1 ବଂଶାବଳୀ 16 - ପବିତ୍ର ବାଇବଲ (Re-edited) - (BSI)ତମ୍ଵୁ ମଧ୍ୟରେ ନିୟମ ସିନ୍ଦୁକ 1 ଏଥିଉତ୍ତାରେ ସେମାନେ ପରମେଶ୍ଵରଙ୍କ ସିନ୍ଦୁକ ଭିତରକୁ ଆଣି, ଦାଉଦ ତହିଁ ନିମନ୍ତେ ଯେଉଁ ତମ୍ଵୁ ସ୍ଥାପନ କରିଥିଲେ, ତହିଁ ମଧ୍ୟରେ ରଖିଲେ; ଆଉ ସେମାନେ ପରମେଶ୍ଵରଙ୍କ ଉଦ୍ଦେଶ୍ୟରେ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ। 2 ପୁଣି ଦାଉଦ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବାର ସମାପ୍ତ କଲା ଉତ୍ତାରେ ସେ ସଦାପ୍ରଭୁଙ୍କ ନାମରେ ଲୋକମାନଙ୍କୁ ଆଶୀର୍ବାଦ କଲେ। 3 ଆଉ ସେ ଇସ୍ରାଏଲର ପ୍ରତ୍ୟେକ ଲୋକକୁ, ପୁରୁଷ ଓ ସ୍ତ୍ରୀ ପ୍ରତି ଜଣକୁ ଏକ ଏକ ରୋଟୀ ଓ ମାଂସର ଏକ ଏକ ଅଂଶ ଓ ଏକ ଏକ ଖଣ୍ତ ଦ୍ରାକ୍ଷାଚକ୍ତି ପରିବେଷଣ କଲେ। 4 ଏଉତ୍ତାରେ ସେ ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖରେ ପରିଚର୍ଯ୍ୟା କରିବା ପାଇଁ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵରଙ୍କୁ ସ୍ମରଣ ଓ ଧନ୍ୟବାଦ ଓ ପ୍ରଶଂସା କରିବା ପାଇଁ କେତେକ ଲେବୀୟ ଲୋକଙ୍କୁ ନିଯୁକ୍ତ କଲେ। 5 ସେମାନଙ୍କ ମଧ୍ୟରେ ଆସଫ ପ୍ରଧାନ, ଦ୍ଵିତୀୟ ଜିଖରୀୟ, ଆଉ ଯୀୟୟେଲ ଓ ଶମୀରାମୋତ୍ ଓ ଯିହୀୟେଲ ଓ ମତ୍ତଥୀୟ ଓ ଇଲୀୟାବ ଓ ବନାୟ ଓ ଓବେଦ୍ ଇଦୋମ୍ ଓ ଯୀୟୟେଲ ପରମେଶ୍ଵରଙ୍କ ନିୟମ-ସିନ୍ଦୁକ ସମ୍ମୁଖରେ ନେବଲ ଓ ବୀଣା ଓ ଆସଫ ଉଚ୍ଚଧ୍ଵନିର କରତାଳ; 6 ଆଉ ବନାୟ ଓ ଯହସୀୟେଲ ଯାଜକମାନେ ତୂରୀ ନିତ୍ୟ ବଜାଇଲେ। 7 ଆଉ ସେହିଦିନ ଦାଉଦ ପ୍ରଥମେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ କରିବାର ଭାର ଆସଫ ଓ ତାହାର ଭ୍ରାତୃଗଣର ହସ୍ତରେ ସମର୍ପଣ କଲେ। ଦାଉଦଙ୍କ ପ୍ରଶଂସାର ଗୀତି 8 ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, ତାହାଙ୍କ ନାମରେ ପ୍ରାର୍ଥନା କର; ଲୋକମାନଙ୍କ ମଧ୍ୟରେ ତାହାଙ୍କ କ୍ରିୟାସକଳ ଜଣାଅ। 9 ତାହାଙ୍କ ଉଦ୍ଦେଶ୍ୟରେ ଗାନ କର, ତାହାଙ୍କ ଉଦ୍ଦେଶ୍ୟରେ ପ୍ରଶଂସାଗାନ କର; ତୁମ୍ଭେମାନେ ତାହାଙ୍କର ସକଳ ଆଶ୍ଚର୍ଯ୍ୟ କର୍ମ ବିଷୟରେ କଥୋପକଥନ କର। 10 ତୁମ୍ଭେମାନେ ତାହାଙ୍କ ପବିତ୍ର ନାମରେ ଦର୍ପ କର; ଯେଉଁମାନେ ସଦାପ୍ରଭୁଙ୍କର ଅନ୍ଵେଷଣ କରନ୍ତି, ସେମାନଙ୍କ ଚିତ୍ତ ଆନନ୍ଦିତ ହେଉ। 11 ତୁମ୍ଭେମାନେ ସଦାପ୍ରଭୁଙ୍କର ଓ ତାହାଙ୍କ ଶକ୍ତିର ଅନ୍ଵେଷଣ କର, ସର୍ବଦା ତାହାଙ୍କ ମୁଖର ଅନ୍ଵେଷଣ କର। 12 ହେ ତାହାଙ୍କ ଦାସ ଇସ୍ରାଏଲର ବଂଶ, ହେ ଯାକୁବର ସନ୍ତାନଗଣ, ତାହାଙ୍କର ମନୋନୀତ ଲୋକ, 13 ତୁମ୍ଭେମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟକ୍ରିୟା, ତାହାଙ୍କ ଅଦ୍ଭୁତ ଲକ୍ଷଣ ଓ ତାହାଙ୍କ ମୁଖନିର୍ଗତ ଶାସନସକଳ ସ୍ମରଣ କର। 14 ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ଵର ଅଟନ୍ତି; ତାହାଙ୍କର ଶାସନ ସମୁଦାୟ ପୃଥିବୀରେ ପ୍ରଚଳିତ ଅଛି। 15 ତାହାଙ୍କ ନିୟମ ଚିରକାଳ ସ୍ମରଣ କର, ସେହି ବାକ୍ୟ ସେ ସହସ୍ର ପୁରୁଷ-ପରମ୍ପରା ପ୍ରତି ଆଦେଶ କରିଅଛନ୍ତି; 16 ସେହି ନିୟମ ସେ ଅବ୍ରହାମଙ୍କ ସଙ୍ଗେ କରିଥିଲେ ଓ ସେହି ଶପଥ ସେ ଇସ୍ହାକଙ୍କ ପ୍ରତି କରିଥିଲେ; 17 ପୁଣି ସେ ତାହା ବିଧି ରୂପେ ଯାକୁବଙ୍କ ପ୍ରତି ଅନନ୍ତକାଳୀନ ନିୟମ ରୂପେ ଇସ୍ରାଏଲ ପ୍ରତି ସ୍ଥିର କଲେ। 18 ସେ କହିଲେ, ଆମ୍ଭେ ତୁମ୍ଭମାନଙ୍କ ଅଧିକାରର ବାଣ୍ଟ ସେହି କିଣାନ ଦେଶ ତୁମ୍ଭକୁ ଦେବା; 19 ସେସମୟରେ ତୁମ୍ଭେମାନେ କେବଳ ଅଳ୍ପସଂଖ୍ୟକ, ଅତି ଅଳ୍ପ ଲୋକ ଓ ତହିଁ ମଧ୍ୟରେ ପ୍ରବାସୀ ଥିଲ; 20 ଆଉ ସେମାନେ ଏକ ଗୋଷ୍ଠୀରୁ ଅନ୍ୟ ଗୋଷ୍ଠୀ ଓ ଏକ ରାଜ୍ୟରୁ ଅନ୍ୟ ଲୋକମାନଙ୍କ ନିକଟକୁ ଭ୍ରମଣ କଲେ। 21 ସେ କୌଣସି ଲୋକକୁ ସେମାନଙ୍କ ପ୍ରତି ଉପଦ୍ରବ କରିବାକୁ ଦେଲେ ନାହିଁ; ଆହୁରି ସେ ସେମାନଙ୍କ ସକାଶୁ ରାଜାମାନଙ୍କୁ ଅନୁଯୋଗ କଲେ; 22 କହିଲେ, ଆମ୍ଭର ଅଭିଷିକ୍ତମାନଙ୍କୁ ସ୍ପର୍ଶ ନ କର ଓ ଆମ୍ଭର ଭବିଷ୍ୟଦ୍ବକ୍ତାମାନଙ୍କ ପ୍ରତି କୌଣସି କ୍ଷତି ନ କର। 23 ହେ ସମୁଦାୟ ପୃଥିବୀ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର; ଦିନକୁ ଦିନ ତାହାଙ୍କ କୃତ ପରିତ୍ରାଣ ପ୍ରକାଶ କର। 24 ନାନା ଦେଶୀୟଙ୍କ ମଧ୍ୟରେ ତାହାଙ୍କ ଗୌରବ, ସମୁଦାୟ ଗୋଷ୍ଠୀ ମଧ୍ୟରେ ତାହାଙ୍କର ଆଶ୍ଚର୍ଯ୍ୟକ୍ରିୟା ପ୍ରଚାର କର। 25 କାରଣ ସଦାପ୍ରଭୁ ମହାନ ଓ ଅତ୍ୟ; ପ୍ରଶଂସନୀୟ ଅଟନ୍ତି; ମଧ୍ୟ ସେ ସକଳ ଦେବତା ଅପେକ୍ଷା ଭୟଯୋଗ୍ୟ। 26 କାରଣ ନାନା ଗୋଷ୍ଠୀୟମାନଙ୍କ ଦେବତାସବୁ ଅବସ୍ତୁମାତ୍ର; ମାତ୍ର ସଦାପ୍ରଭୁ ଆକାଶମଣ୍ତଳର ସୃଷ୍ଟିକର୍ତ୍ତା। 27 ସମ୍ଭ୍ରମ ଓ ପ୍ରଭାବ ତାହାଙ୍କର ଅଗ୍ରବର୍ତ୍ତୀ, ଶକ୍ତି ଓ ଆହ୍ଲାଦ ତାହାଙ୍କ ସ୍ଥାନରେ ବିଦ୍ୟମାନ। 28 ହେ ନାନା ଦେଶୀୟ ଗୋଷ୍ଠୀସମୂହ, ସଦାପ୍ରଭୁଙ୍କର କୀର୍ତ୍ତନ କର, ସଦାପ୍ରଭୁଙ୍କ ଗୌରବ ଓ ପରାକ୍ରମର କୀର୍ତ୍ତନ କର। 29 ସଦାପ୍ରଭୁଙ୍କ ନାମର ଯଥୋଚିତ ଗୌରବ କୀର୍ତ୍ତନ କର; ନୈବେଦ୍ୟ ଆଣ ଓ ତାହାଙ୍କ ଛାମୁକୁ ଆସ; ପବିତ୍ରତାର ସୌନ୍ଦର୍ଯ୍ୟରେ ସଦାପ୍ରଭୁଙ୍କର ଭଜନା କର। 30 ସମୁଦାୟ ପୃଥିବୀ ! ତାହାଙ୍କ ଛାମୁରେ କମ୍ପମାନ ହୁଅ; ଜଗତ ହିଁ ସୁସ୍ଥିର, ତାହା ବିଚଳିତ ନୋହିବ। 31 ଆକାଶମଣ୍ତଳ ଆନନ୍ଦିତ ହେଉ ଓ ପୃଥିବୀ ଉଲ୍ଲାସ କରୁ; ଆଉ ଲୋକମାନେ ଦେଶସମୂହ ମଧ୍ୟରେ କହନ୍ତୁ, ସଦାପ୍ରଭୁ ରାଜ୍ୟ କରନ୍ତି। 32 ସମୁଦ୍ର ଓ ତହିଁର ପୂର୍ଣ୍ଣତା ଗର୍ଜ୍ଜନ କରୁ; କ୍ଷେତ୍ର ଓ ତନ୍ମଧ୍ୟସ୍ଥ ସକଳ ଜୟଧ୍ଵନି କରନ୍ତୁ; 33 ସେତେବେଳେ ବନସ୍ଥ ବୃକ୍ଷଶ୍ରେଣୀ ସଦାପ୍ରଭୁଙ୍କ ସମ୍ମୁଖରେ ଆନନ୍ଦରେ ଗାନ କରିବେ, କାରଣ ସେ ପୃଥିବୀର ବିଚାର କରିବାକୁ ଆସୁଅଛନ୍ତି। 34 ସଦାପ୍ରଭୁଙ୍କର ଧନ୍ୟବାଦ କର; କାରଣ ସେ ମଙ୍ଗଳମୟ, ତାହାଙ୍କ ଦୟା ଅନନ୍ତକାଳସ୍ଥାୟୀ। 35 ଆଉ ତୁମ୍ଭେମାନେ କୁହ, ହେ ଆମ୍ଭମାନଙ୍କ ପରିତ୍ରାଣର ପରମେଶ୍ଵର, ଆମ୍ଭମାନଙ୍କୁ ତ୍ରାଣ କର, ଆମ୍ଭମାନଙ୍କୁ ସଂଗ୍ରହ କର ଓ ଦେଶୀୟମାନଙ୍କଠାରୁ ଆମ୍ଭମାନଙ୍କୁ ଉଦ୍ଧାର କର, ତହିଁରେ ଆମ୍ଭେମାନେ ତୁମ୍ଭ ପବିତ୍ର ନାମର ଧନ୍ୟବାଦ କରିବା ଓ ତୁମ୍ଭ ପ୍ରଶଂସାରେ ଜୟଧ୍ଵନି କରିବା। 36 ଅନାଦି କାଳରୁ ଅନ; କାଳ ପର୍ଯ୍ୟନ୍ତ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଧନ୍ୟ ହେଉନ୍ତୁ। ଏଥିରେ ସମଗ୍ର ଲୋକ କହିଲେ, ଆମେନ୍ ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ। ସିନ୍ଦୁକ ସମ୍ମୁଖରେ ଉପାସନା 37 ଏଥିଉତ୍ତାରେ ଦାଉଦ ପ୍ରତିଦିନର ପ୍ରୟୋଜନା-ନୁସାରେ ସିନ୍ଦୁକ ସମ୍ମୁଖରେ ନିତ୍ୟ ପରିଚର୍ଯ୍ୟା କରିବା ନିମନ୍ତେ ଆସଫକୁ ଓ ତାହାର ଭ୍ରାତୃଗଣକୁ ସଦାପ୍ରଭୁଙ୍କ ନିୟମ ସିନ୍ଦୁକ ସମ୍ମୁଖରେ ରଖିଲେ 38 ଆଉ ଓବେଦ୍-ଇଦୋମ୍ ଓ ସେମାନଙ୍କର ଅଠଷଠି ଜଣ ଭ୍ରାତା; ମଧ୍ୟ ଯିଦୂଥୂନ୍ର ପୁତ୍ର ଓବେଦ୍-ଇଦୋମ୍, ଆଉ ହୋଷା ଦ୍ଵାରପାଳ ହେଲେ 39 ଆଉ ଇସ୍ରାଏଲ ପ୍ରତି ଆଦିଷ୍ଟ ସଦାପ୍ରଭୁଙ୍କ ବ୍ୟବସ୍ଥାର ସମସ୍ତ ଲିଖନ-ପ୍ରମାଣେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବେଦି ଉପରେ ନିତ୍ୟ ପ୍ରାତଃକାଳୀନ ଓ ସନ୍ଧ୍ୟାକାଳୀନ ହୋମବଳି ଉତ୍ସର୍ଗ କରିବା ପାଇଁ ଯାତ୍ରା.୨୯:୩୮-୪୨ 40 ସାଦୋକ୍ ଯାଜକ ଓ ତାହାର ଯାଜକ ଭ୍ରାତୃଗଣ ଗିବୀୟୋନସ୍ଥ ଉଚ୍ଚସ୍ଥଳୀରେ ସଦାପ୍ରଭୁଙ୍କ ଆବାସ ସମ୍ମୁଖରେ ରହିଲେ; 41 ପୁଣି ସଦାପ୍ରଭୁଙ୍କ ଦୟା ଅନନ୍ତକାଳସ୍ଥାୟୀ, ଏହେତୁ ତାହାଙ୍କ ଧନ୍ୟବାଦ କରିବା ପାଇଁ ହେମନ୍ ଓ ଯିଦୂଥୂନ୍; ପୁଣି ଯେଉଁ ଅବଶିଷ୍ଟ ମନୋନୀତ ଲୋକମାନଙ୍କ ନାମ ଲେଖାଗଲା, ସେମାନେ ଉକ୍ତ ଲୋକଙ୍କ ସଙ୍ଗେ ରହିଲେ। 42 ଆଉ ହେମନ୍ ଓ ଯିଦୂଥୂନ୍ ତୂରୀ ଓ କରତାଳ ଓ ପରମେଶ୍ଵରଙ୍କ ଗୀତାର୍ଥକ ବାଦ୍ୟଯନ୍ତ୍ର ବଜାଇବା ପାଇଁ ଉଚ୍ଚଧ୍ଵନିକାରୀମାନଙ୍କ ସଙ୍ଗରେ ରହିଲେ; ଆଉ ଯିଦୂଥୂନର ପୁତ୍ରମାନେ ଦ୍ଵାରପାଳ ହେଲେ। 43 ଏଥିଉତ୍ତାରେ ସମଗ୍ର ଲୋକ ପ୍ରସ୍ଥାନ କରି ଆପଣା ଆପଣା ଗୃହକୁ ଗଲେ; ଆଉ ଦାଉଦ ଆପଣାର ପରିଜନବର୍ଗକୁ ଆଶୀର୍ବାଦ କରିବା ପାଇଁ ଫେରିଗଲେ। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India