Biblia Todo Logo
Bìoball air-loidhne

- Sanasan -

ଗୀତସଂହିତା 56 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT


ପରମେଶ୍ୱରଙ୍କ ଉପରେ ନିର୍ଭରଶୀଳତାର ପ୍ରାର୍ଥନା
ପ୍ରଧାନ ବାଦ୍ୟକର ନିମନ୍ତେ ଯୋନତ୍‍-ଏଲମ୍‍ ରହୋକୀମ୍‍ ସ୍ୱରରେ ଦାଉଦଙ୍କର ଗୀତ। ମିକ୍ତାମ୍‍; ପଲେଷ୍ଟୀୟମାନେ ତାଙ୍କୁ ଗାଥ୍‍ ନଗରରେ ଧରିବା ସମୟରେ ରଚିତ।

1 ହେ ପରମେଶ୍ୱର, ମୋତେ ଦୟା କର; କାରଣ ମୋହର ଶତ୍ରୁ ମୋତେ ଗ୍ରାସ କରିବାକୁ ଉଦ୍ୟତ; ସେ ସାରାଦିନ ଯୁଦ୍ଧ କରି ମୋʼ ପ୍ରତି ଉପଦ୍ରବ କରଇ।

2 ମୋହର ଶତ୍ରୁଗଣ ଦିନସାରା ମୋତେ ଗ୍ରାସ କରିବାକୁ ଉଦ୍ୟତ; କାରଣ ଦର୍ପରେ ମୋʼ ବିରୁଦ୍ଧରେ ଯୁଦ୍ଧକାରୀ ଲୋକ ଅନେକ।

3 ମୁଁ ଭୀତ ହେବା ସମୟରେ ତୁମ୍ଭ ଉପରେ ନିର୍ଭର ରଖିବି।

4 ପରମେଶ୍ୱରଙ୍କ ଦ୍ୱାରା ମୁଁ ତାହାଙ୍କ ବାକ୍ୟର ପ୍ରଶଂସା କରିବି; ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର ରଖିଅଛି, ମୁଁ ଭୀତ ହେବି ନାହିଁ; ମନୁଷ୍ୟ ମୋର କଅଣ କରି ପାରିବ?

5 ସେମାନେ ସାରାଦିନ ମୋହର କଥାର ବିପରୀତ ଅର୍ଥ କରନ୍ତି; ମୋʼ ବିରୁଦ୍ଧରେ ସେମାନଙ୍କର କଳ୍ପନାସବୁ ଅମଙ୍ଗଳାର୍ଥକ।

6 ସେମାନେ ଏକତ୍ରିତ ହୁଅନ୍ତି, ସେମାନେ ଲୁଚି ରହନ୍ତି, ସେମାନେ ମୋହର ପଦଚିହ୍ନ ଲକ୍ଷ୍ୟ କରନ୍ତି, ଏହିରୂପେ ସେମାନେ ମୋʼ ପ୍ରାଣର ଅପେକ୍ଷା କରିଅଛନ୍ତି।

7 ସେମାନେ କʼଣ ଅଧର୍ମ ଦ୍ୱାରା ରକ୍ଷା ପାଇବେ? ହେ ପରମେଶ୍ୱର, କ୍ରୋଧରେ ଗୋଷ୍ଠୀୟମାନଙ୍କୁ ନିପାତ କର।

8 ତୁମ୍ଭେ ମୋହର ଭ୍ରମଣ ଗଣନା କରୁଅଛ। ତୁମ୍ଭେ ଆପଣା ପାତ୍ରରେ ଆମ୍ଭର ଅଶ୍ରୁ ରଖିଥାଅ; ତାହାସବୁ କʼଣ ତୁମ୍ଭ ପୁସ୍ତକରେ ନାହିଁ?

9 ତେବେ ମୁଁ ପ୍ରାର୍ଥନା କରିବା ବେଳେ ମୋʼ ଶତ୍ରୁଗଣ ଫେରିଯିବେ; ମୁଁ ଏହା ଜାଣେ ଯେ, ପରମେଶ୍ୱର ମୋହର ସପକ୍ଷ।

10 ପରମେଶ୍ୱରଙ୍କ ଦ୍ୱାରା ମୁଁ ତାହାଙ୍କ ବାକ୍ୟର ପ୍ରଶଂସା କରିବି। ସଦାପ୍ରଭୁଙ୍କ ଦ୍ୱାରା ମୁଁ ତାହାଙ୍କ ବାକ୍ୟର ପ୍ରଶଂସା କରିବି।

11 ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର ରଖିଅଛି, ମୁଁ ଭୀତ ହେବି ନାହିଁ; ମନୁଷ୍ୟ ମୋହର କʼଣ କରି ପାରିବ?

12 ହେ ପରମେଶ୍ୱର, ତୁମ୍ଭ ନିକଟରେ ମୋହର ମାନତ ଅଛି; ମୁଁ ତୁମ୍ଭକୁ ଧନ୍ୟବାଦରୂପ ଉପହାର ଦେବି।

13 କାରଣ ତୁମ୍ଭେ ମୃତ୍ୟୁୁରୁ ମୋʼ ପ୍ରାଣକୁ ଉଦ୍ଧାର କରିଅଛ; ଯେପରି ମୁଁ ଜୀବିତମାନଙ୍କ ଦୀପ୍ତିରେ ପରମେଶ୍ୱରଙ୍କ ସମ୍ମୁଖରେ ଗମନାଗମନ କରିବି; ଏଥିପାଇଁ ତୁମ୍ଭେ କʼଣ ପତନରୁ ମୋʼ ଚରଣକୁ ଉଦ୍ଧାର କରିବ ନାହିଁ?

ORY-IRV

Creative Commons License

Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍‍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.

Bridge Connectivity Solutions Pvt. Ltd.
Lean sinn:



Sanasan