ପ୍ରକାଶିତ 15 - ପବିତ୍ର ବାଇବଲ (CL) NT (BSI)ସପ୍ତ ମହାମାରୀ ଉତ୍ପାଦକ ସପ୍ତ ଦୂତ 1 ଅନନ୍ତର ମୁଁ ଆକାଶରେ ଆଉ ଏକ ବିଚିତ୍ର ରହସ୍ୟଜନକ ଦୃଶ୍ୟ ଦେଖିଲି। ସାତ ଜଣ ସ୍ୱର୍ଗଦୂତ ପ୍ରତ୍ୟେକେ ଗୋଟିଏ ଗୋଟିଏ ମହାମାରୀ ଧରି ଆବିର୍ଭୂତ ହେଲେ। ଏହି ମହାମାରୀଗୁଡ଼ିକ ଥିଲା, ଈଶ୍ୱରଙ୍କ କ୍ରୋଧର ଚରମ ଅଭିବ୍ୟକ୍ତି। 2 ତା’ପରେ ମୁଁ ଦେଖିଲି, ଅଗ୍ନିମିଶ୍ରିତ କାଚର ସମୁଦ୍ର ପରି ଏକ ଦୃଶ୍ୟ। ସେହି ସମୁଦ୍ର ତୀରରେ ଠିଆ ହୋଇଥିଲେ ବିଜୟୀ ବ୍ୟକ୍ତିମାନେ - ଏମାନେ ପଶୁ, ପଶୁର ପ୍ରତିମୂର୍ତ୍ତି ଓ ପୂର୍ବୋକ୍ତ ସଂଖ୍ୟା ଦ୍ୱାରା ଚିହ୍ନିତ ସେହି ଦୁରାତ୍ମା ଉପରେ ବିଜୟ ଲାଭ କରିଥିଲେ। 3 ସେମାନେ ଈଶ୍ୱର ପ୍ରଦାନ କରିଥିବା ବୀଣା ବଜାଇ ଈଶ୍ୱରଙ୍କ ସେବକ ମୋଶାଙ୍କ ଗୀତ ଓ ମେଷଶାବକଙ୍କ ଗୀତ ଗାନ କରୁଥିଲେ। “ହେ ମହାପରାକ୍ରାନ୍ତ ପ୍ରଭୁ ଈଶ୍ୱର! ତୁମ କାର୍ଯ୍ୟସକଳ କେଡ଼େ ମହାନ୍ ଓ ବିଚିତ୍ର, ସମସ୍ତ ଜାତିର ରାଜାଧିରାଜ! ତୁମ କର୍ମପନ୍ଥା କେଡ଼େ ନ୍ୟାୟସଙ୍ଗତ ଓ ଯଥାର୍ଥ! 4 ପ୍ରଭୁ! କିଏ ବା ତୁମକୁ ଭୟ ନ କରିବ? ତୁମର ମାହାତ୍ମ୍ୟ ଘୋଷଣା କରିବାକୁ କିଏ ବା ଅସ୍ୱୀକାର କରିବ? କେବଳ ତୁମେ ହିଁ ପବିତ୍ର, ସମସ୍ତ ଜାତି ଆସି ତୁମର ପୂଜା କରିବେ। କାରଣ ତୁମର ନ୍ୟାୟୋଚିତ କାର୍ଯ୍ୟ ସମସ୍ତେ ଦେଖିଛନ୍ତି।” 5 ଅନନ୍ତର ସ୍ୱର୍ଗଦ୍ୱାର ଉନ୍ମୁକ୍ତ ହେବାର ମୁଁ ଦେଖିଲି। ସେଥିରେ ଈଶ୍ୱରଙ୍କ ଉପସ୍ଥିତିସୂଚକ ତମ୍ବୁ ଥିଲା। 6 ସପ୍ତ ମହାମାରୀ ଧରିଥିବା ସପ୍ତଦୂତ ସ୍ୱର୍ଗମନ୍ଦିର ଭିତରୁ ବାହାରି ଆସିଲେ: ସେମାନେ ନିର୍ମଳ ଶୁଭ୍ର ବସ୍ତ୍ର ପିନ୍ଧି ଥିଲେ ଓ ବକ୍ଷ ସ୍ଥଳରେ ସୁବର୍ଣ୍ଣ ପଟୁକା ବାନ୍ଧି ଥିଲେ। 7 ପୂର୍ବୋକ୍ତ ଚାରୋଟି ପ୍ରାଣୀ ମଧ୍ୟରୁ ଜଣେ ଚିରଜୀବୀ ଈଶ୍ୱରଙ୍କ କୋପରେ ପରିପୂର୍ଣ୍ଣ ସାତଟି ସୁବର୍ଣ୍ଣ ପାତ୍ର ସେହି ସପ୍ତ ଦୂତଙ୍କୁ ଦେଲେ। 8 ଈଶ୍ୱରଙ୍କ ଗୌରବ ଓ ପରାକ୍ରମରୁ ଉତ୍ଥିତ ଧୂମରେ ମନ୍ଦିର ପରିପୂର୍ଣ୍ଣ ହେଲା; ସପ୍ତ ଦୂତ ଘେନି ଆସିଥିବା ସପ୍ତ ମହାମାରୀର ଅବସାନ ନ ଘଟିବା ପର୍ଯ୍ୟନ୍ତ ଏହି ମନ୍ଦିର ମଧ୍ୟରେ ଆଉ କେହି ପ୍ରବେଶ କରି ପାରିଲେ ନାହିଁ। |
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.
Bible Society of India