ଗୀତସଂହିତା 6 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NTସଙ୍କଟ ସମୟରେ ସହାୟତା ପାଇଁ ପ୍ରାର୍ଥନା ପ୍ରଧାନ ବାଦ୍ୟକର ନିମନ୍ତେ, ତାରଯୁକ୍ତ ଯନ୍ତ୍ରରେ ଶିମିନୀତ୍ ସ୍ୱରରେ ଦାଉଦଙ୍କର ଗୀତ। 1 ହେ ସଦାପ୍ରଭୋ, ତୁମ୍ଭ କ୍ରୋଧରେ ମୋତେ ଅନୁଯୋଗ କର ନାହିଁ, କିଅବା ତୁମ୍ଭ ପ୍ରଚଣ୍ଡ ବିରକ୍ତିରେ ମୋତେ ଶାସନ କର ନାହିଁ। 2 ହେ ସଦାପ୍ରଭୋ, ମୋତେ ଦୟା କର; କାରଣ ମୁଁ ଶୁଷ୍କ ହୋଇ ଯାଇଅଛି; ହେ ସଦାପ୍ରଭୋ, ମୋତେ ସୁସ୍ଥ କର; କାରଣ ମୋʼ ର ଅସ୍ଥିସବୁ ବ୍ୟାକୁଳ ହେଉଅଛି। 3 ମୋହର ପ୍ରାଣ ମଧ୍ୟ ଅତ୍ୟନ୍ତ ବ୍ୟାକୁଳ ହେଉଅଛି; ପୁଣି, ତୁମ୍ଭେ, ହେ ସଦାପ୍ରଭୋ, ଆଉ କେତେ କାଳ? 4 ହେ ସଦାପ୍ରଭୋ, ଫେର, ମୋʼ ପ୍ରାଣକୁ ଉଦ୍ଧାର କର; ଆପଣା ସ୍ନେହପୂର୍ଣ୍ଣ କରୁଣା ସକାଶୁ ମୋତେ ପରିତ୍ରାଣ କର। 5 କାରଣ ମରଣାବସ୍ଥାରେ ତୁମ୍ଭ ବିଷୟକ କୌଣସି ସ୍ମରଣ ନ ଥାଏ; ପାତାଳରେ କିଏ ତୁମ୍ଭକୁ ଧନ୍ୟବାଦ ଦେବ? 6 ମୁଁ ଆପଣା କାତରୋକ୍ତିରେ କ୍ଳାନ୍ତ ହୋଇଅଛି; ପ୍ରତି ରାତ୍ରି ମୁଁ ଆପଣା ଶଯ୍ୟା ଭସାଏ, ମୁଁ ଲୋତକରେ ଆପଣା ବିଛଣା ତିନ୍ତାଏ। 7 ଦୁଃଖ ସକାଶୁ ମୋର ଚକ୍ଷୁ କ୍ଷୀଣ ହୋଇଯାଏ; ମୋହର ସକଳ ବିପକ୍ଷଙ୍କ ସକାଶୁ ତାହା ଜୀର୍ଣ୍ଣ ହୋଇଯାଏ। 8 ହେ ଅଧର୍ମାଚାରୀ ସମସ୍ତେ, ମୋହର ନିକଟରୁ ଦୂର ହୁଅ; କାରଣ ସଦାପ୍ରଭୁ ମୋʼ ରୋଦନର ରବ ଶୁଣିଅଛନ୍ତି। 9 ସଦାପ୍ରଭୁ ମୋହର ନିବେଦନ ଶୁଣିଅଛନ୍ତି; ସଦାପ୍ରଭୁ ମୋହର ପ୍ରାର୍ଥନା ଗ୍ରହଣ କରିବେ। 10 ମୋହର ଶତ୍ରୁ ସମସ୍ତେ ଲଜ୍ଜିତ ଓ ଅତ୍ୟନ୍ତ ବ୍ୟାକୁଳ ହେବେ; ସେମାନେ ଫେରିଯିବେ, ସେମାନେ ହଠାତ୍ ଲଜ୍ଜିତ ହେବେ। |
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Bridge Connectivity Solutions Pvt. Ltd.