ଗୀତସଂହିତା 122 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NTଯିରୂଶାଲମର ପ୍ରଶଂସା ଆରୋହଣ ଗୀତ; ଦାଉଦଙ୍କ ରଚିତ। 1 “ଆସ, ଆମ୍ଭେମାନେ ସଦାପ୍ରଭୁଙ୍କ ଗୃହକୁ ଯାଉ,” ଏହି କଥା ଲୋକମାନେ ମୋତେ କହିବା ବେଳେ ମୁଁ ଆନନ୍ଦିତ ହେଲି। 2 ହେ ଯିରୂଶାଲମ, ତୁମ୍ଭ ଦ୍ୱାର ଭିତରେ ଆମ୍ଭମାନଙ୍କ ଚରଣ ଠିଆ ହେଉଅଛି; 3 ହେ ଯିରୂଶାଲମ, ତୁମ୍ଭେ ସୁସଂଯୁକ୍ତ ଏକ ନଗର ତୁଲ୍ୟ ନିର୍ମିତ ହୋଇଅଛ; 4 ଗୋଷ୍ଠୀବର୍ଗ, ଅର୍ଥାତ୍, ସଦାପ୍ରଭୁଙ୍କ ଗୋଷ୍ଠୀବର୍ଗ ଇସ୍ରାଏଲ ପ୍ରତି ସାକ୍ଷ୍ୟ ସ୍ୱରୂପେ ସଦାପ୍ରଭୁଙ୍କ ନାମକୁ ଧନ୍ୟବାଦ ଦେବା ନିମନ୍ତେ ସେଠାରେ ଆରୋହଣ କରନ୍ତି। 5 କାରଣ ସେଠାରେ ବିଚାରାର୍ଥକ ସିଂହାସନ, ଦାଉଦ-ବଂଶର ସିଂହାସନସବୁ ସ୍ଥାପିତ ଅଛି। 6 ଯିରୂଶାଲମର ଶାନ୍ତି ପାଇଁ ପ୍ରାର୍ଥନା କର; ଯେଉଁମାନେ ତୁମ୍ଭକୁ ସ୍ନେହ କରନ୍ତି, ସେମାନେ ଅଶେଷ ଉନ୍ନତି କରିବେ। 7 ତୁମ୍ଭ ପ୍ରାଚୀର ମଧ୍ୟରେ ଶାନ୍ତି ବର୍ତ୍ତୁ ଓ ତୁମ୍ଭ ଅଟ୍ଟାଳିକାସମୂହର ସୌଭାଗ୍ୟ ହେଉ। 8 ମୋହର ଭ୍ରାତୃଗଣ ଓ ମିତ୍ରଗଣ ସକାଶେ ମୁଁ ଏବେ କହିବି, ତୁମ୍ଭ ମଧ୍ୟରେ ଶାନ୍ତି ବର୍ତ୍ତୁ। 9 ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହ ସକାଶେ ମୁଁ ତୁମ୍ଭର ମଙ୍ଗଳ ନିମନ୍ତେ ପ୍ରାର୍ଥନା କରିବି। |
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Bridge Connectivity Solutions Pvt. Ltd.