Biblia Todo Logo
Bìoball air-loidhne

- Sanasan -

1 ଶାମୁୟେଲ 21 - ପବିତ୍ର ବାଇବଲ (Re-edited) - (BSI)


ଦାଉଦ ଏବଂ ପବିତ୍ର ରୋଟୀ

1 ଅନନ୍ତର ଦାଉଦ ନୋବରେ ଅହୀମେଲକ୍ ଯାଜକ ନିକଟକୁ ଆସିଲେ; ତହିଁରେ ଅହୀମେଲକ୍ କମ୍ପମାନ ହୋଇ ଦାଉଦଙ୍କୁ ସାକ୍ଷାତ୍ କରିବାକୁ ଆସି ତାଙ୍କୁ କହିଲା, ତୁମ୍ଭ ସଙ୍ଗରେ କୌଣସି ଲୋକ ନାହିଁ, ତୁମ୍ଭେ ଏକା କାହିଁକି?

2 ଏଥିରେ ଦାଉଦ ଅହୀମେଲକ୍ ଯାଜକକୁ କହିଲେ, ରାଜା ମୋତେ ଗୋଟିଏ କାର୍ଯ୍ୟ କରିବାକୁ ଆଜ୍ଞା କରିଅଛନ୍ତି ଓ ମୋତେ କହିଅଛନ୍ତି, ଯେଉଁ କାର୍ଯ୍ୟ ନିମନ୍ତେ ମୁଁ ତୁମ୍ଭକୁ ପଠାଏ ଓ ମୁଁ ତୁମ୍ଭକୁ ଯାହା ଆଜ୍ଞା କରିଅଛି, ସେହି ବିଷୟ କେହି କିଛି ନ ଜାଣୁ; ଆଉ ମୁଁ ଯୁବାମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ନିଯୁକ୍ତ କରିଅଛି।

3 ଏବେ ତୁମ୍ଭ ହସ୍ତରେ କଅଣ ଅଛି? ପାଞ୍ଚଟି ରୋଟୀ, ଅବା ଯାହା କିଛି ଅଛି, ତାହା ମୋʼ ହସ୍ତରେ ଦିଅ।

4 ଏଥିରେ ଯାଜକ ଦାଉଦଙ୍କୁ ଉତ୍ତର କରି କହିଲା, ମୋʼ ହସ୍ତରେ ସାଧାରଣ ରୋଟୀ ନାହିଁ; ଯେବେ ଯୁବାମାନେ ସ୍ତ୍ରୀମାନଙ୍କଠାରୁ ଆପଣାମାନଙ୍କୁ ପୃଥକ ରଖିଥିବେ, ତେବେ କେବଳ ପବିତ୍ର ରୋଟୀ ଅଛି।

5 ତହୁଁ ଦାଉଦ ଯାଜକକୁ ଉତ୍ତର ଦେଇ କହିଲେ, ପ୍ରକୃତରେ ଊଣାଧିକ ଏହି ତିନି ଦିନ ହେଲା, ସ୍ତ୍ରୀମାନେ ଆମ୍ଭମାନଙ୍କଠାରୁ ପୃଥକୀକୃତ ହୋଇଅଛନ୍ତି, ଏ କେବଳ ସାମାନ୍ୟ ଯାତ୍ରା ହେଲେ ହେଁ, ମୁଁ ବାହାରିବା ବେଳେ ଯୁବାମାନଙ୍କ ପାତ୍ର ପବିତ୍ର ଥିଲା; ତେବେ ଆଜି ସେମାନଙ୍କ ପାତ୍ର କେତେ ଅଧିକ ପବିତ୍ର ନ ଥିବ?

6 ତହିଁରେ ଯାଜକ ତାଙ୍କୁ ପବିତ୍ର ରୋଟୀ ଦେଲା; କାରଣ ସେ ସ୍ଥାନରେ ଆଉ ରୋଟୀ ନ ଥିଲା, କେବଳ ଦର୍ଶନୀୟ ରୋଟୀ ଥିଲା, ତାହା ଉଠାଇ ନେବା ଦିନ ତପ୍ତ ରୋଟୀ ରଖିବା ପାଇଁ ସଦାପ୍ରଭୁଙ୍କ ସମ୍ମୁଖରୁ ତାହା ସ୍ଥାନାନ୍ତରିତ କରାଯାଇଥିଲା।

7 ସେହିଦିନ ଶାଉଲଙ୍କର ଦାସମାନଙ୍କ ମଧ୍ୟରୁ ଜଣେ ସଦାପ୍ରଭୁଙ୍କ ସମ୍ମୁଖରେ ଅଟକା ଯାଇଥିଲା; ତାହାର ନାମ ଇଦୋମୀୟ ଦୋୟେଗ, ସେ ଶାଉଲଙ୍କର ପଶୁପାଳକ-ମାନଙ୍କ ମଧ୍ୟରେ ପ୍ରଧାନ ଥିଲା।

8 ପୁଣି ଦାଉଦ ଅହୀମେଲକ୍କୁ କହିଲେ, ଏଠାରେ ତୁମ୍ଭ ହସ୍ତରେ ବର୍ଚ୍ଛା କି ଖଡ଼୍‍ଗ ନାହିଁ? କାରଣ ମୁଁ ଆପଣା ଖଡ଼୍‍ଗ କି ଅସ୍ତ୍ରଶସ୍ତ୍ର ସଙ୍ଗରେ ଆଣି ନାହିଁ, ଯେଣୁ ରାଜାଙ୍କ କାର୍ଯ୍ୟ ଶୀଘ୍ର କରିବାକୁ ପଡ଼ିଲା।

9 ତହିଁରେ ଯାଜକ କହିଲା, ତୁମ୍ଭେ ଏଲା ତଳଭୂମିରେ ଯାହାକୁ ବଧ କରିଥିଲ, ଦେଖ; ସେହି ପଲେଷ୍ଟୀୟ ଗଲୀୟାତର ଖଡ଼୍‍ଗ ଏଫୋଦ ପଛେ ବସ୍ତ୍ରରେ ଗୁଡ଼ାହୋଇଅଛି, ଯେବେ ତାହା ନେବ, ନିଅ; ତାହା ଛଡ଼ା ଆଉ ଏଠାରେ କିଛି ନାହିଁ। ତହୁଁ ଦାଉଦ କହିଲେ ତାହା ପରି ଆଉ କିଛି ନାହିଁ; ତାହା ମୋତେ ଦିଅ।


ଗାଥ୍ରେ ଦାଉଦ

10 ଏଉତ୍ତାରେ ଦାଉଦ ଉଠି ଶାଉଲଙ୍କର ସମ୍ମୁଖରୁ ସେହିଦିନ ପଳାଇ ଗାଥ୍ର ରାଜା ଆଖୀଶ୍ ନିକଟକୁ ଗଲେ।

11 ତହିଁରେ ଆଖୀଶ୍ର ଦାସମାନେ ତାକୁ କହିଲେ, ଏହି ଦାଉଦ କି ଦେଶର ରାଜା ନୁହନ୍ତି? ପୁଣି ଲୋକମାନେ ତାଙ୍କ ବିଷୟରେ ନୃତ୍ୟ କରି କି ପରସ୍ପର କହି ନ ଥିଲେ, ଶାଉଲ ବଧ କଲେ ସହସ୍ର ସହସ୍ର, ଦାଉଦ ବଧ କଲେ ଅୟୁତ ଅୟୁତ?

12 ମାତ୍ର ଦାଉଦ ଏ କଥା ମନେ ରଖିଲେ, ପୁଣି ଗାଥ୍ର ରାଜା ଆଖୀଶ୍କୁ ବଡ଼ ଭୟ କଲେ।

13 ଏଣୁ ସେ ସେମାନଙ୍କ ସାକ୍ଷାତରେ ଆପଣା ମତି ବଦଳାଇଲେ ଓ ସେମାନଙ୍କ ନିକଟରେ ଆପଣାକୁ ବାତୁଳ ପରି ଦେଖାଇ ଦ୍ଵାର କବାଟ ଆଞ୍ଚୁଡ଼ିଲେ ଓ ଆପଣା ଦାଢ଼ିରେ ଲାଳ ବୋହିବାକୁ ଦେଲେ।

14 ତହିଁରେ ଆଖୀଶ୍ ଆପଣା ଦାସମାନଙ୍କୁ କହିଲା, ଦେଖ, ଏ ବାତୁଳ, ଏହା ତୁମ୍ଭେମାନେ ଦେଖୁଅଛ; ତୁମ୍ଭେମାନେ କାହିଁକି ଏହାକୁ ମୋର ପାଖକୁ ଆଣିଲ?

15 ମୋହର କʼଣ ବାତୁଳ ଲୋକର ଅଭାବ ଅଛି ଯେ, ତୁମ୍ଭେମାନେ ଏହାକୁ ମୋର ଆଗରେ ବାତୁଳ ବ୍ୟବହାର କରିବାକୁ ଆଣିଅଛ? ଏ ଲୋକ କʼଣ ମୋହର ଘରକୁ ଆସିବ?

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan