ଯିରିମୀୟ 47 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NTପଲେଷ୍ଟୀୟର ବିଚାର 1 ଫାରୋ ଘସା ନଗର ପରାସ୍ତ କରିବା ପୂର୍ବେ ପଲେଷ୍ଟୀୟମାନଙ୍କ ବିଷୟରେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା, ତହିଁର ବୃତ୍ତାନ୍ତ। 2 “ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଉତ୍ତର ଦିଗରୁ ଜଳ ଉଚ୍ଛୁଳୁଅଛି, ତାହା ପ୍ଲାବନକାରୀ ବଢ଼ି ହୋଇ ଦେଶ ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁକୁ, ନଗର ଓ ତନ୍ନିବାସୀମାନଙ୍କୁ ମଗ୍ନ କରିବ; ତହିଁରେ ମନୁଷ୍ୟମାନେ କ୍ରନ୍ଦନ କରିବେ, ଦେଶ ନିବାସୀ ସମସ୍ତେ ହାହାକାର କରିବେ। 3 ତାହାର ବଳବାନ ଅଶ୍ୱଗଣର ଖୁରା ଶବ୍ଦରେ, ରଥସମୂହର ବେଗ ଗମନରେ ଓ ଚକ୍ରର ଘର ଘର ଶବ୍ଦରେ ପିତୃଗଣ ଦୁର୍ବଳହସ୍ତ ହେବାରୁ ଆପଣା ସନ୍ତାନଗଣ ପ୍ରତି ଫେରି ଅନାଇବେ ନାହିଁ; 4 କାରଣ ପଲେଷ୍ଟୀୟ ସମସ୍ତଙ୍କର ସର୍ବସ୍ୱ ହରଣ କରିବାର, ସୋର ଓ ସୀଦୋନର ସହକାରୀ ପ୍ରତ୍ୟେକ ଅବଶିଷ୍ଟ ଲୋକଙ୍କୁ ଉଚ୍ଛିନ୍ନ କରିବାର ଦିନ ଆସୁଅଛି; ଯେହେତୁ ସଦାପ୍ରଭୁ ପଲେଷ୍ଟୀୟମାନଙ୍କର, କପ୍ତୋର ଦ୍ୱୀପର ଅବଶିଷ୍ଟ ଲୋକଙ୍କର ସର୍ବସ୍ୱ ହରଣ କରିବେ। 5 ଘସାର ମସ୍ତକ ଟାଙ୍ଗରା ହୋଇଅଛି; ଅସ୍କିଲୋନ, ସେମାନଙ୍କ ତଳଭୂମିର ଅବଶିଷ୍ଟାଂଶ ଲୋକମାନେ ନୀରବ ହୋଇଅଛନ୍ତି; ତୁମ୍ଭେ କେତେ କାଳ ଆପଣାକୁ କଟାକଟି କରିବ? 6 ହେ ସଦାପ୍ରଭୁଙ୍କ ଖଡ୍ଗ, ତୁମ୍ଭେ ଆଉ କେତେ କାଳ ଉତ୍ତାରେ କ୍ଷାନ୍ତ ହେବ? ତୁମ୍ଭେ ଆପଣା କୋଷରେ ପ୍ରବେଶ କର; ଶାନ୍ତ ଓ କ୍ଷାନ୍ତ ହୁଅ। 7 ସଦାପ୍ରଭୁ ତୁମ୍ଭକୁ ଆଜ୍ଞା ଦେଇଅଛନ୍ତି, ଏଣୁ ତୁମ୍ଭେ କିପରି କ୍ଷାନ୍ତ ହୋଇପାର? ସେ ଅସ୍କିଲୋନର ବିରୁଦ୍ଧରେ, ସମୁଦ୍ରତୀର ବିରୁଦ୍ଧରେ ତାହା ନିଯୁକ୍ତ କରିଅଛନ୍ତି।” |
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Bridge Connectivity Solutions Pvt. Ltd.