ଗୀତସଂହିତା 47 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NTସର୍ବୋପରିସ୍ଥ ଅଧିପତି ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ। 1 ହେ ସର୍ବଗୋଷ୍ଠୀୟମାନେ, କରତାଳି ଦିଅ; ଆନନ୍ଦ-ସ୍ୱରରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର। 2 କାରଣ ସର୍ବୋପରିସ୍ଥ ସଦାପ୍ରଭୁ ଭୟଙ୍କର ଅଟନ୍ତି; ସେ ସମୁଦାୟ ପୃଥିବୀ ଉପରେ ମହାନ ରାଜା। 3 ସେ ଗୋଷ୍ଠୀସମୂହକୁ ଆମ୍ଭମାନଙ୍କର ବଶୀଭୂତ କରିବେ ଓ ଦେଶୀୟଗଣକୁ ଆମ୍ଭମାନଙ୍କର ପଦତଳସ୍ଥ କରିବେ। 4 ସେ ଆମ୍ଭମାନଙ୍କ ନିମନ୍ତେ ଆମ୍ଭମାନଙ୍କ ଅଧିକାର ମନୋନୀତ କରିବେ, ତାହା ହିଁ ତାହାଙ୍କ ପ୍ରିୟପାତ୍ର ଯାକୁବର ଗୌରବ ସ୍ୱରୂପ। [ସେଲା] 5 ପରମେଶ୍ୱର ଜୟଧ୍ୱନିରେ, ସଦାପ୍ରଭୁ ତୂରୀଧ୍ୱନିରେ ଊର୍ଦ୍ଧ୍ୱକୁ ବିଜେ କରିଅଛନ୍ତି। 6 ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, ପ୍ରଶଂସା ଗାନ କର; ଆମ୍ଭମାନଙ୍କ ରାଜାଙ୍କ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, ପ୍ରଶଂସା ଗାନ କର। 7 କାରଣ ପରମେଶ୍ୱର ସମୁଦାୟ ପୃଥିବୀର ରାଜା ଅଟନ୍ତି; ତୁମ୍ଭେମାନେ ପ୍ରବୋଧଜନକ ପ୍ରଶଂସା ଗାନ କର। 8 ପରମେଶ୍ୱର ଗୋଷ୍ଠୀବର୍ଗ ଉପରେ ରାଜତ୍ୱ କରନ୍ତି; ପରମେଶ୍ୱର ଆପଣା ପବିତ୍ର ସିଂହାସନରେ ଉପବିଷ୍ଟ। 9 ଅବ୍ରହାମର ପରମେଶ୍ୱରଙ୍କ ଲୋକ ହେବା ନିମନ୍ତେ ଗୋଷ୍ଠୀୟମାନଙ୍କର ଅଧିପତିଗଣ ଏକତ୍ରିତ ହୋଇଅଛନ୍ତି। କାରଣ ପୃଥିବୀର ଢାଲସବୁ ପରମେଶ୍ୱରଙ୍କର; ସେ ଅତିଶୟ ଉନ୍ନତ ଅଟନ୍ତି। |
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Bridge Connectivity Solutions Pvt. Ltd.