Biblia Todo Logo
Bìoball air-loidhne

- Sanasan -

2 ଶାମୁୟେଲ 1 - ପବିତ୍ର ବାଇବଲ (Re-edited) - (BSI)


ଶାଉଲଙ୍କ ମୃତ୍ୟୁରେ ଦାଉଦଙ୍କ ପ୍ରତିକ୍ରିୟା

1 ଶାଉଲଙ୍କ ମୃତ୍ୟୁ ସମୟକୁ ଦାଉଦ ଅମାଲେକୀୟ-ମାନଙ୍କ ବଧକରଣରୁ ଫେରି ଆସିଲେ ଓ ଦାଉଦ ସିକ୍ଲଗ୍ରେ ଦୁଇ ଦିନ ମାତ୍ର ରହିଥିଲେ।

2 ତୃତୀୟ ଦିନରେ ଏପରି ହେଲା ଯେ, ଦେଖ, ଶାଉଲଙ୍କ ନିକଟରୁ ଛାଉଣି ଭିତରୁ ଜଣେ ଲୋକ ଆପଣା ବସ୍ତ୍ର ଚିରି ଓ ମସ୍ତକରେ ମାଟି ଦେଇ ଆସିଲା; ପୁଣି ସେ ଦାଉଦଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ଭୂମିରେ ପଡ଼ି ପ୍ରଣାମ କଲା।

3 ତହିଁରେ ଦାଉଦ ତାହାକୁ କହିଲେ, ତୁମ୍ଭେ କେଉଁଠାରୁ ଆସିଅଛ? ତହୁଁ ସେ କହିଲା, ମୁଁ ଇସ୍ରାଏଲ ଛାଉଣିରୁ ପଳାଇ ଆସିଲି।

4 ତହିଁରେ ଦାଉଦ ତାହାକୁ କହିଲେ, କଥା କଅଣ, ମୋତେ କହିଲ? ତହୁଁ ସେ ଉତ୍ତର କଲା, ଲୋକମାନେ ଯୁଦ୍ଧରୁ ପଳାଇଲେ, ପୁଣି ଅନେକ ଲୋକ ମାରା ପଡ଼ିଲେ, ଆଉ ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ମଧ୍ୟ ମଲେ।

5 ତହିଁରେ ଦାଉଦ ସେହି ସମ୍ଵାଦଦାୟୀ ଯୁବାକୁ କହିଲେ, ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ମଲେ ବୋଲି ତୁମ୍ଭେ କିପରି ଜାଣିଲ?

6 ତହିଁରେ ସେହି ସମ୍ଵାଦଦାୟୀ ଯୁବା ତାଙ୍କୁ କହିଲା, ମୁଁ ଘଟନାକ୍ରମେ ଗିଲ୍ବୋୟ ପର୍ବତରେ ଉପସ୍ଥିତ ହୁଅନ୍ତେ, ଦେଖ, ଶାଉଲ ଆପଣା ବର୍ଚ୍ଛା ଉପରେ ଆଉଜି ପଡ଼ିଅଛନ୍ତି; ଆଉ ଦେଖ, ରଥ ଓ ଅଶ୍ଵାରୋହୀମାନେ ତାଙ୍କ ପଛେ ଲାଗି ରହିଅଛନ୍ତି।

7 ଏଥି ମଧ୍ୟରେ ସେ ଆପଣା ପଛକୁ ଅନାନ୍ତେ, ମୋତେ ଦେଖି ଡାକିଲେ। ତହିଁରେ ମୁଁ ଉତ୍ତର କଲି, ଏଠାରେ ମୁଁ ଅଛି।

8 ତେଣୁ ସେ ମୋତେ କହିଲେ, ତୁମ୍ଭେ କିଏ? ମୁଁ ଉତ୍ତର କଲି, ମୁଁ ଜଣେ ଅମାଲେକୀୟ ଲୋକ।

9 ତେବେ ସେ ମୋତେ କହିଲେ, ବିନୟ କରୁଅଛି, ମୋʼ ନିକଟରେ ଠିଆ ହୋଇ ମୋତେ ବଧ କର, କାରଣ ମୋତେ ବଡ଼ ଯନ୍ତ୍ରଣା ଆକ୍ରା; କରିଅଛି; ତଥାପି ଏପର୍ଯ୍ୟନ୍ତ ମୋʼଠାରେ ପ୍ରାଣ ସମ୍ପୂର୍ଣ୍ଣ ରହିଅଛି।

10 ତହିଁରେ ମୁଁ ତାଙ୍କ ନିକଟରେ ଠିଆ ହୋଇ ତାଙ୍କୁ ବଧ କଲି; କାରଣ ସେହି ପତନ ଉତ୍ତାରେ ସେ ଆଉ ବଞ୍ଚିବେ ନାହିଁ ବୋଲି ମୁଁ ଜାଣିଲି; ପୁଣି ମୁଁ ତାଙ୍କ ମସ୍ତକର ମୁକୁଟ ଓ ବାହୁର ବାଜୁ ନେଇ ଏଠାକୁ ମୋʼ ପ୍ରଭୁଙ୍କ କତିକି ଆଣିଅଛି।

11 ଏଥିରେ ଦାଉଦ ଆପଣା ବସ୍ତ୍ର ଧରି ଚିରିଲେ ଓ ତାଙ୍କ ସଙ୍ଗୀ ଲୋକମାନେ ମଧ୍ୟ ତଦ୍ରୂପ କଲେ;

12 ପୁଣି ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ଓ ସଦାପ୍ରଭୁଙ୍କ ଲୋକମାନେ ଓ ଇସ୍ରାଏଲ ବଂଶ ଖଡ଼୍‍ଗରେ ପତିତ ହେବାରୁ ସେମାନେ ସେମାନଙ୍କ ନିମନ୍ତେ ବିଳାପ ଓ ରୋଦନ କଲେ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ କଲେ ।

13 ଏଉତ୍ତାରେ ଦାଉଦ ସେହି ସମ୍ଵାଦଦାୟୀ ଯୁବାକୁ କହିଲେ, ତୁମ୍ଭେ କେଉଁ ସ୍ଥାନର ଲୋକ? ସେ ଉତ୍ତର କଲା, ମୁଁ ଜଣେ ଅମାଲେକୀୟ ବିଦେଶୀ ଲୋକର ପୁତ୍ର।

14 ତହୁଁ ଦାଉଦ ତାହାକୁ କହିଲେ, ତୁମ୍ଭେ ଯେ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କୁ ନାଶ କରିବା ପାଇଁ ଆପଣା ହସ୍ତ ବଢ଼ାଇବାକୁ ଭୟ ନ କଲ, ଏ କିପରି?

15 ଏଥିରେ ଦାଉଦ ଯୁବାମାନଙ୍କ ମଧ୍ୟରୁ ଜଣକୁ ଡାକି କହିଲେ, କତିକି ଯାଇ ତାକୁ ଆକ୍ରମଣ କର। ତହିଁରେ ସେ ତାକୁ ଆଘାତ କରନ୍ତେ, ସେ ମଲା।

16 ପୁଣି ଦାଉଦ ତାକୁ କହିଲେ, ତୁମ୍ଭ ରକ୍ତ ତୁମ୍ଭ ମସ୍ତକରେ ବର୍ତ୍ତୁ; କାରଣ ତୁମ୍ଭର ମୁଖ ତୁମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦେଇ କହିଅଛି, ମୁଁ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କୁ ବଧ କରିଅଛି।


ଶାଉଲ ଓ ଯୋନାଥନ ପାଇଁ ଦାଉଦଙ୍କ ଶୋକ

17 ଅନନ୍ତର ଦାଉଦ ଶାଉଲ ଓ ତାଙ୍କ ପୁତ୍ର ଯୋନାଥନଙ୍କ ବିଷୟରେ ଏହି ବିଳାପ ରଚନା କଲେ;

18 ପୁଣି ଯିହୁଦା-ସନ୍ତାନମାନଙ୍କୁ ସେହି ଧନୁର୍ଗୀତ ଶିଖାଇବାକୁ ଆଜ୍ଞା ଦେଲେ; ଦେଖ, ତାହା ଯାଶେର୍ ପୁସ୍ତକରେ ଲେଖା ଅଛି।

19 ହେ ଇସ୍ରାଏଲ, ତୁମ୍ଭର ଭୂଷଣ ସ୍ଵରୂପ ତୁମ୍ଭ ଉଚ୍ଚସ୍ଥଳୀରେ ହତ ହେଲେ ! ବୀରମାନେ କିପରି ପତିତ ହେଲେ !

20 ଗାଥ୍ରେ ଏହା ନ ଜଣାଅ, ଅସ୍କିଲୋନର ଦାଣ୍ତରେ ଏହା ପ୍ରଚାର ନ କର; କଲେ ପଲେଷ୍ଟୀୟ କନ୍ୟାମାନେ ଆନନ୍ଦ କରିବେ ଓ ଅସୁନ୍ନତମାନଙ୍କ କନ୍ୟାଗଣ ଜୟଧ୍ଵନି କରିବେ।

21 ହେ ଗିଲ୍ବୋୟ ପର୍ବତଗଣ, ତୁମ୍ଭମାନଙ୍କ ଉପରେ କାକର କି ବୃଷ୍ଟି ନ ପଡ଼ୁ କିଅବା ଉପହାରଜନକ କ୍ଷେତ୍ର ନ ହେଉ; କାରଣ ସେଠାରେ ବୀରମାନଙ୍କର ଢାଲ ମଳିନ ହେଲା, ଶାଉଲଙ୍କର ଢାଲ ତୈଳରେ ଅନଭିଷିକ୍ତ ରହିଲା।

22 ହତ ଲୋକମାନଙ୍କ ରକ୍ତରୁ, ବୀରମାନଙ୍କ ମେଦରୁ ଯୋନାଥନଙ୍କ ଧନୁ ଫେରେ ନାହିଁ ଓ ଶାଉଲଙ୍କର ଖଡ଼୍‍ଗ ରିକ୍ତ ହୋଇ ଫେରେ ନାହିଁ।

23 ଶାଉଲ ଓ ଯୋନାଥନ ଜୀବଦ୍ଦଶାରେ ପରସ୍ପର ପ୍ରିୟ ଓ ତୁଷ୍ଟିଜନକ ଥିଲେ, ମରଣ ସମୟରେ ହେଁ ସେମାନେ ବିଭିନ୍ନ ନୋହିଲେ; ସେମାନେ ଉତ୍କ୍ରୋଶ ପକ୍ଷୀଠାରୁ ବେଗବାନ, ସେମାନେ ସିଂହଠାରୁ ବଳବାନ ଥିଲେ।

24 ହେ ଇସ୍ରାଏଲର କନ୍ୟାଗଣ, ଶାଉଲଙ୍କ ପାଇଁ ରୋଦନ କର, ସେ ତୁମ୍ଭମାନଙ୍କୁ ସିନ୍ଦୂରବର୍ଣ୍ଣ ବସ୍ତ୍ରରେ ସୁନ୍ଦର ରୂପେ ବସ୍ତ୍ରାନ୍ଵିତ କଲେ, ସେ ତୁମ୍ଭମାନଙ୍କ ବସ୍ତ୍ର ଉପରେ ସ୍ଵର୍ଣ୍ଣ ଅଳଙ୍କାର ମଣ୍ତିଲେ।

25 ବୀରମାନେ ଯୁଦ୍ଧ ମଧ୍ୟରେ କିପରି ପଡ଼ିଲେ। ଯୋନାଥନ ତୁମ୍ଭ ଉଚ୍ଚସ୍ଥଳୀରେ ହତ ହେଲେ।

26 ହେ ମୋହର ଭାଇ ଯୋନାଥନ, ମୁଁ ତୁମ୍ଭ ଲାଗି ବ୍ୟାକୁଳ ହେଉଅଛି; ତୁମ୍ଭେ ମୋହର ଅତି ତୁଷ୍ଟିଜନକ ଥିଲ; ମୋʼ ପ୍ରତି ତୁମ୍ଭର ପ୍ରେମ ଆଶ୍ଚର୍ଯ୍ୟ, ତାହା ସ୍ତ୍ରୀମାନଙ୍କ ପ୍ରେମରୁ ବଳିଗଲା।

27 ବୀରମାନେ କିପରି ପତିତ ହେଲେ ଓ ଯୁଦ୍ଧାସ୍ତ୍ରସକଳ ବିନଷ୍ଟ ହେଲା।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan