Biblia Todo Logo
Bìoball air-loidhne

- Sanasan -

୧ କରିନ୍ଥୀୟ 16 - ପବିତ୍ର ବାଇବଲ (Re-edited) - (BSI)


ସେବାକାର୍ଯ୍ୟ ଉଦ୍ଦେଶ୍ୟରେ ଦାନ

1 ସାଧୁମାନଙ୍କ ନିମନ୍ତେ ଦାନ ସଂଗ୍ରହ ସମ୍ଵନ୍ଧରେ ଯେପରି ମୁଁ ଗାଲାତିଆର ମଣ୍ତଳୀ- ସମୂହକୁ ଆଦେଶ ଦେଇଅଛି, ତୁମ୍ଭେମାନେ ମଧ୍ୟ ସେହିପରି କର।

2 ମୁଁ ଗଲେ ଯେପରି ଦାନ ସଂଗ୍ରହ କରିବାକୁ ପଡ଼ିବ ନାହିଁ, ଏଥିନିମନ୍ତେ ସପ୍ତାହର ପ୍ରଥମ ଦିନରେ ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ସୁବିଧା ଅନୁସାରେ ନିଜ ନିଜ ନିକଟରେ କିଛି କିଛି ସଞ୍ଚୟ କରି ରଖ।

3 ଆଉ, ମୁଁ ଉପସ୍ଥିତ ହେଲେ ତୁମ୍ଭେମାନେ ଯେଉଁମାନଙ୍କୁ ଯୋଗ୍ୟ ମନେ କରିବ, ମୁଁ ସେମାନଙ୍କୁ ପତ୍ର ଦେଇ ଯିରୂଶାଲମକୁ ତୁମ୍ଭମାନଙ୍କ ଦାନ ଘେନିଯିବା ନିମନ୍ତେ ପ୍ରେରଣ କରିବି;

4 ପୁଣି, ଯଦି ମୋହର ମଧ୍ୟ ଯିବାର ଉପଯୁକ୍ତ ହୁଏ, ତେବେ ସେମାନେ ମୋʼ ସାଙ୍ଗରେ ଯିବେ।


ପାଉଲଙ୍କ ଯାତ୍ରାର ଯୋଜନା

5 କିନ୍ତୁ ମୁଁ ମାକିଦନିଆ ଦେଇ ଯାତ୍ରା କରିବା ପରେ ତୁମ୍ଭମାନଙ୍କ ନିକଟକୁ ଯିବି; ଯେଣୁ ମୁଁ ମାକିଦନିଆ ଦେଇ ଯିବି,

6 ଆଉ, ହୋଇ ପାରେ ତୁମ୍ଭମାନଙ୍କ ସାଙ୍ଗରେ କିଛି ସମୟ ରହିବି, କିମ୍ଵା ଶୀତକାଳ ମଧ୍ୟ ଯାପନ କରିବି, ଯେପରି ମୁଁ ଯେଉଁ ସ୍ଥାନକୁ ଯିବି, ସେହି ସ୍ଥାନକୁ ଯିବା ପାଇଁ ତୁମ୍ଭେମାନେ ମୋତେ ବାଟ ବଳାଇଦେବ।

7 କାରଣ ଏଥର ବାଟରେ ଯିବା ସମୟରେ ତୁମ୍ଭମାନଙ୍କ ସହିତ ସାକ୍ଷାତ୍ କରିବାକୁ ମୁଁ ଇଚ୍ଛା କରୁ ନାହିଁ, ଯେଣୁ ପ୍ରଭୁ ଅନୁମତି ଦେଲେ ତୁମ୍ଭମାନଙ୍କ ସାଙ୍ଗରେ କିଛି କାଳ ରହିବାକୁ ଆଶା କରୁଅଛି।

8 କିନ୍ତୁ ମୁଁ ପେଣ୍ଟିକଷ୍ଟ ପର୍ଯ୍ୟନ୍ତ ଏଫିସରେ ରହିବି;

9 କାରଣ ଫଳପ୍ରଦ କାର୍ଯ୍ୟ ନିମନ୍ତେ ମୋʼ ପାଇଁ ପ୍ରଶସ୍ତ ଦ୍ଵାର ଉନ୍ମୁକ୍ତ ରହିଅଛି, ବିପକ୍ଷମାନେ ମଧ୍ୟ ଅନେକ ଅଛନ୍ତି।

10 ଯଦି ତୀମଥି ଯାଆନ୍ତି, ତେବେ ଯେପରି ନିର୍ଭୟରେ ତୁମ୍ଭମାନଙ୍କ ମଧ୍ୟରେ ରୁହନ୍ତି, ସେ ବିଷୟରେ ମନୋଯୋଗ କର, କାରଣ ମୁଁ ଯେପରି, ସେ ମଧ୍ୟ ସେହିପରି ପ୍ରଭୁଙ୍କ କାର୍ଯ୍ୟ କରନ୍ତି,

11 ଏଣୁ କେହି ତାଙ୍କୁ ତୁଚ୍ଛଜ୍ଞାନ ନ କରୁ। କିନ୍ତୁ ସେ ଯେପରି ମୋʼ ନିକଟକୁ ଆସି ପାରନ୍ତି, ଏଥିପାଇଁ ତାଙ୍କୁ ଶାନ୍ତିରେ ବାଟ ବଳାଇଦିଅ; କାରଣ ସେ ଭାଇମାନଙ୍କ ସହିତ ଆସିବେ ବୋଲି ମୁଁ ଅପେକ୍ଷାରେ ଅଛି।

12 କିନ୍ତୁ ଭ୍ରାତା ଆପଲ୍ଲଙ୍କ ସମ୍ଵନ୍ଧରେ କହୁଅଛି, ଭାଇମାନଙ୍କ ସହିତ ତୁମ୍ଭମାନଙ୍କ ନିକଟକୁ ଯିବା ପାଇଁ ମୁଁ ତାଙ୍କୁ ବହୁତ ଅନୁରୋଧ କଲି, କିନ୍ତୁ ଏବେ ଯିବାକୁ ତାଙ୍କର ଆଦୌ ଇଚ୍ଛା ନାହିଁ, ମାତ୍ର ସୁଯୋଗ ପାଇଲେ ସେ ଯିବେ।


ଶେଷ ନିର୍ଦ୍ଦେଶ

13 ତୁମ୍ଭେମାନେ ଜାଗ୍ରତ ରହି ବିଶ୍ଵାସରେ ସ୍ଥିର ହୋଇଥାଅ, ସାହସିକ ହୋଇ ବଳବାନ ହୁଅ।

14 ତୁମ୍ଭମାନଙ୍କର ସମସ୍ତ କର୍ମ ପ୍ରେମରେ ସାଧିତ ହେଉ।

15 ହେ ଭାଇମାନେ, ସ୍ତିଫାନଙ୍କ ପରିଜନବର୍ଗ ଯେ ଆଖାୟାର ପ୍ରଥମ ଫଳ ସ୍ଵରୂପ; ପୁଣି, ସାଧୁମାନଙ୍କ ସେବାରେ ବ୍ରତୀ ହୋଇଅଛନ୍ତି, ଏହା ତୁମ୍ଭେମାନେ ଜାଣ;

16 ଏହିପ୍ରକାର ଲୋକମାନଙ୍କର, ପୁଣି, ପ୍ରତ୍ୟେକ ସହକର୍ମୀ ଓ ପରିଶ୍ରମୀ ଲୋକଙ୍କର ବଶୀଭୂତ ହୁଅ, ତୁମ୍ଭମାନଙ୍କୁ ଏହି ଅନୁରୋଧ କରୁଅଛି।

17 ସ୍ତିଫାନା, ଫର୍ତ୍ତୂନାତ ଓ ଆଖାୟିକଙ୍କ ଆଗମନରେ ମୁଁ ଆନନ୍ଦ କରୁଅଛି, କାରଣ ତୁମ୍ଭମାନଙ୍କ ଅନୁପସ୍ଥିତ ହେତୁ ମୋହର ଯେଉଁ ଅଭାବ ଥିଲା, ତାହା ସେମାନେ ପୂରଣ କରିଅଛନ୍ତି,

18 ଯେଣୁ ସେମାନେ ମୋହର ଓ ତୁମ୍ଭମାନଙ୍କ ଆତ୍ମାକୁ ସଞ୍ଜୀବିତ କରିଅଛନ୍ତି; ଅତଏବ, ତୁମ୍ଭେମାନେ ଏହିପ୍ରକାର ଲୋକମାନଙ୍କୁ ଯୋଗ୍ୟ ଜାଣି ମାନ୍ୟ କର।


ସମ୍ଭାଷଣ

19 ଆସିଆର ମଣ୍ତଳୀସମୂହ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି। ଆକ୍ଵିଲା ଓ ପ୍ରୀସ୍କା ସେମାନଙ୍କ ଗୃହସ୍ଥିତ ମଣ୍ତଳୀ ସହିତ ପ୍ରଭୁଙ୍କଠାରେ ତୁମ୍ଭମାନଙ୍କୁ ବହୁତ ବହୁତ ନମସ୍କାର ଜଣାଉଅଛନ୍ତି।

20 ଭାଇମାନେ ସମସ୍ତେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି। ପବିତ୍ର ଚୁମ୍ଵନ ଦେଇ ପରସ୍ପରକୁ ନମସ୍କାର କର।

21 ମୁଁ ପାଉଲ ନିଜ ହାତରେ ଲେଖି ନମସ୍କାର ଜଣାଉଅଛି।

22 ଯଦି କେହି ପ୍ରଭୁଙ୍କୁ ପ୍ରେମ ନ କରେ, ତେବେ ସେ ଶାପଗ୍ରସ୍ତ ହେଉ।

23 ମାରାନାଥା। ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ;

24 ଖ୍ରୀଷ୍ଟ ଯୀଶୁଙ୍କଠାରେ ମୋହର ପ୍ରେମ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan