Biblia Todo Logo
Bìoball air-loidhne

- Sanasan -

1 ଶାମୁୟେଲ 23 - ପବିତ୍ର ବାଇବଲ (Re-edited) - (BSI)


କିୟୀଲା ସହରକୁ ଦାଉଦଙ୍କ ସୁରକ୍ଷା

1 ଅନନ୍ତର ଲୋକମାନେ ଦାଉଦଙ୍କୁ ଜଣାଇ କହିଲେ, ଦେଖ, ପଲେଷ୍ଟୀୟମାନେ କିୟୀଲା ନଗର ବିରୁଦ୍ଧରେ ଯୁଦ୍ଧ କରି ଖଳାରୁ ଶସ୍ୟ ଲୁଟୁଅଛନ୍ତି।

2 ଏନିମନ୍ତେ ଦାଉଦ ସଦାପ୍ରଭୁଙ୍କୁ ପଚାରି କହିଲେ, ମୁଁ ଯାଇ କି ଏହି ପଲେଷ୍ଟୀୟମାନଙ୍କୁ ଆଘାତ କରିବି? ତହିଁରେ ସଦାପ୍ରଭୁ ଦାଉଦଙ୍କୁ କହିଲେ, ଯାଅ, ପଲେଷ୍ଟୀୟମାନଙ୍କୁ ଆଘାତ କରି କିୟୀଲାକୁ ଉଦ୍ଧାର କର।

3 ଏଥିରେ ଦାଉଦଙ୍କର ଲୋକମାନେ ତାଙ୍କୁ କହିଲେ, ଦେଖ, ଆମ୍ଭେମାନେ ଏ ଯିହୁଦା ଦେଶରେ ଭୟ କରୁଅଛୁ; ଯେବେ ପଲେଷ୍ଟୀୟମାନଙ୍କ ସୈନ୍ୟଗଣ ବିରୁଦ୍ଧରେ କିୟୀଲାକୁ ଯିବା, ତେବେ କେତେ ଅଧିକ ଭୟ ନ କରିବା?

4 ତେଣୁ ଦାଉଦ ସଦାପ୍ରଭୁଙ୍କୁ ପୁନର୍ବାର ପଚାରିଲେ। ତହିଁରେ ସଦାପ୍ରଭୁ ଉତ୍ତର ଦେଇ କହିଲେ, ଉଠ, କିୟୀଲାକୁ ଯାଅ; କାରଣ ଆମ୍ଭେ ପଲେଷ୍ଟୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା।

5 ଏଥିରେ ଦାଉଦ ଓ ତାଙ୍କର ଲୋକମାନେ କିୟୀଲାକୁ ଯାଇ ପଲେଷ୍ଟୀୟମାନଙ୍କ ସଙ୍ଗରେ ଯୁଦ୍ଧ କଲେ ଓ ସେମାନଙ୍କ ପଶୁଗଣକୁ ନେଇଗଲେ ଓ ମହାସଂହାରରେ ସେମାନଙ୍କୁ ସଂହାର କଲେ। ଏହିରୂପେ ଦାଉଦ କିୟୀଲା ନିବାସୀମାନଙ୍କୁ ଉଦ୍ଧାର କଲେ।

6 ଯେତେବେଳେ ଅହୀମେଲକ୍ର ପୁତ୍ର ଅବୀୟାଥର କିୟୀଲାକୁ ଦାଉଦଙ୍କ କତିକି ପଳାଇ ଆସିଥିଲା, ସେତେବେଳେ ଏକ ଏଫୋଦ ହାତରେ ନେଇ ଆସିଥିଲା।

7 ପୁଣି ଦାଉଦ କିୟୀଲାକୁ ଆସିଅଛି ବୋଲି ଶାଉଲଙ୍କୁ କୁହାଯାʼନ୍ତେ, ଶାଉଲ କହିଲେ, ପରମେଶ୍ଵର ତାହାକୁ ମୋʼ ହସ୍ତରେ ପରିତ୍ୟାଗ କରିଅଛନ୍ତି; ଯେହେତୁ ସେ ଦ୍ଵାର ଓ ଅର୍ଗଳବିଶିଷ୍ଟ ନଗରରେ ପ୍ରବେଶ କରିବା ହେତୁରୁ ଅବରୁଦ୍ଧ ହୋଇଅଛି।

8 ଏଥିରେ କିୟୀଲାକୁ ଯାଇ ଦାଉଦଙ୍କୁ ଓ ତାଙ୍କର ଲୋକମାନଙ୍କୁ ଘେରିବା ପାଇଁ ଶାଉଲ ଆପଣାର ସମସ୍ତ ଲୋକଙ୍କୁ ଯୁଦ୍ଧକୁ ଡକାଇଲେ।

9 ପୁଣି ଦାଉଦ ଜାଣିଲେ ଯେ, ଶାଉଲ ତାଙ୍କ ପ୍ରତିକୂଳରେ ମନ୍ଦ କଳ୍ପନା କରିଅଛନ୍ତି; ଏଣୁ ସେ ଅବୀୟାଥର ଯାଜକକୁ କହିଲେ, ଏଠାକୁ ଏଫୋଦ ଆଣ।

10 ତେବେ ଦାଉଦ କହିଲେ, ହେ ସଦାପ୍ରଭୋ, ଇସ୍ରାଏଲର ପରମେଶ୍ଵର, ଶାଉଲ କିୟୀଲାକୁ ଆସି ମୋʼ ସକାଶେ ସେହି ନଗର ଉଚ୍ଛିନ୍ନ କରିବାକୁ ଚାହୁଁଅଛନ୍ତି ବୋଲି ତୁମ୍ଭ ଦାସ ନିଶ୍ଚିତ ରୂପେ ଶୁଣିଅଛି।

11 କିୟୀଲା ନିବାସୀମାନେ କʼଣ ମୋତେ ତାଙ୍କ ହସ୍ତରେ ସମର୍ପି ଦେବେ? ତୁମ୍ଭ ଦାସ ଯେପରି ଶୁଣିଅଛି, ସେପରି କʼଣ ଶାଉଲ ଆସିବେ? ହେ ସଦାପ୍ରଭୋ, ଇସ୍ରାଏଲର ପରମେଶ୍ଵର, ମୁଁ ବିନୟ କରୁଅଛି, ଆପଣା ଦାସକୁ ଏହା ଜଣାଅ। ତହିଁରେ ସଦାପ୍ରଭୁ କହିଲେ, ସେ ଆସିବ।

12 ତେବେ ଦାଉଦ କହିଲେ, କିୟୀଲା ନିବାସୀମାନେ ମୋତେ ଓ ମୋʼ ଲୋକମାନଙ୍କୁ କʼଣ ଶାଉଲଙ୍କ ହସ୍ତରେ ସମର୍ପଣ କରିବେ? ତହିଁରେ ସଦାପ୍ରଭୁ କହିଲେ, ସେମାନେ ତୁମ୍ଭକୁ ସମର୍ପଣ କରିବେ।

13 ତହୁଁ ଦାଉଦ ଓ ତାଙ୍କର ଊଣାଧିକ ଛଅ ଶହ ଲୋକ ଉଠି କିୟୀଲାରୁ ପ୍ରସ୍ଥାନ କଲେ ଓ ଯେଉଁଠାକୁ ଯାଇ ପାରିଲେ, ସେଠାକୁ ଗଲେ। ଏଥିରେ ଦାଉଦ କିୟୀଲାରୁ ପଳାଇ ଯାଇଅଛି ବୋଲି ଶାଉଲଙ୍କୁ କୁହାଗଲା; ତେଣୁ ସେ ଯିବାରୁ କ୍ଷା; ହେଲେ।


ପାର୍ବତ୍ୟ ଅଞ୍ଚଳରେ ଦାଉଦ

14 ଅନନ୍ତର ଦାଉଦ ପ୍ରାନ୍ତରସ୍ଥ ନାନା ଦୁର୍ଗମ ସ୍ଥାନରେ ବାସ କରି ସୀଫ୍ ପ୍ରାନ୍ତରସ୍ଥ ପର୍ବତମୟ ଦେଶରେ ରହିଲେ। ପୁଣି ଶାଉଲ ପ୍ରତିଦିନ ତାଙ୍କର ଅନ୍ଵେଷଣ କଲେ, ମାତ୍ର ପରମେଶ୍ଵର ତାଙ୍କୁ ତାଙ୍କ ହାତରେ ଦେଲେ ନାହିଁ ।

15 ଏଉତ୍ତାରେ ଦାଉଦ ଜାଣିଲେ ଯେ, ଶାଉଲ ତାଙ୍କ ପ୍ରାଣ ନେବା ପାଇଁ ବାହାର ହୋଇ ଆସିଅଛନ୍ତି; ସେସମୟରେ ଦାଉଦ ସୀଫ୍ ପ୍ରାନ୍ତରସ୍ଥ ବଣରେ ଥିଲେ।

16 ଏଣୁ ଶାଉଲଙ୍କର ପୁତ୍ର ଯୋନାଥନ ଉଠି ଦାଉଦଙ୍କ କତିକି ବଣକୁ ଗଲା ଓ ପରମେଶ୍ଵରଙ୍କଠାରେ ତାଙ୍କ ହସ୍ତ ସବଳ କଲା।

17 ପୁଣି ସେ ତାଙ୍କୁ କହିଲା, ଭୟ ନ କର; କାରଣ ମୋର ପିତା ଶାଉଲଙ୍କର ହସ୍ତ ତୁମ୍ଭକୁ ପାଇବ ନାହିଁ; ପୁଣି ତୁମ୍ଭେ ଇସ୍ରାଏଲ ଉପରେ ରାଜା ହେବ ଓ ମୁଁ ତୁମ୍ଭର ଦ୍ଵିତୀୟ ହେବି; ଏହା ମଧ୍ୟ ମୋର ପିତା ଶାଉଲ ଜାଣନ୍ତି।

18 ଏଥିରେ ସେ ଦୁହେଁ ସଦାପ୍ରଭୁଙ୍କ ସମ୍ମୁଖରେ ନିୟମ କଲେ; ତହୁଁ ଦାଉଦ ବଣରେ ବାସ କଲେ ଓ ଯୋନାଥନ ଆପଣା ଘରକୁ ଗଲା।

19 ଏଉତ୍ତାରେ ସୀଫୀୟ ଲୋକମାନେ ଗିବୀୟାକୁ ଶାଉଲଙ୍କ କତିକି ଆସି କହିଲେ, ଦାଉଦ କʼଣ ଆମ୍ଭମାନଙ୍କ ମଧ୍ୟରେ ମରୁଭୂମିର ଦକ୍ଷିଣ ଦିଗସ୍ଥ ହଖୀଲା ପର୍ବତର ବଣରେ ନାନା ଦୁର୍ଗମ ସ୍ଥାନରେ ଲୁଚି ରହିଣନାହିଁ?

20 ଏହେତୁ ହେ ମହାରାଜ, ଆପଣଙ୍କ ଆଗମନର ସମସ୍ତ ମନୋବାଞ୍ଛାନୁସାରେ ଆସନ୍ତୁ, ପୁଣି ମହାରାଜଙ୍କ ହସ୍ତରେ ତାହାକୁ ସମର୍ପଣ କରିବା ଭାର ଆମ୍ଭମାନଙ୍କର।

21 ତହୁଁ ଶାଉଲ କହିଲେ, ତୁମ୍ଭେମାନେ ସଦାପ୍ରଭୁଙ୍କ ଆଶୀର୍ବାଦର ପାତ୍ର; କାରଣ ତୁମ୍ଭେମାନେ ମୋʼ ପ୍ରତି କୃପା କଲ।

22 ମୁଁ ବିନୟ କରୁଅଛି, ତୁମ୍ଭେମାନେ ଯାଇ ଆହୁରି ସ୍ଥିର କର ଓ କେଉଁଠାରେ ତାହାର ଖୋଜ ପଡ଼ିଅଛି, କିଏ ତାହାକୁ ସେଠାରେ ଦେଖିଅଛି, ଏହା ବୁଝି ଦେଖ; କାରଣ ମୋତେ କୁହାଯାଇଅଛି ଯେ, ସେ ଅତି ସତର୍କ ହୋଇ ଚଳୁଅଛି।

23 ଏହେତୁ ଯେ ଯେ ଲୁଚିବା ସ୍ଥାନରେ ସେ ଆପଣାକୁ ଲୁଚାଏ, ସେସବୁ ଦେଖି ବୁଝ ଓ ତୁମ୍ଭେମାନେ ମୋʼ କତିକି ନିଶ୍ଚୟ ଫେରି ଆସ, ତହିଁରେ ମୁଁ ତୁମ୍ଭମାନଙ୍କ ସଙ୍ଗେ ଯିବି; ସେ ଯେବେ ଦେଶରେ ଥାଏ, ତେବେ ମୁଁ ଯିହୁଦାର ସମୁଦାୟ ସହସ୍ର ମଧ୍ୟରେ ତାହାକୁ ଖୋଜିବି।

24 ତହୁଁ ସେମାନେ ଉଠି ଶାଉଲଙ୍କ ଆଗେ ସୀଫ୍କୁ ଗଲେ; ସେତେବେଳେ ଦାଉଦ ଓ ତାଙ୍କର ଲୋକମାନେ ମରୁଭୂମିର ଦକ୍ଷିଣସ୍ଥିତ ପଦାରେ ମାୟୋନ୍ ପ୍ରାନ୍ତରରେ ଥିଲେ।

25 ଏଣୁ ଶାଉଲ ଓ ତାଙ୍କର ଲୋକମାନେ ତାଙ୍କୁ ଖୋଜିବାକୁ ଗଲେ; ମାତ୍ର ଲୋକମାନେ ଦାଉଦଙ୍କୁ ଏହା ଜଣାନ୍ତେ, ସେ ଶୈଳକୁ ଓହ୍ଲାଇ ଆସି ମାୟୋନ୍ ପ୍ରାନ୍ତରରେ ରହିଲେ। ଏଉତ୍ତାରେ ଶାଉଲ ତାହା ଶୁଣି ମାୟୋନ୍ ପ୍ରାନ୍ତରରେ ଦାଉଦଙ୍କ ପଛେ ପଛେ ଗୋଡ଼ାଇଲେ।

26 ପୁଣି ଶାଉଲ ପର୍ବତର ଏକ ପାର୍ଶ୍ଵକୁ ଗଲେ, ଆଉ ଦାଉଦ ଓ ତାଙ୍କର ଲୋକମାନେ ଅନ୍ୟ ପାର୍ଶ୍ଵକୁ ଗଲେ; ତହୁଁ ଦାଉଦ ଶାଉଲଙ୍କ ଭୟରୁ ପଳାଇବାକୁ ଚଞ୍ଚଳ ହେଲେ; କାରଣ ଶାଉଲ ଓ ତାଙ୍କର ଲୋକମାନେ ଦାଉଦଙ୍କୁ ଓ ତାଙ୍କର ଲୋକଙ୍କୁ ଧରିବା ନିମନ୍ତେ ସେମାନଙ୍କ ଚାରିଆଡ଼େ ଘେରିଥିଲେ ।

27 ଏପରି ସମୟରେ ଜଣେ ଦୂତ ଶାଉଲଙ୍କ ନିକଟକୁ ଆସି କହିଲା, ଶୀଘ୍ର ଆସନ୍ତୁ; କାରଣ ପଲେଷ୍ଟୀୟମାନେ ଦେଶ ଆକ୍ରମଣ କଲେଣି।

28 ତହୁଁ ଶାଉଲ ଦାଉଦଙ୍କର ପଶ୍ଚାତ୍ ଗୋଡ଼ାଇବାରୁ ଫେରି ପଲେଷ୍ଟୀୟମାନଙ୍କ ବିରୁଦ୍ଧରେ ଯାତ୍ରା କଲେ; ଏଣୁ ସେମାନେ ସେହି ସ୍ଥାନର ନାମ ସେଲା-ହମ୍ମହଲିକୋତ୍ (ବିଭାଗକାରୀ ଶୈଳ) ରଖିଲେ।

29 ଏଉତ୍ତାରେ ଦାଉଦ ସେହି ସ୍ଥାନରୁ ଯାଇ ଐନଗଦୀସ୍ଥ ଦୁର୍ଗମ ସ୍ଥାନରେ ବାସ କଲେ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan