ଗୀତସଂହିତା 20 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NTବିଜୟ ପାଇଁ ପ୍ରାର୍ଥନା ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। 1 ସଦାପ୍ରଭୁ ସଙ୍କଟ ଦିନରେ ତୁମ୍ଭକୁ ଉତ୍ତର ଦେଉନ୍ତୁ; ଯାକୁବର ପରମେଶ୍ୱରଙ୍କ ନାମ ତୁମ୍ଭକୁ ରକ୍ଷା ସ୍ଥାପନ କରନ୍ତୁ; 2 ସେ ପବିତ୍ର ସ୍ଥାନରୁ ତୁମ୍ଭର ସାହାଯ୍ୟ ପଠାଉନ୍ତୁ, ସିୟୋନଠାରୁ ତୁମ୍ଭକୁ ବଳବାନ କରନ୍ତୁ; 3 ତୁମ୍ଭର ନୈବେଦ୍ୟସବୁ ସ୍ମରଣ କରନ୍ତୁ, ପୁଣି, ତୁମ୍ଭର ହୋମବଳି ଗ୍ରହଣ କରନ୍ତୁ; [ସେଲା] 4 ତୁମ୍ଭର ମନୋବାଞ୍ଛା ପୂର୍ଣ୍ଣ କରନ୍ତୁ ଓ ତୁମ୍ଭର ଯୋଜନାସବୁ ସଫଳ କରନ୍ତୁ। 5 ଆମ୍ଭେମାନେ ତୁମ୍ଭ ପରିତ୍ରାଣରେ ଜୟଧ୍ୱନି କରିବୁ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନାମରେ ଆମ୍ଭେମାନେ ଧ୍ୱଜା ସ୍ଥାପନ କରିବୁ; ସଦାପ୍ରଭୁ ତୁମ୍ଭର ସବୁ ନିବେଦନ ସିଦ୍ଧ କରନ୍ତୁ। 6 ଏବେ ମୁଁ ଜାଣୁଅଛି ଯେ, ସଦାପ୍ରଭୁ ଆପଣା ଅଭିଷିକ୍ତଙ୍କୁ ଉଦ୍ଧାର କରନ୍ତି, ସେ ଆପଣା ଡାହାଣ ହସ୍ତର ତ୍ରାଣ ଶକ୍ତିରେ ନିଜ ପବିତ୍ର ସ୍ୱର୍ଗରୁ ତାହାକୁ ଉତ୍ତର ଦେବେ। 7 କେହି କେହି ରଥରେ ଓ କେହି କେହି ଅଶ୍ୱରେ ନିର୍ଭର କରନ୍ତି; ମାତ୍ର ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଶକ୍ତିରେ ନିର୍ଭର କରୁ। 8 ସେମାନେ ନତ ହୋଇ ପତିତ ହୋଇଅଛନ୍ତି; ମାତ୍ର ଆମ୍ଭେମାନେ ଉଠି ସଳଖ ଠିଆ ହେଉଅଛୁ। 9 ହେ ସଦାପ୍ରଭୋ, ପରିତ୍ରାଣ କର; ଆମ୍ଭେମାନେ ଡାକିବା ବେଳେ ରାଜା ଆମ୍ଭମାନଙ୍କୁ ଉତ୍ତର ଦେଉନ୍ତୁ। |
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Bridge Connectivity Solutions Pvt. Ltd.