ଗୀତସଂହିତା 75 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NTପରମେଶ୍ୱର ବିଚାରକର୍ତ୍ତା ପ୍ରଧାନ ବାଦ୍ୟକର ନିମନ୍ତେ ଏକ ଗୀତ; ଅଲ୍-ତଶ୍ହେତ୍ ସ୍ୱରରେ ଆସଫର ଗୀତ। 1 ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭଙ୍କୁ ଧନ୍ୟବାଦ ଦେଉଅଛୁ; ଆମ୍ଭେମାନେ ତୁମ୍ଭଙ୍କୁ ଧନ୍ୟବାଦ ଦେଉଅଛୁ, କାରଣ ତୁମ୍ଭ ନାମ ନିକଟବର୍ତ୍ତୀ; ଲୋକମାନେ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟାସକଳ ବର୍ଣ୍ଣନା କରନ୍ତି। 2 ଆମ୍ଭେ ନିରୂପିତ ସମୟ ପ୍ରାପ୍ତ ହେଲେ ଯଥାର୍ଥ ରୂପେ ବିଚାର କରିବା। 3 ପୃଥିବୀ ଓ ତନ୍ନିବାସୀ ସମସ୍ତେ ତରଳି ଯାଉଅଛନ୍ତି; ଆମ୍ଭେ ତହିଁର ସ୍ତମ୍ଭସକଳ ସ୍ଥାପନ କରିଅଛୁ। [ସେଲା] 4 ଆମ୍ଭେ ଗର୍ବୀକୁ କହିଲୁ, “ଗର୍ବାଚରଣ କର ନାହିଁ,” ଆମ୍ଭେ ଦୁଷ୍ଟକୁ କହିଲୁ, “ଶୃଙ୍ଗ ଉଠାଅ ନାହିଁ; 5 ତୁମ୍ଭମାନଙ୍କ ଶୃଙ୍ଗ ଊର୍ଦ୍ଧ୍ୱକୁ ଉଠାଅ ନାହିଁ; ଶକ୍ତଗ୍ରୀବ ହୋଇ କଥା କୁହ ନାହିଁ।” 6 କାରଣ ପୂର୍ବ ଦିଗରୁ, କିମ୍ବା ପଶ୍ଚିମ ଦିଗରୁ, କିଅବା ଦକ୍ଷିଣ ଦିଗରୁ ଉନ୍ନତି ଆସେ ନାହିଁ। 7 ମାତ୍ର ପରମେଶ୍ୱର ବିଚାରକର୍ତ୍ତା ଅଟନ୍ତି; ସେ ଏକକୁ ଅବନତ ଓ ଅନ୍ୟକୁ ଉନ୍ନତ କରନ୍ତି। 8 ଯେହେତୁ ସଦାପ୍ରଭୁଙ୍କ ହସ୍ତରେ ଏକ ପାନପାତ୍ର ଅଛି ଓ ଦ୍ରାକ୍ଷାରସରୁ ଫେଣ ବାହାରୁ ଅଛି; ତାହା ମିଶ୍ରିତ ଦ୍ରବ୍ୟରେ ପୂର୍ଣ୍ଣ ଓ ସେ ତହିଁରୁ ଢାଳି ଦିଅନ୍ତି; ନିଶ୍ଚୟ ପୃଥିବୀର ଦୁଷ୍ଟ ଲୋକ ସମସ୍ତେ ତହିଁର ଖାଦ ନିଗାଡ଼ି ପିଇବେ। 9 ମାତ୍ର ମୁଁ ସଦାକାଳ ପ୍ରଚାର କରିବି, ମୁଁ ଯାକୁବର ପରମେଶ୍ୱରଙ୍କର ପ୍ରଶଂସା ଗାନ କରିବି। 10 ଆମ୍ଭେ ଦୁଷ୍ଟମାନଙ୍କ ଶୃଙ୍ଗସବୁ କାଟି ପକାଇବା। ମାତ୍ର ଧାର୍ମିକମାନଙ୍କ ଶୃଙ୍ଗ ଉଚ୍ଚୀକୃତ ହେବ। |
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Bridge Connectivity Solutions Pvt. Ltd.