Biblia Todo Logo
Bìoball air-loidhne

- Sanasan -

ପ୍ରକାଶିତ 1 - ପବିତ୍ର ବାଇବଲ (CL) NT (BSI)

1 ଯାହା ସବୁ ଅତି ଶୀଘ୍ର ଘଟିବାକୁ ଯାଉଛି, ଈଶ୍ୱର ଯୀଶୁ ଖ୍ରୀଷ୍ଟଙ୍କ ନିକଟରେ ପ୍ରକାଶ କରିଥିବା ତାହାର ଏକ ବିବରଣୀ ଏହି ପୁସ୍ତକରେ ଲିପିବଦ୍ଧ ହୋଇଛି। ସେହି ସମସ୍ତ ବିଷୟ ତାଙ୍କର ଦାସମାନଙ୍କୁ ଜଣାଇବା ନିମନ୍ତେ ଖ୍ରୀଷ୍ଟ ଜଣେ ସ୍ୱର୍ଗଦୂତଙ୍କୁ ପ୍ରେରଣ କରି ତାଙ୍କ ଦାସ ଯୋହନଙ୍କୁ ତାହା ଅବଗତ କରାଇଲେ।

2 ପୁଣି ଯୋହନ ନିଜେ ଯାହା ସବୁ ଦେଖିଛନ୍ତି, ତାହା ଏଥିରେ ପ୍ରକାଶ କରିଛନ୍ତି। ଏହି ବିବରଣୀରେ ଈଶ୍ୱରଙ୍କ ବାର୍ତ୍ତା ଓ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରକାଶିତ ସତ୍ୟ ସନ୍ନିବେଶିତ।

3 ଯେଉଁ ବ୍ୟକ୍ତି ଏହି ପୁସ୍ତକ ପଢ଼େ ଏବଂ ଯେଉଁମାନେ ଏଥିରେ ପ୍ରକାଶିତ ଭବିଷ୍ୟତ୍ବାଣୀ ଶୁଣି ତାହାର ନିର୍ଦ୍ଦେଶମାନ ପାଳନ କରନ୍ତି, ସେମାନେ ବାସ୍ତବିକ୍ ଭାଗ୍ୟବାନ, କାରଣ ସେହିସବୁ ଘଟିବାର ସମୟ ଆସନ୍ନ!


ସପ୍ତ ମଣ୍ଡଳୀକୁ ଅଭିବାଦନ

4 ଏସିଆ ପ୍ରଦେଶରେ ଥିବା ସାତଟି ମଣ୍ଡଳୀକୁ ମୋର ଅଭିବାଦନ। ଭବିଷ୍ୟତ୍, ଅତୀତ ଓ ବର୍ତ୍ତମାନର ଜୀବନ୍ତ ଈଶ୍ୱର, ତାଙ୍କ ସିଂହାସନ ସମ୍ମୁଖସ୍ଥ ସପ୍ତ ଆତ୍ମା

5 ଏବଂ ମୃତ୍ୟୁରୁ ପୁନରୁତ୍ôଥତ ସର୍ବପ୍ରଥମ, ବିଶ୍ୱସ୍ତ ସାକ୍ଷ୍ୟଦାତା ଓ ରାଜାଧିରାଜ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭ ପ୍ରତି ହେଉ। ସେ ଆମକୁ ପ୍ରେମ କରନ୍ତି ଓ ତାଙ୍କର ମୃତ୍ୟୁ ଦ୍ୱାରା ଆମକୁ ପାପରୁ ପରିତ୍ରାଣ କରିଅଛନ୍ତି

6 ଏବଂ ତାଙ୍କ ପିତା ଈଶ୍ୱରଙ୍କର ସେବା କରିବା ନିମନ୍ତେ ଆମକୁ ଏକ ଯାଜକକୁଳ କରିଛନ୍ତି। ସମସ୍ତ ଗୌରବ ଓ ପରାକ୍ରମ ସଦାସର୍ବଦା ଯୀଶୁ ଖ୍ରୀଷ୍ଟଙ୍କର ହେଉ।

7 ଦେଖ, ସେ ମେଘମାଳାରେ ଆସୁଅଛନ୍ତି - ପୃଥିବୀବାସୀ ସମସ୍ତେ ତାଙ୍କୁ ଦେଖିବେ; ଏପରି କି ଯେଉଁମାନେ ତାଙ୍କୁ ବଦ୍ଧ କରିଥିଲେ, ସେମାନେ ମଧ୍ୟ ତାଙ୍କୁ ଦେଖି ଭୟବିହ୍ୱଳ ହୋଇ ବିଳାପ କରିବେ। ଏ ସବୁ ନିଶ୍ଚୟ ଘଟିବ - ଆମେନ୍।

8 ପ୍ରଭୁ ସର୍ବଶକ୍ତିମାନ ଈଶ୍ୱର କହନ୍ତି, “ମୁଁ କ ଓ କ୍ଷ”, ସେ ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି, ପୁଣି ଭବିଷ୍ୟତ୍ରେ ଆସିବେ।


ଖ୍ରୀଷ୍ଟ ଦର୍ଶନ ଦେଲେ

9 ମୁଁ ଯୋହନ, ତୁମର ଜଣେ ଭାଇ, ଯୀଶୁଙ୍କର ଶିଷ୍ୟ ସ୍ୱରୂପେ ତାଙ୍କ ରାଜ୍ୟର ଲୋକମାନଙ୍କ ଉପରେ ହେଉଥିବା ଦୌରାତ୍ମ୍ୟ ଧୈର୍ଯ୍ୟର ସହିତ ସହ୍ୟ କରିବା ପାଇଁ ମୁଁ ତୁମ୍ଭମାନଙ୍କର ଜଣେ ଅଂଶୀଦାର। ଯୀଶୁ ପ୍ରକାଶ କରିଥିବା ସତ୍ୟ ଓ ଈଶ୍ୱରଙ୍କ ବାକ୍ୟ ଘୋଷଣା କରିବା ଯୋଗୁଁ ମୁଁ ପାତ୍ମସ୍ ଦ୍ୱୀପକୁ ନିର୍ବାସିତ ହୋଇଥିଲି।

10 ପ୍ରଭୁଙ୍କ ଦିବସରେ ପବିତ୍ର ଆତ୍ମା ମୋତେ ଆବିଷ୍ଟ କଲେ ଏବଂ ମୋର ପଶ୍ଚାତ୍ରେ ତୂରୀ ଧ୍ୱନି ପରି ଏକ ଉଚ୍ଚ ସ୍ୱର ଶୁଣିଲି।

11 କିଏ ଜଣେ ମୋତେ କହିଲେ, “ତୁମେ ଯାହା ଦେଖୁଛ, ତାହା ଗୋଟିଏ ପୁସ୍ତକରେ ଲେଖି ରଖ ଏବଂ ଏଫିସସ୍, ସ୍ମର୍ଣ୍ଣା, ପର୍ଗାମମ୍, ଥିଆଟିରା, ସାର୍ଦ୍ଦିସ୍, ଫିଲାଦେଲ୍ଫିଆ ଓ ଲାଓଦେସିଆରେ ଥିବା ମଣ୍ଡଳୀଗୁଡ଼ିକୁ ପୁସ୍ତକଟି ପଠାଇ ଦିଅ।”

12 କିଏ ମୋ’ ସଙ୍ଗରେ କଥା କହୁଛନ୍ତି, ଦେଖିବା ପାଇଁ ମୁଁ ପଛକୁ ବୁଲିପଡ଼ି ଦେଖିଲି, ସପ୍ତ ସୁବର୍ଣ୍ଣ ପ୍ରଦୀପ

13 ଓ ତନ୍ମଧ୍ୟରେ ମନୁଷ୍ୟପୁତ୍ର ସଦୃଶ ଜଣେ। ତାଙ୍କ ପୋଷାକ ଆପାଦଲମ୍ବିତ ଏବଂ ତାଙ୍କ ବକ୍ଷ ସ୍ଥଳକୁ ବେଷ୍ଟନ କରିଥିଲା ଗୋଟିଏ ସୁବର୍ଣ୍ଣ ବନ୍ଧନୀ।

14 ତାଙ୍କ ମସ୍ତକର କେଶ ପଶମ ବା ହିମ ପରି ଶୁଭ୍ର ଥିଲା ଏବଂ ତାଙ୍କର ଚକ୍ଷୁ ଅଗ୍ନି ପରି ପ୍ରଜ୍ଜ୍ୱଳିତ ହେଉଥିଲା।

15 ତାଙ୍କ ପାଦ ଦୁଇଟି ଅଗ୍ନିରେ ଶୁଦ୍ଧ ପିତ୍ତଳ ପରି ଝଟକୁ ଥିଲା ଏବଂ ତାଙ୍କର କଣ୍ଠସ୍ୱର ଜଳପ୍ରପାତ ପରି ନିନାଦିତ ହେଉଥିଲା।

16 ସେ ତାଙ୍କ ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧରିଥିଲେ ଏବଂ ଗୋଟିଏ ତୀକ୍ଷ୍ଣ ଦ୍ୱିଧାର ଖଡ଼୍ଗ ତାଙ୍କ ମୁଖରୁ ନିଷ୍କାସିତ ହେଲା। ତାଙ୍କର ମୁଖ ମଧ୍ୟାହ୍ନର ସୂର୍ଯ୍ୟ ପରି ତେଜୋମୟ ଥିଲା।

17 ତାଙ୍କୁ ଦେଖିବା ମାତ୍ରେ ମୁଁ ମୃତବତ୍ ତାଙ୍କ ପାଦ ତଳେ ପଡ଼ିଗଲି। ସେ ତାଙ୍କ ଡ଼ାହାଣ ହାତ ମୋ’ ଉପରେ ରଖି କହିଲେ, “ଭୟ କର ନାହିଁ, ମୁଁ ଆଦି ଓ ଅନ୍ତ

18 ମୁଁ ସ୍ୱୟଂଜୀବୀ; ମୃତ୍ୟୁ ବରଣ କରିଥିଲି, କିନ୍ତୁ ମୁଁ ଏବେ ଜୀବିତ - ଅନନ୍ତ କାଳ ଜୀବିତ ରହିବି। ମୃତ୍ୟୁ ଓ ପରଲୋକର ଚାବି ମୋ’ ହାତରେ ଅଛି।

19 ତେଣୁ ତୁମେ ଯେଉଁ ସବୁ ବିଷୟ ଦେଖୁଛ - ଯେଉଁ ସମସ୍ତ ବିଷୟ ବର୍ତ୍ତମାନ ଘଟୁଛି ଓ ଯାହା ସବୁ ଭବିଷ୍ୟତରେ ଘଟିବ - ତାହା ଲିପିବଦ୍ଧ କର।

20 ମୋର ଡ଼ାହାଣ ହାତରେ ଥିବା ସପ୍ତ ନକ୍ଷତ୍ର ଓ ଏହି ସପ୍ତ ସୁବର୍ଣ୍ଣ ପ୍ରଦୀପର ରହସ୍ୟ ହେଉଛି, ନକ୍ଷତ୍ରମାନେ ସପ୍ତ ମଣ୍ଡଳୀର ଦେବଦୂତ ଏବଂ ପ୍ରଦୀପଗୁଡ଼ିକ ସପ୍ତ ମଣ୍ଡଳୀ।

Odia (CL) NT - ପବିତ୍ର ବାଇବଲ

© The Bible Society of India, 2018.

Used by permission. All rights reserved worldwide.

Bible Society of India
Lean sinn:



Sanasan