ଗୀତସଂହିତା 146 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NTତ୍ରାଣକର୍ତ୍ତା ପ୍ରଭୁଙ୍କ ସ୍ତୁତିଗାନ 1 ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ହେ ମୋହର ମନ, ସଦାପ୍ରଭୁଙ୍କର ପ୍ରଶଂସା କର। 2 ମୁଁ ବଞ୍ଚିଥିବା ଯାଏ ସଦାପ୍ରଭୁଙ୍କର ପ୍ରଶଂସା କରିବି; ଯେପର୍ଯ୍ୟନ୍ତ ମୋହର କୌଣସି ସତ୍ତା ଥାଏ, ସେପର୍ଯ୍ୟନ୍ତ ମୁଁ ଆପଣା ପରମେଶ୍ୱରଙ୍କର ପ୍ରଶଂସା ଗାନ କରିବି। 3 ତୁମ୍ଭେମାନେ ଅଧିପତିମାନଙ୍କ ଉପରେ, କିଅବା ଯାହାଠାରେ କୌଣସି ସାହାଯ୍ୟ ନାହିଁ, ଏପରି ମନୁଷ୍ୟ-ସନ୍ତାନ ଉପରେ ନିର୍ଭର କର ନାହିଁ। 4 ତାହାର ନିଃଶ୍ୱାସ ବାହାରି ଯାଏ, ସେ ନିଜ ମୃତ୍ତିକାକୁ ଫେରିଯାଏ; ସେହି ଦିନ ତାହାର ସଂକଳ୍ପସବୁ ନଷ୍ଟ ହୁଏ। 5 ଯାକୁବର ପରମେଶ୍ୱର ଯାହାର ସାହାଯ୍ୟ ସ୍ୱରୂପ, ସଦାପ୍ରଭୁ ଆପଣା ପରମେଶ୍ୱର ଯାହାର ଆଶାଭୂମି, ସେ ଲୋକ ଧନ୍ୟ; 6 ସେ ଆକାଶମଣ୍ଡଳ ଓ ପୃଥିବୀ, ସମୁଦ୍ର ଓ ତନ୍ମଧ୍ୟସ୍ଥସକଳ ନିର୍ମାଣ କଲେ; ସେ ସଦାକାଳ ସତ୍ୟ ପାଳନ କରନ୍ତି; 7 ସେ ଉପଦ୍ରବଗ୍ରସ୍ତ ଲୋକ ପକ୍ଷରେ ନ୍ୟାୟବିଚାର କରନ୍ତି; ସେ କ୍ଷୁଧିତକୁ ଭକ୍ଷ୍ୟ ଦିଅନ୍ତି; ସଦାପ୍ରଭୁ ବନ୍ଦୀଗଣକୁ ମୁକ୍ତ କରନ୍ତି। 8 ସଦାପ୍ରଭୁ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ କରନ୍ତି; ସଦାପ୍ରଭୁ ନଇଁ ପଡ଼ିବା ଲୋକମାନଙ୍କୁ ଉଠାନ୍ତି; ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି। 9 ସଦାପ୍ରଭୁ ବିଦେଶୀମାନଙ୍କୁ ରକ୍ଷା କରନ୍ତି; ସେ ପିତୃହୀନ ଓ ବିଧବାକୁ ଧରି ରଖନ୍ତି; ମାତ୍ର ଦୁଷ୍ଟମାନଙ୍କର ଗତି ସେ ଓଲଟାଇ ପକାନ୍ତି। 10 ସଦାପ୍ରଭୁ ଅନନ୍ତକାଳ ରାଜ୍ୟ କରିବେ, ହେ ସିୟୋନ, ତୁମ୍ଭର ପରମେଶ୍ୱର ସକଳ ପୁରୁଷାନୁକ୍ରମରେ ରାଜ୍ୟ କରିବେ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। |
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Bridge Connectivity Solutions Pvt. Ltd.