ଗୀତସଂହିତା 52 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NTପରମେଶ୍ୱରଙ୍କ ବିଚାର ଓ ଅନୁଗ୍ରହ ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ମସ୍କୀଲ୍; ଦାଉଦ ଅହୀମେଲକ୍ର ଗୃହକୁ ଆସିଅଛନ୍ତି ବୋଲି ଇଦୋମୀୟ ଦୋୟେଗ୍ ଶାଉଲଙ୍କୁ ସମ୍ବାଦ ଦେବା ବେଳେ ରଚିତ। 1 ହେ ବୀର, ତୁମ୍ଭେ ଅନିଷ୍ଟ କର୍ମରେ କାହିଁକି ଦର୍ପ କରୁଅଛ? 2 ପରମେଶ୍ୱରଙ୍କ ଦୟା ନିତ୍ୟସ୍ଥାୟୀ। ତୁମ୍ଭର ଜିହ୍ୱା ନିତାନ୍ତ ଦୁଷ୍ଟତା କଳ୍ପନା କରି ତୀକ୍ଷ୍ଣ କ୍ଷୁର ତୁଲ୍ୟ ପ୍ରବଞ୍ଚନାପୂର୍ବକ କାର୍ଯ୍ୟ କରୁଅଛି। 3 ତୁମ୍ଭେ ସୁକର୍ମ ଅପେକ୍ଷା କୁକର୍ମକୁ ଓ ଧର୍ମ କଥା ଅପେକ୍ଷା ମିଥ୍ୟା କଥାକୁ ଅଧିକ ଭଲ ପାଉଅଛ। [ସେଲା] 4 ହେ ପ୍ରବଞ୍ଚନାପୂର୍ଣ୍ଣ ଜିହ୍ୱେ, ତୁମ୍ଭେ ଯାବତୀୟ ବିନାଶକ କଥା ଭଲ ପାଉଅଛ। 5 ପରମେଶ୍ୱର ତଦ୍ରୂପ ତୁମ୍ଭକୁ ସଦାକାଳ ବିନାଶ କରିବେ, ସେ ତୁମ୍ଭକୁ ଧରି ତୁମ୍ଭ ତମ୍ବୁକୁ ଟାଣି ନେବେ ଓ ଜୀବିତମାନଙ୍କ ଦେଶରୁ ତୁମ୍ଭର ମୂଳୋତ୍ପାଟନ କରିବେ। [ସେଲା] 6 ଧାର୍ମିକମାନେ ମଧ୍ୟ ତାହା ଦେଖି ଭୟ କରିବେ ଓ ତାହା ପ୍ରତି ଉପହାସ କରି କହିବେ, 7 “ଦେଖ, ଏହି ଲୋକ ପରମେଶ୍ୱରଙ୍କୁ ଆପଣାର ବଳ ସ୍ୱରୂପ କଲା ନାହିଁ; ମାତ୍ର ଆପଣା ଧନର ବାହୁଲ୍ୟରେ ନିର୍ଭର କଲା। ପୁଣି, ଆପଣା ଦୁଷ୍ଟତାରେ ଆପଣାକୁ ବଳବାନ କଲା।” 8 ମାତ୍ର ମୁଁ ପରମେଶ୍ୱରଙ୍କ ଗୃହରେ ସତେଜ ଜୀତବୃକ୍ଷ ତୁଲ୍ୟ ଅଛି। ମୁଁ ଅନନ୍ତକାଳ ପରମେଶ୍ୱରଙ୍କ ଦୟାରେ ବିଶ୍ୱାସ କଲି। 9 ତୁମ୍ଭେ ଏହି କାର୍ଯ୍ୟ ସାଧନ କରିବା ସକାଶୁ ମୁଁ ସଦାକାଳ ତୁମ୍ଭକୁ ଧନ୍ୟବାଦ ଦେବି; ମୁଁ ତୁମ୍ଭ ସଦ୍ଭକ୍ତମାନଙ୍କ ସାକ୍ଷାତରେ ତୁମ୍ଭ ନାମର ଅନୁସରଣ କରିବି, ଯେହେତୁ ତାହା ଉତ୍ତମ। |
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Bridge Connectivity Solutions Pvt. Ltd.