ଗୀତସଂହିତା 37 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NTଦୁଷ୍ଟର ଦୁର୍ଦ୍ଦଶା ଓ ସନ୍ଥର ସୁଦଶା ଦାଉଦଙ୍କର ଗୀତ। 1 ତୁମ୍ଭେ ଦୁଷ୍କର୍ମକାରୀମାନଙ୍କ ସକାଶୁ ଆପଣାକୁ ବିରକ୍ତ କର ନାହିଁ, କିଅବା ଅଧର୍ମାଚାରୀମାନଙ୍କ ପ୍ରତି ଈର୍ଷାଭାବ ବହ ନାହିଁ। 2 କାରଣ ସେମାନେ ଘାସ ପରି ଶୀଘ୍ର କଟାଯିବେ ଓ କୋମଳ ତୃଣ ପରି ଶୁଷ୍କ ହେବେ। 3 ସଦାପ୍ରଭୁଙ୍କଠାରେ ନିର୍ଭର ରଖି ସୁକର୍ମ କର; ଦେଶରେ ବାସ କରି ବିଶ୍ୱସ୍ତତାର ଅନୁଗାମୀ ହୁଅ। 4 ମଧ୍ୟ ସଦାପ୍ରଭୁଙ୍କଠାରେ ଆନନ୍ଦ କର; ତହିଁରେ ସେ ତୁମ୍ଭର ମନୋବାଞ୍ଛା ପୂର୍ଣ୍ଣ କରିବେ। 5 ସଦାପ୍ରଭୁଙ୍କଠାରେ ତୁମ୍ଭର ଗତି ସମର୍ପଣ କର; ମଧ୍ୟ ତାହାଙ୍କଠାରେ ନିର୍ଭର ରଖ, ତହିଁରେ ସେ ତାହା ସଫଳ କରିବେ। 6 ଆଉ, ସେ ଦୀପ୍ତି ତୁଲ୍ୟ ତୁମ୍ଭର ଧର୍ମ ଓ ମଧ୍ୟାହ୍ନ ତୁଲ୍ୟ ତୁମ୍ଭର ବିଚାର ପ୍ରକାଶ କରାଇବେ। 7 ସଦାପ୍ରଭୁଙ୍କଠାରେ ସୁସ୍ଥିର ହୁଅ ଓ ଧୈର୍ଯ୍ୟ ଧରି ତାହାଙ୍କ ଅପେକ୍ଷାରେ ରୁହ; ଯେ ନିଜ ମାର୍ଗରେ କୃତକାର୍ଯ୍ୟ ହୁଏ, ଯେଉଁ ଜନ କୁସଂକଳ୍ପ ସାଧନ କରେ, ତାହା ସକାଶୁ ଆପଣାକୁ ବିରକ୍ତ କର ନାହିଁ। 8 କ୍ରୋଧରୁ କ୍ଷାନ୍ତ ହୁଅ ଓ କୋପ ତ୍ୟାଗ କର; ଆପଣାକୁ ବିରକ୍ତ କର ନାହିଁ, ତାହା କେବଳ ଦୁଷ୍କର୍ମ କରିବାକୁ ପ୍ରବର୍ତ୍ତାଏ। 9 କାରଣ ଦୁଷ୍କର୍ମକାରୀମାନେ ଉଚ୍ଛିନ୍ନ ହେବେ; ମାତ୍ର ସଦାପ୍ରଭୁଙ୍କ ଅପେକ୍ଷାକାରୀମାନେ ଦେଶାଧିକାରୀ ହେବେ। 10 ଆଉ, ଅଳ୍ପକ୍ଷଣ ଉତ୍ତାରେ ଦୁଷ୍ଟ ଲୋକ ନ ଥିବ; ତୁମ୍ଭେ ଯତ୍ନପୂର୍ବକ ତାହାର ସ୍ଥାନ ତତ୍ତ୍ୱ କରିବ, ଆଉ ସେ ନ ଥିବ। 11 ମାତ୍ର ନମ୍ର ଲୋକମାନେ ଦେଶ ଅଧିକାର କରିବେ ଓ ଶାନ୍ତିର ବାହୁଲ୍ୟରେ ଆପଣା ଆପଣାକୁ ଆନନ୍ଦିତ କରିବେ। 12 ଦୁଷ୍ଟ ଧାର୍ମିକର ପ୍ରତିକୂଳରେ କୁକଳ୍ପନା କରେ ଓ ତାହା ଉପରେ ଦନ୍ତ କଡ଼ମଡ଼ କରେ। 13 ପ୍ରଭୁ ତାହାକୁ ଉପହାସ କରିବେ। କାରଣ ତାହାର ଅନ୍ତିମ ଦିନ ଯେ ଆସୁଅଛି, ଏହା ସେ ଦେଖନ୍ତି। 14 ଦୁଃଖୀ ଓ ଦୀନହୀନକୁ ନିପାତ କରିବା ପାଇଁ, ସରଳ ପଥଗାମୀମାନଙ୍କୁ ବଧ କରିବା ପାଇଁ ଦୁଷ୍ଟମାନେ ଆପଣା ଆପଣା ଖଡ୍ଗ ନିଷ୍କୋଷ କରି ଧନୁ ନୁଆଁଇ ଅଛନ୍ତି। 15 ସେମାନଙ୍କ ଖଡ୍ଗ ସେମାନଙ୍କ ନିଜ ହୃଦୟରେ ପ୍ରବେଶ କରିବ ଓ ସେମାନଙ୍କ ଧନୁ ଭଙ୍ଗାଯିବ। 16 ଅନେକ ଦୁଷ୍ଟ ଲୋକର ପ୍ରଚୁର ସମ୍ପତ୍ତି ଅପେକ୍ଷା ଧାର୍ମିକ ଲୋକର ଅଳ୍ପ ସମ୍ପତ୍ତି ଭଲ। 17 କାରଣ ଦୁଷ୍ଟର ବାହୁ ଭଙ୍ଗାଯିବ, ମାତ୍ର ସଦାପ୍ରଭୁ ଧାର୍ମିକକୁ ଧରି ରଖିବେ। 18 ସଦାପ୍ରଭୁ ସିଦ୍ଧ ଲୋକମାନଙ୍କ ଦିନସବୁ ଜାଣନ୍ତି ଓ ସେମାନଙ୍କ ଅଧିକାର ଅନନ୍ତକାଳସ୍ଥାୟୀ ହେବ। 19 ସେମାନେ ବିପଦ ସମୟରେ ଲଜ୍ଜିତ ହେବେ ନାହିଁ; ପୁଣି, ଦୁର୍ଭିକ୍ଷ ସମୟରେ ସେମାନେ ପରିତୃପ୍ତ ହେବେ। 20 ମାତ୍ର ଦୁଷ୍ଟମାନେ ବିନଷ୍ଟ ହେବେ, ପୁଣି, ସଦାପ୍ରଭୁଙ୍କ ଶତ୍ରୁମାନେ ଚରାସ୍ଥାନରେ ଶୋଭା ସ୍ୱରୂପ ହେବେ; ସେମାନେ ନିଃଶେଷିତ ହେବେ; ସେମାନେ ଧୂମରେ ନିଃଶେଷିତ ହୋଇଯିବେ। 21 ଦୁଷ୍ଟ ଲୋକ ଋଣ କରି ପରିଶୋଧ କରେ ନାହିଁ। ମାତ୍ର ଧାର୍ମିକ ଲୋକ ଦୟା ବ୍ୟବହାର କରି ଦାନ କରେ। 22 କାରଣ ତାହାଙ୍କର ଆଶୀର୍ବାଦ ପ୍ରାପ୍ତ ଲୋକେ ଦେଶାଧିକାର କରିବେ; ପୁଣି, ତାହାଙ୍କର ଅଭିଶପ୍ତ ଲୋକେ ଉଚ୍ଛିନ୍ନ ହେବେ 23 ସଦାପ୍ରଭୁଙ୍କ ଦ୍ୱାରା ମନୁଷ୍ୟର ଗତି ସ୍ଥିରୀକୃତ ହୁଏ ଓ ସେ ତାହାର ପଥରେ ସନ୍ତୁଷ୍ଟ ହୁଅନ୍ତି। 24 ସେ ପତିତ ହେଲେ ହେଁ ଭୂମିଶାୟୀ ହେବ ନାହିଁ; କାରଣ ସଦାପ୍ରଭୁ ସ୍ୱହସ୍ତରେ ତାହାକୁ ଧରି ରଖନ୍ତି। 25 ମୁଁ ଯୁବା ଥିଲି, ଏବେ ବୃଦ୍ଧ ହୋଇଅଛି; ତଥାପି ମୁଁ ଧାର୍ମିକକୁ ପରିତ୍ୟକ୍ତ, ଅବା ତାହାର ବଂଶକୁ ଖାଦ୍ୟ ଭିକ୍ଷା କରିବାର ଦେଖି ନାହିଁ। 26 ସେ ସାରାଦିନ ଦୟା ବ୍ୟବହାର କରି ଉଧାର ଦିଏ; ପୁଣି, ତାହାର ସନ୍ତାନଗଣ ଆଶୀର୍ବାଦ ପାଆନ୍ତି। 27 ମନ୍ଦଠାରୁ ଦୂର ହୁଅ ଓ ସୁକର୍ମ କର; ତେବେ ତୁମ୍ଭେ ଅନନ୍ତକାଳ ବାସ କରିବ। 28 କାରଣ ସଦାପ୍ରଭୁ ନ୍ୟାୟବିଚାର ଭଲ ପାଆନ୍ତି ଓ ଆପଣା ସଦ୍ଭକ୍ତମାନଙ୍କୁ ପରିତ୍ୟାଗ କରନ୍ତି ନାହିଁ; ସେମାନେ ଅନନ୍ତକାଳ ରକ୍ଷିତ ହୁଅନ୍ତି; ମାତ୍ର ଦୁଷ୍ଟର ବଂଶ ଉଚ୍ଛିନ୍ନ ହେବେ। 29 ଧାର୍ମିକ ଦେଶାଧିକାର କରିବ ଓ ସଦାକାଳ ତହିଁରେ ବାସ କରିବ। 30 ଧାର୍ମିକର ମୁଖ ଜ୍ଞାନର କଥା କହେ ଓ ତାହାର ଜିହ୍ୱା ନ୍ୟାୟ ବିଚାରର କଥା କହେ। 31 ତାହାର ପରମେଶ୍ୱରଙ୍କ ବ୍ୟବସ୍ଥା ତାହାର ଅନ୍ତରରେ ଅଛି; ତାହାର କୌଣସି ପାଦଗତି ଖସିଯିବ ନାହିଁ। 32 ଦୁଷ୍ଟ ଲୋକ ଧାର୍ମିକକୁ ଜଗି ବସେ ଓ ତାହାକୁ ବଧ କରିବାକୁ ଚେଷ୍ଟା କରେ। 33 ସଦାପ୍ରଭୁ ତାହାର ହସ୍ତରେ ତାହାକୁ ଛାଡ଼ି ଦେବେ ନାହିଁ; କିଅବା ସେ ବିଚାରିତ ହେବା ବେଳେ ତାହାକୁ ଦୋଷୀ କରିବେ ନାହିଁ। 34 ସଦାପ୍ରଭୁଙ୍କର ଅନୁସରଣ କର ଓ ତାହାଙ୍କ ପଥ ରକ୍ଷା କର, ତହିଁରେ ସେ ତୁମ୍ଭକୁ ଦେଶାଧିକାର ନିମନ୍ତେ ଉନ୍ନତ କରିବେ; ଦୁଷ୍ଟମାନେ ଉଚ୍ଛିନ୍ନ ହେବା ସମୟରେ ତୁମ୍ଭେ ତାହା ଦେଖିବ। 35 ମୁଁ ଦୁଷ୍ଟକୁ ମହାକ୍ଷମତାପନ୍ନ ଓ ସ୍ୱଭୂମିରେ ସତେଜ ବୃକ୍ଷ ତୁଲ୍ୟ ଆପଣାକୁ ପ୍ରସାରିବାର ଦେଖିଅଛି। 36 ମାତ୍ର ଜଣେ ନିକଟ ଦେଇ ଗଲା, ଆଉ ଦେଖ, ସେ ନ ଥିଲା; ଆହୁରି, ମୁଁ ତାହାର ଅନ୍ୱେଷଣ କଲି, ମାତ୍ର ତାହାର ଉଦ୍ଦେଶ୍ୟ ମିଳିଲା ନାହିଁ। 37 ସିଦ୍ଧ ଲୋକକୁ ଲକ୍ଷ୍ୟ କର ଓ ସରଳ ଲୋକକୁ ନିରୀକ୍ଷଣ କର; କାରଣ ଶାନ୍ତିପ୍ରିୟ ଲୋକର ଶେଷ ଫଳ ଅଛି। 38 ମାତ୍ର ଅଧର୍ମାଚାରୀମାନେ ଏକାବେଳେ ବିନଷ୍ଟ ହେବେ; ଦୁଷ୍ଟର ଶେଷ ଫଳ ଉଚ୍ଛିନ୍ନ ହେବ। 39 ମାତ୍ର ସଦାପ୍ରଭୁଙ୍କଠାରୁ ଧାର୍ମିକ ଲୋକର ପରିତ୍ରାଣ ହୁଏ; ସେ ସଙ୍କଟ ସମୟରେ ସେମାନଙ୍କର ଦୃଢ଼ ଦୁର୍ଗ ଅଟନ୍ତି। 40 ପୁଣି, ସଦାପ୍ରଭୁ ସେମାନଙ୍କର ସାହାଯ୍ୟ କରନ୍ତି ଓ ସେମାନଙ୍କୁ ରକ୍ଷା କରନ୍ତି; ସେ ଦୁଷ୍ଟମାନଙ୍କଠାରୁ ସେମାନଙ୍କୁ ରକ୍ଷା କରି ପରିତ୍ରାଣ କରନ୍ତି, କାରଣ ସେମାନେ ତାହାଙ୍କର ଶରଣାଗତ। |
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Bridge Connectivity Solutions Pvt. Ltd.