2 ରାଜାବଳୀ 16 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NTଯିହୁଦାର ରାଜା ଆହସ୍ 1 ରମଲୀୟଙ୍କର ପୁତ୍ର ପେକହଙ୍କ ରାଜତ୍ଵର ସତର ବର୍ଷରେ ଯିହୁଦାର ରାଜା ଯୋଥମ୍ଙ୍କର ପୁତ୍ର ଆହସ୍ ରାଜତ୍ୱ କରିବାକୁ ଆରମ୍ଭ କଲେ। 2 ଆହସ୍ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ କୋଡ଼ିଏ ବର୍ଷ ବୟସ୍କ ହୋଇଥିଲେ ଓ ସେ ଯିରୂଶାଲମରେ ଷୋଳ ବର୍ଷ ରାଜ୍ୟ କଲେ; ପୁଣି ସେ ଆପଣା ପୂର୍ବପୁରୁଷ ଦାଉଦଙ୍କ ପରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ନାହିଁ। 3 ମାତ୍ର ସେ ଇସ୍ରାଏଲର ରାଜାମାନଙ୍କ ପଥରେ ଚାଲିଲେ, ଆହୁରି ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯେଉଁ ଅନ୍ୟ ଦେଶୀୟମାନଙ୍କୁ ଦୂର କରି ଦେଇଥିଲେ, ସେମାନଙ୍କ ଘୃଣାଯୋଗ୍ୟ ବ୍ୟବହାରାନୁସାରେ ସେ ଆପଣା ପୁତ୍ରକୁ ଅଗ୍ନି ମଧ୍ୟଦେଇ ଗମନ କରାଇଲେ। 4 ପୁଣି ସେ ଉଚ୍ଚସ୍ଥଳୀମାନରେ ଓ ପର୍ବତଗଣ ଉପରେ ଓ ପ୍ରତ୍ୟେକ ହରିଦ୍ବର୍ଣ୍ଣ ବୃକ୍ଷ ତଳେ ବଳିଦାନ କଲେ ଓ ଧୂପ ଜ୍ୱଳାଇଲେ। 5 ସେତେବେଳେ ଅରାମର ରାଜା ରତ୍ସୀନ ଓ ଇସ୍ରାଏଲର ରାଜା ରମଲୀୟଙ୍କର ପୁତ୍ର ପେକହ ଯୁଦ୍ଧ କରିବା ପାଇଁ ଯିରୂଶାଲମକୁ ଆସିଲେ। ପୁଣି ସେମାନେ ଆହସ୍ଙ୍କୁ ଅବରୋଧ କଲେ, ମାତ୍ର ତାଙ୍କୁ ପରାସ୍ତ କରି ପାରିଲେ ନାହିଁ। 6 ସେହି ସମୟରେ ଅରାମର ରାଜା ରତ୍ସୀନ, ଏଲତ୍ ନଗରକୁ ପୁନର୍ବାର ଅରାମର ଅଧୀନ କରାଇ ଯିହୁଦୀୟମାନଙ୍କୁ ଏଲତ୍ରୁ ତଡ଼ିଦେଲା। ତହିଁରେ ଅରାମୀୟମାନେ ଏଲତ୍କୁ ଆସି ଆଜି ପର୍ଯ୍ୟନ୍ତ ସେଠାରେ ବାସ କରୁଅଛନ୍ତି। 7 ଏଥିରେ ଆହସ୍ ଅଶୂରର ରାଜା ତିଗ୍ଲାତ୍-ପିଲେସର୍ ନିକଟକୁ ଦୂତଗଣ ପଠାଇ କହିଲେ, “ମୁଁ ତୁମ୍ଭର ଦାସ ଓ ତୁମ୍ଭର ପୁତ୍ର; ଆସ, ଅରାମର ରାଜା ହସ୍ତରୁ ଓ ଇସ୍ରାଏଲର ରାଜା ହସ୍ତରୁ ମୋତେ ଉଦ୍ଧାର କର, ଏମାନେ ମୋʼ ବିରୁଦ୍ଧରେ ଉଠୁଅଛନ୍ତି।” 8 ପୁଣି ଆହସ୍ ସଦାପ୍ରଭୁଙ୍କ ଗୃହରେ ଓ ରାଜଗୃହର ଭଣ୍ଡାରରେ ପ୍ରାପ୍ତ ସୁନା ଓ ରୂପା ନେଇ ଅଶୂରର ରାଜା ନିକଟକୁ ଦର୍ଶନୀ ରୂପେ ପଠାଇଲେ। 9 ତହିଁରେ ଅଶୂରର ରାଜା ତାଙ୍କର କଥାରେ ମନୋଯୋଗ କଲା; ପୁଣି ଅଶୂରର ରାଜା ଦମ୍ମେଶକ ବିରୁଦ୍ଧରେ ଯାଇ ତାହା ହସ୍ତଗତ କରି ତହିଁର ଲୋକମାନଙ୍କୁ ବନ୍ଦୀ କରି କୀର୍ ନଗରକୁ ନେଇଗଲା ଓ ରତ୍ସୀନକୁ ବଧ କଲା। 10 ଏଥିଉତ୍ତାରେ ଆହସ୍ ରାଜା ଅଶୂରର ରାଜା ତିଗ୍ଲାତ୍-ପିଲେସର୍କୁ ସାକ୍ଷାତ କରିବା ପାଇଁ ଦମ୍ମେଶକକୁ ଗଲେ ଓ ଦମ୍ମେଶକରେ ଥିବା ଯଜ୍ଞବେଦି ଦେଖିଲେ; ତହିଁରେ ଆହସ୍ ରାଜା ସେହି ଯଜ୍ଞବେଦିର ସକଳ ଶିଳ୍ପକର୍ମାନୁସାରେ ତହିଁର ଆକୃତି ଓ ନମୁନା ଊରୀୟ ଯାଜକ ନିକଟକୁ ପଠାଇଲେ। 11 ତହୁଁ ଊରୀୟ ଯାଜକ ଏକ ଯଜ୍ଞବେଦି ନିର୍ମାଣ କଲା; ଆହସ୍ ରାଜା ଦମ୍ମେଶକରୁ ଯାହା ଯାହା ପଠାଇଥିଲେ, ତଦନୁସାରେ ଆହସ୍ ରାଜା ଦମ୍ମେଶକରୁ ଆସିବା ପୂର୍ବେ ଊରୀୟ ଯାଜକ ସକଳ କର୍ମ କଲା। 12 ପୁଣି ରାଜା ଦମ୍ମେଶକରୁ ଆସିଲା ଉତ୍ତାରେ ରାଜା ସେହି ଯଜ୍ଞବେଦି ଦେଖିଲେ; ଆଉ ରାଜା ସେହି ଯଜ୍ଞବେଦି ନିକଟକୁ ଯାଇ ତହିଁ ଉପରେ ବଳିଦାନ କଲେ। 13 ପୁଣି ସେ ସେହି ଯଜ୍ଞବେଦି ଉପରେ ଆପଣା ହୋମବଳି ଓ ଭକ୍ଷ୍ୟ ନୈବେଦ୍ୟ ଦଗ୍ଧ କରି ଓ ଆପଣା ପେୟ-ନୈବେଦ୍ୟ ଢାଳି ଆପଣା ମଙ୍ଗଳାର୍ଥକ ବଳିର ରକ୍ତ ଛିଞ୍ଚିଲେ। 14 ଆଉ ସେ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ପିତ୍ତଳ ଯଜ୍ଞବେଦିକୁ ମନ୍ଦିରର ସମ୍ମୁଖରୁ, ଅର୍ଥାତ୍, ଆପଣା ଯଜ୍ଞବେଦି ଓ ସଦାପ୍ରଭୁଙ୍କ ଗୃହର ମଧ୍ୟସ୍ଥାନରୁ ତାହା ଆଣି ଆପଣା ଯଜ୍ଞବେଦିର ଉତ୍ତର ଭାଗରେ ସ୍ଥାପନ କଲେ। 15 ଆହୁରି ଆହସ୍ ରାଜା ଊରୀୟ ଯାଜକକୁ ଆଜ୍ଞା ଦେଇ କହିଲେ, “ପ୍ରଭାତୀୟ ହୋମବଳି ଓ ସାୟଂକାଳୀନ ଭକ୍ଷ୍ୟ ନୈବେଦ୍ୟ ଓ ରାଜାଙ୍କର ହୋମବଳି ଓ ତାଙ୍କର ଭକ୍ଷ୍ୟ ନୈବେଦ୍ୟ, ପୁଣି ଦେଶସ୍ଥ ସମଗ୍ର ଲୋକଙ୍କ ହୋମବଳି ଓ ସେମାନଙ୍କର ଭକ୍ଷ୍ୟ ନୈବେଦ୍ୟ ଓ ପେୟ-ନୈବେଦ୍ୟ ବଡ଼ ଯଜ୍ଞବେଦି ଉପରେ ଦଗ୍ଧ କର ଓ ତହିଁ ଉପରେ ହୋମବଳିର ସବୁ ରକ୍ତ ଓ ବଳିଦାନର ସବୁ ରକ୍ତ ଛିଞ୍ଚି ଦିଅ; ମାତ୍ର ପ୍ରଶ୍ନକରଣାର୍ଥେ ପିତ୍ତଳ ଯଜ୍ଞବେଦି ମୋʼ ପାଇଁ ରହିବ।” 16 ଏହିରୂପେ ଊରୀୟ ଯାଜକ ଆହସ୍ ରାଜାଙ୍କର ଆଜ୍ଞା ପ୍ରମାଣେ ସବୁ କର୍ମ କଲା। 17 ପୁଣି ଆହସ୍ ରାଜା ବୈଠିକିମାନର ମଧ୍ୟଦେଶ କାଟି ତହିଁରୁ ପ୍ରକ୍ଷାଳନ-ପାତ୍ର ସ୍ଥାନାନ୍ତର କଲେ; ଆଉ ସମୁଦ୍ରରୂପ ପାତ୍ର ତଳେ ଯେଉଁ ଯେଉଁ ପିତ୍ତଳମୟ ଗୋରୁ ଥିଲା, ସେ ସବୁର ଉପରୁ ତାହା ନେଇ ପଥର ଚଟାଣ ଉପରେ ରଖିଲେ। 18 ଆଉ ସେମାନେ ବିଶ୍ରାମବାର ନିମନ୍ତେ ମନ୍ଦିର ମଧ୍ୟରେ ଯେଉଁ ଆବୃତ ପଥ ଓ ରାଜାଙ୍କର ପ୍ରବେଶାର୍ଥେ ଯେଉଁ ବର୍ହିଦ୍ୱାର କରିଥିଲେ, ତାହା ସେ ଅଶୂରର ରାଜାର ଭୟରେ ସଦାପ୍ରଭୁଙ୍କ ମନ୍ଦିର ଆଡ଼କୁ ଫେରାଇଲେ। 19 ଏହି ଆହସ୍ଙ୍କର ଅବଶିଷ୍ଟ କ୍ରିୟାର ବୃତ୍ତାନ୍ତ କʼଣ ଯିହୁଦା ରାଜାମାନଙ୍କ ଇତିହାସ ପୁସ୍ତକରେ ଲେଖା ନାହିଁ? 20 ଏଥିଉତ୍ତାରେ ଆହସ୍ ମୃତ୍ୟୁବରଣ କଲେ ଓ ଦାଉଦ-ନଗରରେ ଆପଣା ପିତୃଲୋକଙ୍କ ସହିତ କବର ପାଇଲେ। ତହୁଁ ତାଙ୍କର ପୁତ୍ର ହିଜକୀୟ ତାଙ୍କର ପଦରେ ରାଜ୍ୟ କଲେ। |
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Bridge Connectivity Solutions Pvt. Ltd.