ରୋମୀୟ 10 - ପବିତ୍ର ବାଇବଲ (CL) NT (BSI)1 ଭାଇମାନେ, ମୋ’ ନିଜ ଜାତିର ଲୋକେ ପରିତ୍ରାଣ ପାଆନ୍ତୁ, ଏହା ମୋର ଆନ୍ତରିକ ଇଚ୍ଛା ଓ ଈଶ୍ୱରଙ୍କଠାରେ ଏହା ମୋର ଏକାନ୍ତ ପ୍ରାର୍ଥନା। 2 ଈଶ୍ୱରଙ୍କ ପ୍ରତି ସେମାନଙ୍କର ପ୍ରଗାଢ଼ ଭକ୍ତି ରହିଛି, କିନ୍ତୁ ସେହି ଭକ୍ତି ପ୍ରକୃତ ଜ୍ଞାନ ଉପରେ ଆଧାରିତ ନୁହେଁ। 3 ମନୁଷ୍ୟକୁ ଧାର୍ମିକ ରୂପେ ଗ୍ରହଣ କରିବା ପାଇଁ ଈଶ୍ୱରନିରୂପିତ ଉପାୟ ଅବଲମ୍ବନ ନ କରି ସେମାନେ ଧାର୍ମିକ ହେବାକୁ ନିଜ ପଥରେ ଚାଲିଛନ୍ତି। ତେଣୁ ସେମାନେ ଈଶ୍ୱରଙ୍କ ସେହି ପଥ ପରିତ୍ୟାଗ କରିଛନ୍ତି। 4 ଖ୍ରୀଷ୍ଟ ହିଁ ବ୍ୟବସ୍ଥାର ଚୂଡ଼ାନ୍ତ, କେବଳ ତାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ମନୁଷ୍ୟ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୁଏ। ସମସ୍ତଙ୍କ ପାଇଁ ପରିତ୍ରାଣ 5 ବ୍ୟବସ୍ଥା ପାଳନ କରିବା ଦ୍ୱାରା ଧାର୍ମିକ ହେବା ବିଷୟରେ ମୋଶା ଲେଖିଛନ୍ତି: “ଯେଉଁମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି, ସେମାନେ ବଞ୍ଚିବେ।” 6 କିନ୍ତୁ ବିଶ୍ୱାସ ଦ୍ୱାରା ଧାର୍ମିକ ବିବେଚିତ ହେବା ବିଷୟରେ ଶାସ୍ତ୍ରରେ ଲେଖାଅଛି, “କିଏ ସ୍ୱର୍ଗକୁ ଆରୋହଣ କରିବ? (ଖ୍ରୀଷ୍ଟଙ୍କୁ ଓହ୍ଲାଇ ଆଣିବା ପାଇଁ), ତୁମେ ଏ ପ୍ରଶ୍ନ କରିବା ଅନାବଶ୍ୟକ। 7 କିମ୍ବା କିଏ ପାତାଳକୁ ଯିବ? (ଖ୍ରୀଷ୍ଟଙ୍କୁ ପୁନରୁତ୍ଥିତ କରି ଆଣିବା ପାଇଁ), ଏ କଥା ମଧ୍ୟ ତୁମେ ପଚାରିବା ଆବଶ୍ୟକ ନାହିଁ।” 8 କାରଣ ଶାସ୍ତ୍ର ଅନୁସାରେ, “ଈଶ୍ୱରଙ୍କ ବାର୍ତ୍ତା ତୁମ ନିକଟରେ, ତୁମ ମୁଖ ଓ ହୃଦୟରେ ଅଛି।” ବିଶ୍ୱାସ ସମ୍ବନ୍ଧରେ ଏହି ବାର୍ତ୍ତା ହିଁ ଆମେ ପ୍ରଚାର କରୁଛୁ। 9 ଯଦି ଯୀଶୁଙ୍କୁ ପ୍ରଭୁ ବୋଲି ମୁଖରେ ସ୍ୱୀକାର କର ଓ ଈଶ୍ୱର ତାଙ୍କୁ ମୃତ୍ୟୁରୁ ଉଠାଇଛନ୍ତି ବୋଲି ହୃଦୟରେ ବିଶ୍ୱାସ କର, ତା’ହେଲେ, ତୁମ୍ଭେମାନେ ପରିତ୍ରାଣ ପାଇବ। 10 ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇପାରୁ ଓ ମୁଖରେ ସ୍ୱୀକାର କରିବା ଦ୍ୱାରା ଆମ୍ଭେମାନେ ପରିତ୍ରାଣ ପାଇପାରୁ। 11 ଶାସ୍ତ୍ର ଅନୁଯାୟୀ, “ତାଙ୍କଠାରେ ବିଶ୍ୱାସ କରି କେହି ବିଫଳ ହେବ ନାହିଁ।” 12 କୌଣସି ଭେଦାଭେଦ ନ ଥାଇ, ଏ କଥା ଇହୁଦୀ, ଅଣଇହୁଦୀ ସମସ୍ତଙ୍କ ପ୍ରତି ପ୍ରଯୁଜ୍ୟ। କେବଳ ଈଶ୍ୱର ସମସ୍ତଙ୍କର ପ୍ରଭୁ। ଯେଉଁମାନେ ତାଙ୍କର ସାହାଯ୍ୟ ପ୍ରାର୍ଥନା କରନ୍ତି, ସେମାନଙ୍କୁ ସେ ପ୍ରଚୁର ଆଶୀର୍ବାଦ ଦିଅନ୍ତି। 13 ଶାସ୍ତ୍ରରେ ସ୍ପଷ୍ଟ ଉଲ୍ଲିଖିତ ଅଛି, “ଯେ କେହି ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବ, ସେ ପରିତ୍ରାଣ ପାଇବ।” 14 କିନ୍ତୁ ତାଙ୍କଠାରେ ବିଶ୍ୱାସ ନ କରି ସେମାନେ କିପରି ତାଙ୍କୁ ପ୍ରାର୍ଥନା କରିବେ? ପୁଣି ତାଙ୍କ ବିଷୟରେ ସୁସମାଚାର ନ ଶୁଣି ସେମାନେ କିପରି ବିଶ୍ୱାସ କରିବେ? 15 ଏବଂ ପ୍ରଚାର ବିନା ସେହି ବାର୍ତ୍ତା ସେମାନେ କିପରି ଶୁଣିବେ? ପୁଣି ପ୍ରଚାର କରିବା ପାଇଁ ପ୍ରେରିତ ନ ହେଲେ ଜଣେ ପ୍ରଚାର କରିବ କିପରି? ଏ ସମ୍ପର୍କରେ ଶାସ୍ତ୍ରରେ ଲେଖାଯାଇଛି: “ସୁସମାଚାର ପ୍ରଚାରକମାନଙ୍କର ଆଗମନ କେଡ଼େ ଆନନ୍ଦଦାୟକ!” 16 କିନ୍ତୁ ସମସ୍ତେ ସେହି ସୁସମାଚାର ଗ୍ରହଣ କରି ନାହାନ୍ତି। ସେଥିପାଇଁ ଯିଶାଇୟ ଲେଖିଛନ୍ତି, “ପ୍ରଭୁ, ଆମ ବାର୍ତ୍ତା ଶୁଣି କିଏ ବିଶ୍ୱାସ କରିଛି?” 17 ସୁସମାଚାର ଶୁଣିବା ଦ୍ୱାରା ବିଶ୍ୱାସ ଜାତ ହୁଏ ଏବଂ ଖ୍ରୀଷ୍ଟଙ୍କୁ ପ୍ରଚାର କରିବା ହିଁ ସେହି ସୁସମାଚାର। 18 ମୁଁ ପ୍ରଶ୍ନ କରେ: ସେମାନେ କଅଣ ସେହି ବାର୍ତ୍ତା ଶୁଣି ନାହାନ୍ତି? ନିଶ୍ଚୟ ଶୁଣିଛନ୍ତି, କାରଣ ଶାସ୍ତ୍ରରେ ଲେଖାଅଛି: “ସେମାନଙ୍କ ସ୍ୱର ଜଗତ ସାରା ବ୍ୟାପି ଯାଇଛି, ସେମାନଙ୍କ କଥା ପୃଥିବୀର ଶେଷ ପ୍ରାନ୍ତ ଯାଏ ଶୁଣାଯାଇଛି।” 19 ଆଉ ଥରେ ମୁଁ ପଚାରେ: ଇଶ୍ରାଏଲୀୟମାନେ କଅଣ ତାହା ବୁଝିଲେ ନାହିଁ? ବହୁ ପୂର୍ବରୁ ମୋଶା ଏହାର ଉତ୍ତର ଦେଇ ଲେଖିଛନ୍ତି: “ଆମ୍ଭ ଲୋକଙ୍କୁ ଈର୍ଷାନ୍ୱିତ କରାଇବା ପାଇଁ ଗୋଟିଏ ନଗଣ୍ୟ ଜାତିକୁ ବ୍ୟବହାର କରିବୁ। ସେହିପରି ଗୋଟିଏ ନିର୍ବୋଧ ଜାତି ଦ୍ୱାରା ସେମାନଙ୍କୁ କ୍ରୋଧାନ୍ୱିତ କରିବୁ।” 20 ଯିଶାଇୟ ଆହୁରି ସାହସର ସହିତ କହିଛନ୍ତି, “ଆମ୍ଭଙ୍କୁ ଅନ୍ୱେଷଣ କରୁ ନ ଥିବା ଲୋକମାନେ ଆମ୍ଭର ସନ୍ଧାନ ପାଇଲେ; ଯେଉଁମାନେ ଆମର ଅନୁସନ୍ଧାନ କରୁ ନ ଥିଲେ, ସେମାନଙ୍କ ନିକଟରେ ଆମ୍ଭେ ପ୍ରକାଶିତ ହେଲୁ।” 21 କିନ୍ତୁ ଇଶ୍ରାଏଲୀୟମାନଙ୍କ ସମ୍ପର୍କରେ ସେ ଲେଖିଛନ୍ତି: “ଗୋଟିଏ ଅବାଧ୍ୟ ବିଦ୍ରୋହୀ ଜାତିକୁ ଆମ୍ଭେ ସର୍ବଦା ହସ୍ତ ବିସ୍ତାର କରି ଆହ୍ୱାନ କରୁଛୁ।” |
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.
Bible Society of India