Biblia Todo Logo
Bìoball air-loidhne

- Sanasan -

ଲୂକ ଲିଖିତ ସୁସମାଚାର 22 - ପବିତ୍ର ବାଇବଲ (CL) NT (BSI)


ଯୀଶୁଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର
( ମାଥିଉ ୨୬:୧-୫ ; ମାର୍କ ୧୪:୧-୨ ; ଯୋହନ ୧୧:୪୫-୫୩ )

1 ନିସ୍ତାର ପର୍ବ ବା ଖମୀର ଶୂନ୍ୟ ରୋଟୀ ପର୍ବର ସମୟ ସନ୍ନିକଟ ହୋଇ ଆସିଲା।

2 ମୁଖ୍ୟ ଯାଜକ ଓ ଧର୍ମଗୁରୁମାନେ ଲୋକମାନଙ୍କୁ ଭୟ କରୁଥିଲେ। ତେଣୁ ସେମାନେ ଗୁପ୍ତରେ ଯୀଶୁଙ୍କୁ ବଧ କରିବାର ଉପାୟ ଖୋଜୁଥିଲେ।


ଯିହୂଦାର ବିଶ୍ୱାସଘାତକତା
( ମାଥିଉ ୨୬:୧୪-୧୬ ; ମାର୍କ ୧୪:୧୦-୧୧ )

3 ଇତିମଧ୍ୟରେ ଯିହୂଦା ମନରେ ଶୟତାନ ପ୍ରବେଶ କଲା। ଯିହୂଦାର ଅନ୍ୟ ନାମ ଥିଲା ଇଷ୍କାରିୟୋଥ ଓ ସେ ବାର ଶିଷ୍ୟଙ୍କ ମଧ୍ୟରୁ ଜଣେ।

4 ସେ ମୁଖ୍ୟ ଯାଜକ ଓ ମନ୍ଦିର ମହାରକ୍ଷୀଙ୍କ ନିକଟକୁ ଯାଇ କିପରି ଯୀଶୁଙ୍କୁ ସେମାନଙ୍କ ହାତରେ ସମର୍ପଣ କରିବ, ଏ ବିଷୟରେ ମନ୍ତ୍ରଣା କଲା।

5 ସେମାନେ ଖୁସିହୋଇ ତାକୁ ଟଙ୍କା ଦେବାକୁ ଚୁକ୍ତି କଲେ।

6 ଯିହୂଦା ଏଥିରେ ରାଜି ହେଲା ଏବଂ ଲୋକଙ୍କ ଅଜ୍ଞତାରେ ଯୀଶୁଙ୍କୁ ସେମାନଙ୍କ ହାତରେ ଧରାଇ ଦେବାର ଗୋଟିଏ ଭଲ ସୁଯୋଗ ଖୋଜିବାକୁ ଲାଗିଲା।


ଯୀଶୁ ନିସ୍ତାର ପର୍ବ ପାଳନ କରିବାକୁ ପ୍ରସ୍ତୁତ ହେଲେ
( ମାଥିଉ ୨୬:୧୭-୨୫ ; ମାର୍କ ୧୪:୧୨-୨୧ ; ଯୋହନ ୧୩:୨୧-୩୦ )

7 ଖମୀର ଶୂନ୍ୟ ରୋଟୀ ପର୍ବ ସମୟରେ ନିସ୍ତାର ଭୋଜି ନିମନ୍ତେ ମେଷ ବଳି କରିବାର ଦିନ ଆସିଲା।

8 ଯୀଶୁ ପିତର ଓ ଯୋହନଙ୍କୁ ଏହି କଥା କହି ପଠାଇଲେ, “ଯାଅ ଆମ ଖାଇବା ପାଇଁ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର।”

9 ସେମାନେ ତାଙ୍କୁ ପଚାରିଲେ, “ଆମେ କେଉଁ ସ୍ଥାନରେ ଏହା ପ୍ରସ୍ତୁତ କରିବୁ ବୋଲି ଆପଣ ଚାହାଁନ୍ତି।”

10 ସେ ଉତ୍ତର ଦେଲେ, “ତୁମ୍ଭେ ନଗର ମଧ୍ୟକୁ ଯିବା ସମୟରେ ମାଟିପାତ୍ରରେ ପାଣି ବୋହି ନେଇ ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ। ସେ ଯେଉଁ ଘରେ ପ୍ରବେଶ କରିବ,

11 ତୁମେ ତା’ ପଛରେ ସେହି ଘରର ମାଲିକକୁ କୁହ: ‘ଗୁରୁ ଆପଣଙ୍କ ପାଖକୁ ଏହି ଖବର ପଠାଇଛନ୍ତି, ମୁଁ ଓ ମୋର ଶିଷ୍ୟମାନେ କେଉଁ କୋଠରୀରେ ନିସ୍ତାର ପର୍ବ ପାଳନ କରିବୁ?’

12 ସେ ତୁମକୁ ଉପର ମହଲାରେ ସଜ୍ଜିତ ଥିବା ଗୋଟିଏ ବଡ଼ କୋଠରୀ ଦେଖାଇବ। ସେଠାରେ ତୁମେ ସମସ୍ତ ବିଷୟ ପ୍ରସ୍ତୁତ ଥିବା ଦେଖିବ।”

13 ସେମାନେ ଯାଇ ଯୀଶୁ ସେମାନଙ୍କୁ କହିବା ଅନୁସାରେ ସମସ୍ତ ବିଷୟ ଦେଖିଲେ ଓ ସେଠାରେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ।


ପ୍ରଭୁଭୋଜ
( ମାଥିଉ ୨୬:୨୬-୩୦ ; ମାର୍କ ୧୪:୨୨-୨୬ ; ୧ କରିନ୍ଥୀ ୧୧:୨୩-୨୫ )

14 ଯେତେବେଳେ ନିର୍ଦ୍ଦିଷ୍ଟ ସମୟ ଆସିଲା, ଯୀଶୁ ତାଙ୍କର ପ୍ରେରିତ ଶିଷ୍ୟମାନଙ୍କ ସହିତ ମେଜ ନିକଟରେ ତାଙ୍କ ଆସନ ଗ୍ରହଣ କଲେ।

15 ସେ ସେମାନଙ୍କୁ କହିଲେ, “ମୋର ଦୁଃଖ ଭୋଗ ପୂର୍ବରୁ ମୁଁ ତୁମ୍ଭମାନଙ୍କ ସହିତ ଏହି ନିସ୍ତାର ପର୍ବର ଭୋଜ ଖାଇବାକୁ ବହୁତ ଇଚ୍ଛା କରିଥିଲି!

16 କାରଣ ମୁଁ ତୁମ୍ଭମାନଙ୍କୁ କହୁଛି, ଈଶ୍ୱରଙ୍କ ରାଜ୍ୟରେ ଏହାର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ ନ ହେବା ପର୍ଯ୍ୟନ୍ତ ମୁଁ ଆଉ ଏହା ଭୋଜନ କରିବି ନାହିଁ।”

17 ତା’ପରେ ଯୀଶୁ ପାନପାତ୍ର ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ କହିଲେ, “ଏହାକୁ ନେଇ ନିଜ ନିଜ ମଧ୍ୟରେ ବଣ୍ଟନ କର।

18 ମୁଁ ତୁମ୍ଭମାନଙ୍କୁ କହୁଛି, ଈଶ୍ୱରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ଆଉ ଏ ଦ୍ରାକ୍ଷାରସ ପାନ କରିବି ନାହିଁ।”

19 ତା’ପରେ ସେ ଖଣ୍ଡେ ରୋଟୀ ନେଇ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ: “ଏହା ମୋର ଶରୀର, ତୁମ୍ଭମାନଙ୍କ ନିମନ୍ତେ ପ୍ରଦତ୍ତ ହୋଇଛି। ମୋତେ ସ୍ମରଣ କରିବା ନିମନ୍ତେ ଏହା କର।”

20 ସେହିପରି ଭୋଜନ ପରେ ସେ ସେମାନଙ୍କୁ ପାନପାତ୍ର ଦେଇ କହିଲେ: “ଏହି ପାନପାତ୍ର ତୁମ୍ଭମାନଙ୍କ ନିମନ୍ତେ ପାତିତ ମୋର ରକ୍ତରେ ମୁଦ୍ରାଙ୍କିତ ଈଶ୍ୱରଙ୍କର ନୂତନ ନିୟମ।

21 “କିନ୍ତୁ ଦେଖ! ଯେ ମୋ’ ପ୍ରତି ବିଶ୍ୱାସଘାତକତା କରିବ, ସେ ଏହି ମେଜ ପାଖରେ ମୋ’ ସହିତ ଏଠାରେ ଅଛି!

22 ଈଶ୍ୱରଙ୍କ ସଙ୍କଳ୍ପ ଅନୁଯାୟୀ ମନୁଷ୍ୟପୁତ୍ର ମୃତ୍ୟୁ ଭୋଗ କରିବେ, କିନ୍ତୁ ଯେ ତାଙ୍କ ପ୍ରତି ବିଶ୍ୱାସଘାତକତା କରେ, ତା’ର ଶେଷ ଦଶା କି ଶୋଚନୀୟ ହେବ।”

23 ସେମାନଙ୍କ ମଧ୍ୟରୁ କିଏ ଏହା କରିବାକୁ ଯାଉଛି, ଏ ବିଷୟରେ ସେମାନେ ପରସ୍ପରକୁ ପଚାରିବାକୁ ଲାଗିଲେ।


ଶ୍ରେଷ୍ଠତ୍ୱ ବିଷୟରେ ବିତର୍କ

24 ସେମାନଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ବୋଲି ଶିଷ୍ୟମାନଙ୍କ ମଧ୍ୟରେ ବିତର୍କ ଆରମ୍ଭ ହେଲା।

25 ଯୀଶୁ ସେମାନଙ୍କୁ କହିଲେ, “ଅଣଯିହୂଦୀମାନଙ୍କ ରାଜାମାନଙ୍କ ଉପରେ ଆଧିପତ୍ୟ କରନ୍ତି ଓ କ୍ଷମତା ବଳରେ ସେମାନେ ‘ଦେଶ ହିତୈଷୀ’ ଆଖ୍ୟା ପାଆନ୍ତି।

26 କିନ୍ତୁ ତୁମ୍ଭମାନଙ୍କ ପ୍ରତି ଏହା ପ୍ରଯୁଜ୍ୟ ନୁହେଁ; ତୁମ୍ଭମାନଙ୍କ ମଧ୍ୟରେ ଯେ ଜ୍ୟେଷ୍ଠ, ସେ କନିଷ୍ଠ ପରି ଏବଂ ଯେ ନେତା, ସେ ସେବକ ପରି ହେଉ।

27 କିଏ ଶ୍ରେଷ୍ଠ? ଯେ ଭୋଜନ କରେ ନା ଯେ ପରିବେଷଣ କରେ? ଅବଶ୍ୟ ଯେ ଭୋଜନ କରେ। କିନ୍ତୁ ମୁଁ ତୁମ୍ଭମାନଙ୍କ ମଧ୍ୟରେ ପରିବେଷକ ତୁଲ୍ୟ ରହିଛି।

28 “ମୋର ସମସ୍ତ କ୍ଲେଶ ସମୟରେ ତୁମ୍ଭେମାନେ ମୋ’ ସହିତ ରହିଛ;

29 ତେଣୁ ମୋର ପିତା ଶାସନ କରିବା ପାଇଁ ମୋତେ ଯେପରି କ୍ଷମତା ଦେଇଛନ୍ତି, ମୁଁ ତୁମ୍ଭମାନଙ୍କୁ ସେହିପରି କ୍ଷମତା ଦେବି।

30 ମୋ’ ରାଜ୍ୟରେ ତୁମ୍ଭେମାନେ ମୋର ମେଜରେ ଭୋଜନ ପାନ କରିବ ଓ ତୁମ୍ଭେମାନେ ଇଶ୍ରାୟେଲର ବାର ଗୋଷ୍ଠୀ ଉପରେ ଶାସନ କରିବା ପାଇଁ ସିଂହାସନରେ ବସିବ।


ପିତରଙ୍କ ଅସ୍ୱୀକାରର ପୂର୍ବ ସୂଚନା
( ମାଥିଉ ୨୬:୩୧-୩୫ ; ମାର୍କ ୧୪:୨୭-୩୧ ; ଯୋହନ ୧୩:୩୬-୩୮ )

31 “ଶିମୋନ, ଶିମୋନ, ଶୁଣ - ଗହମକୁ ଚାଲୁଣିରେ ଚଳାଇବା ପରି ଶୟତାନ ତୁମ୍ଭମାନଙ୍କୁ ବିଚଳିତ କରିବା ପାଇଁ ଅନୁମତି ପାଇଛି।

32 କିନ୍ତୁ ଶିମୋନ, ତୁମର ବିଶ୍ୱାସ ହ୍ରାସ ନ ହେବା ପାଇଁ ମୁଁ ପ୍ରାର୍ଥନା କରୁଛି। ମୋ’ ପ୍ରତି ତୁମର ବିଶ୍ୱସ୍ତତା ଫେରି ଆସିଲେ, ତୁମେ ତୁମ ଭାଇମାନଙ୍କୁ ଶକ୍ତିଶାଳୀ କରି ପାରିବ।”

33 ପିତର ଉତ୍ତର ଦେଲେ, “ପ୍ରଭୁ, ମୁଁ ଆପଣଙ୍କ ସହିତ ବନ୍ଦୀଶାଳାକୁ ଯିବା ପାଇଁ ଓ ଆପଣଙ୍କ ସହିତ ମରିବା ପାଇଁ ପ୍ରସ୍ତୁତ।”

34 ଯୀଶୁ କହିଲେ, “ପିତର, ମୁଁ ତୁମକୁ କହୁଛି, ଆଜି ରାତିରେ କୁକୁଡ଼ା ଡ଼ାକିବା ପୂର୍ବରୁ ତୁମେ ତିନି ଥର ମୋତେ ଅସ୍ୱୀକାର କରିବ।”


ଥଳୀ, ମୁଣି ଓ ଖଣ୍ଡା

35 ତା’ପରେ ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ପଚାରିଲେ, “ମୁଁ ଯେତେବେଳେ ତୁମ୍ଭମାନଙ୍କୁ ସେ ସମୟରେ ଥଳୀ, ମୁଣି କିମ୍ବା ପାଦୁକା ବିନା ପଠାଇ ଥିଲି, ତୁମ୍ଭମାନଙ୍କର କିଛି ଅଭାବ ହୋଇଥିଲା କି?” ସେମାନେ ଉତ୍ତର ଦେଲେ, “ନା, କିଛି ହୋଇ ନାହିଁ।”

36 ଯୀଶୁ କହିଲେ, “କିନ୍ତୁ ବର୍ତ୍ତମାନ ଯାହାର ଗୋଟିଏ ଥଳୀ କିମ୍ବା ମୁଣି ଅଛି; ସେ ତାହା ନେଉ ଓ ଯାହାର ଖଣ୍ଡା ନାହିଁ, ସେ ତା’ର ପୋଷାକ ବିକ୍ରୀ କରି ଗୋଟିଏ ଖଣ୍ଡା କିଣୁ।

37 କାରଣ ମୁଁ ତୁମ୍ଭମାନଙ୍କୁ କହୁଛି, ‘ସେ ଅପରାଧୀମାନଙ୍କ ସହ ସମଦଶା ଭୋଗ କଲେ’ ଧର୍ମଶାସ୍ତ୍ରରେ ଲିଖିତ ଏହି ଉକ୍ତି ମୋ’ଠାରେ ସଫଳ ହେବ; କାରଣ ମୋ’ ସମ୍ପର୍କରେ ଲିଖିତ ସମସ୍ତ ବିଷୟ ସଫଳ ହେବାକୁ ଯାଉଛି।”

38 ଶିଷ୍ୟମାନେ କହିଲେ, “ପ୍ରଭୁ, ଦେଖନ୍ତୁ, ଏଠାରେ ଦୁଇଟି ଖଣ୍ଡା ଅଛି!” ସେ ଉତ୍ତର ଦେଲେ, “ତାହା ଯଥେଷ୍ଟ।”


ଜୀତ ପର୍ବତରେ ଯୀଶୁ ପ୍ରାର୍ଥନା କଲେ
( ମାଥିଉ ୨୬:୩୬-୪୬ ; ମାର୍କ ୧୪:୩୨-୪୨ )

39 ଯୀଶୁ ନଗର ଛାଡ଼ି ତାଙ୍କର ଅଭ୍ୟାସ ଅନୁସାରେ ପ୍ରାର୍ଥନା କରିବା ପାଇଁ ଜୀତ ପର୍ବତକୁ ଗଲେ ଓ ଶିଷ୍ୟମାନେ ମଧ୍ୟ ତାଙ୍କ ସହିତ ଗଲେ।

40 ସେ ସେହି ସ୍ଥାନରେ ପହଞ୍ଚି ସେମାନଙ୍କୁ କହିଲେ, “ତୁମ୍ଭେମାନେ ପରୀକ୍ଷାରେ ନ ପଡ଼ିବାକୁ ପ୍ରାର୍ଥନା କର।”

41 ତା’ପରେ ସେ ସେମାନଙ୍କଠାରୁ ଅଳ୍ପ ଦୂରକୁ ଗଲେ ଏବଂ ଆଣ୍ଠୋଇ ପ୍ରାର୍ଥନା କଲେ।

42 ସେ କହିଲେ, “ପିତା, ଯଦି ତୁମର ଇଚ୍ଛା ଥାଏ, ତେବେ ଏ ଦୁଃଖଦାୟକ ପାନପାତ୍ର ମୋ’ଠାରୁ ଦୂର କର। କିନ୍ତୁ ମୋର ଇଚ୍ଛା ନୁହେଁ, ମାତ୍ର ତୁମର ଇଚ୍ଛା ସଫଳ ହେଉ।”

43 ସ୍ୱର୍ଗରୁ ଜଣେ ଦୂତ ତାଙ୍କ ଆଗରେ ଉପସ୍ଥିତ ହେଲେ ଓ ତାଙ୍କୁ ଶକ୍ତି ପ୍ରଦାନ କଲେ।

44 ଯୀଶୁ ମର୍ମାନ୍ତିକ ଦୁଃଖରେ ଆକୁଳ ହୋଇ ପ୍ରାର୍ଥନା କଲେ; ତାଙ୍କର ସ୍ୱେଦ ବିନ୍ଦୁ ରକ୍ତ ଟୋପ ପରି ଭୂମିରେ ପଡ଼ିଲା।

45 ପ୍ରାର୍ଥନାରୁ ଉଠି ସେ ଶିଷ୍ୟମାନଙ୍କ ନିକଟକୁ ଫେରି ଆସି ସେମାନଙ୍କୁ ଦୁଃଖରେ ଶୋଇ ଥିବାର ଦେଖିଲେ।

46 ସେ ସେମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଶୋଇଛ? ତୁମ୍ଭେମାନେ ପରୀକ୍ଷାରେ ନ ପଡ଼ିବା ଲାଗି ଉଠି ପ୍ରାର୍ଥନା କର।”


ଯୀଶୁଙ୍କୁ ଗିରଫ କରାଗଲା
( ମାଥିଉ ୨୬:୪୭-୫୬ ; ମାର୍କ ୧୪:୪୩-୫୦ ; ଯୋହନ ୧୮:୩-୧୧ )

47 ଯୀଶୁ କଥା କହୁଥିବା ସମୟରେ ଦ୍ୱାଦଶ ଶିଷ୍ୟଙ୍କ ମଧ୍ୟରୁ ଯିହୂଦା ଦଳେ ଲୋକଙ୍କୁ ନେଇ ସେଠାରେ ଆସି ପହଞ୍ଚିଲା। ସେ ଯୀଶୁଙ୍କୁ ଚୁମ୍ବନ ଦେବାକୁ ଆଗେଇ ଆସିଲା।

48 କିନ୍ତୁ ଯୀଶୁ କହିଲେ, “ଯିହୂଦା, ଚୁମ୍ବନ ଦେଇ ତୁମେ କ’ଣ ମନୁଷ୍ୟପୁତ୍ରଙ୍କୁ ଶତ୍ରୁ ହସ୍ତରେ ଧରାଇ ଦେବାକୁ ଯାଉଛ?”

49 ଯାହା ଘଟିବାକୁ ଯାଉଛି, ତାହା ଦେଖି ଯୀଶୁଙ୍କ ସହିତ ଥିବା ଶିଷ୍ୟମାନେ ପଚାରିଲେ, “ପ୍ରଭୁ, ଆମେ କ’ଣ ଖଣ୍ଡା ବାହାର କରିବା?”

50 ଏହା କହି ସେମାନଙ୍କ ମଧ୍ୟରୁ ଜଣେ ପ୍ରଧାନ ଯାଜକଙ୍କ ଦାସର ଡ଼ାହାଣ କାନ କାଟି ପକାଇଲା।

51 କିନ୍ତୁ ଯୀଶୁ କହିଲେ, “ବନ୍ଦ କର!” ସେ ସଙ୍ଗେ ସଙ୍ଗେ ଲୋକଟିର କାନକୁ ଛୁଇଁ ତାକୁ ସୁସ୍ଥ କଲେ।

52 ତା’ପରେ ଯୀଶୁ ତାଙ୍କୁ ଧରିବା ପାଇଁ ଆସିଥିବା ମୁଖ୍ୟ ଯାଜକ, ମନ୍ଦିର ମହାରକ୍ଷୀ ଓ ଧର୍ମନେତାମାନଙ୍କୁ କହିଲେ, “ମୁଁ କ’ଣ ଜଣେ ଦସ୍ୟୁ ଯେ ତୁମେ ଖଣ୍ଡା ଓ ବାଡ଼ି ନେଇ ଆସିଛ?

53 ମୁଁ ପ୍ରତିଦିନ ତୁମ୍ଭମାନଙ୍କ ସହିତ ମନ୍ଦିରରେ ଥିଲି, କିନ୍ତୁ ତୁମ୍ଭେମାନେ ସେତେବେଳେ ମୋତେ ଧରିଲ ନାହିଁ, ଏହିକ୍ଷଣି ତୁମ୍ଭମାନଙ୍କର ସମୟ ଆସିଛି, କାରଣ ବର୍ତ୍ତମାନ ଅନ୍ଧକାରର ରାଜତ୍ୱ।”


ପିତର ଯୀଶୁଙ୍କୁ ଅସ୍ୱୀକାର କଲେ
( ମାଥିଉ ୨୬:୫୭-୫୮ , ୬୯-୭୫ ; ମାର୍କ ୧୪:୫୩-୫୪ , ୬୬-୭୨ ; ଯୋହନ ୧୮:୧୨-୧୮ , ୨୫-୨୭ )

54 ସେମାନେ ଯୀଶୁଙ୍କୁ ଗିରଫ କରି ତାଙ୍କୁ ପ୍ରଧାନ ଯାଜକଙ୍କ ଘରକୁ ନେଇଗଲେ; ପିତର କିଛି ଦୂରରେ ଥାଇ ତାଙ୍କ ପଛେ ପଛେ ଗଲେ।

55 ପ୍ରାଙ୍ଗଣ ମଝିରେ ନିଆଁ ଜାଳି ତା’ ଚାରିପଟେ ବସିଥିବା ଲୋକମାନଙ୍କ ସହିତ ପିତର ଯୋଗ ଦେଲେ।

56 ଜଣେ ଦାସୀ ତାଙ୍କୁ ନିଆଁ ପାଖରେ ବସି ଥିବାର ଦେଖି, ତାଙ୍କୁ ଅନାଇ କହିଲା, “ଏହି ଲୋକଟି ମଧ୍ୟ ଯୀଶୁଙ୍କ ସହିତ ଥିଲେ!”

57 କିନ୍ତୁ ପିତର ଅସ୍ୱୀକାର କରି କହିଲେ, “ନା, ମୁଁ ତାଙ୍କୁ ଆଦୌ ଜାଣେ ନାହିଁ!”

58 କିଛି ସମୟ ପରେ ଜଣେ ଲୋକ ପିତରଙ୍କୁ ଦେଖି କହିଲା, “ତୁମେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ!” କିନ୍ତୁ ପିତର ଉତ୍ତର ଦେଲେ, “ନା, ମୁଁ ନୁହେଁ।”

59 ପ୍ରାୟ ଏକ ଘଣ୍ଟା ପରେ ଆଉ ଜଣେ ଲୋକ ଜୋର୍ ଦେଇ କହିଲା, “ଏହି ଲୋକ ଯେ ଯୀଶୁଙ୍କ ସହିତ ଥିଲା, ଏଥିରେ କୌଣସି ସନ୍ଦେହ ନାହିଁ, କାରଣ ସେ ମଧ୍ୟ ଜଣେ ଗାଲିଲୀୟ ଲୋକ!”

60 କିନ୍ତୁ ପିତର ଉତ୍ତର ଦେଲେ, “ତୁମ୍ଭେ କ’ଣ କହୁଛ, ମୁଁ କିଛି ବୁଝିପାରୁ ନାହିଁ।” ଠିକ୍ ସେତିକିବେଳେ କୁକୁଡ଼ା ଡ଼ାକିଲା।

61 ପ୍ରଭୁ ବୁଲି ପଡ଼ି ଏକ ଦୃଷ୍ଟିରେ ପିତରଙ୍କୁ ଅନାଇଲେ ଏବଂ ପ୍ରଭୁ ତାଙ୍କୁ ଯାହା କହିଥିଲେ, ତାହା ତାଙ୍କର ମନେ ପଡ଼ିଲା - “ଆଜି ରାତିରେ କୁକୁଡ଼ା ଡ଼ାକିବା ପୂର୍ବରୁ ତୁମେ ମୋତେ ତିନିଥର ଅସ୍ୱୀକାର କରିବ।”

62 ପିତର ବାହାରକୁ ଯାଇ ବ୍ୟାକୁଳ ଭାବରେ କାନ୍ଦିଲେ।


ଯୀଶୁ ଉପହାସ ଓ ମାଡ଼ ସହିଲେ
( ମାଥିଉ ୨୬:୬୭-୬୮ ; ମାର୍କ ୧୪:୬୫ )

63 ପ୍ରହରୀମାନେ ଯୀଶୁଙ୍କୁ ଥଟ୍ଟା ପରିହାସ କରି ମାଡ଼ ମାରିଲେ।

64 ସେମାନେ ତାଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ତାଙ୍କୁ ପଚାରିଲେ, “ତୋତେ କିଏ ମାରିଲା? ଅନୁମାନ କର!”

65 ସେମାନେ ତାଙ୍କୁ ଏହିପରି ଅନେକ ଅପମାନ ଦେଲେ।


ଯୀଶୁଙ୍କୁ ମହାସଭା ସମ୍ମୁଖକୁ ଅଣାଗଲା
( ମାଥିଉ ୨୬:୫୯-୬୬ ; ମାର୍କ ୧୪:୫୫-୬୪ ; ଯୋହନ ୧୮:୧୯-୨୪ )

66 ସକାଳ ହେବା ପରେ ଧର୍ମନେତା, ମୁଖ୍ୟ ଯାଜକ ଓ ଧର୍ମଗୁରୁମାନେ ଏକତ୍ର ହେଲେ ଏବଂ ଯୀଶୁଙ୍କୁ ମହାସଭା ସମ୍ମୁଖକୁ ନିଆଗଲା।

67 ସେମାନେ କହିଲେ, “ଆମକୁ କୁହ, ତୁମେ କ’ଣ ମସୀହ?” ସେ ଉତ୍ତର ଦେଲେ, “ମୁଁ ଯଦି ତୁମ୍ଭମାନଙ୍କୁ କହେ, ତୁମେ ମୋ’ କଥା ବିଶ୍ୱାସ କରିବ ନାହିଁ;

68 ଆଉ ମୁଁ ଯଦି ତୁମକୁ ଗୋଟିଏ ପ୍ରଶ୍ନ ପଚାରେ, ତୁମ୍ଭେମାନେ ଉତ୍ତର ଦେବ ନାହିଁ।

69 କିନ୍ତୁ ବର୍ତ୍ତମାନଠାରୁ ମନୁଷ୍ୟପୁତ୍ର ସର୍ବଶକ୍ତିମାନ୍ ଈଶ୍ୱରଙ୍କର ଦକ୍ଷିଣ ପାଶ୍ୱର୍ରେ ଉପବିଷ୍ଟ ହେବେ।”

70 ସେମାନେ ସମସ୍ତେ କହିଲେ, “ତୁମେ ତେବେ କ’ଣ ଈଶ୍ୱରଙ୍କ ପୁତ୍ର?” ସେ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ସେହି ବୋଲି ତୁମ୍ଭେମାନେ ତ କହୁଛ।”

71 ସେମାନେ କହିଲେ, “ଆମର ଆଉ କୌଣସି ସାକ୍ଷୀର ପ୍ରୟୋଜନ ନାହିଁ। ସେ ଯାହା କହିଛି, ଆମେ ନିଜେ ତାହା ଶୁଣିଛୁ!”

Odia (CL) NT - ପବିତ୍ର ବାଇବଲ

© The Bible Society of India, 2018.

Used by permission. All rights reserved worldwide.

Bible Society of India
Lean sinn:



Sanasan