Biblia Todo Logo
Bìoball air-loidhne

- Sanasan -

ପ୍ରକାଶିତ 19 - ପବିତ୍ର ବାଇବଲ (CL) NT (BSI)


ସ୍ୱର୍ଗରେ ବିତୟ ସଙ୍ଗୀତ

1 ଏହାପରେ ମୁଁ ଯାହା ଶୁଣିଲି, ତାହା ସ୍ୱର୍ଗର ଏକ ବିରାଟ ଜନତାର କୋଳାହଳ ପରି ମନେ ହେଉଥିଲା। ସେମାନେ କହୁଥିଲେ, “ଈଶ୍ୱରଙ୍କର ସ୍ତୁତି କର। ଆମ୍ଭମାନଙ୍କ ଈଶ୍ୱର ପରିତ୍ରାଣ, ଗୌରବ ଓ ପରାକ୍ରମର ଅଧିକାରୀ।

2 ତାଙ୍କର ବିଚାର ଯଥାର୍ଥ ଓ ନ୍ୟାୟୋଚିତ। ଭ୍ରଷ୍ଟାଚାର ଦ୍ୱାରା ପୃଥିବୀକୁ କଳୁଷିତ କରୁଥିବା ବେଶ୍ୟା ପ୍ରତି ସେ ବିହିତ ଦଣ୍ଡ ବିଧାନ କରିଛନ୍ତି। ଈଶ୍ୱରଙ୍କ ସେବକମାନଙ୍କୁ ହତ୍ୟା କରି ଥିବାରୁ ତାକୁ ସେ ଶାସ୍ତି ଦେଇଛନ୍ତି।”

3 ମୁଁ ଶୁଣିଲି, ସେମାନେ ଆହୁରି ଉଚ୍ଚ ସ୍ୱରରେ କହୁଛନ୍ତି, “ଈଶ୍ୱରଙ୍କ ସ୍ତୁତି ଗାନ କର। ସେହି ମହାନଗରୀକୁ ଧ୍ୱଂସ କରି ଦେଇଥିବା ଅଗ୍ନିର ଧୂମ ଚିରଦିନ ଉପରକୁ ଉଠୁଥିବ।

4 ସିଂହାସନୋପବିଷ୍ଟ ଈଶ୍ୱରଙ୍କ ସମ୍ମୁଖରେ ଚବିଶ ଜଣ ବୟୋଜ୍ୟେଷ୍ଠ ନେତା ଓ ସେହି ଚାରୋଟି ପ୍ରାଣୀ ଭୂମିଷ୍ଠ ହୋଇ ଈଶ୍ୱରଙ୍କୁ ଆରାଧନା କଲେ। ସେମାନେ କହିଲେ, “ଆମେନ୍! ଈଶ୍ୱରଙ୍କ ପ୍ରଶଂସା କର।”


ମେଷଶାବକଙ୍କ ବିବାହ ଭୋଜି

5 ତା’ପରେ ସିଂହାସନରୁ ଗୋଟିଏ ବାଣୀ ଶୁଣାଗଲା। “ଈଶ୍ୱରଙ୍କ ସ୍ତୁତି କର। କି ମହାନ୍, କି ନଗଣ୍ୟ, ଈଶ୍ୱରଙ୍କ ସେବକ ଓ ଉପାସକଗଣ, ସମସ୍ତେ ତାଙ୍କର ପ୍ରଶଂସା କର।”

6 ସେହି ସମୟରେ ମୁଁ ଶୁଣିଲି, ସମୁଦ୍ର ଗର୍ଜନ ଓ ବଜ୍ରନାଦ ସହିତ ଜନତାର କଳଧ୍ୱନି ଭାସି ଆସୁଛି। ଜନତା ଆହୁରି ସ୍ତୁତି କରି କହୁଛନ୍ତି: “ଈଶ୍ୱରଙ୍କର ପ୍ରଶଂସା କର, କାରଣ ଆମ୍ଭର ପ୍ରଭୁ ମହାପରାକ୍ରାନ୍ତ ଈଶ୍ୱର, ସେହି କେବଳ ଆମର ରାଜା।

7 ଆସ, ଆନନ୍ଦ ଓ ଉଲ୍ଲାସ କରିବା, ତାଙ୍କ ମହନୀୟତାର ପ୍ରଶସ୍ତି କରିବା। ମେଷଶାବକଙ୍କ ବିବାହ ଉତ୍ସବ ଉପସ୍ଥିତ, ତାଙ୍କର କନ୍ୟା ସେଥିପାଇଁ ନିଜକୁ ପ୍ରସ୍ତୁତ କରିଛନ୍ତି।

8 ତାଙ୍କର ପରିଧାନ ନିମନ୍ତେ ସେ ଶୁକ୍ଲ ଓ ପରିଷ୍କୃତ ସୂକ୍ଷ୍ମ ବସ୍ତ୍ର ପାଇଛନ୍ତି।” (ସାଧୁମାନଙ୍କର ପୁଣ୍ୟ କର୍ମ ହେଉଛି, ସେହି ସୂକ୍ଷ୍ମ ବସ୍ତ୍ର)।

9 ଅନନ୍ତର ସ୍ୱର୍ଗଦୂତ ମୋତେ କହିଲେ, “ଲେଖି ରଖ, ଯେଉଁମାନେ ମେଷଶାବକଙ୍କର ବିବାହଭୋଜିକୁ ନିମନ୍ତ୍ରିତ ହୋଇଛନ୍ତି, ସେମାନେ ଭାଗ୍ୟବାନ।” ସେ ଆହୁରି ମଧ୍ୟ କହିଲେ, “ଏହା ଈଶ୍ୱରଙ୍କର ବାଣୀ - ନିରାଟ ସତ୍ୟ।”

10 ସେହି ଦୂତଙ୍କୁ ପୂଜା କରିବା ପାଇଁ ମୁଁ ତାଙ୍କ ପାଦ ତଳେ ପଡ଼ିଗଲି। କିନ୍ତୁ ସେ ମୋତେ କହିଲେ, “ସେପରି କର ନାହିଁ। ତୁମ ପରି ଓ ତୁମ ଭାଇମାନଙ୍କ ପରି ମୁଁ ଯୀଶୁଙ୍କର ଜଣେ ଦାସ ମାତ୍ର। ତୁମ୍ଭମାନଙ୍କ ପରି ମୁଁ ମଧ୍ୟ ଯୀଶୁ ପ୍ରକାଶ କରିଥିବା ସତ୍ୟକୁ ଗ୍ରହଣ କରିଛି। କେବଳ ଈଶ୍ୱରଙ୍କର ପୂଜା କର। କେବଳ ଯୀଶୁ ପ୍ରକାଶ କରିଥିାବ ସତ୍ୟ, ଭାବବାଦୀମାନଙ୍କୁ ପ୍ରେରଣା ଦିଏ।”


ଶ୍ୱେତ ଅଶ୍ୱ ଆରୋହୀ

11 ତାହାପରେ ମୁଁ ଦେଖିଲି, ସ୍ୱର୍ଗଦ୍ୱାର ଉନ୍ମୁକ୍ତ ଓ ସେଠାରେ ଏକ ଶ୍ୱେତ ବର୍ଣ୍ଣ ଅଶ୍ୱ। ତାହାର ଆରୋହୀ ବିଶ୍ୱସ୍ତ ଓ ସତ୍ୟ ନାମରେ ପରିଚିତ। ତାଙ୍କ ବିଚାର ନ୍ୟାୟପର ଓ ସେ ଧର୍ମଯୁଦ୍ଧରେ ନିୟୋଜିତ।

12 ତାଙ୍କ ଚକ୍ଷୁ ଅଗ୍ନି ଶିଖାପରି ଓ ତାଙ୍କ ମସ୍ତକରେ ଅନେକ ମୁକୁଟ ଥିଲା। ତାଙ୍କ ଉପରେ ଏକ ନାମ ଲେଖା ଯାଇଥିଲା, କିନ୍ତୁ ତାହା କଅଣ , ତାଙ୍କ ବ୍ୟତୀତ ଆଉ କେହି ଜାଣନ୍ତି ନାହିଁ।

13 ସେ ପିନ୍ଧିଥିବା ପୋଷାକ ରକ୍ତରଂଜିତ ହୋଇଥିଲା। ସେ “ଈଶ୍ୱରଙ୍କ ବାକ୍ୟ” ବୋଲି ପରିଚିତ।

14 ସ୍ୱର୍ଗର ସୈନ୍ୟବାହିନୀ, ପରିଷ୍କାର, ଶୁକ୍ଲ, ସୂକ୍ଷ୍ମ ପୋଷାକ ପିନ୍ଧି, ଶ୍ୱେତ ଅଶ୍ୱମାନଙ୍କ ଉପରେ ଆରୋହଣ କରି ତାଙ୍କୁ ଅନୁସରଣ କରୁଥିଲେ।

15 ତାଙ୍କ ମୁଖରୁ ଗୋଟିଏ ତୀକ୍ଷ୍ଣ ଖଡ଼୍ଗ ନିଷ୍କାସିତ ହୋଇଥିଲା। ତାହା ସାହାଯ୍ୟରେ ସେ ପୃଥିବୀର ସମସ୍ତ ଜାତିକୁ ପରାସ୍ତ କରିବେ। ପୁଣି ସେମାନଙ୍କୁ ସେ ଲୌହଦଣ୍ଡରେ ଶାସନ କରିବେ ଏବଂ ସର୍ବଶକ୍ତିମାନ ଈଶ୍ୱରଙ୍କ ପ୍ରଚଣ୍ଡ କ୍ରୋଧରୂପ ଦ୍ରାକ୍ଷାକୁ ସେ ପେଷଣ କୁଣ୍ଡରେ ନିଜେ ଦଳି ସୁରା ବାହାର କରିବେ।

16 ତାଙ୍କ ପୋଷାକ ଉପରେ ଓ ଉରୁଦେଶରେ ଲେଖା ହୋଇଥିଲା, “ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ।”

17 ଅନନ୍ତର ମୁଁ ଦେଖିଲି, ଆଉ ଜଣେ ସ୍ୱର୍ଗଦୂତ ସୂର୍ଯ୍ୟ ଉପରେ ଦଣ୍ଡାୟମାନ। ଆକାଶରେ ଉଡ଼ୁଥିବା ସମସ୍ତ ପକ୍ଷୀଙ୍କୁ ସେ ଚିକ୍ରାର କରି କହିଲେ, “ଆସ, ଈଶ୍ୱରଙ୍କ ମହାଭୋଜିରେ ଯୋଗ ଦେବା ପାଇଁ ଏକତ୍ରିତ ହୁଅ।

18 ରାଜା, ପ୍ରଜା, ସୈନ୍ୟ, ସୈନ୍ୟାଧ୍ୟକ୍ଷ, ଅଶ୍ୱ, ଅଶ୍ୱାରୋହୀ, କ୍ରୀତଦାସ, ସ୍ୱାଧୀନ, ମହାନ୍ ବା ନଗଣ୍ୟ ସମସ୍ତଙ୍କର ମାଂସ ଆସି ଭକ୍ଷଣ କର।”

19 ତାହାପରେ ମୁଁ ଦେଖିଲି, ସେହି ଅଶ୍ୱାରୋହୀ ଓ ତାଙ୍କର ସୈନ୍ୟବାହିନୀ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଉକ୍ତ ପଶୁ ଏବଂ ପୃଥିବୀର ସମସ୍ତ ରାଜା ଓ ସେମାନଙ୍କର ସୈନ୍ୟବାହିନୀ ଏକଜୁଟ ହେଲେ।

20 ସେହି ଯୁଦ୍ଧରେ ପଶୁ ଓ ତା’ ସମ୍ମୁଖରେ ଅଲୌକିକ କାର୍ଯ୍ୟ କରୁଥିବା ସେହି ଭଣ୍ଡ ଭାବବାଦୀ ଧରାପଡ଼ି ବନ୍ଦୀ ହେଲେ। ଯେଉଁମାନଙ୍କଠାରେ ପଶୁ-ଚିହ୍ନ ଥିଲା ଓ ଯେଉଁମାନେ ତା’ର ପ୍ରତିମୂର୍ତ୍ତିକୁ ପୂଜା କରୁଥିଲେ, ପଶୁ ତା’ର ଅଲୌକିକ କାର୍ଯ୍ୟ ଦ୍ୱାରା ସେମାନଙ୍କୁ ପ୍ରତାରିତ କରିଥିଲା। ପଶୁ ଓ ଉକ୍ତ ଭଣ୍ଡ ଭାବବାଦୀ ଗନ୍ଧକ ଜଳୁଥିବା ଅଗ୍ନି ହ୍ରଦରେ ଜୀଅନ୍ତା ନିକ୍ଷିପ୍ତ ହେଲେ।

21 ପୁଣି ସେମାନଙ୍କର ସୈନ୍ୟବାହିନୀ ଅଶ୍ୱାରୋହୀ ମୁଖନିସୃତ ଖଡ଼୍ଗ ଦ୍ୱାରା ନିହତ ହେଲେ; ଆକାଶର ପକ୍ଷୀମାନେ ମନଇଚ୍ଛା ସେମାନଙ୍କର ମାଂସ ଖାଇଗଲେ।

Odia (CL) NT - ପବିତ୍ର ବାଇବଲ

© The Bible Society of India, 2018.

Used by permission. All rights reserved worldwide.

Bible Society of India
Lean sinn:



Sanasan