Biblia Todo Logo
Bìoball air-loidhne

- Sanasan -

1 ବଂଶାବଳୀ 13 - ପବିତ୍ର ବାଇବଲ (Re-edited) - (BSI)


କିରୀୟତ୍ ଯୀୟାରୀମଠାରୁ ନିୟମ-ସିନ୍ଦୁକର ଆଗମନ

1 ଏଥିଉତ୍ତାରେ ଦାଉଦ ସହସ୍ରପତିମାନଙ୍କର, ଶତପତିମାନଙ୍କର ଓ ସମସ୍ତ ଅଧ୍ୟକ୍ଷଙ୍କ ସହିତ ମନ୍ତ୍ରଣା କଲେ।

2 ଆଉ ଦାଉଦ ଇସ୍ରାଏଲର ସମଗ୍ର ସମାଜକୁ କହିଲେ, ଯେବେ ତୁମ୍ଭମାନଙ୍କୁ ଉତ୍ତମ ଦେଖାଯାଏ ଓ ଯେବେ ତାହା ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ଆଡ଼ୁ ହୁଏ, ତେବେ ଇସ୍ରାଏଲର ସମୁଦାୟ ପ୍ରଦେଶରେ ଆମ୍ଭମାନଙ୍କ ଅବଶିଷ୍ଟ ଭ୍ରାତୃଗଣ ଓ ସେମାନଙ୍କ ସଙ୍ଗେ ଆପଣା ଆପଣା ତଳିଭୂମିବିଶିଷ୍ଟ ନଗରରେ ବାସକାରୀ ଯାଜକମାନେ ଓ ଲେବୀୟମାନେ ଯେପରି ଆମ୍ଭମାନଙ୍କ ନିକଟରେ ଏକତ୍ରିତ ହୁଅନ୍ତି, ଏନିମନ୍ତେ ଆସ, ଆମ୍ଭେମାନେ ସର୍ବତ୍ର ସେମାନଙ୍କ ନିକଟକୁ ଲୋକ ପଠାଉ।

3 ପୁଣି ଆମ୍ଭମାନଙ୍କ ପରମେଶ୍ଵରଙ୍କ ସିନ୍ଦୁକ ପୁନର୍ବାର ଆମ୍ଭମାନଙ୍କ ନିକଟକୁ ଆଣୁ; କାରଣ ଶାଉଲଙ୍କ ସମୟରେ ଆମ୍ଭେମାନେ ତହିଁର ଅନ୍ଵେଷଣ କରିନାହୁଁ।

4 ତହିଁରେ ସମଗ୍ର ସମାଜ ସେପରି କରିବେ ବୋଲି କହିଲେ; କାରଣ ସକଳ ଲୋକଙ୍କ ଦୃଷ୍ଟିରେ ତାହା ଯଥାର୍ଥ ବୋଧ ହେଲା।


ଉଷ ଏବଂ ପରମେଶ୍ଵରଙ୍କ ସିନ୍ଧୁକ

5 ତହୁଁ କିରୀୟତ୍-ଯୀୟାରୀମରୁ ପରମେଶ୍ଵରଙ୍କ ସିନ୍ଦୁକ ଆଣିବା ନିମନ୍ତେ ଦାଉଦ ମିସରର ଶୀୟୋର ନଦୀଠାରୁ ହମାତର ପ୍ରବେଶ-ସ୍ଥାନ ପର୍ଯ୍ୟନ୍ତ ସମଗ୍ର ଇସ୍ରାଏଲକୁ ଏକତ୍ର କଲେ।

6 ଆଉ କିରୂବଗଣ ମଧ୍ୟରେ ଉପବିଷ୍ଟ ସଦାପ୍ରଭୁଙ୍କ ନାମରେ ଖ୍ୟାତ ପରମେଶ୍ଵରଙ୍କ ସିନ୍ଦୁକକୁ ଯିହୁଦାର ଅଧିକାରସ୍ଥ ବାଲାରୁ, ଅର୍ଥାତ୍, କିରୀୟତ୍-ଯୀୟାରୀମରୁ ଆଣିବା ପାଇଁ ଦାଉଦ ଓ ସମଗ୍ର ଇସ୍ରାଏଲ ସେସ୍ଥାନକୁ ଗଲେ।

7 ପୁଣି ସେମାନେ ଗୋଟିଏ ନୂତନ ଶକଟରେ ପରମେଶ୍ଵରଙ୍କ ସିନ୍ଦୁକକୁ ଅବୀନାଦବର ଗୃହରୁ ବାହାର କରି ବହି ଆଣିଲେ; ଆଉ ଉଷ ଓ ଅହୀୟୋ ଶକଟ ଚଳାଇଲେ।

8 ପୁଣି ଦାଉଦ ଓ ସମଗ୍ର ଇସ୍ରାଏଲ ପରମେଶ୍ଵରଙ୍କ ସାକ୍ଷାତରେ ସମସ୍ତ ଶକ୍ତି ସହିତ ଗାୟନ କରି ବୀଣା ଓ ନେବଲ ଓ ଦାରା ଓ କରତାଳ ଓ ତୂରୀ ବଜାଇଲେ।

9 ଆଉ ସେମାନେ କୀଦୋନ୍ ନାମକ ଶସ୍ୟମର୍ଦ୍ଦନ ସ୍ଥାନରେ ଉପସ୍ଥିତ ହୁଅନ୍ତେ, ବଳଦମାନେ ଅମଣା ହେବାରୁ ଉଷ ହସ୍ତ ବିସ୍ତାର କରି ସିନ୍ଦୁକ ଧରିଲା।

10 ସେତେବେଳେ ଉଷ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ଵଳିତ ହେଲା ଓ ସିନ୍ଦୁକ ପ୍ରତି ହସ୍ତ ବିସ୍ତାର କରିବା ହେତୁରୁ ସେ ତାହାକୁ ଆଘାତ କଲେ; ତହୁଁ ସେ ସେଠାରେ ପରମେଶ୍ଵରଙ୍କ ସାକ୍ଷାତରେ ମଲା।

11 ପୁଣି ସଦାପ୍ରଭୁ ଉଷକୁ ଆକ୍ରମଣ କରିବାରୁ ଦାଉଦ ଅସନ୍ତୁଷ୍ଟ ହେଲେ; ଏଣୁ ସେ ସେହି ସ୍ଥାନର ନାମ ପେରସ-ଉଷ ରଖିଲେ; ଆଜି ପର୍ଯ୍ୟନ୍ତ ସେହି ନାମ ଅଛି।

12 ଆଉ ଦାଉଦ ସେହି ଦିନ ପରମେଶ୍ଵରଙ୍କ ବିଷୟରେ ଭୟ ପାଇ କହିଲେ, ମୁଁ କିରୂପେ ପରମେଶ୍ଵରଙ୍କ ସିନ୍ଦୁକ ମୋʼ କତିକି ଗୃହକୁ ଆଣିବି?

13 ତହୁଁ ଦାଉଦ ଦାଉଦ-ନଗରକୁ ଆପଣା କତିକି ସିନ୍ଦୁକ ଆଣିଲେ ନାହିଁ, ମାତ୍ର ତାହା ନେଇ ପଥପାର୍ଶ୍ଵସ୍ଥ ଗାଥୀୟ ଓବେଦ୍-ଇଦୋମର ଗୃହରେ ରଖିଲେ।

14 ତହିଁରେ ପରମେଶ୍ଵରଙ୍କ ସିନ୍ଦୁକ ଓବେଦ୍-ଇଦୋମର ପରିବାର ସହିତ ତାହାର ଗୃହରେ ତିନି ମାସ ରହିଲା; ପୁଣି ସଦାପ୍ରଭୁ ଓବେଦ୍-ଇଦୋମର ଗୃହକୁ ଓ ତାହାର ସର୍ବସ୍ଵକୁ ଆଶୀର୍ବାଦ କଲେ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan