୧ ଥେସଲନୀକୀୟ 1 - ପବିତ୍ର ବାଇବଲ (CL) NT (BSI)1 ପାଉଲ, ସିଲ୍ୱାନ ଓ ତୀମଥିଙ୍କ ନିକଟରୁ ଥେସଲନିକାରେ ଥିବା ପିତା ଈଶ୍ୱର ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଶ୍ୱାସୀ ମଣ୍ଡଳୀକୁ ଏହି ପତ୍ର। ପିତା ଈଶ୍ୱର ଏବଂ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ପ୍ରଦତ୍ତ ହେଉ। ଥେସଲନିକୀୟମାନଙ୍କର ଜୀବନ ଓ ବିଶ୍ୱାସ 2 ଆମେ ସର୍ବଦା ତୁମ ସମସ୍ତଙ୍କ ନିମନ୍ତେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥାଉ ଏବଂ ଆମ ପ୍ରାର୍ଥନାରେ ତୁମ୍ଭମାନଙ୍କ ବିଷୟରେ ସବୁବେଳେ ଜଣାଇ ଥାଉ। 3 ଆମ୍ଭେମାନେ ପିତା ଈଶ୍ୱରଙ୍କ ନିକଟରେ ସ୍ମରଣ କରିଥାଉ, କିପରି ତୁମ୍ଭେମାନେ ନିଜ ବିଶ୍ୱାସକୁ କାର୍ଯ୍ୟରେ ପରିଣତ କରୁଛ, ପ୍ରେମରେ ଅନୁପ୍ରାଣିତ ହୋଇ କିପରି କଠିନ ପରିଶ୍ରମ କରୁଛ ଏବଂ ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କର ଭରସା କିପରି ଦୃଢ଼। 4 ଭାଇମାନେ! ଆମେ ଜାଣୁ ଯେ, ଈଶ୍ୱର ତୁମ୍ଭମାନଙ୍କୁ ପ୍ରେମ କରନ୍ତି ଏବଂ ତାଙ୍କ ଆପଣାର ଲୋକ ହେବା ନିମନ୍ତେ ତୁମ୍ଭମାନଙ୍କୁ ମନୋନୀତ କରିଛନ୍ତି। 5 କାରଣ କେବଳ ବାକ୍ୟରେ ନୁହେଁ, ପବିତ୍ର ଆତ୍ମାଙ୍କ ସହାୟତାରେ ଶକ୍ତିର ସହିତ, ସୁସମାଚାରର ସତ୍ୟତା ସମ୍ପୂର୍ଣ୍ଣଭାବେ ଉପଲବ୍ଧି କରି ଆମେ ତାହା ତୁମ୍ଭମାନଙ୍କ ନିକଟରେ ପ୍ରଚାର କରିଥିଲୁ। ତୁମ୍ଭେମାନେ ଜାଣ, ତୁମ ସହିତ ଥିବାବେଳେ ଆମେ କିପରି ଜୀବନ ଯାପନ କରିଥିଲୁ; କିପରି କେବଳ ତୁମ୍ଭମାନଙ୍କର ମଙ୍ଗଳ ଆମ ଜୀବନର ଲକ୍ଷ୍ୟ ଥିଲା। 6 ତୁମ୍ଭେମାନେ ଆମକୁ ଓ ଆମ ପ୍ରଭୁଙ୍କୁ ଅନୁସରଣ କରିଥିଲ ଏବଂ ବହୁ କ୍ଲେଶ ଭୋଗିବା ସତ୍ତେ୍ୱ ପବିତ୍ର ଆତ୍ମାଙ୍କଠାରୁ ପ୍ରାପ୍ତ ଆନନ୍ଦ ସହିତ ସେହି ସୁସମାଚାର ଗ୍ରହଣ କରିଥିଲ। 7 ତେଣୁ ତୁମ୍ଭେମାନେ ମାସିଦୋନିଆ ଓ ଆଖାୟାରେ ଥିବା ସମସ୍ତ ବିଶ୍ୱାସୀଙ୍କ ନିମନ୍ତେ ଆଦର୍ଶ ସ୍ୱରୂପ ହୋଇଥିଲ। 8 ତୁମ୍ଭମାନଙ୍କ ନିକଟରୁ ଯେ କେବଳ ପ୍ରଭୁଙ୍କ ଶୁଭ ବାର୍ତ୍ତା ମାସିଦୋନିଆ ଓ ଆଖାୟାରେ ବ୍ୟାପ୍ତ ହୋଇଥିଲା ତା’ ନୁହେଁ; ମାତ୍ର ତୁମ୍ଭମାନଙ୍କର ଈଶ୍ୱର-ବିଶ୍ୱାସ କଥା ସର୍ବତ୍ର ଏପରି ଭାବରେ ପ୍ରକାଶ ପାଇଛି ଯେ, ଏ ବିଷୟରେ ଆମର ଆଉ ଅଧିକ କିଛି କହିବା ପ୍ରୟୋଜନ ନାହିଁ। 9 ଆମେ ତୁମ ନିକଟକୁ ଯିବାବେଳେ ତୁମ୍ଭେମାନେ କିପରି ଆମକୁ ସାଦରେ ଗ୍ରହଣ କରିଥିଲ ଓ ପ୍ରତିମା ପୂଜା ପରିତ୍ୟାଗ କରି ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କ ଉପାସନା କରିବାକୁ ଆଗେଇ ଆସିଥିଲ; 10 ପୁଣି କିପରି ଈଶ୍ୱରଙ୍କ କ୍ରୋଧରୁ ଆମକୁ ରକ୍ଷା କରିବା ପାଇଁ, ମୃତ୍ୟୁରୁ ପୁନରୁତ୍ଥିତ ତାଙ୍କର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ପୁନରାଗମନକୁ ତୁମ୍ଭେମାନେ ପ୍ରତୀକ୍ଷା କରି ରହିଛ, ଏ ସବୁ ବିଷୟରେ ସେଠାକାର ଲୋକମାନେ କର୍ତ୍ତବାର୍ତ୍ତା କରୁଛନ୍ତି। |
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.
Bible Society of India