Biblia Todo Logo
Bìoball air-loidhne

- Sanasan -

ଲୂକ ଲିଖିତ ସୁସମାଚାର 17 - ପବିତ୍ର ବାଇବଲ (CL) NT (BSI)


ପାପ
( ମାଥିଉ ୧୮:୬-୭ , ୨୧-୨୨ ; ମାର୍କ ୯:୪୨ )

1 ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ କହିଲେ, “ଯେଉଁସବୁ ପରୀକ୍ଷା ଦ୍ୱାରା ମନୁଷ୍ୟ ପାପରେ ପଡ଼େ, ସେସବୁ ନିଶ୍ଚୟ ଆସିବ; କିନ୍ତୁ ଯେ ଏ ସବୁର କାରଣ ହୁଏ, ତାହାର ଶେଷ ଦଶା କେଡ଼େ ଭୟଙ୍କର।

2 ଏହି ନିରୀହମାନଙ୍କୁ ପାପରେ ପକାଇବା ଅପେକ୍ଷା ତା’ ବେକରେ ଚକି ବନ୍ଧା ଯାଇ ତାକୁ ସମୁଦ୍ରରେ ପକାଇ ଦେବା ବରଂ ତା’ ପାଇଁ ଶ୍ରେୟସ୍କର ହେବ।

3 ତେଣୁ ତୁମ୍ଭେମାନେ ଯାହା କର, ସେ ବିଷୟରେ ସତର୍କ ହୁଅ। “ଯଦି ତୁମର ଭାଇ ପାପ କରେ, ତାକୁ ଅନୁଯୋଗ କର ଏବଂ ସେ ଯଦି ଅନୁତାପ କରେ, ତାକୁ କ୍ଷମା ଦିଅ।

4 ଯଦି ସେ ଦିନ ମଧ୍ୟରେ ତୁମ ବିରୁଦ୍ଧରେ ସାତଥର ପାପ କରେ ଓ ପ୍ରତ୍ୟେକ ଥର ଆସି ତୁମକୁ କହେ, ‘ମୁଁ ଅନୁତାପ କରୁଛି’, ତେବେ ସୁଦ୍ଧା ତୁମେ ତାକୁ କ୍ଷମା ଦେବା ବିଧେୟ।”


ବିଶ୍ୱାସ

5 ପ୍ରେରିତ ଶିଷ୍ୟମାନେ ପ୍ରଭୁଙ୍କୁ କହିଲେ, “ଆମ୍ଭମାନଙ୍କର ବିଶ୍ୱାସ ବଢ଼ାଇ ଦିଅନ୍ତୁ।”

6 ପ୍ରଭୁ ଉତ୍ତର ଦେଲେ, “ଯଦି ତୁମ୍ଭମାନଙ୍କ ବିଶ୍ୱାସ ଗୋଟିଏ ସୋରିଷ ମଞ୍ଜି ପରିମାଣରେ ଥାଏ ଏବଂ ତୁମ୍ଭେମାନେ ଏହି ତୁତ୍କୋଳି ଗଛକୁ କୁହ, ‘ମୂଳ ସହିତ ଉପୁଡ଼ି ଯାଇ ସମୁଦ୍ରରେ ପୋତି ହୋଇଯା!’ ତେବେ ସେ ତାହା କରିବ।”


ଦାସର କର୍ତ୍ତବ୍ୟ

7 “ମନେକର, ତୁମ ମଧ୍ୟରୁ ଜଣକର ଦାସ ହଳ କରୁଛି କିମ୍ବା ମେଣ୍ଢା ଜଗୁଛି। ଯେତେବେଳେ ସେ କ୍ଷେତରୁ ଫେରି ଆସେ, ତୁମେ ତାକୁ ସଙ୍ଗେ ସଙ୍ଗେ ଖାଇ ବସିବାକୁ କହିଥାଅ କି?

8 ଅବଶ୍ୟ ନୁହେଁ! ବରଂ ତୁମେ ତାକୁ କହିଥାଅ, ‘ମୋର ଭୋଜନ ପ୍ରସ୍ତୁତ କର; ମୋର ଖାଇବା ସମୟରେ ଅଣ୍ଟା ବାନ୍ଧି ମୋ’ କଥା ବୁଝ। ତା’ପରେ ତୁ ଖାଇବୁ।’

9 ତୁମର ଆଦେଶ ପାଳନ କରିବାରୁ ଚାକର ଧନ୍ୟବାଦ ସୁଦ୍ଧା ପାଏ ନାହିଁ।

10 ତୁମ୍ଭମାନଙ୍କ ପ୍ରତି ମଧ୍ୟ ଏହା ପ୍ରଯୁଜ୍ୟ। ତୁମ୍ଭେମାନେ ଆଦେଶ ପାଳନ କରିବା ପରେ ଏହି କଥା କହିବା ଉଚିତ, ‘ଆମେ କେବଳ ଦାସ; ଆମେ ଆମର କର୍ତ୍ତବ୍ୟ ପାଳନ କରିଛୁ ମାତ୍ର’।”


ଯୀଶୁ ଦଶ ଜଣ କୁଷ୍ଠ ରୋଗୀକୁ ସୁସ୍ଥ କଲେ

11 ଯୀଶୁ ଯିରୁଶାଲମ ଯିବା ବାଟରେ ଶମିରୋଣ ଓ ଗାଲିଲୀର ସୀମା ମଧ୍ୟ ଦେଇ ଗଲେ।

12 ସେ ଗୋଟିଏ ଗ୍ରାମକୁ ଯିବା ସମୟରେ ଦଶ ଜଣ କୁଷ୍ଠ ରୋଗୀ ଭେଟିଲେ। ସେମାନେ ଅଳ୍ପ ଦୂରରେ ଠିଆ ହୋଇ ଚିକ୍ରାର କଲେ,

13 “ଯୀଶୁ! ହେ ଗୁରୁ! ଆମକୁ ଦୟା କରନ୍ତୁ।”

14 ଯୀଶୁ ସେମାନଙ୍କୁ ଦେଖି କହିଲେ, “ଯାଅ, ତୁମର ଯାଜକ ତୁମମାନଙ୍କୁ ପରୀକ୍ଷା କରି ଦେଖନ୍ତୁ।” ବାଟରେ ଯାଉଁ ଯାଉଁ ସେମାନେ ସୁସ୍ଥ ହେଲେ।

15 ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ସୁସ୍ଥ ହେବାର ଦେଖି ଉଚ୍ଚ ସ୍ୱରରେ ଈଶ୍ୱରଙ୍କ ପ୍ରଶଂସା କରି କରି ଫେରି ଆସିଲା।

16 ସେ ଯୀଶୁଙ୍କ ପାଦ ତଳେ ଭୂଇଁରେ ପଡ଼ି ତାଙ୍କୁ ଧନ୍ୟବାଦ ଦେଲା। ସେ ଜଣେ ଶମିରୋଣୀୟ ଲୋକ ଥିଲା।

17 ଯୀଶୁ କହିଲେ, “ଦଶ ଜଣ ସୁସ୍ଥ ହେଲେ; ଆଉ ନଅ ଜଣ କାହାନ୍ତି?

18 କାହିଁକି କେବଳ ଏହି ବିଦେଶୀୟ ଲୋକଟି ଈଶ୍ୱରଙ୍କୁ ଧନ୍ୟବାଦ ଦେବା ପାଇଁ ଫେରି ଆସିଲା?”

19 ପୁଣି ଯୀଶୁ ତାକୁ କହିଲେ, “ଉଠ୍ - ଯା, ତୋର ବିଶ୍ୱାସ ତୋତେ ସୁସ୍ଥ କରିଛି।”


ଈଶ୍ୱରଙ୍କ ରାଜ୍ୟର ଆଗମନ
( ମାଥିଉ ୨୪:୨୩-୨୮ , ୩୭-୪୧ )

20 କେତେକ ଫାରୁଶୀ ଈଶ୍ୱରଙ୍କ ରାଜ୍ୟ କେବେ ଆସିବ ବୋଲି ଯୀଶୁଙ୍କୁ ପଚାରିଲେ। ସେ ଉତ୍ତର ଦେଲେ, “ଦୃଶ୍ୟମାନଭାବେ ଈଶ୍ୱରଙ୍କ ରାଜ୍ୟ ଆସେ ନାହିଁ।

21 କେହି କହି ପାରିବେ ନାହିଁ, ‘ଦେଖ, ତାହା ଏଠାରେ ଅଛି, ଅବା ‘ସେଠାରେ ଅଛି।’ ଈଶ୍ୱରଙ୍କ ରାଜ୍ୟର ପ୍ରତିଷ୍ଠା ତୁମ ହୃଦୟରେ ହୁଏ।”

22 ତା’ପରେ ସେ ଶିଷ୍ୟମାନଙ୍କୁ କହିଲେ, “ସମୟ ଆସିବ, ଯେତେବେଳେ ତୁମେ ମନୁଷ୍ୟପୁତ୍ରଙ୍କ ସମୟର ଅନ୍ତତଃ ଗୋଟିଏ ଦିନ ଦେଖିବାକୁ ଇଚ୍ଛା କରିବ, କିନ୍ତୁ ଦେଖି ପାରିବ ନାହିଁ।

23 ଲୋକେ ତୁମ୍ଭମାନଙ୍କୁ କହିବେ, ‘ସେଠାରେ ଦେଖ’ ଅବା ‘ଏଠାରେ ଦେଖ।’ କିନ୍ତୁ ଏହା ଖୋଜିବା ପାଇଁ ବାହାରକୁ ଯାଅ ନାହିଁ।

24 ବିଜୁଳି ଯେପରି ଆକାଶରେ ତା’ର ଝଲକ ଦେଖାଏ ଓ ଆକାଶର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଆଲୋକ ଖେଳାଇ ଦିଏ, ମନୁଷ୍ୟପୁତ୍ର ସେହି ଦିନ ସେହିପରି ଦେଖାଦେବେ।

25 କିନ୍ତୁ ପ୍ରଥମେ ସେ ବହୁତ ଦୁଃଖ ଭୋଗ କରିବେ ଓ ଏହି ଯୁଗର ଲୋକମାନେ ତାଙ୍କୁ ଅଗ୍ରାହ୍ୟ କରିବେ।

26 ନୋହଙ୍କ ସମୟରେ ଯେପରି ଘଟିଥିଲା, ମନୁଷ୍ୟପୁତ୍ରଙ୍କ ଆଗମନ ଦିନରେ ସେପରି ଘଟିବ।

27 ନୋହ ଜାହାଜରେ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଭୋଜନ, ପାନ ଓ ବିବାହ କରିବାରେ ଏବଂ ବିବାହ ଦେବାରେ ଲାଗି ଥିଲେ। ଅନନ୍ତର ଜଳ ପ୍ଲାବନ ହେଲା ଓ ସମସ୍ତେ ବିନଷ୍ଟ ହେଲେ।

28 ଲୋଟଙ୍କ ସମୟରେ ଯେପରି ଘଟିଥିଲା, ସେପରି ଘଟିବ। ସେତେବେଳେ ଲୋକେ ଭୋଜନ ପାନ, କିଣାବିକା, ବୃକ୍ଷ ରୋପଣ ଓ ଗୃହ ନିର୍ମାଣ କାର୍ଯ୍ୟରେ ବ୍ୟସ୍ତ ଥିଲେ।

29 ଯେଉଁ ଦିନ ଲୋଟ ସଦୋମ ପରିତ୍ୟାଗ କଲେ, ଆକାଶରୁ ଅଗ୍ନି ଓ ଗନ୍ଧକ ବୃଷ୍ଟି ହୋଇ ସମସ୍ତଙ୍କୁ ବିନାଶ କଲା।

30 ମନୁଷ୍ୟପୁତ୍ର ପ୍ରକାଶିତ ହେବା ଦିନ ସେପରି ଘଟିବ।

31 “ସେଦିନ ଯେଉଁ ଲୋକ ଛାତ ଉପରେ ଥିବ, ସେ ଘରୁ ତା’ର ଜିନିଷପତ୍ର ଆଣିବା ପାଇଁ ତଳକୁ ଓହ୍ଲାଇ ନ ଯାଉ। ସେହିପରି ଯେଉଁ ଲୋକ କ୍ଷେତରେ ଥାଏ, ସେ ଘରକୁ ଫେରି ନ ଆସୁ।

32 ଲୋଟଙ୍କ ସ୍ତ୍ରୀ କଥା ଭାବି ଦେଖ!

33 ଯେ କେହି ନିଜର ଜୀବନ ରକ୍ଷା କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ; ଯେ ନିଜର ଜୀବନ ଉତ୍ସର୍ଗ କରିଦିଏ, ସେ ତାହା ସୁରକ୍ଷା କରିବ।

34 ମୁଁ କହୁଛି, ସେହି ରାତ୍ରିରେ ଗୋଟିଏ ଶଯ୍ୟାରେ ଦୁଇ ଜଣ ଶୋଇଥିବେ; ଜଣକୁ ଗ୍ରହଣ କରି ନିଆଯିବ ଓ ଅନ୍ୟ ଜଣକ ପରିତ୍ୟକ୍ତ ହେବ।

35 ଦୁଇ ଜଣ ସ୍ତ୍ରୀ ଲୋକ ଚକି ପେଷୁଥିବେ; ଜଣକୁ ଗ୍ରହଣ କରି ନିଆଯିବ, ଆଉ ଅନ୍ୟ ଜଣକ ପରିତ୍ୟକ୍ତ ହେବ।

36 ଦୁଇ ଜଣ କ୍ଷେତରେ ଥିବାବେଳେ ଜଣକୁ ଗ୍ରହଣ କରାଯିବ ଓ ଅନ୍ୟ ଜଣକୁ ପରିତ୍ୟାଗ କରାଯିବ।”

37 ଶିଷ୍ୟମାନେ ତାଙ୍କୁ ପଚାରିଲେ, “ପ୍ରଭୁ କେଉଁଠାରେ?” ଯୀଶୁ ଉତ୍ତର ଦେଲେ, “ଶବ ପଡ଼ିଥିବା ସ୍ଥାନରେ ହଠାତ୍ ଶାଗୁଣାମାନେ ଆସି ଜମାହୋଇ ଯା’ନ୍ତି।”

Odia (CL) NT - ପବିତ୍ର ବାଇବଲ

© The Bible Society of India, 2018.

Used by permission. All rights reserved worldwide.

Bible Society of India
Lean sinn:



Sanasan