Biblia Todo Logo
Bìoball air-loidhne

- Sanasan -

୧ ଯୋହନ 1 - ପବିତ୍ର ବାଇବଲ (Re-edited) - (BSI)


ଜୀବନଦାୟୀ ବାକ୍ୟ

1 ଆଦ୍ୟରୁ ଯେ ଥିଲେ, ଯାହାଙ୍କ ବାକ୍ୟ ଆମ୍ଭେମାନେ ଶୁଣିଅଛୁ, ଯାହାଙ୍କୁ ସ୍ଵଚକ୍ଷୁରେ ଦେଖିଅଛୁ, ଯାହାଙ୍କୁ ନିରୀକ୍ଷଣ କରିଅଛୁ ଓ ସ୍ଵହସ୍ତରେ ସ୍ପର୍ଶ କରିଅଛୁ, ସେହି ଜୀବନ ସ୍ଵରୂପ, ବାକ୍ୟ ସମ୍ଵନ୍ଧରେ ଜଣାଉଅଛୁ।

2 ସେହି ଜୀବନ ପ୍ରକାଶିତ ହେଲେ, ଆଉ ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ; ଯେଉଁ ଅନ; ଜୀବନ ପିତାଙ୍କ ସଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପ୍ରକାଶିତ ହେଲେ, ତାହାଙ୍କ ବିଷୟରେ ତୁମ୍ଭମାନଙ୍କୁ ଜଣାଉଅଛୁ।

3 ଯାହା ଆମ୍ଭେମାନେ ଦେଖିଅଛୁ ଓ ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ ମଧ୍ୟ ଜଣାଉଅଛୁ, ଯେପରି ତୁମ୍ଭମାନଙ୍କର ମଧ୍ୟ ଆମ୍ଭମାନଙ୍କ ସହିତ ସହଭାଗିତା ହୋଇପାରେ; ଆଉ ଆମ୍ଭମାନଙ୍କର ସହଭାଗିତା ପିତା ଓ ତାହାଙ୍କର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିତ ଅଛି।

4 ଆମ୍ଭମାନଙ୍କର ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ, ଏଥିନିମନ୍ତେ ଆମ୍ଭେମାନେ ଏହିସବୁ ଲେଖୁଅଛୁ।


ଜ୍ୟୋତିରେ ଆଚରଣ

5 ଆମ୍ଭେମାନେ ତାହାଙ୍କଠାରେ ଯେଉଁ ସମ୍ଵାଦ ଶୁଣିଅଛୁ ଓ ତୁମ୍ଭମାନଙ୍କୁ ଜଣାଉଅଛୁ, ତାହା ଏହି, ଈଶ୍ଵର ଜ୍ୟୋତିଃ ସ୍ଵରୂପ, ଆଉ ତାହାଙ୍କଠାରେ ଅନ୍ଧକାରର ଲେଶ ନାହିଁ।

6 ତାହାଙ୍କ ସହିତ ଆମ୍ଭମାନଙ୍କର ସହଭାଗିତା ଅଛି, ଏହା କହି ଯଦି ଆମ୍ଭେମାନେ ଅନ୍ଧକାରରେ ଆଚରଣ କରୁ, ତାହାହେଲେ ଆମ୍ଭେମାନେ ମିଥ୍ୟାବାଦୀ, ଆଉ ସତ୍ୟ ଆଚରଣ କରୁ ନ ଥାଉ।

7 କିନ୍ତୁ ସେ ଯେପରି ଜ୍ୟୋତିର୍ନିବାସୀ, ଆମ୍ଭେମାନେ ଯଦି ସେହିପରି ଜ୍ୟୋତିରେ ଆଚରଣ କରୁ, ତେବେ ଆମ୍ଭମାନଙ୍କର ପରସ୍ପର ସହଭାଗିତା ଅଛି, ପୁଣି ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ।

8 ଆମ୍ଭମାନଙ୍କର ପାପ ନାହିଁ, ଏହା ଯଦି କହୁ, ତାହାହେଲେ ଆପଣା ଆପଣାକୁ ପ୍ରବଞ୍ଚନା କରୁ, ପୁଣି ଆମ୍ଭମାନଙ୍କଠାରେ ସତ୍ୟ ନାହିଁ।

9 ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ଵୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ଵସ୍ତ ଓ ନ୍ୟାୟବାନ ଅଟନ୍ତି।

10 ଆମ୍ଭେମାନେ ପାପ କରି ନାହୁଁ, ଏହା ଯଦି କହୁ, ତାହାହେଲେ ଆମ୍ଭେମାନେ ତାହାଙ୍କୁ ମିଥ୍ୟାବାଦୀ କରୁ, ପୁଣି ତାହାଙ୍କ ବାକ୍ୟ ଆମ୍ଭମାନଙ୍କଠାରେ ନାହିଁ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan