ଯାତ୍ରା ପୁସ୍ତକ 25 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NTପବିତ୍ର ସ୍ଥାନ ନିମନ୍ତେ ଉପହାର 1 ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ କହିଲେ, 2 ତୁମ୍ଭେ ଇସ୍ରାଏଲ-ସନ୍ତାନଗଣଙ୍କୁ ଆମ୍ଭ ନିମନ୍ତେ ଉପହାର ସଂଗ୍ରହ କରିବାକୁ କୁହ; ଯାହାର ହୃଦୟ ଯାହାକୁ ଇଚ୍ଛୁକ କରାଏ, ତାହାଠାରୁ ତୁମ୍ଭେମାନେ ଆମ୍ଭର ସେହି ଉପହାର ଗ୍ରହଣ କରିବ। 3 ଅର୍ଥାତ୍, ସ୍ୱର୍ଣ୍ଣ, ରୌପ୍ୟ ଓ ପିତ୍ତଳ; 4 ପୁଣି, ନୀଳବର୍ଣ୍ଣ, ଧୂମ୍ରବର୍ଣ୍ଣ, ସିନ୍ଦୂର ବର୍ଣ୍ଣ, ଶୁଭ୍ର କ୍ଷୌମସୂତ୍ର, ଛାଗର ଲୋମ, 5 ରକ୍ତୀକୃତ ମେଷର ଚର୍ମ ଓ ଶିଶୁକ ଚର୍ମ, ଶିଟୀମ୍ କାଷ୍ଠ, 6 ଦୀପ ନିମନ୍ତେ ତୈଳ ପୁଣି, ଅଭିଷେକାର୍ଥ ତୈଳ ଓ ସୁଗନ୍ଧି ଧୂପ ନିମନ୍ତେ ଗନ୍ଧଦ୍ରବ୍ୟ, 7 ପୁଣି, ଏଫୋଦ ଓ ବୁକୁପଟା ନିମନ୍ତେ ଗୋମେଦକ ମଣି ପ୍ରଭୃତି ଖଚନୀୟ ପ୍ରସ୍ତର; ଏହି ସମସ୍ତ ଉପହାର ସେମାନଙ୍କଠାରୁ ଗ୍ରହଣ କରିବ। 8 ସେମାନେ ଆମ୍ଭ ନିମନ୍ତେ ଗୋଟିଏ ପବିତ୍ର ସ୍ଥାନ ନିର୍ମାଣ କରନ୍ତୁ; ତହିଁରେ ଆମ୍ଭେ ସେମାନଙ୍କ ମଧ୍ୟରେ ବାସ କରିବା। 9 ଆବାସର ଆକାର ଓ ତହିଁର ସମସ୍ତ ପାତ୍ରର ଆକାରାଦିର ଯେଉଁ ଆଦର୍ଶ ଆମ୍ଭେ ତୁମ୍ଭକୁ ଦେଖାଇବା, ତଦନୁସାରେ ତୁମ୍ଭେମାନେ ସମସ୍ତ କରିବ। ନିୟମ-ସିନ୍ଦୁକ 10 ଆଉ, ସେମାନେ ଅଢ଼ାଇ ହସ୍ତ ଦୀର୍ଘ, ଦେଢ଼ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ ଶିଟୀମ୍ କାଷ୍ଠର ଏକ ସିନ୍ଦୁକ ନିର୍ମାଣ କରିବେ। 11 ତହୁଁ ତୁମ୍ଭେ ନିର୍ମଳ ସୁବର୍ଣ୍ଣରେ ତାହା ମଡ଼ାଇବ; ପୁଣି, ତହିଁର ଭିତର ଓ ବାହାର ହିଁ ମଡ଼ାଇବ, ପୁଣି, ତହିଁ ଉପର ଚତୁର୍ଦ୍ଦିଗରେ ସ୍ୱର୍ଣ୍ଣର କାନ୍ଥି କରିବ। 12 ପୁଣି, ତହିଁ ନିମନ୍ତେ ସ୍ୱର୍ଣ୍ଣର ଚାରି କଡ଼ା ଛାଞ୍ଚରେ ଢାଳି ତହିଁର ଚାରି କୋଣରେ ଦେବ; ତହିଁର ଏକ ପାର୍ଶ୍ୱରେ ଦୁଇ କଡ଼ା ଓ ଅନ୍ୟ ପାର୍ଶ୍ୱରେ ଦୁଇ କଡ଼ା ରହିବ। 13 ଆଉ ତୁମ୍ଭେ ଶିଟୀମ୍ କାଷ୍ଠରେ ଦୁଇ ସାଙ୍ଗୀ କରି ସ୍ୱର୍ଣ୍ଣରେ ମଡ଼ାଇବ। 14 ପୁଣି, ସିନ୍ଦୁକ ବହିବା ନିମନ୍ତେ ସିନ୍ଦୁକର ଦୁଇ ପାର୍ଶ୍ୱସ୍ଥ କଡ଼ାରେ ସେହି ସାଙ୍ଗୀ ପ୍ରବେଶ କରାଇବ। 15 ସେହି ସାଙ୍ଗୀ ସିନ୍ଦୁକର କଡ଼ାରେ ଥିବ, ତହିଁରୁ ବାହାର କରାଯିବ ନାହିଁ। 16 ପୁଣି, ଆମ୍ଭେ ତୁମ୍ଭକୁ ଯେଉଁ ସାକ୍ଷ୍ୟପତ୍ର ଦେବା, ତାହା ସେହି ସିନ୍ଦୁକରେ ରଖିବ। 17 ଏଉତ୍ତାରେ ତୁମ୍ଭେ ଶୁଦ୍ଧ ସୁବର୍ଣ୍ଣରେ ଅଢ଼ାଇ ହସ୍ତ ଦୀର୍ଘ ଓ ଦେଢ଼ ହସ୍ତ ପ୍ରସ୍ଥ ଏକ ପାପାଚ୍ଛାଦନ ନିର୍ମାଣ କରିବ। 18 ତୁମ୍ଭେ ସୁବର୍ଣ୍ଣର ଦୁଇ କିରୂବ ପ୍ରସ୍ତୁତ କରିବ; ପିଟାକର୍ମରେ ତାହା ପ୍ରସ୍ତୁତ କରି ସେହି ପାପାଚ୍ଛାଦନର ଦୁଇ ମୁଣ୍ଡରେ ଦେବ। 19 ଏକ କିରୂବ ଏକ ମୁଣ୍ଡରେ ଓ ଅନ୍ୟ କିରୂବ ଅନ୍ୟ ମୁଣ୍ଡରେ ସ୍ଥାପନ କରିବ; ଦୁଇ କିରୂବକୁ ପାପାଚ୍ଛାଦନ ସହିତ ସଂଲଗ୍ନ ଓ ତହିଁର ଦୁଇ ପ୍ରାନ୍ତରେ ଉଭା କରି ସ୍ଥାପନ କରିବ। 20 ପୁଣି, କିରୂବମାନେ ପରସ୍ପର ସମ୍ମୁଖୀନ ହୋଇ ପକ୍ଷ ଊର୍ଦ୍ଧ୍ୱକୁ ବିସ୍ତାର କରି ପାପାଚ୍ଛାଦନ ଆବରଣ କରିବେ; ପାପାଚ୍ଛାଦନ ପ୍ରତି କିରୂବମାନଙ୍କର ମୁଖ ରହିବ। 21 ତୁମ୍ଭେ ସେହି ପାପାଚ୍ଛାଦନ ସେହି ସିନ୍ଦୁକ ଉପରେ ରଖିବ, ପୁଣି, ଆମ୍ଭେ ତୁମ୍ଭକୁ ଯେଉଁ ସାକ୍ଷ୍ୟପତ୍ର ଦେବା, ତାହା ସେହି ସିନ୍ଦୁକ ଭିତରେ ଥୋଇବ। 22 ଆଉ ଆମ୍ଭେ ସେହି ସ୍ଥାନରେ ତୁମ୍ଭ ସହିତ ସାକ୍ଷାତ କରିବା ଓ ପାପାଚ୍ଛାଦନର ଉପରି ଭାଗରୁ, ଅର୍ଥାତ୍, ସାକ୍ଷ୍ୟ-ସିନ୍ଦୁକର ଉପରିସ୍ଥ କିରୂବ ଦ୍ୱୟ ମଧ୍ୟରୁ ତୁମ୍ଭ ସଙ୍ଗେ ଆଳାପ କରି ଇସ୍ରାଏଲ-ସନ୍ତାନଗଣ ବିଷୟକ ଆମ୍ଭର ସମସ୍ତ ଆଜ୍ଞା ତୁମ୍ଭକୁ ଜଣାଇବା। ଦର୍ଶନୀୟ ରୁଟିର ମେଜ 23 ତହିଁ ଉତ୍ତାରେ ତୁମ୍ଭେ ଶିଟୀମ୍ କାଷ୍ଠରେ ଦୁଇ ହସ୍ତ ଦୀର୍ଘ ଓ ଏକ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ ଗୋଟିଏ ମେଜ ନିର୍ମାଣ କରି 24 ନିର୍ମଳ ସ୍ୱର୍ଣ୍ଣରେ ତାହା ମଡ଼ାଇବ, ପୁଣି, ତହିଁର ଚତୁର୍ଦ୍ଦିଗରେ ସ୍ୱର୍ଣ୍ଣର କାନ୍ଥି କରିବ। 25 ପୁଣି, ତହିଁର ଚତୁର୍ଦ୍ଦିଗରେ ଚତୁରଙ୍ଗୁଳି ପରିମିତ ଏକ ବେଷ୍ଟନ କରିବ ଓ ସେହି ବେଷ୍ଟନର ଚତୁର୍ଦ୍ଦିଗରେ ସୁବର୍ଣ୍ଣ କାନ୍ଥି କରିବ। 26 ଆଉ ସୁବର୍ଣ୍ଣ ନିର୍ମିତ ଚାରି କଡ଼ା କରି ତହିଁର ଚାରି ପାହ୍ୟାର ଚାରି କୋଣରେ ରଖିବ। 27 ମେଜ ବହନାର୍ଥେ ସାଙ୍ଗୀର ଘରା ନିମନ୍ତେ ସେହି କଡ଼ା ବେଷ୍ଟନ-ପାର୍ଶ୍ୱରେ ଥିବ। 28 ପୁଣି, ସେହି ମେଜ ବହନାର୍ଥେ ଶିଟୀମ୍ କାଷ୍ଠରେ ସାଙ୍ଗୀ ପ୍ରସ୍ତୁତ କରି ସ୍ୱର୍ଣ୍ଣରେ ମଡ଼ାଇବ। 29 ପୁଣି, ଥାଳୀ, ଚାମଚ, ଗଡ଼ୁ ଓ ଢାଳିବା ନିମନ୍ତେ ପାତ୍ର ନିର୍ମାଣ କରିବ, ଏହି ସମସ୍ତ ଶୁଦ୍ଧ ସୁବର୍ଣ୍ଣରେ ନିର୍ମାଣ କରିବ। 30 ତୁମ୍ଭେ ସେହି ମେଜ ଉପରେ ଆମ୍ଭ ସମ୍ମୁଖରେ ସର୍ବଦା ଦର୍ଶନୀୟ ରୁଟି ରଖିବ। ସୁବର୍ଣ୍ଣ ଦୀପବୃକ୍ଷ 31 ଆହୁରି, ତୁମ୍ଭେ ନିର୍ମଳ ସୁବର୍ଣ୍ଣର ଏକ ଦୀପବୃକ୍ଷ ନିର୍ମାଣ କରିବ; ପିଟାକର୍ମରେ ଦୀପବୃକ୍ଷ, ତହିଁର ଗଣ୍ଡି ଓ ଶାଖା ନିର୍ମିତ ହେବ; ଆଉ ଗୋଲାଧାର, କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ରହିବ। 32 ଅର୍ଥାତ୍, ତହିଁର ଏକ ପାର୍ଶ୍ୱରୁ ତିନି ଦୀପଶାଖା ଓ ଅନ୍ୟ ପାର୍ଶ୍ୱରୁ ତିନି ଦୀପଶାଖା, ଏହିରୂପେ ଦୁଇ ପାର୍ଶ୍ୱରୁ ଛଅ ଶାଖା ନିର୍ଗତ ହେବ। 33 ତହିଁର ଏକ ଶାଖାରେ ବାଦାମପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ ରହିବ, ପୁଣି, ଅନ୍ୟ ଶାଖାରେ ବାଦାମପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ ରହିବ; ସେହି ଦୀପବୃକ୍ଷରୁ ନିର୍ଗତ ଛଅ ଶାଖାରେ ଏହିରୂପେ ହେବ। 34 ମାତ୍ର ଦୀପବୃକ୍ଷରେ ବାଦାମପୁଷ୍ପାକୃତି ଚାରି ଗୋଲାଧାର, କଳିକା ଓ ପୁଷ୍ପ ରହିବ; 35 ପୁଣି, ସେହି ଦୀପବୃକ୍ଷରୁ ଯେଉଁ ଛଅ ଶାଖା ନିର୍ଗତ ହୁଏ, ସେମାନଙ୍କ ଏକ ଶାଖାଦ୍ୱୟର ତଳେ ଏକ କଳିକା ଓ ଦ୍ୱିତୀୟ ଶାଖାଦ୍ୱୟର ତଳେ ଏକ କଳିକା ଓ ତୃତୀୟ ଶାଖାଦ୍ୱୟର ତଳେ ଏକ କଳିକା ରହିବ। 36 ଆଉ, କଳିକା, ଶାଖା ତହିଁର ଅଂଶ ହେବ ଓ ସମସ୍ତ ନିର୍ମଳ ସ୍ୱର୍ଣ୍ଣରେ ନିର୍ମିତ ଏକ ପିଟାକର୍ମ ହେବ। 37 ଆଉ, ତୁମ୍ଭେ ତହିଁ ପାଇଁ ସପ୍ତ ପ୍ରଦୀପ ନିର୍ମାଣ କରିବ; ତହିଁରେ ଲୋକମାନେ ସେହି ପ୍ରଦୀପ ଜ୍ୱଳାଇଲେ, ତହିଁର ସମ୍ମୁଖରେ ଆଲୁଅ ହେବ 38 ଏବଂ ନିର୍ମଳ ସୁବର୍ଣ୍ଣରେ ତହିଁର ଚିମୁଟା ଓ ଅଙ୍ଗାରଦାନି ନିର୍ମାଣ କରିବ। 39 ଏହି ଦୀପବୃକ୍ଷ ଓ ତହିଁର ସାମଗ୍ରୀ ସର୍ବସୁଦ୍ଧା ଏକ ତାଳନ୍ତ ନିର୍ମଳ ସୁବର୍ଣ୍ଣରେ ନିର୍ମିତ ହେବ। 40 ସାବଧାନ, ପର୍ବତରେ ତୁମ୍ଭକୁ ତହିଁର ଯେଉଁ ଯେଉଁ ଆଦର୍ଶ ପ୍ରଦର୍ଶିତ ହୋଇଅଛି, ସେହିରୂପେ ସମସ୍ତ କର। |
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Bridge Connectivity Solutions Pvt. Ltd.