Biblia Todo Logo
Bìoball air-loidhne

- Sanasan -

ମାର୍କ 14 - ପବିତ୍ର ବାଇବଲ (CL) NT (BSI)


ଯୀଶୁଙ୍କ ବିରୁଦ୍ଧରେ ଚକ୍ରାନ୍ତ
( ମାଥିଉ ୨୬:୧-୫ ; ଲୂକ ୨୨:୧-୨ ; ଯୋହନ ୧୧:୪୫-୫୩ )

1 ନିସ୍ତାରପର୍ବ ଓ ଖମୀରଶୂନ୍ୟ ରୋଟୀ ପର୍ବର ଦୁଇଦିନ ଆଗରୁ ଯୀଶୁଙ୍କୁ ଗୋପନରେ ନେଇ ହତ୍ୟା କରିବା ପାଇଁ ମୁଖ୍ୟ ପୁରୋହିତ ଓ ଧର୍ମଗୁରୁମାନେ ଉପାୟ ଖୋଜିଲେ।

2 ସେମାନେ କହିଲେ, “ପର୍ବ ସମୟରେ ଏ କାର୍ଯ୍ୟ କରିବା ନାହିଁ, କାର ସେତେବେଳେ ଲୋକେ ଗଣ୍ଡଗୋଳ କରିପାରନ୍ତି।”


ଯୀଶୁ ବେଥାନୀରେ ଅଭିଷିକ୍ତ ହେଲେ
( ମାଥିଉ ୨୬:୬-୧୩ ; ଯୋହନ ୧୨:୧-୮ )

3 ଯୀଶୁ ବେଥାନୀରେ କୁଷ୍ଠୀ ଶିମୋନ ନାମକ ଜଣେ ଲୋକର ଘରେ ଅତିଥି ହୋଇଥିଲେ। ଯୀଶୁ ସେଠାରେ ଭୋଜନରେ ବସିଥିବା ବେଳେ ଜଣେ ସ୍ତ୍ରୀ ଲୋକ ବହୁମୂଲ୍ୟ ଜଟାମାଂସୀ ସୁଗନ୍ଧି ତୈଳପୂର୍ଣ୍ଣ ଗୋଟିଏ ଧଳା ପଥର ପାତ୍ର ନେଇ ଆସିଲା। ସେ ପାତ୍ରଟିକୁ ଭାଙ୍ଗି ଯୀଶୁଙ୍କ ମସ୍ତକ ଉପରେ ସବୁ ତୈଳ ଢ଼ାଳି ଦେଲା।

4 ସେଠାରେ ଥିବା କେତେକ ଲୋକ ତାହାର ଏହି କାର୍ଯ୍ୟ ଦେଖି ବିରକ୍ତ ହେଲେ ଏବଂ ପରସ୍ପର ଭିତରେ କୁହାକୁହି ହେଲେ, “ଏହି ସଗନ୍ଧି ତୈଳକୁ ଏପରି ଭାବରେ ନଷ୍ଟ କରିଦେବା ଉଚିତ୍ ହେଲା କି?

5 ତାକୁ ବିକ୍ରି କରିଦେଇଥିଲେ, ତିନି ଶହରୁ ଅଧିକ ରୌପ୍ୟ ମୁଦ୍ରା ମିଳି ଥାଆନ୍ତା ଏବଂ ସେହି ଟଙ୍କା ଗରିବମାନଙ୍କୁ ଦିଆଯାଇ ପାରିଥାଆନ୍ତା”। ସ୍ତ୍ରୀ ଲୋକଟିକୁ ସେମାନେ ବହୁ ସମାଲୋଚନା କଲେ।

6 କିନ୍ତୁ ଯୀଶୁ କହିଲେ, “ତାକୁ ଏତେ ହଇରାଣ କରୁଛ କାହିଁକି? ସେ ମୋ’ ପାଇଁ ଗୋଟିଏ ଅତି ସୁନ୍ଦର କାର୍ଯ୍ୟ କରିଛି।

7 ଗରିବ ଲୋକମାନଙ୍କୁ ତୁମେ ସବୁବେଳେ ପାଇବ। କିନ୍ତୁ ମୋତେ ସବୁବେଳେ ପାଇବ ନାହିଁ।

8 ତା’ର ସାମର୍ଥ୍ୟ ଅନୁସାରେ ସେ ଏହା ମୋ ପାଇଁ କରିଛି - ମୁଁ ସମାଧିସ୍ଥ ହେବା ପୂର୍ବରୁ ସେ ମୋ’ ଉପରେ ସୁଗନ୍ଧି ତୈଳ ଢ଼ାଳିଛି।

9 ମୁଁ କହୁଛି, ସାରା ଜଗତରେ ମୋର ସୁସମାଚାର ଯେଉଁଠାରେ ପ୍ରଚାର କରାଯିବ, ଏହି ସ୍ତ୍ରୀ ଲୋକ ଯାହା କରିଛି, ତାକୁ ସ୍ମରଣ କରିବା ପାଇଁ ଏ ସବୁ କୁହାଯାଉଥିବ।”


ଯୀଶୁଙ୍କ ପ୍ରତି ଯିହୁଦାର ବିଶ୍ୱାସଘାତକତା
( ମାଥିଉ ୨୬:୧୪-୧୬ ; ଲୂକ ୨୨:୩-୬ )

10 ଯୀଶୁଙ୍କ ଦ୍ୱାଦଶ ଶିଷ୍ୟ ମଧ୍ୟରୁ ଇଷ୍କରିୟୋଥ୍ ଯିହୁଦା ନାମକ ଜଣେ ଶିଷ୍ୟ ଯୀଶୁଙ୍କୁ ଧରାଇ ଦେବା ପାଇଁ ମୁଖ୍ୟ ପୁରୋହିତମାନଙ୍କ ନିକଟକୁ ଯାଇ ପ୍ରସ୍ତାବ କଲା।

11 ସେମାନେ ତା’ କଥାରେ ଖୁସି ହେଲେ ଏବଂ ତାକୁ ସେଥିପାଇଁ କିଛି ଟଙ୍କା ଦେବାକୁ ଚୁକ୍ତି କଲେ। ସେହି ସମୟରୁ ଯୀଶୁଙ୍କୁ ସେମାନଙ୍କ ହାତରେ ଧରାଇ ଦେବା ପାଇଁ ଯିହୁଦା ସୁଯୋଗ ଖୋଜିବାକୁ ଲାଗିଲା।


ଯୀଶୁଙ୍କର ଶିଷ୍ୟମାନଙ୍କ ସହିତ ନିସ୍ତାରଭୋଜ ପର୍ବ ପାଳନ
( ମାଥିଉ ୨୬:୧୭-୨୫ ; ଲୂକ ୨୨:୭-୧୪ , ୨୧-୨୩ ; ଯୋହନ ୧୩:୨୧-୩୦ )

12 ‘ଖମୀରଶୂନ୍ୟ ରୋଟୀ’ ପର୍ବର ପ୍ରଥମ ଦିବସରେ ଯେତେବେଳେ ‘ନିସ୍ତାର’ ପର୍ବର ଭୋଜନ ନିମନ୍ତେ ମେଣ୍ଢାଛୁଆ ବଳି ଦିଆଯାଏ, ଶିଷ୍ୟମାନେ ଯୀଶୁଙ୍କୁ ପଚାରିଲେ, “ଆମେ କେଉଁଠାରେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ?”

13 ଯୀଶୁ ଦୁଇ ଜଣ ଶିଷ୍ୟଙ୍କୁ ଏ କାର୍ଯ୍ୟ ପାଇଁ ପଠାଇ କହିଲେ, “ତୁମେ ସହର ଭିତରକୁ ଯାଅ। ସେଠାରେ ମାଠିଆରେ ପାଣି ନେଇ ଯାଉଥିବା ଜଣେ ଲୋକ ତୁମକୁ ଭେଟିବେ।

14 ତା’ ପଛେ ପଛେ ଯାଇ ସେ ଯେପରି ଗୃହରେ ପ୍ରବେଶ କରିବ, ସେହି ଘରର ମାଲିକକୁ କୁହ, ‘ଗୁରୁ, ପଚାରୁଛନ୍ତି, କେଉଁ କୋଠରୀରେ ସେ ତାଙ୍କ ଶିଷ୍ୟମାନଙ୍କ ସହିତ ନିସ୍ତାର ପର୍ବ ଭୋଜ ପାଳନ କରିବେ?’

15 ସେ ତୁମକୁ ଉପର ମହଲାରେ ଗୋଟଏ ସୁସଜ୍ଜିତ ପ୍ରଶସ୍ତ କୋଠରୀ ଦେଖାଇବେ। ସେଠାରେ ତୁମେ ଆମ ପାଇଁ ସମସ୍ତ ବିଷୟ ପ୍ରସ୍ତୁତ କରବ।”

16 ସେ ଦୁଇଜଣ ଶିଷ୍ୟ ସହରକୁ ଗଲେ ଏବଂ ଯୀଶୁ କହିବା ଅନୁଯାୟୀ ସବୁ କଥା ଦେଖିଲେ। ସେଠାରେ ସେମାନେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ।

17 ସନ୍ଧ୍ୟାବେଳେ ଯୀଶୁ ଶିଷ୍ୟମାନଙ୍କ ସହିତ ସେହି ଗୃହରେ ଉପସ୍ଥିତ ହେଲେ।

18 ଭୋଜନରେ ବସିବାବେଳେ ଯୀଶୁ କହିଲେ, “ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋ’ ପ୍ରତି ବିଶ୍ୱାସଘାତକତା କରିବ। ସେ ମୋ’ ସହିତ ଭୋଜନ କରୁଛି।”

19 ଶିଷ୍ୟମାନେ ଏ କଥାରେ ବ୍ୟଥିତ ହୋଇ ଜଣ ଜଣ ହୋଇ ପଚାରିଲେ, “ଆପଣ ନିଶ୍ଚୟ ମୋତେ ଲକ୍ଷ୍ୟ କରି ଏକଥା କହି ନାହାନ୍ତି!”

20 ଯୀଶୁ ଉତ୍ତର ଦେଲେ, “ତୁମ ବାର ଜଣ ଭିତରୁ ଜଣେ; ସେ ମୋ’ ସହିତ ଏକାପାତ୍ରରେ ରୋଟୀ ବୁଡ଼ାଇ ଖାଉଛି।

21 ଶାସ୍ତ୍ରରେ ଲେଖାଯାଇଥିବା ଅନୁଯାୟୀ ମନୁଷ୍ୟପୁତ୍ର ମୃତ୍ୟୁଭୋଗ କରିବେ। କିନ୍ତୁ ଯେଉଁ ଲୋକ ତାହାଙ୍କ ପ୍ରତି ବିଶ୍ୱାସଘାତକତା କରିବ, ତା’ର ଦଶା କେତେ ଭୟଙ୍କର ହେବ। ସେ ଜନ୍ମ ହୋଇ ନ ଥିଲେ ବରଂ ତା’ ପକ୍ଷେ ଭଲ ହୋଇ ଥାଆନ୍ତା।”


ପ୍ରଭୁଭୋଜ
( ମାଥିଉ ୨୬:୨୬-୩୦ ; ଲୂକ ୨୨:୧୪-୨୦ ; ୧ କରିନ୍ଥୀ ୧୧:୨୩-୨୫ )

22 ସେମାନେ ଭୋଜନ କରିବା ସମୟରେ ଯୀଶୁ ଖଣ୍ଡିଏ ରୋଟୀ ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଏବଂ ତାକୁ ଭାଙ୍ଗି ଶିଷ୍ୟମାନଙ୍କୁ ଦେଇ କହିଲେ, “ନିଅ, ଖାଅ - ଏହା ମୋର ଶରୀର।”

23 ତା’ପରେ ଦ୍ରାକ୍ଷାରସପୂର୍ଣ୍ଣ ପାତ୍ର ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଏବଂ ତାହା ଶିଷ୍ୟମାନଙ୍କୁ ଦେଲେ। ସୋମନେ ସେଥିରୁ ପାନ କଲେ।

24 ଯୀଶୁ କହିଲେ, “ଏହା ମୋର ରକ୍ତ, ମନୁଷ୍ୟର ପାପ କ୍ଷମା ପାଇଁ ମୁଁ ମୋର ଯେଉଁ ରକ୍ତ ଢ଼ାଳି ଦେବାକୁ ଯାଉଛି, ତାହା ଈଶ୍ୱରଙ୍କ ନୂତନ ବିଧାନକୁ ମୁଦ୍ରାଙ୍କିତ କରିବ।

25 ତୁମ୍ଭମାନଙ୍କୁ କହି ରଖୁଛି, ଈଶ୍ୱରଙ୍କ ରାଜ୍ୟରେ ନୂତନ ଦ୍ରାକ୍ଷାରସ ପାନ କରିବା ପର୍ଯ୍ୟନ୍ତ ମୁଁ ଆଉ କେବେ ଦ୍ରାକ୍ଷାରସ ପାନ କରିବି ନାହିଁ।”

26 ଏହାପରେ ଯୀଶୁ ଓ ତାଙ୍କ ଶିଷ୍ୟମାନେ ସ୍ତବ ଗାନ କରି ଜୀତ ପର୍ବତକୁ ଗଲେ।


ପିତରଙ୍କ ଅସ୍ୱୀକାର ସମ୍ପର୍କରେ ଯୀଶୁଙ୍କ ଭାବୀ ସୂଚନା
( ମାଥିଉ ୨୬:୩୧-୩୫ ; ଲୂକ ୨୨:୩୧-୩୪ ; ଯୋହନ ୧୩:୩୬-୩୮ )

27 ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ମୋତେ ଛାଡ଼ି ପଳାଇଯିବ। ଏ ବିଷୟରେ ଶାସ୍ତ୍ରରେ ଲେଖାଅଛି, ‘ମୁଁ ମେଷପାଳକକୁ ବଧ କରିବି ଓ ମେଷମାନେ ଛିନ୍ନଭିନ୍ନ ହୋଇଯିବେ।’

28 କିନ୍ତୁ ମୁଁ ପୁନରୁତ୍ଥିତ ହେବା ପରେ ତୁମ୍ଭମାନଙ୍କ ପୂର୍ବରୁ ଗାଲିଲୀକୁ ଯିବି।”

29 ପିତର କହିଲେ, “ଅନ୍ୟମାନେ ସମସ୍ତେ ଆପଣଙ୍କୁ ଛାଡ଼ି ଚାଲିଗଲେ ସୁଦ୍ଧା ମୁଁ କଦାପି ଯିବି ନାହିଁ।”

30 ଯୀଶୁ ପିତରଙ୍କୁ କହିଲେ, “ମୁଁ ତୁମକୁ କହୁଛି, ଆଜି ରାତିରେ କୁକୁଡ଼ା ଦୁଇଥର ଡ଼ାକିବା ପୂର୍ବରୁ ତୁମେ ମୋତେ ତିନି ଥର ଅସ୍ୱୀକାର କରିବ।”

31 ପିତର ଆହୁରି ଦୃଢ଼ ଭାବରେ କହିଲେ, “ଆପଣଙ୍କ ସହିତ ମରିବାକୁ ହେଲେ ସୁଦ୍ଧା ମୁଁ କଦାପି ଆପଣଙ୍କୁ ଅସ୍ୱୀକାର କରିବି ନାହିଁ।” ଅନ୍ୟ ଶିଷ୍ୟମାନେ ମଧ୍ୟ ସେହିପରି କହିଲେ।


ଗେଥସିମାନୀ ବଗିଚାରେ ଯୀଶୁଙ୍କ ପ୍ରାର୍ଥନା
( ମାଥିଉ ୨୬:୩୬-୪୬ ; ଲୂକ ୨୨:୩୯-୪୬ )

32 ତା’ପରେ ସେମାନେ ଗେଥସିମାନୀ ନାମକ ସ୍ଥାନକୁ ଆସିଲେ ଏବଂ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମେ ଏଇଠି ଟିକିଏ ବସ। ମୁଁ ପ୍ରାର୍ଥନା କରିବାକୁ ଯାଉଛି।”

33 ପିତର, ଯାକୁବ ଓ ଯୋହନଙ୍କୁ ସଙ୍ଗରେ ନେଇ ସେ ଆଗକୁ ଗଲେ। ସେ ଗଭୀର ଦୁଃଖ ଯନ୍ତ୍ରଣାରେ ବ୍ୟାକୁଳ ହେଲେ

34 ଏବଂ ଶିଷ୍ୟମାନଙ୍କୁ କହିଲେ, “ଦୁଃଖରେ ମୋ’ ହୃଦୟ ବିଦୀର୍ଣ୍ଣ ହେଉଛି, ତୁମେ ଏଠାରେ ଜାଗି ରହିଥାଅ।”

35 ଯୀଶୁ ଆଉ ଟିକିଏ ଆଗକୁ ଯାଇ ଭୂମିରେ ମୁହଁମାଡ଼ି ପଡ଼ିଲେ ଏବଂ ଯଦି ସମ୍ଭବ ହୁଏ, ଦୁଃଖଭୋଗ ଦେଇ ନ ଯିବା ପାଇଁ ପ୍ରାର୍ଥନା କରି କହିଲେ,

36 “ହେ ମୋର ପିତଃ! ତୁମ ପକ୍ଷରେ ସବୁ ସମ୍ଭବ। ଏହି ବ୍ୟଥାର ପାନପାତ୍ର ମୋ’ଠାରୁ ଦୂରେଇ ନିଅ। ତଥାପି ମୋର ନୁହେଁ, ତୁମର ଇଚ୍ଛା ସଫଳ ହେଉ।”

37 ତା’ପରେ ସେ ଫେରି ଦେଖିଲେ, ତିନିଜଣଯାକ ଶିଷ୍ୟ ଶୋଇ ପଡ଼ିଛନ୍ତି। ଯୀଶୁ ପିତରଙ୍କୁ କହିଲେ, “ଶିମୋନ, ଶୋଇ ପଡ଼ିଲ? ଘଣ୍ଟାକ ପାଇଁ ଜାଗି ରହି ପାରିଲ ନାହିଁ?”

38 ଯୀଶୁ ସେମାନଙ୍କୁ ପୁଣି ଥରେ କହିଲେ, “ଜାଗି ରୁହ ଏବଂ ପରୀକ୍ଷାରେ ଯେପରି ନ ପଡ଼, ସେଥିପାଇଁ ପ୍ରାର୍ଥନା କର। ଆତ୍ମା ଇଚ୍ଛୁକ, କିନ୍ତୁ ଶରୀର ଦୁର୍ବଳ।”

39 ସେ ସେଠାରୁ ଆଉ ଥରେ ଦୂରକୁ ଯାଇ ପୂର୍ବ ପରି ପ୍ରାର୍ଥନା କଲେ ଏବଂ

40 ପୁଣି ଥରେ ଫେରିଆସି ଦେଖିଲେ, ଶିଷ୍ୟମାନେ ନିଦ୍ରିତ - ସେମାନେ ଆଖି ପତା ଖୋଲି ପାରୁ ନ ଥିଲେ। ତାଙ୍କୁ ସେମାନେ କି ଉତ୍ତର ଦେବେ, ଜାଣି ପାରିଲେ ନାହିଁ।

41 ତୃତୀୟ ଥର ଯୀଶୁ ଫେରିଆସି ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ଏଯାଏ ଶୋଇ ବିଶ୍ରାମ କରୁଛ? ଯଥେଷ୍ଟ ହେଲାଣି। ଦେଖ! ମନୁଷ୍ୟପୁତ୍ର ଖଳ ଲୋକମାନଙ୍କ ହାତରେ ସମର୍ପିତ ହେବାର ସମୟ ଆସିଛି।

42 ଉଠ, ଯିବା, ଦେଖ, ମୋତେ ଧରାଇଦେବା ଲୋକ ଆସି ପହଞ୍ôଚଗଲାଣି।”


ଯୀଶୁ ଗିରଫ ହେଲେ
( ମାଥିଉ ୨୬:୪୭-୫୬ ; ଲୂକ ୨୨:୪୭-୫୩ ; ଯୋହନ ୧୮:୩-୧୨ )

43 ଯୀଶୁ ଏକଥା କହିବାବେଳେ ତାଙ୍କ ଦ୍ୱାଦଶ ଶିଷ୍ୟମାନଙ୍କ ମଧ୍ୟରୁ ଯିହୁଦା ନାମକ ଶିଷ୍ୟ ଆସି ପହଞ୍ଚିଲା। ତା’ ସହିତ ଖଣ୍ଡା, ଠେଙ୍ଗା, ବାଡ଼ି ଧରି ଅନେକ ଲୋକ ଆସିଥିଲେ। ମୁଖ୍ୟ ପୁରୋହିତ, ଧର୍ମଗୁରୁ ଓ ଧର୍ମନେତାମାନେ ସେମାନଙ୍କୁ ପଠାଇଥିଲେ।

44 ବିଶ୍ୱାସଘାତକ ଯିହୁଦା ଯୀଶୁଙ୍କୁ ଧରିବା ପାଇଁ ଆସିଥିବା ଲୋକମାନଙ୍କୁ ଗୋଟିଏ ସଙ୍କେତ ଦେବେ ବୋଲି ଠିକ୍ କରିଥିଲା। ସେମାନଙ୍କୁ କହିଥିଲା, “ଯାହାଙ୍କୁ ମୁଁ ଚୁମ୍ବନ ଦେବି, ସେ ହିଁ ତୁମ୍ଭମାନଙ୍କର ଖୋଜୁଥିବା ବ୍ୟକ୍ତି। ତାଙ୍କୁ ଗିରଫ କରି କଡ଼ା ପହରା ଦେଇ ନେଇଯିବ।”

45 ଯିହୁଦା ଆସି ପହଞ୍ଚିବାକ୍ଷଣି ଯୀଶୁଙ୍କ ନିକଟକୁ ଯାଇ ତାଙ୍କୁ “ଗୁରୁ” ବୋଲି ସମ୍ବୋଧନ କରି ଚୁମ୍ବନ ଦେଲା।

46 ତେଣୁ ସେମାନେ ଯୀଶୁଙ୍କୁ ଗିରଫ କରି ଦୃଢ଼ ଭାବରେ ଧରିଲେ।

47 କିନ୍ତୁ ନିକଟରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତି ତା’ର ଖଣ୍ଡା ବାହାର କରି ପ୍ରଧାନ ଯାଜକଙ୍କ ଦାସକୁ ଆଘାତ କରି ତା’ର କାନ କାଟି ପକାଇଲା।

48 ଯୀଶୁ ଲୋକମାନଙ୍କୁ କହିଲେ, “ମୁଁ କଅଣ ଗୋଟିଏ ପଳାତକ ଦସ୍ୟୁ ଓ ଠେଙ୍ଗା, ବାଡ଼ି ନେଇ ମୋତେ ଧରିବାକୁ ଆସିଛ?

49 ଦିନ ଦିନ ଧରି ମୁଁ ମନ୍ଦିରରେ ଶିକ୍ଷା ଦେଉଥିଲି; ସେତେବେଳେ ତ ମୋତେ ଗିରଫ କଲ ନାହିଁ। କିନ୍ତୁ ଶାସ୍ତ୍ରର ସବୁ କଥା ନିଶ୍ଚୟ ସଫଳ ହେବ।”

50 ଇତି ମଧ୍ୟରେ ଶିଷ୍ୟମାନେ ସମସ୍ତେ ତାଙ୍କୁ ଛାଡ଼ି ଚାଲିଗଲେ।

51 ଜଣେ ଯୁବକ ଖଣ୍ଡିଏ ଚାଦର ଘୋଡ଼ାଇ ହୋଇ ଯୀଶୁଙ୍କ ପଛେ ପଛେ ଚାଲୁଥିଲା। ସେମାନେ ତାକୁ ମଧ୍ୟ ଧରିବାକୁ ଯିବାବେଳେ,

52 ସେ ତା’ର ଲୁଗା ଫୋପାଡ଼ି ଦେଇ ଫୁଙ୍ଗୁଳା ଦେହରେ ଦୌଡ଼ି ପଳାଇଗଲା।


ମହାସଭାରେ ଯୀଶୁଙ୍କ ବିଚାର
( ମାଥିଉ ୨୬:୫୭-୬୮ ; ଲୂକ ୨୨:୫୪-୫୫ , ୬୩-୭୧ ; ଯୋହନ ୧୮:୧୩-୧୪ , ୧୯-୨୪ )

53 ତା’ପରେ ସେମାନେ ଯୀଶୁଙ୍କୁ ପ୍ରଧାନ ପୁରୋହିତଙ୍କ ଗୃହକୁ ନେଇଗଲେ। ସେଠାରେ ମୁଖ୍ୟ ପୁରୋହିତମାନେ, ଧର୍ମନେତା ଓ ଧର୍ମଗୁରୁମାନେ ଏକତ୍ର ହୋଇଥିଲେ।

54 ପିତର କିଛି ଦୂରରେ ଥାଇ ସେମାନଙ୍କ ପଛେ ପଛେ ଗଲେ ଓ ପ୍ରଧାନ ପୁରୋହିତଙ୍କ ଗୃହର ପ୍ରାଙ୍ଗଣରେ ପ୍ରବେଶ କଲେ। ସେଠାରେ ପ୍ରହରୀମାନଙ୍କ ସହିତ ନିଜକୁ ଉଷୁମ୍ କରିବା ପାଇଁ ନିଆଁ ପାଖରେ ବସିଲେ।

55 ମୁଖ୍ୟ ପୁରୋହିତ ଓ ମହାସଭାର ସଦସ୍ୟମାନେ ଯୀଶୁଙ୍କୁ ପ୍ରାଣଦଣ୍ଡ ଦେବା ପାଇଁ ତାଙ୍କ ବିରୁଦ୍ଧରେ ପ୍ରମାଣ ଖୋଜିବାକୁ ଲାଗିଲେ, କିନ୍ତୁ କିଛି ପାଇଲେ ନାହିଁ।

56 କେତେକ ଲୋକ ଯୀଶୁଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଲେ, କିନ୍ତୁ ସେମାନଙ୍କ ସାକ୍ଷ୍ୟ ପରସ୍ପର ସହିତ ମେଳ ଖାଇଲା ନାହିଁ।

57 ତା’ପରେ କେତେକ ଲୋକ ଠିଆ ହୋଇ ଯୀଶୁଙ୍କ ବିରୁଦ୍ଧରେ ଆଉ ଗୋଟିଏ ମିଛ କଥା କହିଲେ।

58 ସେମାନେ କହିଲେ, “ଆମେ ଶୁଣିଛୁ, ସେ କହୁଥିଲା, ‘ମନୁଷ୍ୟ ହସ୍ତନିର୍ମିତ ଏହି ମନ୍ଦିରକୁ ମୁଁ ଭୂମିସାତ୍ କରି, ତିନିଦିନ ଭିତରେ ମନୁଷ୍ୟ ତିଆରି କରି ନ ଥିବା ଆଉ ଗୋଟିଏ ମନ୍ଦିର ତୋଳି ଦେବି’।”

59 ଏମାନଙ୍କ କଥାଗୁଡ଼ାକ ମଧ୍ୟ ପରସ୍ପର ସହିତ ମେଳ ଖାଇଲା ନାହିଁ।

60 ପ୍ରଧାନ ପୁରୋହିତ ସମସ୍ତଙ୍କ ସମ୍ମୁଖରେ ଠିଆ ହୋଇ ଯୀଶୁଙ୍କୁ ପ୍ରଶ୍ନ କଲେ, “ତୁମ ବିରୁଦ୍ଧରେ ସେମାନେ ଆଣିଥିବା ଏହି ଅଭିଯୋଗ ବିରୁଦ୍ଧରେ ତୁମର କଅଣ କିଛି କହିବାର ନାହିଁ?”

61 କିନ୍ତୁ ଯୀଶୁ କିଛି ନ କହି ନୀରବ ରହିଲେ। ପ୍ରଧାନ ପୁରୋହିତ ପୁନର୍ବାର ତାଙ୍କୁ ପଚାରିଲେ, “ତୁମେ କଅଣ ମସୀହ - ମହାମହିମ ଈଶ୍ୱରଙ୍କ ପୁତ୍ର?”

62 ଯୀଶୁ ଉତ୍ତର ଦେଲେ, “ହଁ, ମୁଁ ସେହି। ତୁମ୍ଭେ ମନୁଷ୍ୟପୁତ୍ରଙ୍କୁ ସର୍ବଶକ୍ତିମାନଙ୍କ ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ ହୋଇଥିବା ଦେଖିବ ଓ ସେ ସ୍ୱର୍ଗରୁ ମେଘମାଳାରେ ଆସିବା ମଧ୍ୟ ଦେଖିବ।”

63 ପ୍ରଧାନ ପୁରୋହିତ ନିଜର ପୋଷାକ ଚିରି ପକାଇ କହିଲେ, “ଆଉ ଅନ୍ୟ ସାକ୍ଷୀର ପ୍ରୟୋଜନ ନାହିଁ,

64 ସେ ଈଶ୍ୱରନିନ୍ଦା କରିଛି, ତୁମ୍ଭେମାନେ ଶୁଣିଛ। ତୁମ୍ଭମାନଙ୍କର ନିଷ୍ପତ୍ତି କ’ଣ?” ସେମାନେ ତାଙ୍କ ବିରୁଦ୍ଧରେ ମତ ଦେଇ କହିଲେ ଯେ ସେ ଦୋଷୀ ଏବଂ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ୍।

65 କେତେକ ଯୀଶୁଙ୍କ ଉପରେ ଛେପ ପକାଇଲେ। ସେମାନେ ତାଙ୍କ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ତାଙ୍କୁ ପ୍ରହାର କରି ପଚାରିଲେ, “କିଏ ତୋତେ ମାରିଛି, କହ”। ପ୍ରହରୀମାନେ ତାଙ୍କୁ ଧରି ଚାପୁଡ଼ା ମାରିଲେ।


ପିତର ଯୀଶୁଙ୍କୁ ଅସ୍ୱୀକାର କଲେ
( ମାଥିଉ ୨୬:୬୯-୭୫ ; ଲୂକ ୨୨:୫୬-୬୨ ; ଯୋହନ ୧୮:୧୫-୧୮ , ୨୫-୨୭ )

66 ପିତର ପ୍ରଧାନ ପୁରୋହିତଙ୍କ ଗୃହ ପ୍ରାଙ୍ଗଣ ଭିତରେ ଥିବା ସମୟରେ ପ୍ରଧାନ ପୁରୋହିତଙ୍କର ଗୋଟିଏ ଦାସୀ ସେହି ବାଟ ଦେଇ ଗଲା

67 ଏବଂ ପିତର ନିଆଁ ପୋଇଁବା ଦେଖି ତାଙ୍କୁ ନିରୀକ୍ଷଣ କରି କହିଲା, “ତୁମେ ମଧ୍ୟ ନାଜରିତୀୟ ଯୀଶୁଙ୍କ ସଙ୍ଗରେ ଥିଲେ।”

68 ପିତର ନାସ୍ତି କରି କହିଲେ, “ମୁଁ ତାଙ୍କୁ ଜାଣେ ନାହିଁ। ତୁମେ କଅଣ କହୁଛ ମୁଁ ବୁଝି ପାରୁ ନାହିଁ।” ଏହା କହି ସେ ପ୍ରାଙ୍ଗଣର ରାସ୍ତାଆଡ଼କୁ ଚାଲିଗଲେ। ତତ୍କ୍ଷଣାତ୍ କୁକୁଡ଼ା ଡ଼ାକିଲା।

69 ସେହି ଦାସୀ ତାଙ୍କୁ ଆଉ ଥରେ ଦେଖି ସେଠାରେ ଠିଆ ହୋଇଥିବା ଲୋକମାନଙ୍କୁ କହିଲା, “ଏ ଲୋକ ସେମାନଙ୍କ ମଧ୍ୟରୁ ଜଣେ।”

70 ପିତର ପୁନର୍ବାର ନାସ୍ତି କଲେ। କିଛି ସମୟ ପରେ ସେଠାରେ ଠିଆ ହୋଇଥିବା ଲୋକମାନେ ପିତରଙ୍କୁ କହିଲେ, “ତୁମେ ତାଙ୍କ ଦଳର ବୋଲି ନାସ୍ତି କରି ପାରିବ ନାହିଁ। କାରଣ ତୁମେ ମଧ୍ୟ ଗାଲିଲୀର ଲୋକ।”

71 ପିତର ଉତ୍ତର ଦେଲେ, “ମୁଁ ରାଣ ପକାଇ କହୁଛି, ମୋ’ କଥା ସତ। ନୋହିଲେ ଈଶ୍ୱର ମୋତେ ଶାସ୍ତି ଦିଅନ୍ତୁ। ଯାହାଙ୍କ କଥା କହୁଛ, ତାଙ୍କୁ ମୁଁ ମୋଟେ ଜାଣେ ନାହିଁ।”

72 ସେହିକ୍ଷଣି ତୃତୀୟ ଥର କୁକୁଡ଼ା ଡ଼ାକିଲା ଏବଂ ପିତରଙ୍କ ମନେ ପଡ଼ିଲା; ଯୀଶୁ କହିଥିଲେ, “କୁକୁଡ଼ା ଦୁଇଥର ଡ଼ାକିବା ପୂର୍ବରୁ ତୁମେ ମୋତେ ତିନି ଥର ଅସ୍ୱୀକାର କରିବ।” ସେ ଦୁଃଖରେ ଭାଙ୍ଗିପଡ଼ି କାନ୍ଦିଲେ।

Odia (CL) NT - ପବିତ୍ର ବାଇବଲ

© The Bible Society of India, 2018.

Used by permission. All rights reserved worldwide.

Bible Society of India
Lean sinn:



Sanasan