ଗୀତସଂହିତା 57 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NTସାହାଯ୍ୟ ପାଇଁ ପ୍ରାର୍ଥନା ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତଶ୍ହେତ୍ ସ୍ୱରରେ ଦାଉଦଙ୍କର ଗୀତ। ମିକ୍ତାମ୍; ଗୁମ୍ଫାରେ ଶାଉଲଙ୍କ ସମ୍ମୁଖରୁ ପଳାଇବା ବେଳେ ରଚିତ। 1 ହେ ପରମେଶ୍ୱର, ମୋତେ ଦୟା କର; ମୋତେ ଦୟା କର; କାରଣ ମୋʼ ପ୍ରାଣ ତୁମ୍ଭର ଶରଣାଗତ; ଆଉ, ଏହିସବୁ ବିପଦ ବହିଯିବା ପର୍ଯ୍ୟନ୍ତ ମୁଁ ତୁମ୍ଭ ପକ୍ଷର ଛାୟାରେ ଶରଣ ନେବି। 2 ମୁଁ ସର୍ବୋପରିସ୍ଥ ପରମେଶ୍ୱରଙ୍କ ନିକଟରେ, ମୋʼ ପକ୍ଷରେ ସର୍ବସାଧନକର୍ତ୍ତା ପରମେଶ୍ୱରଙ୍କ ନିକଟରେ ଡାକ ପକାଇବି। 3 ମୋତେ ଗ୍ରାସ କରିବାକୁ ଇଚ୍ଛୁକ ଲୋକ ତିରସ୍କାର କରିବା ବେଳେ, ସେ ସ୍ୱର୍ଗରୁ ପଠାଇ ମୋତେ ତ୍ରାଣ କରିବେ; [ସେଲା] ପରମେଶ୍ୱର ଆପଣା ଦୟା ଓ ସତ୍ୟତା ପ୍ରେରଣ କରିବେ। 4 ମୁଁ ସିଂହମାନଙ୍କ ମଧ୍ୟରେ ଅଛି; ମୁଁ ପ୍ରଜ୍ୱଳିତ ଲୋକମାନଙ୍କ ମଧ୍ୟରେ, ଯେଉଁ ମନୁଷ୍ୟ-ସନ୍ତାନଗଣର ଦନ୍ତ ବର୍ଚ୍ଛା ଓ ତୀର ତୁଲ୍ୟ, ପୁଣି, ଜିହ୍ୱା ତୀକ୍ଷ୍ଣ ଖଡ୍ଗ ତୁଲ୍ୟ, ସେମାନଙ୍କ ମଧ୍ୟରେ ଶୟନ କରେ। 5 ହେ ପରମେଶ୍ୱର, ତୁମ୍ଭେ ସ୍ୱର୍ଗ ଉପରେ ଉନ୍ନତ ହୁଅ; ସମୁଦାୟ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ହେଉ। 6 ସେମାନେ ମୋʼ ଚରଣ ପାଇଁ ଜାଲ ପ୍ରସ୍ତୁତ କରିଅଛନ୍ତି; ମୋʼ ପ୍ରାଣ ଅବନତ ହୋଇଅଛି; ସେମାନେ ମୋʼ ସମ୍ମୁଖରେ ଗର୍ତ୍ତ ଖୋଳିଅଛନ୍ତି; ମାତ୍ର ସେମାନେ ନିଜେ ତହିଁ ମଧ୍ୟରେ ପତିତ ହୋଇଅଛନ୍ତି। [ସେଲା] 7 ହେ ପରମେଶ୍ୱର, ମୋʼ ଚିତ୍ତ ସୁସ୍ଥିର ଅଛି, ମୋʼ ଚିତ୍ତ ସୁସ୍ଥିର ଅଛି; ମୁଁ ଗାନ କରିବି, ହଁ, ମୁଁ ପ୍ରଶଂସା ଗାନ କରିବି। 8 ହେ ମୋହର ଗୌରବ, ଜାଗ୍ରତ ହୁଅ; ହେ ନେବଲ ଓ ବୀଣେ, ଜାଗ୍ରତ ହୁଅ; ମୁଁ ନିଜେ ଅତି ପ୍ରଭାତରେ ଜାଗ୍ରତ ହେବି। 9 ହେ ପ୍ରଭୋ, ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭକୁ ଧନ୍ୟବାଦ ଦେବି; ମୁଁ ଦେଶୀୟଗଣ ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି। 10 କାରଣ ତୁମ୍ଭର ଦୟା ସ୍ୱର୍ଗ ପର୍ଯ୍ୟନ୍ତ ମହତ ଓ ତୁମ୍ଭର ସତ୍ୟତା ଆକାଶ ପର୍ଯ୍ୟନ୍ତ। 11 ହେ ପରମେଶ୍ୱର, ତୁମ୍ଭେ ସ୍ୱର୍ଗ ଉପରେ ଉନ୍ନତ ହୁଅ; ସମୁଦାୟ ଭୂମଣ୍ଡଳ ଉପରେ ତୁମ୍ଭର ମହିମା ହେଉ। |
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Bridge Connectivity Solutions Pvt. Ltd.