭୁ ତାଙ୍କୁ ଜୟ ଦାନ କଲେ।

7 ଆଉ, ଦାଉଦ ହଦଦେଷରର ଦାସମାନଙ୍କ ସୁବର୍ଣ୍ଣ ଢାଲସବୁ ନେଇ ଯିରୂଶାଲମକୁ ଆଣିଲେ।

8 ପୁଣି ଦାଉଦ ରାଜା ହଦଦେଷର-ଅଧିକାରସ୍ଥ ବେଟହ ଓ ବେରୋଥା ନଗରରୁ ବହୁ ପରିମାଣର ପିତ୍ତଳ ଆଣିଲେ।

9 ଅନନ୍ତର ଦାଉଦ ହଦଦେଷରର ସମସ୍ତ ସୈନ୍ୟଦଳକୁ ପରାସ୍ତ କରିଅଛନ୍ତି, ଏହା ହମାତର ରାଜା ତୟି ଶୁଣନ୍ତେ,

10 ଦାଉଦ ରାଜାଙ୍କର ମଙ୍ଗଳ ବାର୍ତ୍ତା ପଚାରିବା ନିମନ୍ତେ ଓ ହଦଦେଷର ପ୍ରତିକୂଳରେ ଯୁଦ୍ଧ କରି ପରାସ୍ତ କରିବା ସକାଶୁ ତାଙ୍କୁ ଧନ୍ୟବାଦ ଦେବା ନିମନ୍ତେ ସେ ଆପଣା ପୁତ୍ର ଯୋରାମକୁ ତାଙ୍କ କତିକି ପଠାଇଲା; ଯେହେତୁ ହଦଦେଷର ସଙ୍ଗେ ତୟିର ଯୁଦ୍ଧ ଥିଲା। ପୁଣି ଯୋରାମ୍ ଆପଣା ସଙ୍ଗେ ରୂପାପାତ୍ର ଓ ସୁନାପାତ୍ର ଓ ପିତ୍ତଳପାତ୍ର ନେଇ ଆସିଥିଲା।

11 ଦାଉଦ ରାଜା ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କଲେ, ପୁଣି ଯେସମସ୍ତ ଗୋଷ୍ଠୀକି ବଶୀଭୂତ କରିଥିଲେ, ସେମାନଙ୍କ ଠାରୁ,

12 ଅର୍ଥାତ୍, ଅରାମ ଓ ମୋୟାବ ଓ ଅମ୍ମୋନ-ସନ୍ତାନଗଣ ଓ ପଲେଷ୍ଟୀୟ ଲୋକ ଓ ଅମାଲେକୀୟ-ମାନଙ୍କଠାରୁ ପ୍ରାପ୍ତ ସୁନା ଓ ରୂପା , ପୁଣି ସୋବାର ରାଜା ରହୋବର ପୁତ୍ର ହଦଦେଷରଠାରୁ ପ୍ରାପ୍ତ ଲୁଟଦ୍ରବ୍ୟ ମଧ୍ୟ ପବିତ୍ର କରିଥିଲେ।

13 ଆହୁରି ଦାଉଦ ଲବଣ ଉପତ୍ୟକାରେ ଅରାମୀୟ-ମାନଙ୍କର ଅଠର ହଜାର ଲୋକ ବଧ କରି ଫେରି ଆସି ବଡ଼ ନାମ ପାଇଲେ।

14 ପୁଣି ସେ ଇଦୋମ ଦେଶରେ ପ୍ରହରୀଦଳ ସ୍ଥାପନ କଲେ; ସେ ଇଦୋମର ସର୍ବତ୍ର ପ୍ରହରୀଦଳ ସ୍ଥାପନ କଲେ, ଆଉ ଇଦୋମୀୟ ଲୋକ ସମସ୍ତେ ଦାଉଦଙ୍କର ଦାସ ହେଲେ। ଆଉ ଦାଉଦ ଯେଉଁଆଡ଼େ ଗଲେ, ସଦାପ୍ରଭୁ ତାଙ୍କୁ ଜୟ ଦାନ କଲେ।

15 ଏହିରୂପେ ଦାଉଦ ସମୁଦାୟ ଇସ୍ରାଏଲ ଉପରେ ରାଜତ୍ଵ କଲେ; ପୁଣି ଦାଉଦ ଆପଣାର ସମସ୍ତ ଲୋକ ପ୍ରତି ବିଚାର ଓ ନ୍ୟାୟ କଲେ।

16 ଆଉ ସରୁୟାର ପୁତ୍ର ଯୋୟାବ ସୈନ୍ୟ ଉପରେ ପ୍ରଧାନ ଥିଲା; ଅହୀଲୂଦର ପୁତ୍ର ଯିହୋଶାଫଟ୍ ଇତିହାସ ଲେଖକ ଥିଲା;

17 ପୁଣି ଅହୀଟୂବର ପୁତ୍ର ସାଦୋକ୍ ଓ ଅବୀୟାଥରର ପୁତ୍ର ଅହୀମେଲକ୍ ଯାଜକ ଥିଲେ; ସରାୟ ଲେଖକ ଥିଲା;

18 ଆଉ ଯିହୋୟାଦାର ପୁତ୍ର ବନାୟ କରେଥୀୟ ଓ ପଲେଥୀୟମାନଙ୍କ ଉପରେ ନିଯୁକ୍ତ ଥିଲା, ପୁଣି ଦାଉଦଙ୍କର ପୁତ୍ରମାନେ ଯାଜକ ଥିଲେ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan