Biblia Todo Logo
Bìoball air-loidhne

- Sanasan -

ପ୍ରକାଶିତ 21 - ପବିତ୍ର ବାଇବଲ (CL) NT (BSI)


ନୂତନ ସ୍ୱର୍ଗ ଓ ନୂତନ ପୃଥିବୀ

1 ପରିଶେଷରେ ମୁଁ ଗୋଟିଏ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀ ଦେଖିଲି। ପୁରାତନ ଆକାଶ, ପୁରାତନ ପୃଥିବୀ ଓ ସମୁଦ୍ର ଉଭେଇ ଗଲା।

2 ପୁଣି ଏକ ପବିତ୍ର ନଗରୀ, ନୂତନ ଯିରୁଶାଲମ, କନ୍ୟା ବେଶରେ ସଜ୍ଜିତା ହୋଇ ସ୍ୱର୍ଗରୁ ଈଶ୍ୱରଙ୍କ ନିକଟରୁ ପୃଥିବୀ ଉପରକୁ ଅବତରଣ କଲା।

3 ପୁଣି ସ୍ୱର୍ଗ ସିଂହାସନରୁ ଗୋଟିଏ ବାଣୀ ଉଚ୍ଚାରିତ ହେଲା: “ବର୍ତ୍ତମାନ ଈଶ୍ୱରଙ୍କ ନିବାସ ମନୁଷ୍ୟମାନଙ୍କ ମଧ୍ୟରେ; ସେ ସେମାନଙ୍କ ସଙ୍ଗରେ ବାସ କରିବେ ଏବଂ ସେମାନେ ତାଙ୍କ ନିଜର ଲୋକ ହେବେ। ଈଶ୍ୱର ସେମାନଙ୍କ ସହିତ ବାସ କରିବେ ଓ ସେମାନଙ୍କର ଈଶ୍ୱର ହେବେ।

4 ସେ ସେମାନଙ୍କ ଚକ୍ଷୁର ଲୋତକ ସବୁ ପୋଛି ଦେବେ। ମୃତ୍ୟୁ, ଶୋକ, କ୍ରନ୍ଦନ କିଅବା ବ୍ୟଥା, ଆଉ କିଛି ରହିବ ନାହିଁ। ସମସ୍ତ ପୁରାତନ ବିଷୟ ଲୋପ ପାଇଛି।”

5 ସିଂହାସନୋପବିଷ୍ଟ ବ୍ୟକ୍ତି କହିଲେ, “ହଁ, ମୁଁ ସମସ୍ତ ବିଷୟ ନୂତନ କରିଛି।” ପୁଣି ସେ ମୋତେ ନିର୍ଦ୍ଦେଶ ଦେଲେ, “ଏହି ସବୁ କଥା ଲେଖି ରଖ, କାରଣ ଏହା ସତ୍ୟ ଓ ବିଶ୍ୱସନୀୟ”।

6 ଆହୁରି ମଧ୍ୟ ସେ କହିଲେ, “କାର୍ଯ୍ୟ ସମ୍ପନ୍ନ ହୋଇଛି। ମୁଁ କ ଓ କ୍ଷ, ଆଦି ଓ ଅନ୍ତ। ଯେ ତୃଷାର୍ତ୍ତ, ଜୀବନ ରୂପକ ଜଳ ନିର୍ଝରରୁ ମୁଁ ତାକୁ ବିନା ମୂଲ୍ୟରେ ପାନ କରିବାକୁ ଦେବି।

7 ଯେ ବିଜୟୀ ହୋଇ ରହିବ, ମୁଁ ତାକୁ ଏହି ପୁରସ୍କାର ଦେବି - ମୁଁ ତା’ର ଈଶ୍ୱର ହେବି ଓ ସେ ମୋର ସନ୍ତାନ ହେବ।

8 କିନ୍ତୁ କାପୁରୁଷ, ବିଶ୍ୱାସଘାତକ, ବିକୃତଚରିତ୍ର, ନରହନ୍ତା, ଲମ୍ପଟ, ତନ୍ତ୍ରମନ୍ତ୍ରସାଧକ, ପ୍ରତିମାପୂଜକ ଓ ମିଥ୍ୟାବାଦୀ ଆଦି ସମସ୍ତ ଭ୍ରଷ୍ଟାଚାରୀମାନଙ୍କର ନିରୂପିତ ସ୍ଥାନ ହେଉଛି, ଗନ୍ଧକାଗ୍ନି ଜଳୁଥିବା ହ୍ରଦ - ସେଠାରେ ସେମାନେ ଦ୍ୱିତୀୟ ମୃତ୍ୟୁଭୋଗ କରିବେ।”


ନୂତନ ଯିରୂଶାଲମ

9 ସପ୍ତ ଅନ୍ତିମ ମହାମାରୀପୂର୍ଣ୍ଣ ସପ୍ତ ପାତ୍ର ଧରିଥିବା ସପ୍ତ ଦୂତଙ୍କ, ମଧ୍ୟରୁ ଜଣେ ମୋ’ ନିକଟକୁ ଆସି କହିଲେ, “ଆସ, ମେଷଶାବକଙ୍କ ପତ୍ନୀ ନବବଧୂଙ୍କୁ ଦେଖିବ।”

10-11 ପବିତ୍ରାତ୍ମା ମୋ’ ଉପରେ ଅଧିଷ୍ଠାନ କଲେ ଏବଂ ଦୂତ ମୋତେ ଗୋଟିଏ ବିରାଟ ପର୍ବତ ଶିଖରକୁ ନେଇଗଲେ। ସେଠାରୁ ମୁଁ ଦେଖିଲି, ଈଶ୍ୱରଙ୍କ ନିକଟରୁ ସ୍ୱର୍ଗରୁ ଅବତରଣ କରିଥିବା ଦିବ୍ୟ ଗୌରବୋଜ୍ଜ୍ୱଳ ପବିତ୍ର ନଗରୀ ଯିରୂଶାଲମ। ସେହି ନଗରୀ ସ୍ଫଟିକ ପରି ସ୍ୱଚ୍ଛ ଓ ଅମୂଲ୍ୟ ସୂର୍ଯ୍ୟକାନ୍ତ ମଣି ପରି ଝଟକୁ ଥିଲା।

12 ଏହାର ଗୋଟିଏ ବିରାଟ ଉଚ୍ଚ ପ୍ରାଚୀର ଥିଲା। ଏହି ପ୍ରାଚୀରରେ ଦ୍ୱାଦଶ ସ୍ୱର୍ଗଦୂତଙ୍କ ଦ୍ୱାରା ସୁରକ୍ଷିତ ଦ୍ୱାଦଶ ଦ୍ୱାର ଥିଲା ଓ ସେହି ଦ୍ୱାରମାନଙ୍କ ଉପରେ ଇଶ୍ରାଏଲ ଜାତିର ଦ୍ୱାଦଶ ଗୋଷ୍ଠୀଙ୍କ ନାମ ଲେଖାଯାଇଥିଲା।

13 ପ୍ରାଚୀରର ପ୍ରତ୍ୟେକ ପାଶ୍ୱର୍ରେ ତିନୋଟି ଦ୍ୱାର ରହିଥିଲା - ପୂର୍ବରେ ତିନୋଟି, ଦକ୍ଷିଣରେ ତିନୋଟି, ଉତ୍ତରରେ ତିନୋଟି ଓ ପଶ୍ଚିମରେ ତିନୋଟି।

14 ନଗରୀର ଏହି ପ୍ରାଚୀର, ଦ୍ୱାଦଶ ପ୍ରସ୍ତର ଭିତ୍ତିମୂଳ ଉପରେ ନିର୍ମିତ ହୋଇଥିଲା ଏବଂ ସେହି ଦ୍ୱାଦଶ ଭିତ୍ତିମୂଳ ଉପରେ ମେଷଶାବକଙ୍କ ଦ୍ୱାଦଶ ପ୍ରେରିତ ଶିଷ୍ୟଙ୍କର ନାମ ଲେଖା ହୋଇଥିଲା।

15 ମୋ’ ସହିତ କଥା କହୁଥିବା ଦୂତଙ୍କ ହାତରେ ନଗରୀ, ପ୍ରାଚୀର ଓ ଦ୍ୱାରଗୁଡ଼ିକ ମାପିବା ନିମନ୍ତେ ଏକ ସୁବର୍ଣ୍ଣ ମାପ କାଠି ଥିଲା।

16 ନଗରୀଟି ବର୍ଗକ୍ଷେତ୍ରାକାର ଥିଲା; ତାହାର ଦୈର୍ଘ୍ୟ ଓ ପ୍ରସ୍ଥ ସମାନ ଥିଲା। ଦୂତ ତାଙ୍କ ମାପମାଠିରେ ନଗରୀ ମାପ କଲେ। ତା’ର ଦୈର୍ଘ୍ୟ ଥିଲା ୨୪୦୦ କିଲୋମିଟର ଏବଂ ପ୍ରସ୍ଥ ଓ ଉଚ୍ଚତା ଦୈର୍ଘ୍ୟ ସଙ୍ଗେ ସମାନ ଥିଲା।

17 ଦୂତ ପ୍ରାଚୀରର ଉଚ୍ଚତା ମଧ୍ୟ ମାପିଲେ। ତାହା ଷାଠିଏ ମିଟର ଥିଲା।

18 ପ୍ରାଚୀରଟି ସୂର୍ଯ୍ୟକାନ୍ତ ମଣିରେ ନିର୍ମିତ ହୋଇଥିଲା ଓ ନଗରୀ ନିର୍ମିତ ହୋଇଥିଲା, କାଚ ପରି ସ୍ୱଚ୍ଛ ବିଶୁଦ୍ଧ ସୁବର୍ଣ୍ଣରେ।

19 ନଗରୀର ଚତୁର୍ଦ୍ଦିଗରେ ଥିବା ପ୍ରାଚୀରର ଭିତ୍ତିମୂଳରେ ମଣିମାଣିକ୍ୟ ଖଚିତ ହୋଇଥିଲା - ପ୍ରଥମ ଭିତ୍ତିମୂଳରେ ଥିଲା ହୀରକ, ଦ୍ୱିତୀୟଟିରେ ଥିଲା ନୀଳକାନ୍ତ ମଣି, ତୃତୀୟଟିରେ ବୈଦୁର୍ଯ୍ୟ ମଣି, ଚତୁର୍ଥରେ ମରକତ ମଣି,

20 ପଞ୍ଚମରେ ପୁଲକ ମଣି, ଷଷ୍ଠରେ ମାଣିକ୍ୟ, ସପ୍ତମଟିରେ ପୁଷ୍ପରାଗ ମଣି, ଅଷ୍ଟମରେ ଫିରୋଜ ମଣି, ନବମରେ ଗୋମେଦକ ମଣି, ଦଶମରେ ଲଶୁନୀୟ ମଣି, ଏକାଦଶରେ ଇନ୍ଦ୍ରନୀଳ ମଣି ଓ ଦ୍ୱାଦଶଟିରେ ସୁଗନ୍ଧ ମଣି ଥିଲା।

21 ଦ୍ୱାଦଶ ଦ୍ୱାର ଥିଲା, ଦ୍ୱାଦଶ ମୁକ୍ତା - ପ୍ରତ୍ୟେକଟି ଦ୍ୱାର ଗୋଟିଏ ଗୋଟିଏ ମୁକ୍ତାରେ ନିର୍ମିତ ହୋଇଥିଲା। ଗନରୀର ରାଜପଥ କାଚ ପରି ସ୍ୱଚ୍ଛ ସୁବର୍ଣ୍ଣରେ ନିର୍ମିତ ହୋଇଥିଲା।

22 ମୁଁ ନଗରୀରେ କୌଣସି ମନ୍ଦିର ଦେଖିବାକୁ ପାଇଲି ନାହିଁ, କାରଣ ସ୍ୱୟଂ ସର୍ବଶକ୍ତିମାନ ପ୍ରଭୁ ଈଶ୍ୱର ଓ ମେଷଶାବକ ତାହାର ମନ୍ଦିର ଅଟନ୍ତି।

23 ନଗରୀଟିକୁ ଆଲୋକିତ କରିବା ପାଇଁ ସୂର୍ଯ୍ୟ ବା ଚନ୍ଦ୍ରର ପ୍ରୟୋଜନ ନାହିଁ, କାରଣ ଈଶ୍ୱରଙ୍କ ଗୌରବରେ ତାହା ଜାଜ୍ୱଲ୍ୟମାନ ଏବଂ ମେଷଶାବକ ତାହାର ପ୍ରଦୀପ।

24 ପୃଥିବୀର ସମଗ୍ର ମାନବ ଜାତି ତାହାର ଆଲୋକରେ ଗମନାଗମନ କରିବେ। ପୃଥିବୀର ରାଜାମାନେ ଏଠାରେ ସେମାନଙ୍କର ଧନ ସମ୍ପତ୍ତି ଆଣି ଉତ୍ସର୍ଗ କରିବେ।

25 ନଗରୀର ଦ୍ୱାର ସବୁ ସର୍ବଦା ଉନ୍ମୁକ୍ତ ରହିଥିବ। ସେଗୁଡ଼ିକ କେବେ ରୁଦ୍ଧ କରାଯିବ ନାହିଁ; କାରଣ ସେଠାରେ କେବେ ରାତ୍ରି ହେବ ନାହିଁ।

26 ସବୁ ଦେଶର ଐଶ୍ୱର୍ଯ୍ୟ ଓ ମହିମା ଏହି ନଗରୀରେ ଆସି ଠୁଳ ହେବ।

27 କୌଣସି ଅଶୁଚି ବସ୍ତୁ ଏଠାକୁ ଅଣାଯିବ ନାହିଁ। ଘୃଣ୍ୟ କର୍ମରେ ଲିପ୍ତ ଭ୍ରଷ୍ଟାଚାରୀ ଓ ମିଥ୍ୟାବାଦୀମାନେ ଏହି ନଗରୀରେ ପ୍ରବେଶ କରି ପାରିବେ ନାହିଁ। ଯେଉଁମାନଙ୍କର ନାମ ମେଷଶାବଙ୍କ ଜୀବନ ପୁସ୍ତକରେ ଲେଖା ହୋଇଥିବ, କେବଳ ସେମାନେ ଏହି ନଗରୀରେ ପ୍ରବେଶ କରିପାରିବେ।

Odia (CL) NT - ପବିତ୍ର ବାଇବଲ

© The Bible Society of India, 2018.

Used by permission. All rights reserved worldwide.

Bible Society of India
Lean sinn:



Sanasan