ପ୍ରକାଶିତ 5 - ପବିତ୍ର ବାଇବଲ (CL) NT (BSI)ପୁସ୍ତକ ଓ ମେଷଶାବକ 1 ସିଂହାସନରେ ଉପବିଷ୍ଟ ବ୍ୟକ୍ତିଙ୍କ ହସ୍ତରେ ମୁଁ ଗୋଟିଏ ପ୍ରାଚୀନ ପାଣ୍ଡୁଲିପି ଦେଖିଲି; ତାହାର ଦୁଇ ପାଶ୍ୱର୍ରେ ଲେଖା ହୋଇଥିଲା ଓ ସାତଗୋଟି ମୋହରରେ ତାହା ମୁଦ୍ରାଙ୍କିତ ହୋଇଥିଲା। 2 ପୁଣି ମୁଁ ଦେଖିଲି, ଜଣେ ମହାପରାକ୍ରାନ୍ତ ସ୍ୱର୍ଗଦୂତ ଉଚ୍ଚ ସ୍ୱରରେ ଘୋଷଣା କରି କହୁଛନ୍ତି: “ମୋହରଗୁଡ଼ିକ ଭାଙ୍ଗି ଏହି ପାଣ୍ଡୁଲିପିଟିକୁ ଖୋଲିବା ପାଇଁ କେହି ଯୋଗ୍ୟ ବ୍ୟକ୍ତି ଥିଲେ, ବାହାରି ଆସନ୍ତୁ।” 3 କିନ୍ତୁ ସେହି ପାଣ୍ଡୁଲିପି ଫିଟାଇ ସେଥିରେ କଅଣ ଲେଖାଅଛି, ପଢ଼ିବାକୁ ସ୍ୱର୍ଗରେ, ପୃଥିବୀରେ କିମ୍ବା ପାତାଳରେ କେହି ବାହାରିଲେ ନାହିଁ। 4 ପାଣ୍ଡୁଲିପି ଖୋଲି ସେଥିରେ କ’ଣ ଲେଖାଅଛି, ପଢ଼ିବା ପାଇଁ କେହି ଜଣେହେଲେ ଯୋଗ୍ୟ ବ୍ୟକ୍ତି ନ ମିଳିବାରୁ, ମୁଁ ହତାଶ ହୋଇ କାନ୍ଦିବାକୁ ଲାଗିଲି। 5 ତା’ପରେ ବୟୋଜ୍ୟେଷ୍ଠ ନେତାମାନଙ୍କ ମଧ୍ୟରୁ ଜଣେ ମୋତେ ଆଶ୍ୱାସନା ଦେଇ କହିଲେ, “କାନ୍ଦ ନାହିଁ, ଦେଖ! ଦାଉଦଙ୍କର ମହାନ ବଂଶଧର, ଯିହୁଦା ଗୋଷ୍ଠୀର ସିଂହ ବିଜୟୀ ହୋଇ ଆସିଛନ୍ତି; ସେ ଏହି ସାତଟିଯାକ ମୋହର ଭାଙ୍ଗି ପାଣ୍ଡୁଲିପି ଖୋଲିବାକୁ ସକ୍ଷମ।” 6 ତା’ପରେ ସିଂହାସନର ମଧ୍ୟସ୍ଥଳରେ ପୂର୍ବୋକ୍ତ ଚାରିଗୋଟି ପ୍ରାଣୀ ଓ ବୟୋଜ୍ୟେଷ୍ଠ ନେତାମାନଙ୍କ ଗହଣରେ ଗୋଟିଏ ମେଷଶାବକଙ୍କୁ ଛିଡ଼ା ହୋଇଥିବା ଦେଖିଲି। ମେଷଶାବକଟି ବଧ ହୋଇଥିବା ପରି ମନେ ହେଲେ। ତାହାଙ୍କର ସାତଟି ଶୃଙ୍ଗ ଓ ସାତଟି ଚକ୍ଷୁ ଥିଲା। ସେହି ଚକ୍ଷୁଗୁଡ଼ିକ ସମଗ୍ର ପୃଥିବୀକୁ ପଠାଯାଇଥିବା ଈଶ୍ୱରଙ୍କ ସପ୍ତ ଆତ୍ମା। 7 ମେଷଶାବକ ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କ ନିକଟକୁ ଯାଇ ତାଙ୍କ ଡ଼ାହାଣ ହାତରୁ ପାଣ୍ଡୁଲିପିଟି ନେଲେ। 8 ସେ ଏହା କରିବା ମାତ୍ରେ ଚାରିଗୋଟି ପ୍ରାଣୀ ଓ ଚବିଶ ଜଣ ବୟୋଜ୍ୟେଷ୍ଠ ନେତା ମେଷଶାବକଙ୍କ ସମ୍ମୁଖରେ ପ୍ରଣିପାତ କଲେ। ପ୍ରତ୍ୟେକଙ୍କ ହସ୍ତରେ ଗୋଟିଏ ଗୋଟିଏ ବୀଣା ଓ ଈଶ୍ୱରଭକ୍ତମାନଙ୍କ ପ୍ରାର୍ଥନାରୂପ ଧୂପରେ ପରିପୂର୍ଣ୍ଣ ଏକ ସୁବର୍ଣ୍ଣ ପାତ୍ର ଥିଲା। 9 ସେମାନେ ଗୋଟିଏ ନୂଆ ଗୀତ ଗାଇଥିଲେ: “ପାଣ୍ଡୁଲିପି ଗ୍ରହଣ କରି ତାହାର ମୋହର ଭାଙ୍ଗିବାକୁ ତୁମେ ହିଁ ଯୋଗ୍ୟ: କାରଣ ତୁମେ ନିହତ ହୋଇଥିଲ ଏବଂ ତୁମ ମୃତ୍ୟୁ ଦ୍ୱାରା, ସମସ୍ତ ଗୋଷ୍ଠୀ, ଭାଷାବାଦୀ, ରାଷ୍ଟ୍ର ଓ ଜାତି ମଧ୍ୟରୁ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ କ୍ରୟ କରିଛ। 10 ପୁଣି ଈଶ୍ୱରଙ୍କର ସେବା କରିବା ନିମନ୍ତେ ସେମାନଙ୍କୁ ଏକ ଯାଜକ ଗୋଷ୍ଠୀରେ ପରିଣତ କରିଅଛ ଏବଂ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ।” 11 ମୁଁ ପୁଣି ଅନାଇ ଦେଖଲି, ହଜାର ହଜାର ଓ ଲକ୍ଷ ଲକ୍ଷ ସ୍ୱର୍ଗଦୂତ ସିଂହାସନକୁ, ଚାରିଗୋଟି ପ୍ରାଣୀ ଓ ବୟୋଜ୍ୟେଷ୍ଠ ନେତାମାନଙ୍କୁ ଘେରି ଠିଆ ହୋଇଛନ୍ତି। 12 ସେମାନେ ଉଚ୍ଚ ସ୍ୱରରେ ଗୀତ ଗାଉଥିଲେ। “ନିହତ ହୋଇଥିବା ସେହି ମେଷଶାବକ କ୍ଷମତା, ଐଶ୍ୱର୍ଯ୍ୟ, ଜ୍ଞାନ ଓ ଶକ୍ତି ସମ୍ଭ୍ରମ, ଗୌରବ ଓ ପ୍ରଶଂସାର ଭାଜନ!” 13 ସେତେବେଳେ ସ୍ୱର୍ଗ, ପୃଥିବୀ, ପାତାଳ ଓ ସମୁଦ୍ରର ସମସ୍ତ ଜୀବ ଏବଂ ବିଶ୍ୱର ସମସ୍ତ ପ୍ରାଣୀଙ୍କୁ ଗୀତ ଗାଉଥିବାର ମୁଁ ଶୁଣିଲି। ସେମାନେ ଗାଉଥିଲେ: “ସିଂହାସନୋପବିଷ୍ଟ ବ୍ୟକ୍ତିଙ୍କର ଓ ତାଙ୍କ ମେଷଶାବକଙ୍କର ପ୍ରଶଂସା କର। ତାଙ୍କ ସମ୍ଭ୍ରମ, ଗୌରବ ଓ ପରାକ୍ରମ ଅନନ୍ତ କାଳସ୍ଥାୟୀ!” 14 ଚାରିଗୋଟି ପ୍ରାଣୀ ଘୋଷା ଧରି କହୁଥିଲେ, “ଆମେନ୍” ଏବଂ ନେତାମାନେ ପ୍ରଣିପାତ କରି ତାଙ୍କର ଆରାଧନା କଲେ। |
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.
Bible Society of India