ପ୍ରକାଶିତ 10 - ପବିତ୍ର ବାଇବଲ (CL) NT (BSI)ସ୍ୱର୍ଗଦୂତ ଓ କ୍ଷୁଦ୍ର ପାଣ୍ଡୁଲିପି 1 ତାହାପରେ ମୁଁ ଦେଖିଲି, ଆଉ ଜଣେ ପରାକ୍ରାନ୍ତ ଦୂତ ସ୍ୱର୍ଗରୁ ଓହ୍ଲାଇ ଆସୁଛନ୍ତି। ସେ ମେଘରେ ଆଚ୍ଛାଦିତ ହୋଇଥିଲେ ଏବଂ ମେଘଧନୁ ତାଙ୍କ ମସ୍ତକକୁ ଘେରି ରହିଥିଲା। ତାଙ୍କର ମୁଖ ସୂର୍ଯ୍ୟ ପରି ଏବଂ ପାଦଦ୍ୱୟ ଅଗ୍ନି ସ୍ତମ୍ଭ ପରି ଦେଖାଯାଉଥିଲା। 2 ତାଙ୍କ ହସ୍ତରେ ଏକ କ୍ଷୁଦ୍ର ଖୋଲା ପାଣ୍ଡୁଲିପି ଥିଲା। ସେ ତାଙ୍କର ଡ଼ାହାଣ ପାଦ ସମୁଦ୍ର ଉପରେ ଓ ବାମ ପାଦ ଭୂମି ଉପରେ ରଖିଥିଲେ। 3 ସିଂହ ଗର୍ଜନ ପରି ହୁଙ୍କାର କରି ସେ ଆହ୍ୱାନ କଲେ, ଠିକ୍ ସେହିପରି ହୁଙ୍କାର କରି ସାତଟି ମେଘ ଏହି ଆହ୍ୱାନର ଉତ୍ତର ଦେଲେ। 4 ସେମାନେ ଯାହା କଥାବାର୍ତ୍ତା ହେଲେ, ତାହା ମୁଁ ଲେଖିବାକୁ ଯାଉଥିଲି, କିନ୍ତୁ ସ୍ୱର୍ଗରୁ ଗୋଟିଏ କଣ୍ଠସ୍ୱର ଶୁଣିଲି। ସେହି ସ୍ୱର ମୋତେ କହିଲେ: “ମେଘ ଗର୍ଜନରେ ଯାହା ଶୁଣୁଛ, ତାହା ଗୋପନ ରଖ; ଲେଖ ନାହିଁ।” 5 ତା’ପରେ ଯେଉଁ ଦୂତଙ୍କୁ ସମୁଦ୍ର ଓ ଭୂମି ଉପରେ ଠିଆ ହୋଇଥିବା ମୁଁ ଦେଖିଥିଲି, ସେ ତାଙ୍କର ଦକ୍ଷିଣ ହସ୍ତ ସ୍ୱର୍ଗ ଆଡ଼କୁ ଉଠାଇଲେ 6 ଏବଂ ସସାଗରା ଧରା, ସ୍ୱର୍ଗ ଓ ଏମାନଙ୍କ ସମସ୍ତ ବିଷୟର ସୃଷ୍ଟିକର୍ତ୍ତା ଚିରଜୀବୀ ଈଶ୍ୱରଙ୍କ ନାମରେ ଶପଥ କରି କହିଲେ, “ଆଉ କାଳ ବିଳମ୍ବ ହେବ ନାହିଁ। 7 ଯେତେବେଳେ ସପ୍ତମ ଦୂତ ତୂରୀ ବଜାଇବେ, ଈଶ୍ୱର ତାଙ୍କର ସେବକ ଭାବବାଦୀଙ୍କ ନିକଟରେ ଯେଉଁ ଗୁପ୍ତ ସଙ୍କଳ୍ପ ପ୍ରକାଶ କରିଥିଲେ, ତାହା ସମ୍ପାଦନ କରିବେ।” 8 ତାହାପରେ ସ୍ୱର୍ଗର ସେହି କଣ୍ଠସ୍ୱର ମୋତେ ପୁଣି କହିଲେ, “ଯାଅ, ସମୁଦ୍ର ଓ ଭୂମି ଉପରେ ଠିଆ ହୋଇଥିବା ଦୂତଙ୍କ ହାତରୁ ଖୋଲା ପାଣ୍ଡୁଲିପିଟି ନିଅ।” 9 ମୁଁ ଦୂତଙ୍କ ନିକଟକୁ ଯାଇ ସେହି ପାଣ୍ଡୁଲିପିଟିକୁ ମାଗିଲି। ସେ ମୋତେ କହିଲେ, “ନେଇ ଭୋଜନ କର। ତୁମ ଉଦର ପାଇଁ ଏହା ତିକ୍ତ, କିନ୍ତୁ ତୁମ ମୁଖରେ ଏହା ମଧୁ ପରି ମିଷ୍ଟ ଲାଗିବ।” 10 ମୁଁ ସେହି କ୍ଷୁଦ୍ର ପାଣ୍ଡୁଲିପିଟି ତାଙ୍କ ହାତରୁ ନେଇ ଭୋଜନ କଲି। ତାହା ମୋ’ ପାଟିରେ ମହୁ ପରି ମିଠା ଲାଗିଲା, ମାତ୍ର ଗିଳି ଦେବା ମାତ୍ରେ ପେଟ ଭିତର ପିତା ହୋଇଗଲା। 11 ତାହାପରେ କେହି ମୋତେ କହିଲେ, “ଅନେକ ଦେଶ, ଜାତି, ଭାଷାଭାଷୀ ଓ ରାଜାମାନଙ୍କ ସମ୍ପର୍କରେ ଈଶ୍ୱରଙ୍କ ବାର୍ତ୍ତା ତୁମେ ଯାଇ ପୁନର୍ବାର ଘୋଷଣା କର।” |
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.
Bible Society of India