୧ ତୀମଥି 5 - ପବିତ୍ର ବାଇବଲ (Re-edited) - (BSI)ମଣ୍ତଳୀ ପ୍ରତି ଆଦେଶ 1 ତୁମ୍ଭେ ବୃଦ୍ଧ ବ୍ୟକ୍ତିଙ୍କୁ ତିରସ୍କାର କର ନାହିଁ, କିନ୍ତୁ ତାଙ୍କୁ ପିତୃତୁଲ୍ୟ ଜ୍ଞାନ କରି ବିନୟ କର; ଯୁବକମାନଙ୍କୁ ଭ୍ରାତୃତୁଲ୍ୟ, 2 ବୃଦ୍ଧା ସ୍ତ୍ରୀମାନଙ୍କୁ ମାତୃତୁଲ୍ୟ ଓ ଯୁବତୀମାନଙ୍କୁ ପବିତ୍ର ଭାବରେ ଭଗ୍ନୀତୁଲ୍ୟ ଜ୍ଞାନ କରି ସେହି ପ୍ରକାର କର। 3 ନିରାଶ୍ରୟ ବିଧବାମାନଙ୍କୁ ସମାଦର କର। 4 କିନ୍ତୁ ଯେବେ କୌଣସି ବିଧବାର ପୁତ୍ରକନ୍ୟା ବା ପୌତ୍ରପୌତ୍ରୀ ଥାଆନ୍ତି, ତେବେ ସେମାନେ ପ୍ରଥମରେ ଆପଣା ପରିବାର ପ୍ରତି ଭକ୍ତି ଦେଖାଇବାକୁ ଓ ପିତାମାତାଙ୍କ ପ୍ରତି ପ୍ରତ୍ୟୁପକାର କରିବାକୁ ଶିକ୍ଷା କରନ୍ତୁ; କାରଣ ଏହା ତ ଈଶ୍ଵରଙ୍କ ଦୃଷ୍ଟିରେ ସୁଗ୍ରାହ୍ୟ ଅଟେ। 5 ଯେଉଁ ବିଧବା ନିରାଶ୍ରୟ ଓ ଅସହାୟ, ସେ ଈଶ୍ଵରଙ୍କ ଉପରେ ଭରସା ରଖି ଦିବାରାତ୍ର ନିବେଦନ ଓ ପ୍ରାର୍ଥନାରେ ପ୍ରବୃତ୍ତ ଥାଏ; 6 କିନ୍ତୁ ଯେ ଭୋଗାଭିଳାଷରେ ଆସକ୍ତ, ସେ ଜୀବିତ ଥିଲେ ହେଁ ମୃତ। 7 ସେମାନେ ଯେଯରି ଅନିନ୍ଦନୀୟ ହୁଅନ୍ତି, ଏଥିପାଇଁ ଏହି ସମସ୍ତ ମଧ୍ୟ ସେମାନଙ୍କୁ ଆଜ୍ଞା ଦିଅ। 8 କିନ୍ତୁ ଯଦି କେହି ଆପଣା ଆତ୍ମୀୟ, ବିଶେଷରେ ଆପଣା ପରିବାରର ତତ୍ତ୍ଵ ନ ନିଏ, ସେ ବିଶ୍ଵାସମତ ଅସ୍ଵୀକାର କରିଅଛି, ଆଉ ସେ ଅବିଶ୍ଵାସୀଠାରୁ ଅଧମ ଅଟେ,। 9 ଯେଉଁ ବିଧବାର ବୟସ ଷାଠିଏ ବର୍ଷରୁ ଊଣା ନୁହେଁ, 10 ଆଉ, ଯେ ଏକ ସ୍ଵାମୀର ସ୍ତ୍ରୀ ଓ ସତ୍କର୍ମ ହେତୁ ସୁଖ୍ୟାତିପ୍ରାପ୍ତ, ଅର୍ଥାତ୍, ସେ ଯଦି ସନ୍ତାନମାନଙ୍କୁ ପ୍ରତିପାଳନ, ଆତିଥ୍ୟସତ୍କାର, ସାଧୁମାନଙ୍କ ପାଦପ୍ରକ୍ଷାଳନ, ଦୁଃଖୀର ଦୁଃଖମୋଚନ କରିଥାଏ, ପୁଣି ସମସ୍ତ ସତ୍କର୍ମରେ ଉଦ୍ଯୋଗୀ ହୋଇଥାଏ, ତେବେ ତାହାର ନାମ ବିଧବା ତାଲିକାରେ ଲେଖାଯାଉ। 11 କିନ୍ତୁ ଯୁବତୀ ବିଧବାମାନଙ୍କୁ ଅଗ୍ରାହ୍ୟ କର, କାରଣ ସେମାନେ କାମାଭିଳାଷରେ ଆସକ୍ତ ହୋଇ ଖ୍ରୀଷ୍ଟଙ୍କଠାରୁ ବିମୁଖ ହେଲେ ବିବାହ କରିବାକୁ ଇଚ୍ଛା କରନ୍ତି; 12 ସେମାନେ ସେମାନଙ୍କର ପୂର୍ବ ପ୍ରତିଜ୍ଞା ଲଙ୍ଘନ କରିବାରୁ ଦଣ୍ତନୀୟ ହୁଅନ୍ତି। 13 ଆହୁରି ମଧ୍ୟ ସେମାନେ ଘର ଘର ବୁଲି ଆଳସ୍ୟ-ପ୍ରିୟ ହେବାକୁ ଶିଖନ୍ତି, ଆଉ କେବଳ ଆଳସ୍ୟପ୍ରିୟ ନୁହେଁ, ମାତ୍ର ଅସାର ଗଳ୍ପ ଓ ପରଚର୍ଚ୍ଚା କରି ଅନୁଚିତ କଥାବାର୍ତ୍ତା କରନ୍ତି। 14 ଅତଏବ, ମୋହର ଇଚ୍ଛା, ଯୁବତୀ ବିଧବାମାନେ ବିବାହ କରନ୍ତୁ, ସନ୍ତାନ ପ୍ରସବ କରନ୍ତୁ, ଗୃହକାର୍ଯ୍ୟ ପରିଚାଳନା କରନ୍ତୁ, ନିନ୍ଦା କରିବା ପାଇଁ ଶତ୍ରୁକୁ କୌଣସି ସୁଯୋଗ ନ ଦିଅନ୍ତୁ; 15 କାରଣ ଏବେ ମଧ୍ୟ କେହି କେହି ଶୟତାନର ପଶ୍ଚାଦ୍ବର୍ତ୍ତୀ ହୋଇ ବିପଥଗାମୀ ହୋଇଅଛନ୍ତି। 16 ଯଦି କୌଣସି ବିଶ୍ଵାସିନୀ ମହିଳାଙ୍କ ଗୃହରେ ବିଧବାମାନେ ଥାଆନ୍ତି, ତେବେ ସେ ସେମାନଙ୍କର ଦୁଃଖ ମୋଚନ କରନ୍ତୁ, ଆଉ ମଣ୍ତଳୀ ଭାରଗ୍ରସ୍ତ ନ ହେଉ, ଯେପରି ମଣ୍ତଳୀ ନିରାଶ୍ରୟ ବିଧବାମାନଙ୍କର ଦୁଃଖ ମୋଚନ କରି ପାରେ। 17 ଯେଉଁ ପ୍ରାଚୀନମାନେ ଉତ୍ତମ ରୂପେ ତତ୍ତ୍ଵାବଧାନ କରନ୍ତି, ବିଶେଷତଃ ଯେଉଁମାନେ ବାକ୍ୟପ୍ରଚାର ଓ ଶିକ୍ଷାଦାନରେ ପରିଶ୍ରମ କରନ୍ତି, ସେମାନେ ଦୁଇ ଗୁଣ ସମାଦର ପାଇବାର ଯୋଗ୍ୟ ବୋଲି ଗଣିତ ହେଉନ୍ତୁ। 18 କାରଣ ଶାସ୍ତ୍ର କହେ, “ବେଙ୍ଗଳା ବୁଲୁଥିବା ବଳଦର ମୁହଁରେ ତୁଣ୍ତି ଦିଅ ନାହିଁ”। ପୁଣି, କାର୍ଯ୍ୟକାରୀ ଆପଣା ବେତନର ଯୋଗ୍ୟ। 19 ଦୁଇ ବା ତିନି ଜଣ ସାକ୍ଷୀଙ୍କ ବିନା କୌଣସି ପ୍ରାଚୀନଙ୍କ ବିରୁଦ୍ଧରେ ଅଭିଯୋଗ ଗ୍ରହଣ କର ନାହିଁ। 20 ଯେଉଁମାନେ ପାପ କରନ୍ତି, ସେମାନଙ୍କୁ ସମସ୍ତଙ୍କ ସାକ୍ଷାତରେ ଅନୁଯୋଗ କର, ଯେପରି ଅନ୍ୟମାନେ ମଧ୍ୟ ଭୟ ପାଆନ୍ତି। 21 ଈଶ୍ଵରଙ୍କ, ଖ୍ରୀଷ୍ଟ ଯୀଶୁଙ୍କ ଓ ମନୋନୀତ ଦୂତମାନଙ୍କ ସାକ୍ଷାତରେ ମୁଁ ଦୃଢ଼ ରୂପେ ଆଜ୍ଞା ଦେଉଅଛି, ତୁମ୍ଭେ ପୂର୍ବଧାରଣା ଦ୍ଵାରା ଚାଳିତ ନ ହୋଇ ଏହି ସମସ୍ତ ପାଳନ କର, ପୁଣି ପକ୍ଷପାତ ଭାବରେ କୌଣସି କାର୍ଯ୍ୟ କର ନାହିଁ। 22 ଅକସ୍ମାତ୍ କାହାରି ଉପରେ ହସ୍ତାର୍ପଣ କର ନାହିଁ, କିମ୍ଵା ଅନ୍ୟମାନଙ୍କ ପାପର ସହଭାଗୀ ହୁଅ ନାହିଁ; ଆପଣାକୁ ସାଧୁ କରି ରଖ। 23 ଆଉ କେବଳ ଜଳ ପାନ ନ କରି ତୁମ୍ଭର ଉଦର ରୋଗ ଓ ବାରମ୍ଵାର ଅସ୍ଵାସ୍ଥ୍ୟ ସକାଶେ ଅଳ୍ପ ଦ୍ରାକ୍ଷାରସ ପାନ କର। 24 କାହାରି କାହାରି ପାପ ବିଚାର ପୂର୍ବରୁ, କାହାରି କାହାରି ଅବା ପରେ ପ୍ରକାଶ ପାଏ। 25 ସେହି ପ୍ରକାରେ ମଧ୍ୟ ସତ୍କାର୍ଯ୍ୟ ପୂର୍ବରୁ ପ୍ରକାଶିତ ହୁଏ, ଆଉ ଯାହା ପ୍ରକାଶିତ ହୁଏ ନାହିଁ, ତାହା ଗୁପ୍ତ ରଖାଯାଇ ପାରେ ନାହିଁ। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India