ଗୀତସଂହିତା 137 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NTନିର୍ବାସିତ ଇସ୍ରାଏଲୀୟମାନଙ୍କ ବିଳାପ 1 ଆମ୍ଭେମାନେ ବାବିଲୀୟ ନଦୀମାନର ନିକଟରେ ସିୟୋନକୁ ସ୍ମରଣ କଲା ବେଳେ ସେଠାରେ ବସିଲୁ ଓ ରୋଦନ କଲୁ। 2 ଆମ୍ଭେମାନେ ସେଠାସ୍ଥିତ ବାଇଶୀ ବୃକ୍ଷରେ ଆପଣା ଆପଣା ବୀଣା ଟଙ୍ଗାଇ ରଖିଲୁ। 3 କାରଣ ଆମ୍ଭମାନଙ୍କୁ ବନ୍ଦୀ କରି ଘେନି ଯାଇଥିବା ଲୋକେ ଆମ୍ଭମାନଙ୍କଠାରୁ ଗୀତ ଶୁଣିବାକୁ ଚାହିଁଲେ, ପୁଣି, ଆମ୍ଭମାନଙ୍କ ଉପଦ୍ରବୀଗଣ ଆମ୍ଭମାନଙ୍କଠାରୁ ଆନନ୍ଦ-ସ୍ୱର ଶୁଣିବାକୁ ଇଚ୍ଛା କରି କହିଲେ, “ଆମ୍ଭମାନଙ୍କ ନିକଟରେ ସିୟୋନର ଗୋଟିଏ ଗୀତ ଗାନ କର।” 4 ଆମ୍ଭେମାନେ ବିଦେଶରେ କିପରି କରି ସଦାପ୍ରଭୁଙ୍କ ଗୀତ ଗାନ କରିବା? 5 ହେ ଯିରୂଶାଲମ, ଯଦି ମୁଁ ତୁମ୍ଭକୁ ପାସୋରେ, ତେବେ ମୋହର ଦକ୍ଷିଣ ହସ୍ତ ଆପଣା ବଜାଇବା କୌଶଳ ପାସୋରି ଯାଉ। 6 ଯଦି ମୁଁ ତୁମ୍ଭଙ୍କୁ ସ୍ମରଣ ନ କରେ, ଯଦି ମୁଁ ଯିରୂଶାଲମକୁ ଆପଣା ପରମାନନ୍ଦରୁ ଅଧିକ ଭଲ ନ ମଣେ, ତେବେ ମୋହର ଜିହ୍ୱା ମୋʼ ମୁଖର ତାଳୁରେ ଲାଗି ରହୁ। 7 ହେ ସଦାପ୍ରଭୋ, ଇଦୋମୀୟ ସନ୍ତାନଗଣ ପ୍ରତିକୂଳରେ ଯିରୂଶାଲମର ଦିନ ସ୍ମରଣ କର; ସେମାନେ କହିଲେ, “ଉତ୍ପାଟନ କର, ତହିଁର ମୂଳ ପର୍ଯ୍ୟନ୍ତ ଉତ୍ପାଟନ କର।” 8 ଆଗୋ ବିନାଶ୍ୟ ବାବିଲୀୟ କନ୍ୟେ, ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଯେରୂପ କରିଅଛ, ତୁମ୍ଭକୁ ସେହିରୂପ ପ୍ରତିଫଳ ଯେ ଦେବ, ସେ ଧନ୍ୟ। 9 ଯେଉଁ ଜନ ତୁମ୍ଭ ଶିଶୁଗଣକୁ ଧରି ଶୈଳ ଉପରେ କଚାଡ଼ିବ, ସେ ଧନ୍ୟ। |
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Bridge Connectivity Solutions Pvt. Ltd.