୧ କରିନ୍ଥୀୟ 2 - ପବିତ୍ର ବାଇବଲ (CL) NT (BSI)କ୍ରୁଶବିଦ୍ଧ ଖ୍ରୀଷ୍ଟଙ୍କ ବିଷୟରେ ବାର୍ତ୍ତା 1 ଭାଇମାନେ, ମୁଁ ତୁମ ନିକଟକୁ ଈଶ୍ୱରଙ୍କ ନିଗୂଢ଼ ତତ୍ତ୍ୱ ପ୍ରଚାର କରିବା ନିମନ୍ତେ ଯାଉଥିବା ବେଳେ ବାକ୍ୟାଡ଼ମ୍ବର କିମ୍ବା ପାଣ୍ଡିତ୍ୟ ଦେଖାଇ ନ ଥିଲି। 2 ତୁମ ସହିତ ଥିବା ସମୟରେ କେବଳ ଯୀଶୁ ଖ୍ରୀଷ୍ଟ, ବିଶେଷତଃ ତାଙ୍କ କ୍ରୁଶୀୟ ମୃତ୍ୟୁ ବ୍ୟତୀତ ଅନ୍ୟ କୌଣସି ବିଷୟ ଜାଣିବା ପାଇଁ ଇଚ୍ଛା କରି ନ ଥିଲି। 3 ସେ ସମୟରେ ମୁଁ ଦୁର୍ବଳ ଥିଲି, ସର୍ବଦା ଭୟରେ ପ୍ରକମ୍ପିତ ହେଉଥିଲି। 4 ମୋର ଶିକ୍ଷା ଓ ବାର୍ତ୍ତା, ମନୁଷ୍ୟ ଜ୍ଞାନର ବାକ୍ଚାତୁରୀ ଦ୍ୱାରା ପ୍ରଦତ୍ତ ହୋଇ ନ ଥିଲା। ତାହା ଈଶ୍ୱରଙ୍କ ଆତ୍ମାଙ୍କ ଶକ୍ତିର ନିଶ୍ଚିତ ପ୍ରମାଣ ଦ୍ୱାରା ପ୍ରଚାରିତ ହୋଇଥିଲା। 5 ତେଣୁ ତୁମ୍ଭମାନଙ୍କର ବିଶ୍ୱାସ ମନୁଷ୍ୟର ଜ୍ଞାନ ଉପରେ ଆଧାରିତ ନୁହେଁ, ତାହା ଈଶ୍ୱରଙ୍କ ଶକ୍ତିରେ ପ୍ରତିଷ୍ଠିତ। ଈଶ୍ୱରଙ୍କ ଜ୍ଞାନ 6 ଅବଶ୍ୟ ଆଧ୍ୟାତ୍ମିକଭାବେ ପରିପକ୍ୱ ଲୋକମାନଙ୍କ ନିକଟରେ ମୁଁ ଜ୍ଞାନର କଥା କୁହେ। କିନ୍ତୁ ଏ ଜ୍ଞାନ ଏ ଯୁଗର ଜ୍ଞାନ ନୁହେଁ, କିମ୍ବା ଏ ଯୁଗରେ କର୍ତ୍ତୃତ୍ୱ କରୁଥିବା କ୍ଷୟଶୀଳ ଶାସକଙ୍କର ଜ୍ଞାନ ନୁହେଁ। 7 ମୁଁ ଈଶ୍ୱରଙ୍କ ନିଗୂଢ଼ ଜ୍ଞାନର କଥା ପ୍ରକାଶ କରୁଛି - ସେହି ଜ୍ଞାନ ମନୁଷ୍ୟଠାରୁ ଗୁପ୍ତ ରଖାଯାଇଛି, ଅଥଚ ଆମର ଗୌରବ ନିମନ୍ତେ ପୃଥିବୀର ସୃଷ୍ଟି ପୂର୍ବରୁ ଈଶ୍ୱର ଏହାକୁ ନିରୂପଣ କରିଥିଲେ। 8 ଜଗତର କୌଣସି ଅଧିପତି ଏହି ଜ୍ଞାନର ପରିଚୟ ପାଇ ନ ଥିଲେ। ଯଦି ତାହା ପାଇଥା’ନ୍ତେ, ତେବେ ସେମାନେ ମହାମହିମ ପ୍ରଭୁଙ୍କୁ କ୍ରୁଶାର୍ପଣ କରି ନ ଥାନ୍ତେ। 9 ଯେପରି ଧର୍ମଶାସ୍ତ୍ରରେ ଲେଖାଅଛି: “ଯାହା କେହି କେବେ ଦେଖି ନାହିଁ କିମ୍ବା ଶୁଣି ନାହିଁ, ଯାହା ଘଟିବାର କେହି କଳ୍ପନା କରି ନାହିଁ, ତାଙ୍କୁ ପ୍ରେମ କରୁଥିବା ଲୋକମାନଙ୍କ ନିମନ୍ତେ ଈଶ୍ୱର ସେହି ସବୁ ପ୍ରସ୍ତୁତ କରିଛନ୍ତି।” 10 କିନ୍ତୁ ଈଶ୍ୱର ତାଙ୍କ ଆତ୍ମାଙ୍କ ଦ୍ୱାରା ଉକ୍ତ ଗୁପ୍ତ ବିଷୟ ଆମ୍ଭମାନଙ୍କୁ ଜଣାଇଛନ୍ତି। ସେହି ପରମାତ୍ମା ହିଁ ଈଶ୍ୱରଙ୍କ ଗଭୀରତମ ପରିକଳ୍ପନାସବୁର ସନ୍ଧାନ କରନ୍ତି। 11 ମନୁଷ୍ୟର ସବୁ କିଛି କେବଳ ତା’ର ଅନ୍ତରାତ୍ମା ଜାଣେ। ସେହିପରି କେବଳ ଈଶ୍ୱରଙ୍କ ଆତ୍ମା ଈଶ୍ୱରଙ୍କ ବିଷୟରେ ସବୁ କିଛି ଜାଣନ୍ତି। 12 ଆମେ ଜାଗତିକ ଆତ୍ମା ପ୍ରାପ୍ତ ହୋଇ ନାହୁଁ। କିନ୍ତୁ ଈଶ୍ୱରପ୍ରଦତ୍ତ ସମସ୍ତ ବିଷୟ ଜାଣି ପାରିବା ନିମନ୍ତେ ଈଶ୍ୱରପ୍ରେରିତ ଆତ୍ମାଙ୍କୁ ଗ୍ରହଣ କରିଛୁ। 13 ତେଣୁ ଆଧ୍ୟାତ୍ମିକମନା ଲୋକମାନଙ୍କ ନିକଟରେ ଆଧ୍ୟାତ୍ମିକ ସତ୍ୟ ପ୍ରକାଶ କଲାବେଳେ ଆମେ ଜାଗତିକ ଜ୍ଞାନରେ କଥା କହି ନ ଥାଉ; ପବିତ୍ରଆତ୍ମାଙ୍କ ଶିକ୍ଷାନୁଯାୟୀ ସେହି ସତ୍ୟସବୁ ବ୍ୟାଖ୍ୟା କରିଥାଉ। 14 କିନ୍ତୁ ଯେ ଆଧ୍ୟାତ୍ମିକମନା ନୁହେଁ, ସେ ପରମାତ୍ମାଙ୍କ ଦାନଗୁଡ଼ିକ ଗ୍ରହଣ କରିବାକୁ ଅକ୍ଷମ। ସେ ପ୍ରକୃତରେ ଏହି ଦାନଗୁଡ଼ିକୁ ବୁଝିପାରେ ନାହିଁ। ସେସବୁ ତା’ ପାଇଁ ନିର୍ବୋଧତା; କାରଣ କେବଳ ଆଧ୍ୟାତ୍ମିକ ଭିତ୍ତିରେ ସେଗୁଡ଼କର ମୂଲ୍ୟାୟନ କରାଯାଇପାରେ। 15 ଆଧ୍ୟାତ୍ମିକମନା ବ୍ୟକ୍ତି ସବୁ ବିଷୟର ପ୍ରକୃତ ମୂଲ୍ୟ ବୁଝିପାରେ; କିନ୍ତୁ ସେ ନିଜେ କାହା ଦ୍ୱାରା ବିଚାରିତ ହୋଇପାରେ ନାହିଁ। 16 ଧର୍ମଶାସ୍ତ୍ରରେ ଯେପରି ଉଲ୍ଲେଖ ଅଛି: “କିଏ ଈଶ୍ୱରଙ୍କ ମନୋଭାବ ବୁଝିପାରେ? କିଏ ତାଙ୍କୁ ପରାମର୍ଶ ଦେଇପାରେ?” ସେ ଯାହାହେଉ, ଆମେ ଖ୍ରୀଷ୍ଟଙ୍କ ମନୋଭାବ ଗ୍ରହଣ କରିଛୁ। |
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.
Bible Society of India