Biblia Todo Logo
Bìoball air-loidhne

- Sanasan -

ଯୋହନ 9 - ପବିତ୍ର ବାଇବଲ (CL) NT (BSI)


ଯୀଶୁ ଜଣେ ଜନ୍ମାନ୍ଧକୁ ଦୃଷ୍ଟି ଦେଲେ

1 ଦିନେ ଯୀଶୁ ବାଟରେ ଯାଉଥିବା ବେଳେ ଗୋଟିଏ ଜନ୍ମାନ୍ଧକୁ ଭେଟିଲେ।

2 ଶିଷ୍ୟମାନେ ପଚାରିଲେ, “ଗୁରୁ, କାହାର ପାପ ଲାଗି ଏ ଲୋକଟି ଅନ୍ଧ ହୋଇ ଜନ୍ମ ହୋଇଛି- ତା’ ନିଜର ନା ତା’ ପିତାମାତାଙ୍କ ପାପ ଲାଗି?”

3 ଯୀଶୁ ଉତ୍ତର ଦେଲେ - “ତା’ର କିମ୍ବା ତା’ ପିତାମାତାଙ୍କର ପାପ- କୌଣସିଟି ଏହାର କାରଣ ନୁହେଁ। ଈଶ୍ୱରଙ୍କ ଶକ୍ତି ତା’ଠାରେ ପ୍ରକାଶ ପାଇବ ବୋଲି ସେ ଆଜି ଅନ୍ଧ।

4 ଦିବସର ଆଲୋକ ଥାଉଁ ଥାଉଁ, ମୋର ପ୍ରେରଣକର୍ତ୍ତାଙ୍କ କାର୍ଯ୍ୟ ଆମକୁ କରି ଯିବାକୁ ହେବ। ରାତ୍ରି ଆସୁଛି, ଯେତେବେଳେ କେହି କାର୍ଯ୍ୟ କରିପାରିବେ ନାହିଁ।

5 ଏ ଜଗତରେ ଥିବାଯାଏ ମୁଁ ଜଗତର ଆଲୋକ।”

6 ଏହା କହି ଯୀଶୁ ମାଟିରେ ଛେପ ପକାଇ କିଛି କାଦୁଅ କଲେ; ସେଥିରୁ ଟିକିଏ ନେଇ ଲୋକଟିର ଆଖି ଉପରେ ଲେପନ କରି କହିଲେ,

7 “ଶିଲୋହ ପୁଷ୍କରିଣୀରେ ମୁହଁ ଧୋଇ ଆସ।” (‘ଶିଲୋହ’ ଶବ୍ଦର ଅର୍ଥ ‘ପ୍ରେରିତ’।) ଲୋକଟି ଯାଇ ମୁହଁ ଧୋଇ ଫେରିବାବେଳେ ଦୃଷ୍ଟି ଶକ୍ତି ପାଇଲା।

8 ତା’ର ପଡ଼ୋଶୀମାନେ ଓ ଯେଉଁମାନେ ତାକୁ ଆଗରୁ ଭିକ୍ଷା କରିବା ଦେଖିଥିଲେ, ସେମାନେ ପଚାରିଲେ, “ଏ ଲୋକଟି କ’ଣ ରାସ୍ତାକଡ଼ରେ ବସି ଭିକ୍ଷା ମାଗୁ ନ ଥିଲା?”

9 କେତେକ କହିଲେ, “ହଁ, ଏ ତ ସେହି।” ଅନ୍ୟମାନେ କହିଲେ, “ନା, ସେ ନୁହେଁ, କିନ୍ତୁ ଠିକ୍ ତା’ ପରି ଦେଖାଯାଉଛି।” କିନ୍ତୁ ଲୋକଟି କହିଲା, “ମୁଁ ସେହି।”

10 ଲୋକମାନେ ତାକୁ ପଚାରିଲେ, “ତା’ ହେଲେ, ତୁ ଏବେ ଦେଖିପାରୁଛୁ କିପରି?”

11 ସେ ଉତ୍ତର ଦେଲା, “ଯୀଶୁ ବୋଲି ଜଣେ ଲୋକ ମାଟିରେ ଟିକିଏ କାଦୁଅ ଚକଟି ମୋ’ ଆଖିରେ ଲଗାଇଲେ ଓ ଶିଲୋହରେ ମୁହଁ ଧୋଇ ଆସିବାକୁ କହିଲେ। ସେମିତି ଯାଇ ମୁହଁ ଧୋଇବା କ୍ଷଣି ମୁଁ ଦେଖିପାରିଲି।”

12 “ସେ କାହାନ୍ତି”, ବୋଲି ଲୋକମାନେ ତାକୁ ପଚାରିଲେ। ଲୋକଟି ଉତ୍ତର ଦେଲା, “ମୁଁ ଜାଣେ ନାହିଁ।”


ଫାରୁଶୀମାନେ ଏ କାର୍ଯ୍ୟର ଅନୁସନ୍ଧନା କଲେ

13 ଦୃଷ୍ଟି ଶକ୍ତି ପାଇଥିବା ସେହି ଜନ୍ମାନ୍ଧକୁ ଲୋକମାନେ ଫାରୁଶୀମାନଙ୍କ ନିକଟକୁ ନେଇଗଲେ।

14 ଯୀଶୁ ଯେଉଁ ଦିନ କାଦୁଅ କରି ତାକୁ ଦୃଷ୍ଟି ଶକ୍ତି ଦେଇଥିଲେ, ସେହି ଦିନ ଥିଲା ବିଶ୍ରାମବାର।

15 ଫାରୁଶୀମାନେ ତାକୁ ପଚାରିଲେ, କିପରି ସେ ତା’ ଦୃଷ୍ଟି ଶକ୍ତି ପାଇଲା? ସେ ଉତ୍ତର ଦେଇ କହିଲା, “ମୋ’ ଆଖି ଉପରେ ସେ ଟିକିଏ କାଦୁଅ ଲଗାଇ ଦେଲେ, ମୁଁ ଯାଇ ମୁହଁ ଧୋଇ ଆସିଲି। ବର୍ତ୍ତମାନ ମୁଁ ଦେଖି ପାରୁଛି।”

16 ଫାରୁଶୀମାନଙ୍କ ମଧ୍ୟରୁ କେତେକ କହିଲେ, “ଯେ ଏ କାର୍ଯ୍ୟ କରିଛି, ସେ ଈଶ୍ୱରଙ୍କଠାରୁ ଆସି ନାହିଁ, କାରଣ ସେ ବିଶ୍ରାମବାର ବିଧାନ ଲଙ୍ଘନ କରିଛି।” ଅନ୍ୟମାନେ କହିଲେ, “ଜଣେ ଲୋକ ପାପୀ ହୋଇ ଏଭଳି ଅଲୌକିକ କାର୍ଯ୍ୟ କିପରି କରିପାରିବ?” ଏ ବିଷୟ ନେଇ ସେମାନଙ୍କ ଭିତରେ ବିଭେଦ ସୃଷ୍ଟି ହେଲା।

17 ଫାରୁଶୀମାନେ ଲୋକଟିକୁ ପୁନର୍ବାର ପଚାରିଲେ, “ତୁ କହୁଛୁ, ସେ ତୋତେ ଦୃଷ୍ଟି ଦେଇଛନ୍ତି; ଆଚ୍ଛା, ତାଙ୍କ ବିଷୟରେ ତୁ କ’ଣ କହୁଛୁ?” ଲୋକଟି କହିଲା, “ସେ ଜଣେ ଭାବବାଦୀ।”

18 କିନ୍ତୁ ସେ ଯେ ଜନ୍ମରୁ ଅନ୍ଧ ଥିଲା ଓ ଏବେ ଦୃଷ୍ଟି ଶକ୍ତି ପାଇଛି, ଏ କଥା ତା’ ପିତାମାତାଙ୍କୁ ପଚାରି ନ ବୁଝିବାଯାଏ ଯିହୁଦୀ କର୍ତ୍ତୃପକ୍ଷମାନେ ବିଶ୍ୱାସ କରିବାକୁ ଚାହୁଁ ନ ଥିଲେ।

19 ତେଣୁ ସେମାନେ ତା’ ପିତାମାତାଙ୍କୁ ପଚାରିଲେ, “ଏ କ’ଣ ତୁମ ପୁଅ? ସେ ଅନ୍ଧ ହୋଇ ଜନ୍ମ ହୋଇଥିଲା ବୋଲି କହୁଛ। ତେବେ ସେ ବର୍ତ୍ତମାନ ଦେଖିପାରୁଛି କିପରି?”

20 ତା’ର ପିତାମାତା ଉତ୍ତର ଦେଲେ, “ହଁ, ସେ ଆମ ପୁଅ, ସେ ଅନ୍ଧ ହୋଇ ଜନ୍ମ ହୋଇଥିଲା।

21 କିନ୍ତୁ ବର୍ତ୍ତମାନ ସେ କିପରି ଦେଖି ପାରୁଛି, ପୁଣି କିଏ ତାକୁ ଦୃଷ୍ଟି ଶକ୍ତି ଦେଇଛନ୍ତି, ଆମେ ତା’ ଜାଣୁନା। ତା’ର ବୟସ ହେଉଛି, ତାକୁ ପଚାର। ସେ ନିଜେ ନିଜ କଥା କହି ପାରିବା।”

22 ଲୋକଟିର ପିତାମାତା ଇହୁଦୀ କର୍ତ୍ତୃପକ୍ଷମାନଙ୍କୁ ଭୟ କରି ଏକଥା କହିଥିଲେ। କାରଣ ସେହି କର୍ତ୍ତୃପକ୍ଷମାନେ ସ୍ଥିର କରିଥିଲେ ଯେ ଯେଉଁମାନେ ଯୀଶୁଙ୍କୁ ମସୀହ ବୋଲି ସ୍ୱୀକାର କରିବେ, ସେମାନଢ଼ଙ୍କୁ ସମାଜଚ୍ୟୁତ କରାଯିବ।

23 ସେଥିପାଇଁ ତା’ର ପିତାମାତା କହିଲେ, “ତା’ଣ ବୟସ ହେଉଛି, ତାକୁ ପଚାର।”

24 ଫାରୁଶୀମାନେ ସେହି ଜନ୍ମାନ୍ଧକୁ ଆଉ ଥରେ ଡାକି କହିଲେ, “ଈଶ୍ୱରଙ୍କ ସମ୍ମୁଖରେ ଶପଥ କରି କହ, ତୁ ସତ କହିବୁ। ଆମେ ଜାଣୁ, ଯେଉଁ ଲୋକ ତୋତେ ଦୃଷ୍ଟି ଶକ୍ତି ଦେଇଛି, ସେ ଜଣେ ପାପୀ।”

25 ଲୋକଟି ଉତ୍ତର ଦେଲା, “ସେ ପାପୀକି ନୁହେଁ, ମୁଁ ଜାଣେ ନାହିଁ। କେବଳ ଗୋଟିଏ କଥା ଜାଣେ, ମୁଁ ଅନ୍ଧ ଥିଲି, ଏବେ ଦେଖିପାରୁଛି।”

26 ସେମାନେ ପଚାରିଲେ, “ତୋତେ ସେ କ’ଣ କଲା? କିପରି ସେ ତୋର ଆଖି ଖୋଲିଦେଲା?”

27 ଲୋକଟି ଉତ୍ତର ଦେଲା, “ଆଗରୁ ତ କହିସାରିଛି, କିନ୍ତୁ ତୁମ୍ଭେମାନେ ସେ କଥା ଶୁଣିବାକୁ ଇଚ୍ଛା କରି ନାହଁ। ଆଉ ଥରେ ଶୁଣିବାକୁ କାହିଁକି ଚାହୁଁଛ? ବୋଧହୁଏ, ତୁମେ ମଧ୍ୟ ତାଙ୍କ ଶିଷ୍ୟ ହେବାକୁ ଇଚ୍ଛା କରୁଛ।”

28 ସେମାନେ ତାକୁ ଅଭିଶାପ ଦେଇ କହିଲେ, “ତୁ ସିନା ତା’ର ଶିଷ୍ୟ। ଆମେ ମୋଶାଙ୍କ ଶିଷ୍ୟ।

29 ଆମେ ଜାଣୁ, ଈଶ୍ୱର ମୋଶାଙ୍କ ସହିତ କଥାବର୍ତ୍ତା କରିଥିଲେ। କିନ୍ତୁ ସେହି ଲୋକ କେଉଁଠାରୁ ଆସିଛି, ତା’ ମଧ୍ୟ ଆମେ ଜାଣୁନା।”

30 ଲୋକଟି ଉତ୍ତର ଦେଲା; “ଏ କେଡ଼େ ଆଶ୍ଚର୍ଯ୍ୟ କଥା। ସେ କେଉଁଠାରୁ ଆସିଛନ୍ତି, ତୁମ୍ଭେମାନେ ଜାଣ ନାହିଁ; ଅଥଚ ସେ ମୋତେ ଦୃଷ୍ଟି ଶକ୍ତି ଦେଇଛନ୍ତି।

31 ଆମେ ସମସ୍ତେ ଜାଣୁ, ଈଶ୍ୱର ପାପୀମାନଢ଼ଙ୍କ କଥା ଶୁଣନ୍ତି ନାହିଁ। ଯେଉଁମାନେ ଈଶ୍ୱରଙ୍କୁ ଭକ୍ତି କରନ୍ତି ଓ ତାଙ୍କ ଇଚ୍ଛା ଅନୁଯାୟୀ କାମ କରନ୍ତି, ଈଶ୍ୱର କେବଳ ସେମାନଙ୍କ କଥା ଶୁଣନ୍ତି।

32 ସୃଷ୍ଟିର ଆରମ୍ଭରୁ କେହି ଅନ୍ଧକୁ ଦୃଷ୍ଟି ଶକ୍ତି ଦେବା କଥା କେବେ ଶୁଣାଯାଇ ନ ଥିଲା।

33 ଈଶ୍ୱରଙ୍କ ଠାରୁ ଆସି ନ ଥିଲେ, ସେ କେବେ ଏହି କାର୍ଯ୍ୟ କରିପାରି ନ ଥାଆନ୍ତେ।”

34 “ପାପରେ ଜନ୍ମି ପାପରେ ବଢ଼ିଛୁ। ତୁ ଫେର୍ ଆମକୁ ଶିକ୍ଷା ଦେଉଛୁ?” ଏହା କହି ସେମାନେ ତାକୁ ସମାଜ ଗୃହରୁ ବାହାର କରିଦେଲେ।


ଆଧ୍ୟାତ୍ମିକ ଦୃଷ୍ଟିହୀନତା

35 ଯୀଶୁ ଏହି ସବୁ ଘଟଣା ଶୁଣି, ଆଉ ଥରେ ସେହି ଲୋକଟିର ଦେଖାଯାଇ ତାକୁ ପଚାରିଲେ, “ତୁମେ କ’ଣ ମନୁଷ୍ୟପୁତ୍ରଙ୍କଠାରେ ବିଶ୍ୱାସ କରୁଛ?”

36 ସେ ଉତ୍ତର ଦେଲା, “ଆଜ୍ଞା, କୁହନ୍ତୁ ସେ କିଏ, ତାଙ୍କୁ ମୁଁ ବିଶ୍ୱାସ କରିବି।”

37 ଯୀଶୁ ତାକୁ କହିଲେ, “ତୁମେ ତାଙ୍କୁ ଦେଖି ସାରିଛି। ତୁମ ସହିତ ଯେ ଏବେ କଥା କହୁଛନ୍ତି, ସେ ସେହି।”

38 “ବିଶ୍ୱାସ କରୁଛି, ପ୍ରଭୁ”! ଏହା କହି ଲୋକଟି ଯୀଶୁଙ୍କ ଆଗରେ ଆଣ୍ଠେଇ ପଡ଼ିଲା।

39 ଯୀଶୁ କହିଲେ, “ମନୁଷ୍ୟର ବିଚାର ପାଇଁ ମୋର ଆଗମନ। ଅନ୍ଧମାନେ ଦୃଷ୍ଟି ଶକ୍ତି ପାଇବେ, କିନ୍ତୁ ଅନେକେ ଚକ୍ଷୁ ଥାଇ ସୁଦ୍ଧା ଅନ୍ଧ ହେବେ।”

40 ସେଠାରେ ଥିବା କେତେକ ଫାରୁଶୀ ଏ କଥା ଶୁଣି ତାଙ୍କୁ ପଚାରିଲେ, “ଆମେ ଅନ୍ଧ ବୋଲି କ’ଣ ତୁମେ ଭାବୁଛ।”

41 ଯୀଶୁ ଉତ୍ତର ଦେଲେ, “ଅନ୍ଧ ହୋଇଥିଲେ ତୁମ୍ଭେମାନେ ନିର୍ଦ୍ଦୋଷ ହୋଇଥାନ୍ତ। କିନ୍ତୁ ଦେଖିପାରୁଛ ବୋଲି କହୁଥିବାର ତୁମେ ଅଧିକ ଦୋଷୀ।”

Odia (CL) NT - ପବିତ୍ର ବାଇବଲ

© The Bible Society of India, 2018.

Used by permission. All rights reserved worldwide.

Bible Society of India
Lean sinn:



Sanasan