ଗୀତସଂହିତା 124 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NTସଦାପ୍ରଭୁ ତାହାଙ୍କ ଲୋକମାନଙ୍କର ରକ୍ଷାକର୍ତ୍ତା ଆରୋହଣ ଗୀତ; ଦାଉଦଙ୍କ ରଚିତ। 1 ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥାଆନ୍ତେ, ଇସ୍ରାଏଲ ଏବେ କହୁନ୍ତୁ; 2 ଲୋକମାନେ ଆମ୍ଭମାନଙ୍କ ପ୍ରତିକୂଳରେ ଉଠିଲା ବେଳେ, ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥାଆନ୍ତେ; 3 ତେବେ ଆମ୍ଭମାନଙ୍କ ବିରୁଦ୍ଧରେ ସେମାନଙ୍କ କୋପ ପ୍ରଜ୍ୱଳିତ ହେବା ବେଳେ ସେମାନେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥାʼନ୍ତେ; 4 ତେବେ ଜଳରାଶି ଆମ୍ଭମାନଙ୍କୁ ମଗ୍ନ କରିଥାʼନ୍ତା, ସ୍ରୋତ ଆମ୍ଭମାନଙ୍କର ପ୍ରାଣ ଉପର ଦେଇ ଯାଇଥାʼନ୍ତା 5 ତେବେ ଗର୍ବିତ ଜଳରାଶି ଆମ୍ଭମାନଙ୍କ ପ୍ରାଣ ଉପର ଦେଇ ଯାଇଥାʼନ୍ତା। 6 ସଦାପ୍ରଭୁ ଧନ୍ୟ ହେଉନ୍ତୁ, ସେ ଆମ୍ଭମାନଙ୍କୁ ଭକ୍ଷ୍ୟ ସ୍ୱରୂପ ହେବା ପାଇଁ ସେମାନଙ୍କ ଦନ୍ତକୁ ଦେଇ ନାହାନ୍ତି। 7 ବ୍ୟାଧର ଫାନ୍ଦରୁ ପକ୍ଷୀ ପରି ଆମ୍ଭମାନଙ୍କ ପ୍ରାଣ ରକ୍ଷା ପାଇଅଛି; ଫାନ୍ଦ ଛିଣ୍ଡିଗଲା, ଆମ୍ଭେମାନେ ରକ୍ଷା ପାଇଲୁ। 8 ଆକାଶ ଓ ପୃଥିବୀର ନିର୍ମାଣକର୍ତ୍ତା ସଦାପ୍ରଭୁଙ୍କ ନାମରେ ଆମ୍ଭମାନଙ୍କର ସାହାଯ୍ୟ ଥାଏ। |
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Bridge Connectivity Solutions Pvt. Ltd.