୧ ପିତର 2 - ପବିତ୍ର ବାଇବଲ (Re-edited) - (BSI)ଜୀବନ୍ତ ପ୍ରସ୍ତର ଏବଂ ପବିତ୍ର ଗୋଷ୍ଠୀ 1 ଅତଏବ ପ୍ରଭୁ ଯେ ମଙ୍ଗଳମୟ, ଏହା ଯଦି ଆସ୍ଵାଦନ କରିଅଛ, 2 ତାହାହେଲେ ସମସ୍ତପ୍ରକାର ଦୁଷ୍ଟତା, ଛଳ, କପଟ, ଈର୍ଷା ଓ ପରନିନ୍ଦା ପରିତ୍ୟାଗ କରି 3 ନବଜାତ ଶିଶୁ ତୁଲ୍ୟ ପାରମାର୍ଥିକ ଅମିଶ୍ରିତ ଦୁଗ୍ଧ ପାନ କରିବାକୁ ଇଚ୍ଛା କର, ଯେପରି ତଦ୍ଦ୍ଵାରା ପରିତ୍ରାଣାର୍ଥେ ବୃଦ୍ଧି ପାଇ ପାର। 4 ଜୀବନ୍ତ ପ୍ରସ୍ତର ସ୍ଵରୂପ ଯେ ସେହି ପ୍ରଭୁ, ସେ ମନୁଷ୍ୟମାନଙ୍କ ଦ୍ଵାରା ଅଗ୍ରାହ୍ୟହେଲେ ସତ, କିନ୍ତୁ ଈଶ୍ଵରଙ୍କ ନିକଟରେ ମନୋନୀତ ଓ ବହୁମୂଲ୍ୟ ଅଟନ୍ତି, 5 ତାହାଙ୍କ ନିକଟକୁ ଆସି ତୁମ୍ଭେମାନେ ମଧ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଈଶ୍ଵରଙ୍କ ନିକଟରେ ସୁଗ୍ରାହ୍ୟ ଆତ୍ମିକ ବଳି ଉତ୍ସର୍ଗ କରିବା ନିମନ୍ତେ ପବିତ୍ର ଯାଜକବର୍ଗ ହେବା ପାଇଁ ଜୀବନ୍ତ ପ୍ରସ୍ତର ସ୍ଵରୂପ ହୋଇ ଗୋଟିଏ ପାରମାର୍ଥିକ ଗୃହରୂପରେ ନିର୍ମିତ ହୁଅ। 6 କାରଣ ଶାସ୍ତ୍ରରେ ଲିଖିତ ଅଛି, ଦେଖ, ଆମ୍ଭେ ସୀୟୋନରେ ଗୋଟିଏ ମନୋନୀତ ଓ ବହୁମୂଲ୍ୟ କୋଣର ପ୍ରଧାନ ପ୍ରସ୍ତର ସ୍ଥାପନ କରୁଅଛୁ, ଆଉ ଯେ ତାହାଙ୍କଠାରେ ବିଶ୍ଵାସ କରିବ, ସେ ଲଜ୍ଜିତ ହେବ ନାହିଁ। 7 ଏଣୁ ବିଶ୍ଵାସ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ସେହି ମହାମୂଲ୍ୟର ଅଂଶୀ ଅଟ, କିନ୍ତୁ ଯେଉଁମାନେ ବିଶ୍ଵାସ କରନ୍ତି ନାହିଁ, ଗୃହନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କଲେ, ତାହା ସେମାନଙ୍କ ନିମନ୍ତେ କୋଣର ପ୍ରଧାନ ପ୍ରସ୍ତର 8 ପୁଣି, ବାଧାଜନକ ପ୍ରସ୍ତର ଓ ବିଘ୍ନଜନକ ପାଷାଣ-ସ୍ଵରୂପ ହେଲା; ବାକ୍ୟର ଅନାଜ୍ଞାବହ ହେବାରୁ ସେମାନେ ବାଧା ପାଆନ୍ତି, ଆଉ ଏନିମନ୍ତେ ମଧ୍ୟ ସେମାନେ ନିରୂପିତ ହୋଇଥିଲେ। 9 କିନ୍ତୁ ଯେ ତୁମ୍ଭମାନଙ୍କୁ ଅନ୍ଧକାରରୁ ଆପଣା ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆହ୍ଵାନ କରିଅଛନ୍ତି, ତୁମ୍ଭେମାନେ ଯେପରି ତାହାଙ୍କ ଗୁଣ କୀର୍ତ୍ତନ କର, ଏଥିନିମନ୍ତେ ତୁମ୍ଭେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକବର୍ଗ, ପବିତ୍ର ଜାତି ପୁଣି ଈଶ୍ଵରଙ୍କ ନିଜସ୍ଵ ପ୍ରଜା ହୋଇଅଛ। 10 ପୂର୍ବରେ ତୁମ୍ଭେମାନେ ପ୍ରଜା ବାଚ୍ୟ ନ ଥିଲ, କିନ୍ତୁ ଏବେ ଈଶ୍ଵରଙ୍କ ପ୍ରଜା ହୋଇଅଛ, ପୂର୍ବରେ ତୁମ୍ଭେମାନେ ଦୟା ପାଇ ନ ଥିଲ, ମାତ୍ର ଏବେ ଦୟା ପ୍ରାପ୍ତ ହୋଇଅଛ। 11 ହେ ପ୍ରିୟମାନେ, ତୁମ୍ଭେ ବିଦେଶୀ ଓ ପ୍ରବାସୀ ବୋଲି ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ଶାରୀରିକ ଅଭିଳାଷଗୁଡ଼ାକରୁ, ବିମୁଖ ହୁଅ, ସେଗୁଡ଼ାକ ଆତ୍ମାର ବିରୁଦ୍ଧରେ ଯୁଦ୍ଧ କରେ। 12 ତୁମ୍ଭେମାନେ ବିଜାତିମାନଙ୍କ ମଧ୍ୟରେ ସଦାଚରଣ କର, ଯେପରି ସେମାନେ ଯେଉଁ ବିଷୟରେ ତୁମ୍ଭମାନଙ୍କୁ ଦୁଷ୍କର୍ମକାରୀ ବୋଲି ନିନ୍ଦା କରନ୍ତି, ତୁମ୍ଭମାନଙ୍କର ସୁକର୍ମ ଦେଖି ସେହି ବିଷୟରେ କୃପାଦୃଷ୍ଟି ଦିନରେ ଈଶ୍ଵରଙ୍କ ଗୌରବ କରିବେ। ଅଧିକାରୀମାନଙ୍କର ବଶୀଭୂତ ହେବା 13 ପ୍ରଭୁଙ୍କ ସକାଶେ ସମସ୍ତେ ମାନବୀୟ ବିଧାନର ବଶୀଭୂତ ହୁଅ, 14 ସର୍ବପ୍ରଧାନ ରାଜା ହେଉନ୍ତୁ କିଅବା ଦୁଷ୍କର୍ମକାରୀ-ମାନଙ୍କୁ ପ୍ରତିଫଳ ଦେବା ନିମନ୍ତେ ଓ ସତ୍କର୍ମକାରୀମାନଙ୍କୁ ପ୍ରଶଂସା କରିବା ନିମନ୍ତେ ତାହାଙ୍କ ଦ୍ଵାରା ପ୍ରେରିତ ଶାସନକର୍ତ୍ତାମାନେ ହେଉନ୍ତୁ, ସେମାନଙ୍କର ବଶୀଭୂତ ହୁଅ। 15 କାରଣ ତୁମ୍ଭେମାନେ ଯେ ସତ୍କର୍ମ କରି ନିର୍ବୋଧ-ମାନଙ୍କ ଅଜ୍ଞାନର କଥା ବନ୍ଦ କର, ଏହା ଈଶ୍ଵରଙ୍କ ଇଚ୍ଛା; 16 ତୁମ୍ଭେମାନେ ସ୍ଵାଧୀନ ହେଲେହେଁ ତୁମ୍ଭମାନଙ୍କର ସ୍ଵାଧୀନତାକୁ ଦୁଷ୍ଟତାର ଆବରଣ ସ୍ଵରୂପେ ବ୍ୟବହାର ନ କରି ବରଂ ଈଶ୍ଵରଙ୍କ ଦାସ ହୋଇ ସତ୍କର୍ମ କର। 17 ସମସ୍ତଙ୍କୁ ସମାଦର କର, ଭାଇମାନଙ୍କୁ ପ୍ରେମ କର, ଈଶ୍ଵରଙ୍କୁ ଭୟ କର, ରାଜାଙ୍କୁ ସମାଦର କର। 18 ହେ ଦାସମାନେ, ତୁମ୍ଭେମାନେ ଭୟ ସହକାରେ ଆପଣା ଆପଣା କର୍ତ୍ତାଙ୍କର ବଶୀଭୂତ ହୁଅ, କେବଳ ଉତ୍ତମ ଓ ଦୟାଳୁ କର୍ତ୍ତାମାନଙ୍କର ନୁହେଁ, ମାତ୍ର ନିର୍ଦ୍ଦୟମାନଙ୍କର ମଧ୍ୟ ବଶୀଭୂତ ହୁଅ। 19 କାରଣ କେହି ଯେବେ ଈଶ୍ଵରଙ୍କୁ ସାକ୍ଷାତ୍ ମାନି ଅନ୍ୟାୟରେ ଦୁଃଖଭୋଗ କରି କଷ୍ଟ ସହ୍ୟ କରେ, ତେବେ ତାହା ପ୍ରଶଂସାର ବିଷୟ। 20 ଯେଣୁ ତୁମ୍ଭେମାନେ ଆପଣା ଆପଣା ଦୋଷରୁ ଯଦି ପ୍ରହାର ସହ୍ୟ କର, ତେବେ ସେଥିରେ ଅବା କଅଣ ସୁଖ୍ୟାତିଣ? କିନ୍ତୁ ଯଦି ସତ୍କର୍ମ କରି ଦୁଃଖ ସହ୍ୟ କର, ତେବେ ତାହା ଈଶ୍ଵରଙ୍କ ନିକଟରେ ପ୍ରଶଂସାର ବିଷୟ। 21 ଏଥିନିମନ୍ତେ ହିଁ ତୁମ୍ଭେମାନେ ଆହୂତ ହୋଇଅଛ, କାରଣ ତୁମ୍ଭେମାନେ ଯେପରି ଖ୍ରୀଷ୍ଟଙ୍କର ପଦଚିହ୍ନ ଦେଇ ଗମନ କର, ସେଥିପାଇଁ ସେ ମଧ୍ୟ ତୁମ୍ଭମାନଙ୍କ ନିମନ୍ତେ ଦୁଃଖଭୋଗ କରି ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଦେଇ ଯାଇଅଛନ୍ତି; 22 ସେ କୌଣସି ପାପ କଲେ ନାହିଁ, କିଅବା ତାହାଙ୍କ ମୁଖରେ କୌଣସି ଛଳକଥା ନ ଥିଲା। 23 ସେ ନିନ୍ଦା ପାଇବା ସମୟରେ ଫେରି ନିନ୍ଦା କଲେ ନାହିଁ; ଦୁଃଖଭୋଗ କରିବା ସମୟରେ ପ୍ରତିହିଂସା କରିବାକୁ ଭୟ ଦେଖାଇଲେ ନାହିଁ, କିନ୍ତୁ ନ୍ୟାୟବିଚାରକର୍ତ୍ତାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କଲେ; 24 ଆମ୍ଭେମାନେ ଯେପରି ପାପ ପ୍ରତି ମୃତ ହୋଇ ଧାର୍ମିକତା ନିମନ୍ତେ ଜୀବନ ଯାପନ କରୁ, ଏଥିନିମନ୍ତେ ସେ ଆପେ କ୍ରୁଶ ଉପରେ ନିଜ ଶରୀରରେ ଆମ୍ଭମାନଙ୍କର ସମସ୍ତ ପାପ ବହନ କଲେ; ତାହାଙ୍କ ପ୍ରହାରରେ ତୁମ୍ଭେମାନେ ସୁସ୍ଥ ହୋଇଅଛ। 25 କାରଣ ତୁମ୍ଭେମାନେ ମେଷ ତୁଲ୍ୟ ବିପଥଗାମୀ ହୋଇଥିଲ, କିନ୍ତୁ ଏବେ ତୁମ୍ଭମାନଙ୍କ ଆତ୍ମାର ପାଳକ ଓ ଅଧ୍ୟକ୍ଷଙ୍କ ନିକଟକୁ ବାହୁଡ଼ି ଆସିଅଛ। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India