ଗୀତସଂହିତା 138 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NTଧନ୍ୟବାଦ ସ୍ତୁତି ଦାଉଦଙ୍କର ଗୀତ। 1 ହେ ସଦାପ୍ରଭୁ, ମୁଁ ଆପଣାର ସର୍ବାନ୍ତଃକରଣରେ ତୁମ୍ଭର ଧନ୍ୟବାଦ କରିବି; ଦେବଗଣ ସାକ୍ଷାତରେ ମୁଁ ତୁମ୍ଭ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି। 2 ମୁଁ ତୁମ୍ଭ ପବିତ୍ର ମନ୍ଦିର ଅଭିମୁଖରେ ତୁମ୍ଭର ଭଜନା କରିବି, ପୁଣି, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ତୁମ୍ଭର ସତ୍ୟତା ସକାଶେ ତୁମ୍ଭ ନାମର ଧନ୍ୟବାଦ କରିବି। କାରଣ ତୁମ୍ଭେ ଆପଣାର ସକଳ ନାମ ଅପେକ୍ଷା ଆପଣାର ବାକ୍ୟ ମହତ କରିଅଛ। 3 ମୁଁ ପ୍ରାର୍ଥନା କରିବା ଦିନ ତୁମ୍ଭେ ମୋତେ ଉତ୍ତର ଦେଲ, ତୁମ୍ଭେ ମୋʼ ପ୍ରାଣକୁ ବଳ ଦେଇ ସାହସିକ କଲ। 4 ହେ ସଦାପ୍ରଭୋ, ପୃଥିବୀସ୍ଥ ସମସ୍ତ ରାଜା ତୁମ୍ଭର ଧନ୍ୟବାଦ କରିବେ, କାରଣ ସେମାନେ ତୁମ୍ଭ ମୁଖର ବାକ୍ୟ ଶୁଣିଅଛନ୍ତି। 5 ହଁ, ସେମାନେ ସଦାପ୍ରଭୁଙ୍କ ପଥ ବିଷୟ ଗାନ କରିବେ; କାରଣ ସଦାପ୍ରଭୁଙ୍କ ଗୌରବ ମହତ୍। 6 ଯେହେତୁ ସଦାପ୍ରଭୁ ଉଚ୍ଚ ହେଲେ ହେଁ ନୀଚ ଲୋକଙ୍କ ପ୍ରତି ଦୃଷ୍ଟି କରନ୍ତି; ମାତ୍ର ସେ ଗର୍ବୀକୁ ଦୂରରୁ ଚିହ୍ନନ୍ତି। 7 ମୁଁ ସଙ୍କଟ ମଧ୍ୟରେ ଗମନ କଲେ ହେଁ ତୁମ୍ଭେ ମୋତେ ସୁରକ୍ଷିତ ରଖିବ, ତୁମ୍ଭେ ମୋʼ ଶତ୍ରୁଗଣର କୋପ ପ୍ରତିକୂଳରେ ଆପଣା ହସ୍ତ ବିସ୍ତାର କରିବ ଓ ତୁମ୍ଭ ଦକ୍ଷିଣ ହସ୍ତ ମୋତେ ତ୍ରାଣ କରିବ। 8 ସଦାପ୍ରଭୁ ମୋʼ ସମ୍ପର୍କୀୟ ବିଷୟ ସାଧନ କରିବେ; ହେ ସଦାପ୍ରଭୋ, ତୁମ୍ଭ ଦୟା ଅନନ୍ତକାଳସ୍ଥାୟୀ; ତୁମ୍ଭେ ଆପଣା ହସ୍ତକୃତ କର୍ମ ପରିତ୍ୟାଗ କର ନାହିଁ। |
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Bridge Connectivity Solutions Pvt. Ltd.