ଗୀତସଂହିତା 61 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NTସୁରକ୍ଷା ପାଇଁ ପ୍ରାର୍ଥନା ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ଗୀତ। 1 ହେ ପରମେଶ୍ୱର, ମୋହର କାକୂକ୍ତି ଶୁଣ; ମୋʼ ପ୍ରାର୍ଥନାରେ ମନୋଯୋଗ କର। 2 ମୋʼ ମନ ଉଦ୍ବିଗ୍ନ ହେବା ବେଳେ ମୁଁ ପୃଥିବୀର ପ୍ରାନ୍ତରୁ ତୁମ୍ଭକୁ ଡାକିବି; ମୋʼ ଠାରୁ ଉଚ୍ଚତର ଶୈଳକୁ ମୋତେ ନେଇଯାଅ। 3 କାରଣ ତୁମ୍ଭେ ମୋʼ ନିମନ୍ତେ ଆଶ୍ରୟ ଓ ଶତ୍ରୁଠାରୁ ଦୃଢ଼ ଦୁର୍ଗ ସ୍ୱରୂପ ହୋଇଅଛ। 4 ମୁଁ ସଦାକାଳ ତୁମ୍ଭ ତମ୍ବୁରେ ବାସ କରିବି; ମୁଁ ତୁମ୍ଭ ପକ୍ଷର ଉହାଡ଼ରେ ଆଶ୍ରୟ ନେବି। 5 କାରଣ ହେ ପରମେଶ୍ୱର, ତୁମ୍ଭେ ମୋହର ମାନତସବୁ ଶୁଣିଅଛ; ତୁମ୍ଭେ ଆପଣା ନାମର ଭୟକାରୀମାନଙ୍କ ଅଧିକାର ଆମ୍ଭକୁ ଦେଇଅଛ। 6 ତୁମ୍ଭେ ରାଜାଙ୍କ ଆୟୁ ବୃଦ୍ଧି କରିବ; ତାଙ୍କ ବର୍ଷ ଅନେକ ପୁରୁଷାନୁକ୍ରମ ତୁଲ୍ୟ ହେବ। 7 ସେ ସଦାକାଳ ପରମେଶ୍ୱରଙ୍କ ସମ୍ମୁଖରେ ବାସ କରିବେ; ତାଙ୍କ ରକ୍ଷା ନିମନ୍ତେ ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତା ପ୍ରସ୍ତୁତ କର। 8 ତହୁଁ ମୁଁ ସଦାକାଳ ତୁମ୍ଭ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି ଓ ଦିନକୁ ଦିନ ଆପଣା ମାନତ ପୂର୍ଣ୍ଣ କରିବି। |
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Bridge Connectivity Solutions Pvt. Ltd.