୧ ପିତର 4 - ପବିତ୍ର ବାଇବଲ (Re-edited) - (BSI)ଈଶ୍ଵରଙ୍କ ଅନୁଗ୍ରହର ଭଣ୍ତାରଘରିଆ 1 ଖ୍ରୀଷ୍ଟ ଶରୀରରେ ଦୁଃଖଭୋଗ କରିଥିବାରୁ ତୁମ୍ଭେମାନେ ମଧ୍ୟ ସେହିପରି ମନ ଧରି ଆପଣା- ମାନଙ୍କୁ ସୁସଜ୍ଜିତ କର (କାରଣ ଯେ ଶରୀରରେ ଦୁଃଖଭୋଗ କରିଅଛି, ସେ ପାପରୁ ନିବୃତ୍ତ ହୋଇଅଛି), 2 ଯେପରି ତୁମ୍ଭେମାନେ ଜାଗତିକ ଜୀବନର ଅବଶିଷ୍ଟ କାଳ ମନୁଷ୍ୟର କୁଅଭିଳାଷ ଅନୁସାରେ କ୍ଷେପଣ ନ କରି ଈଶ୍ଵରଙ୍କ ଇଚ୍ଛାନୁସାରେ କ୍ଷେପଣ କର। 3 ଯେଣୁ ବିଜାତିମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରି ତୁମ୍ଭେମାନେ ଯେତେକାଳ କାମୁକତା, କୁଅଭିଳାଷ, ମଦ୍ୟପାନ, ରଙ୍ଗରସ, ମତ୍ତତା ଓ ଘୃଣ୍ୟ ପ୍ରତିମାପୂଜା କରୁଥିଲ, ତାହା ଯଥେଷ୍ଟ; 4 ଏପ୍ରକାର ଉଚ୍ଛୃଙ୍ଖଳ ପନ୍ଥାରେ ତୁମ୍ଭେମାନେ ଯେ ସେମାନଙ୍କ ସହିତ ଧାବମାନ ହେଉ ନାହଁ, ଏହା ସେମାନେ ଆଶ୍ଚର୍ଯ୍ୟ ମଣି ତୁମ୍ଭମାନଙ୍କର ନିନ୍ଦା କରନ୍ତି; 5 କିନ୍ତୁ ଯେ ଜୀବିତ ଓ ମୃତ ଲୋକମାନଙ୍କର ବିଚାର କରିବାକୁ ଉଦ୍ୟତ, ତାହାଙ୍କ ଛାମୁରେ ସେମାନଙ୍କୁ ନିକାଶ ଦେବାକୁ ହେବ। 6 କାରଣ ଏହି ଉଦ୍ଦେଶ୍ୟରେ ମୃତମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରଚାରିତ ହେଲା, ଯେପରି ସେମାନେ ମନୁଷ୍ୟମାନଙ୍କ ସଦୃଶ ଶରୀରରେ ବିଚାରିତ ହେଲେ ହଁ ଈଶ୍ଵରଙ୍କ ସଦୃଶ ଆତ୍ମାରେ ସଜୀବ ହେବେ। 7 ମାତ୍ର ସମସ୍ତ ବିଷୟର ଅନ୍ତିମକାଳ ସନ୍ନିକଟ। ଅତଏବ ସୁବୁଦ୍ଧି ହୁଅ, ପୁଣି ପ୍ରାର୍ଥନା କରିବା ପାଇଁ ସଚେତନ ଥାଅ, 8 ବିଶେଷରେ ପ୍ରଗାଢ଼ ପ୍ରେମରେ ପରସ୍ପରକୁ ପ୍ରେମ କରୁଥାଅ, କାରଣ ପ୍ରେମ ବହୁଳ ପାପ ଆଚ୍ଛାଦନ କରେ। 9 କୁଣ୍ଠିତ ନ ହୋଇ ପରସ୍ପରର ଆତିଥ୍ୟ କର; 10 ପ୍ରତ୍ୟେକ ଜଣ ଯେଉଁପରି ଅନୁଗ୍ରହଦାନ ପାଇଅଛ, ସେହିପ୍ରକାରେ ଈଶ୍ଵରଙ୍କ ବହୁବିଧ ଅନୁଗ୍ରହର ଉତ୍ତମ ଭଣ୍ତାରଘରିଆ ସ୍ଵରୂପେ ତଦ୍ଦ୍ଵାରା ପରସ୍ପରର ସେବା କର; 11 କେହି ଯଦି ପ୍ରଚାର କରେ, ତେବେ ସେ ଈଶ୍ଵରଙ୍କ ବାକ୍ୟର ପ୍ରଚାରକ ପରି ପ୍ରଚାର କରୁ; କେହି ଯଦି ସେବା କରେ, ତେବେ ସେ ଈଶ୍ଵରଙ୍କଠାରୁ ଶକ୍ତିପ୍ରାପ୍ତ ଲୋକ ପରି ସେବା କରୁ, ଯେପରି ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଈଶ୍ଵର ଗୌରବାନ୍ଵିତ ହେବେ; ଯୁଗେ ଯୁଗେ ଗୌରବ ଓ ପରାକ୍ରମ ତାହାଙ୍କର। ଆମେନ୍। ଖ୍ରୀଷ୍ଟିୟାନ ଭାବରେ କ୍ଳେଶଭୋଗର ସମ୍ମୁଖୀନ 12 ହେ ପ୍ରିୟମାନେ, ତୁମ୍ଭମାନଙ୍କ ପରୀକ୍ଷା ନିମନ୍ତେ ଯେଉଁ ଦୁଃଖଭୋଗରୂପ ଅଗ୍ନି ଉପସ୍ଥିତ ହୋଇଅଛି, ତାହା ଅଦ୍ଭୁତ ଘଟଣା ବୋଲି ମନେ କରି ଆଶ୍ଚର୍ଯ୍ୟ ଜ୍ଞାନ କର ନାହିଁ; 13 ବରଂ ଯେଉଁ ପରିମାଣରେ ଖ୍ରୀଷ୍ଟଙ୍କ ଦୁଃଖଭୋଗର ସହଭାଗୀ ହେଉଅଛ, ସେହି ପରିମାଣରେ ଆନନ୍ଦ କର, ଯେପରି ତାହାଙ୍କ ମହିମା ପ୍ରକାଶିତ ହେବା ସମୟରେ ମଧ୍ୟ ତୁମ୍ଭେମାନେ ମହାନନ୍ଦରେ ଆନନ୍ଦିତ ହେବଧ୍ୟ। 14 ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ନାମ ସକାଶେ ନିନ୍ଦିତ ହୁଅ, ତାହାହେଲେ ତୁମ୍ଭେମାନେ ଧନ୍ୟ, କାରଣ ଗୌରବମୟ ଆତ୍ମା, ଅର୍ଥାତ୍, ଈଶ୍ଵରଙ୍କ ଆତ୍ମା, ତୁମ୍ଭମାନଙ୍କଠାରେ ଅଧିଷ୍ଠାନ କରୁଅଛନ୍ତି। 15 ଏଣୁ ତୁମ୍ଭମାନଙ୍କ ମଧ୍ୟରୁ କେହି ହତ୍ୟାକାରୀ କି ଚୋର, କି ଦୁରାଚାରୀ, କି ଅନଧିକାରଚର୍ଚ୍ଚାକାରୀ ହୋଇ ଦଣ୍ତ ଭୋଗ ନ କରୁ; 16 କିନ୍ତୁ କେହି ଯଦି ଖ୍ରୀଷ୍ଟିୟାନ ହେବାରୁ ଦଣ୍ତ ଭୋଗ କରେ, ତାହାହେଲେ ସେ ଲଜ୍ଜା ବୋଧ ନ କରୁ, ବରଂ ଏହି ନାମ ହେତୁରୁ ଈଶ୍ଵରଙ୍କ ମହିମା କୀର୍ତ୍ତନ କରୁ। 17 କାରଣ ଈଶ୍ଵରଙ୍କ ଗୃହଠାରୁ ଆରମ୍ଭ କରି ବିଚାର କରିବା ସମୟ ଉପସ୍ଥିତ; ଆଉ ଯଦି ପ୍ରଥମରେ ଆମ୍ଭମାନଙ୍କଠାରୁ ଆରମ୍ଭ ହୁଏ, ତେବେ ଯେଉଁମାନେ ଈଶ୍ଵରଙ୍କ ଅନାଜ୍ଞାବହ, ସେମାନଙ୍କର ଶେଷ ଦଶା ଅବା କଅଣ ନ ହେବ ! 18 ପୁଣି ଧାର୍ମିକ ବ୍ୟକ୍ତି ଯଦି କଷ୍ଟରେ ପରିତ୍ରାଣ ପାଏ, ତେବେ ଅଧାର୍ମିକ ଓ ପାପୀ ଲୋକ କେଉଁଠାରେ ମୁହଁ ଦେଖାଇବ? 19 ଅତଏବ, ଯେଉଁମାନେ ଈଶ୍ଵରଙ୍କ ଇଚ୍ଛାମତେ ଦୁଃଖଭୋଗ କରନ୍ତି, ସେମାନେ ବିଶ୍ଵସ୍ତ ସୃଷ୍ଟିକର୍ତ୍ତାଙ୍କର ହସ୍ତରେ ଆପଣା ଆପଣା ଆତ୍ମାକୁ ସମର୍ପଣ କରି ସତ୍କାର୍ଯ୍ୟରେ ନିବିଷ୍ଟ ରହନ୍ତୁ। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India