ଗୀତସଂହିତା 62 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NTପରମେଶ୍ୱରଙ୍କ ସୁରକ୍ଷାରେ ଦୃଢ଼ ବିଶ୍ୱାସ ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୂଥୂନ୍ର ରୀତି ଅନୁସାରେ ଦାଉଦଙ୍କର ଗୀତ। 1 ମୋହର ପ୍ରାଣ କେବଳ ପରମେଶ୍ୱରଙ୍କର ଅପେକ୍ଷା କରେ; ତାହାଙ୍କଠାରୁ ମୋହର ପରିତ୍ରାଣ ଆସେ। 2 କେବଳ ସେ ମୋହର ଶୈଳ ଓ ପରିତ୍ରାଣ; ସେ ମୋହର ଉଚ୍ଚ ଦୁର୍ଗ; ମୁଁ ଅତିଶୟ ବିଚଳିତ ନୋହିବି। 3 ନଇଁ ପଡ଼ିଥିବା କାନ୍ଥ ଓ ଟଳଟଳ ପ୍ରାଚୀର ତୁଲ୍ୟ ଜଣେ ମନୁଷ୍ୟକୁ ବଧ କରିବା ପାଇଁ ତୁମ୍ଭେ ସମସ୍ତେ କେତେ କାଳ ଲାଗିଥିବ? 4 ସେମାନେ କେବଳ ତାହାର ଉଚ୍ଚ ପଦରୁ ତାହାକୁ ନିପାତ କରିବାକୁ ମନ୍ତ୍ରଣା କରନ୍ତି; ସେମାନେ ମିଥ୍ୟା କଥାରେ ସନ୍ତୁଷ୍ଟ; ସେମାନେ ମୁଖରେ ଆଶୀର୍ବାଦ କରନ୍ତି, ମାତ୍ର ଅନ୍ତରରେ ଅଭିଶାପ ଦିଅନ୍ତି। [ସେଲା] 5 ହେ ମୋହର ପ୍ରାଣ, କେବଳ ପରମେଶ୍ୱରଙ୍କର ଅପେକ୍ଷା କର; କାରଣ ତାହାଙ୍କଠାରୁ ମୋହର ପ୍ରତ୍ୟାଶା ଜନ୍ମେ। 6 କେବଳ ସେ ମୋହର ଶୈଳ ଓ ମୋହର ପରିତ୍ରାଣ; ସେ ମୋହର ଉଚ୍ଚ ଦୁର୍ଗ; ମୁଁ ବିଚଳିତ ନୋହିବି। 7 ମୋହର ପରିତ୍ରାଣ ଓ ମୋହର ଗୌରବ ପରମେଶ୍ୱରଙ୍କଠାରେ ଅଛି; ମୋʼ ବଳର ଶୈଳ ଓ ମୋହର ଆଶ୍ରୟ ପରମେଶ୍ୱରଙ୍କଠାରେ ଅଛି। 8 ହେ ଲୋକମାନେ, ସବୁବେଳେ ତାହାଙ୍କଠାରେ ନିର୍ଭର କର; ତାହାଙ୍କ ଛାମୁରେ ମନର ସବୁ କଥା ଭାଙ୍ଗି କୁହ; ପରମେଶ୍ୱର ଆମ୍ଭମାନଙ୍କ ନିମନ୍ତେ ଆଶ୍ରୟ। [ସେଲା] 9 ନିଶ୍ଚୟ ସାମାନ୍ୟ ଲୋକେ ଅସାର ଓ ମାନ୍ୟ ଲୋକେ ମିଥ୍ୟା; ତୌଲରେ ସେମାନେ ଉପରକୁ ଉଠିବେ; ସେମାନେ ସମସ୍ତେ ଅସାରରୁ ଲଘୁ। 10 ଦୌରାତ୍ମ୍ୟରେ ନିର୍ଭର ରଖ ନାହିଁ ଓ ଅପହରଣରେ ଦର୍ପୀ ହୁଅ ନାହିଁ; ଧନ ବଢ଼ିଲେ ତହିଁରେ ମନ ଦିଅ ନାହିଁ। 11 ପରମେଶ୍ୱର ଥରେ କହିଅଛନ୍ତି, ଆମ୍ଭେ ଦୁଇ ଥର ଏହା ଶୁଣିଅଛୁ ଯେ, ପରାକ୍ରମ ପରମେଶ୍ୱରଙ୍କର ଅଟଇ। 12 ଆହୁରି, ହେ ପ୍ରଭୋ; ତୁମ୍ଭଠାରେ ଦୟା ଥାଏ; କାରଣ ତୁମ୍ଭେ ପ୍ରତ୍ୟେକ ମନୁଷ୍ୟକୁ ତାହାର କର୍ମାନୁସାରେ ଫଳ ଦେଉଅଛ। |
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Bridge Connectivity Solutions Pvt. Ltd.