ଗୀତସଂହିତା 42 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NTଦ୍ୱିତୀୟ ଖଣ୍ଡ ୪୨:୧-୭୨:୨୦ ନିର୍ବାସିତର ପ୍ରାର୍ଥନା (୧) ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ମସ୍କୀଲ୍ (ପ୍ରବୋଧନ)। 1 ହରିଣୀ ଯେପରି ଜଳସ୍ରୋତ ପାଇଁ ଧକାଏ, ସେହିପରି ହେ ପରମେଶ୍ୱର, ମୋʼ ପ୍ରାଣ ତୁମ୍ଭ ପାଇଁ ଧକାଏ। 2 ପରମେଶ୍ୱରଙ୍କ ନିମନ୍ତେ, ଜୀବିତ ପରମେଶ୍ୱରଙ୍କ ନିମନ୍ତେ ମୋʼ ପ୍ରାଣ ତୃଷିତ; ମୁଁ କେବେ ଆସି ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେବି? 3 ମୋହର ଲୋତକ ଦିବାରାତ୍ର ମୋହର ଭକ୍ଷ୍ୟ ହୋଇଅଛି, କାରଣ ଲୋକମାନେ ନିତ୍ୟ ମୋତେ କହନ୍ତି, “ତୁମ୍ଭର ପରମେଶ୍ୱର କାହାନ୍ତି?” 4 ମୁଁ କିପରି ଲୋକସମୂହ ସହିତ ଯାତ୍ରା କଲି, ପୁଣି, ଆନନ୍ଦ ଓ ପ୍ରଶଂସାଧ୍ୱନି ସହିତ ପର୍ବପାଳନକାରୀ ଜନତାକୁ ପରମେଶ୍ୱରଙ୍କ ଗୃହକୁ ଘେନିଗଲି, ଏହି କଥାସବୁ ସ୍ମରଣ କରି ମୁଁ ଆପଣା ପ୍ରାଣ ଆପଣା ଅନ୍ତରରେ ଢାଳି ଦେଉଅଛି। 5 ହେ ମୋହର ପ୍ରାଣ, ତୁ କାହିଁକି ଶୋକାକୁଳ ହେଉଅଛୁ? ତୁ କାହିଁକି ମୋʼ ଅନ୍ତରରେ ଅସ୍ଥିର ହେଉଅଛୁ? ପରମେଶ୍ୱରଙ୍କଠାରେ ଭରସା ରଖ; କାରଣ ମୁଁ ତାହାଙ୍କ ପ୍ରସନ୍ନତାର ସାହାଯ୍ୟ ସକାଶୁ ପୁନର୍ବାର ତାହାଙ୍କର ପ୍ରଶଂସା କରିବି। 6 ହେ ମୋହର ପରମେଶ୍ୱର, ମୋହର ପ୍ରାଣ ମୋʼ ଅନ୍ତରରେ ଶୋକାକୁଳ ହେଉଅଛି; ଏଥିପାଇଁ ମୁଁ ଯର୍ଦ୍ଦନ ଦେଶରୁ, ପୁଣି, ହର୍ମୋଣ ଓ ମିତ୍ସୀୟର ପର୍ବତରୁ ତୁମ୍ଭକୁ ସ୍ମରଣ କରୁଅଛି। 7 ତୁମ୍ଭ ନିର୍ଝର ସମୂହର ଶବ୍ଦରେ ଏକ ଗଭୀର ଅନ୍ୟ ଗଭୀରକୁ ଡାକଇ, ତୁମ୍ଭର ଢେଉ ଓ ତରଙ୍ଗସବୁ ମୋʼ ଉପରେ ଯାଇଅଛି। 8 ତଥାପି ସଦାପ୍ରଭୁ ଦିନ ବେଳେ ଆପଣା ସ୍ନେହପୂର୍ଣ୍ଣ କରୁଣା ଆଜ୍ଞା କରିବେ, ପୁଣି, ରାତ୍ରିକାଳେ ତାହାଙ୍କ ଗୁଣଗାନ ଓ ଆମ୍ଭ ଜୀବନଦାତା ପରମେଶ୍ୱରଙ୍କ ପ୍ରତି ପ୍ରାର୍ଥନା ମୋହର ସଙ୍ଗୀ ହେବ। 9 ମୁଁ ଆପଣା ଶୈଳ ସ୍ୱରୂପ ପରମେଶ୍ୱରଙ୍କୁ କହିବି, “ତୁମ୍ଭେ କାହିଁକି ମୋତେ ପାସୋରିଅଛ? ମୁଁ କାହିଁକି ଶତ୍ରୁର ଦୌରାତ୍ମ୍ୟ ହେତୁ ଶୋକ କରି ବୁଲୁଅଛି?” 10 ମୋʼ ଅସ୍ଥିରେ ଖଡ୍ଗ ପରି ମୋʼ ବିପକ୍ଷଗଣ ମୋତେ ତିରସ୍କାର କରନ୍ତି; କାରଣ ସେମାନେ ନିତ୍ୟ ମୋତେ କହନ୍ତି, ତୁମ୍ଭର ପରମେଶ୍ୱର କାହାନ୍ତି? 11 ହେ ମୋହର ପ୍ରାଣ, ତୁମ୍ଭେ କାହିଁକି ଶୋକାକୁଳ ହେଉଅଛ? ପୁଣି, ତୁମ୍ଭେ କାହିଁକି ମୋʼ ଅନ୍ତରରେ ଅସ୍ଥିର ହେଉଅଛ? ତୁମ୍ଭେ ପରମେଶ୍ୱରଙ୍କଠାରେ ଭରସା ରଖ; କାରଣ ମୁଁ ପୁନର୍ବାର ତାହାଙ୍କର ପ୍ରଶଂସା କରିବି, ସେ ମୋʼ ମୁଖର ପ୍ରସନ୍ନତା ଓ ମୋହର ପରମେଶ୍ୱର ଅଟନ୍ତି। |
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Bridge Connectivity Solutions Pvt. Ltd.