1 ବଂଶାବଳୀ 26 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NTମନ୍ଦିରର ରକ୍ଷୀଗଣ 1 ଦ୍ୱାରପାଳମାନଙ୍କ ପାଳି ପାଇଁ କୋରହୀୟମାନଙ୍କ ମଧ୍ୟରୁ ଆସଫ-ବଂଶଜାତ କୋରିର ପୁତ୍ର ମଶେଲିମୀୟ ଥିଲା। 2 ମଶେଲିମୀୟର ପୁତ୍ର ଥିଲେ; ପ୍ରଥମଜାତ ଜିଖରୀୟ, ଦ୍ୱିତୀୟ ଯିଦୀୟେଲ, ତୃତୀୟ ସବଦୀୟ, ଚତୁର୍ଥ ଯତ୍ନୀୟେଲ, 3 ପଞ୍ଚମ ଏଲମ୍, ଷଷ୍ଠ ଯିହୋହାନନ୍, ସପ୍ତମ ଇଲୀହୋଐନୟ। 4 ପୁଣି, ଓବେଦ୍-ଇଦୋମର ପୁତ୍ର ଥିଲେ ପ୍ରଥମଜାତ ଶମୟୀୟ, ଦ୍ୱିତୀୟ ଯିହୋଷାବଦ୍, ତୃତୀୟ ଯୋୟାହ, ଚତୁର୍ଥ ସାଖର, ପଞ୍ଚମ ନଥନେଲ; 5 ଷଷ୍ଠ ଅମ୍ମୀୟେଲ, ସପ୍ତମ ଇଷାଖର, ଅଷ୍ଟମ ପିୟୁଲ୍ଲତୟ; କାରଣ ପରମେଶ୍ୱର ତାହାକୁ ଆଶୀର୍ବାଦ କଲେ। 6 ମଧ୍ୟ ତାହାର ପୁତ୍ର ଶମୟୀୟର ପୁତ୍ର ଜାତ ହେଲେ, ସେମାନେ ଆପଣାମାନଙ୍କ ପିତୃବଂଶରେ କର୍ତ୍ତୃତ୍ୱ କଲେ; କାରଣ ସେମାନେ ମହାବିକ୍ରମଶାଳୀ ପୁରୁଷ ଥିଲେ। 7 ଶମୟୀୟର ପୁତ୍ର ଅତ୍ନି, ରଫାୟେଲ ଓ ଓବେଦ୍, ଇଲୀଶାବଦ୍, ଏମାନଙ୍କର ଭ୍ରାତା ଇଲୀହୂ ଓ ସମଖୀୟ ପରାକ୍ରାନ୍ତ ଲୋକ ଥିଲେ। 8 ଏସମସ୍ତେ ଓବେଦ୍-ଇଦୋମର ସନ୍ତାନ, ଏମାନେ ଓ ଏମାନଙ୍କ ପୁତ୍ର ଓ ଭ୍ରାତୃଗଣ ସେବାକାର୍ଯ୍ୟାର୍ଥକ ବଳରେ ବଳବାନ ଥିଲେ; ଓବେଦ୍-ଇଦୋମ ବଂଶଜାତ ବାଷଠି ଜଣ। 9 ମଶେଲିମୀୟର ପୁତ୍ର ଓ ଭ୍ରାତୃଗଣ ଅଠର ଜଣ ପରାକ୍ରାନ୍ତ ଲୋକ ଥିଲେ। 10 ଆଉ ମରାରି-ବଂଶଜାତ ହୋଷାର ପୁତ୍ର ଥିଲେ; ପ୍ରଧାନ ଶିମ୍ରି, କାରଣ ସେ ପ୍ରଥମଜାତ ନୋହିଲେ ହେଁ ତାହାର ପିତା ତାହାକୁ ପ୍ରଧାନ କଲା; 11 ଦ୍ୱିତୀୟ ହିଲ୍କୀୟ, ତୃତୀୟ ଟବଲିୟ, ଚତୁର୍ଥ ଜିଖରୀୟ; ହୋଷାର ପୁତ୍ର ଓ ଭ୍ରାତୃଗଣ ସର୍ବସୁଦ୍ଧା ତେର ଜଣ ଥିଲେ। 12 ସଦାପ୍ରଭୁଙ୍କ ଗୃହରେ ପରିଚର୍ଯ୍ୟାକରଣାର୍ଥେ ଦ୍ୱାରପାଳମାନଙ୍କ ପାଳି ଏହି ପ୍ରଧାନ ଲୋକମାନଙ୍କର ହେଲା, ଆପଣା ଭ୍ରାତୃଗଣ ତୁଲ୍ୟ ସେମାନଙ୍କର ରକ୍ଷଣୀୟ ଥିଲା। 13 ପୁଣି, ସେମାନେ, ସାନ ବଡ଼, ଆପଣା ପିତୃବଂଶାନୁସାରେ ପ୍ରତ୍ୟେକ ଦ୍ୱାର ପାଇଁ ଗୁଲିବାଣ୍ଟ କଲେ। 14 ତହିଁରେ ପୂର୍ବ ଦିଗର ବାଣ୍ଟ ଶେଲିମୀୟ ପକ୍ଷରେ ଉଠିଲା; ତହୁଁ ସେମାନେ ତାହାର ପୁତ୍ର ଜିଖରୀୟ ନିମନ୍ତେ ଗୁଲିବାଣ୍ଟ କଲେ, ସେ ବିଜ୍ଞ ମନ୍ତ୍ରୀ ଥିଲା; ଆଉ ଉତ୍ତର ଦିଗ ତାହାର ବାଣ୍ଟରେ ଉଠିଲା। 15 ଦକ୍ଷିଣ ଦିଗ ଓବେଦ୍-ଇଦୋମ ପକ୍ଷରେ ଓ ଭଣ୍ଡାର ଗୃହ ତାହାର ପୁତ୍ରମାନଙ୍କ ପକ୍ଷରେ ଉଠିଲା। 16 ଊର୍ଦ୍ଧ୍ୱଗାମୀ ପଥ ସମୀପସ୍ଥ ଶଲ୍ଲେଖତ୍ ଦ୍ୱାର ନିକଟବର୍ତ୍ତୀ ପଶ୍ଚିମ ଦିଗର ବାଣ୍ଟ ଶୁପ୍ପୀମ୍ ଓ ହୋଷା ପକ୍ଷରେ ଉଠିଲା, ତହିଁର ରକ୍ଷକମାନଙ୍କର ଏକ ଦଳ ଅନ୍ୟ ଦଳର ଅଭିମୁଖ ଥିଲା। 17 ପୂର୍ବ ଦିଗରେ ଛଅ ଜଣ ଲେବୀୟ, ଉତ୍ତର ଦିଗରେ ଦିନରେ ଚାରି ଜଣ, ଦକ୍ଷିଣ ଦିଗରେ ଦିନରେ ଚାରି ଜଣ ଓ ଭଣ୍ଡାର ଗୃହ ନିମନ୍ତେ ଦୁଇ ଦୁଇ ଜଣ ରହିଲେ। 18 ପଶ୍ଚିମ ଦିଗରେ ସୀମାନ୍ତବର୍ତ୍ତୀ ସ୍ଥାନ ନିମନ୍ତେ ଉଚ୍ଚ ପଥରେ ଚାରି ଜଣ ଓ ସୀମାନ୍ତବର୍ତ୍ତୀ ସ୍ଥାନରେ ଦୁଇ ଜଣ। 19 କୋରହୀୟ ସନ୍ତାନଗଣ ଓ ମରାରିର ସନ୍ତାନଗଣ ମଧ୍ୟରୁ ଦ୍ୱାରପାଳମାନଙ୍କର ଏହି ସକଳ ପାଳି ଥିଲା। ମନ୍ଦିର ସଂକ୍ରାନ୍ତ ଅନ୍ୟାନ୍ୟ କାର୍ଯ୍ୟ 20 ପୁଣି, ଲେବୀୟମାନଙ୍କ ମଧ୍ୟରୁ ଅହୀୟ ପରମେଶ୍ୱରଙ୍କ ଗୃହର କୋଷାଧ୍ୟକ୍ଷ ଓ ପବିତ୍ରୀକୃତ ସକଳ ବସ୍ତୁର କୋଷାଧ୍ୟକ୍ଷ ଥିଲା। 21 ଲାଦନ୍ର ସନ୍ତାନଗଣ; ଲାଦନ୍ ସମ୍ବନ୍ଧୀୟ ଗେର୍ଶୋନୀୟ-ସନ୍ତାନଗଣ, ଗେର୍ଶୋନୀୟ ଲାଦନ୍ ସମ୍ବନ୍ଧୀୟ ପିତୃବଂଶର ପ୍ରଧାନଗଣ; ଯଥା, 22 ଯିହୀୟେଲି। ଯିହୀୟେଲିର ପୁତ୍ର ସେଥମ୍ ଓ ତାହାର ଭ୍ରାତା ଯୋୟେଲ ସଦାପ୍ରଭୁଙ୍କ ଗୃହର କୋଷାଧ୍ୟକ୍ଷ ଥିଲେ। 23 ଅମ୍ରାମୀୟମାନଙ୍କ, ଯିଷ୍ହରୀୟମାନଙ୍କ, ହିବ୍ରୋଣୀୟମାନଙ୍କ, ଉଷୀୟେଲୀୟମାନଙ୍କ ମଧ୍ୟରେ 24 ମୋଶାଙ୍କର ପୁତ୍ର ଗେର୍ଶୋମର ସନ୍ତାନ ଶବୂୟେଲ କୋଷାଧ୍ୟକ୍ଷ ଥିଲା। 25 ପୁଣି, ତାହାର ଭ୍ରାତୃଗଣ; ଇଲୀୟେଜରର ପୁତ୍ର ରହବୀୟ ଓ ତାହାର ପୁତ୍ର ଯିଶାଇୟ ଓ ତାହାର ପୁତ୍ର ଯୋରାମ୍ ଓ ତାହାର ପୁତ୍ର ସିଖ୍ରି ଓ ତାହାର ପୁତ୍ର ଶଲୋମୀତ୍। 26 ଦାଉଦ ରାଜା ଓ ପିତୃବଂଶର ପ୍ରଧାନମାନେ, ସହସ୍ରପତି ଓ ଶତପତିମାନେ ଓ ସେନାପତିମାନେ ଯେସକଳ ବସ୍ତୁ ପବିତ୍ର କରିଥିଲେ, ଏହି ଶଲୋମୀତ୍ ଓ ତାହାର ଭ୍ରାତୃଗଣ ସେହି ସବୁ ପବିତ୍ରୀକୃତ ବସ୍ତୁର କୋଷାଧ୍ୟକ୍ଷ ଥିଲେ। 27 ସେମାନେ ସଦାପ୍ରଭୁଙ୍କ ଗୃହର ପୁନଃନିର୍ମାଣ ନିମନ୍ତେ ଯୁଦ୍ଧରେ ପ୍ରାପ୍ତ ଲୁଟଦ୍ରବ୍ୟ ମଧ୍ୟରୁ ପବିତ୍ର କଲେ। 28 ପୁଣି, ଶାମୁୟେଲ ଦର୍ଶକ ଓ କୀଶ୍ର ପୁତ୍ର ଶାଉଲ ଓ ନେର୍ର ପୁତ୍ର ଅବ୍ନର, ସରୁୟାର ପୁତ୍ର ଯୋୟାବ ଯେସବୁ ଦ୍ରବ୍ୟ ପବିତ୍ର କରିଥିଲେ; ଯିଏ ଯାହା କିଛି ପବିତ୍ର କରିଥିଲା, ତାହା ଶଲୋମୀତ୍ର ଓ ତାହାର ଭ୍ରାତୃଗଣର ହସ୍ତାଧୀନରେ ରହିଲା। ଅନ୍ୟ ଲେବୀୟମାନଙ୍କ କାର୍ଯ୍ୟଭାର 29 ଯିଷ୍ହରୀୟମାନଙ୍କ ମଧ୍ୟରୁ କନନୀୟ ଓ ତାହାର ପୁତ୍ରଗଣ ବାହାର କାର୍ଯ୍ୟ ନିମନ୍ତେ ଇସ୍ରାଏଲ ଉପରେ କାର୍ଯ୍ୟଶାସକ ଓ ବିଚାରକର୍ତ୍ତା ହେଲେ। 30 ହିବ୍ରୋଣୀୟମାନଙ୍କ ମଧ୍ୟରୁ ହଶବୀୟ ଓ ତାହାର ଭ୍ରାତୃଗଣ ଏକ ସହସ୍ର ସାତ ଶହ ବିକ୍ରମୀ ପୁରୁଷ ସଦାପ୍ରଭୁଙ୍କର ସକଳ କାର୍ଯ୍ୟ ଓ ରାଜସେବା ନିମନ୍ତେ ଯର୍ଦ୍ଦନ ସେପାରି ପଶ୍ଚିମ ଦିଗରେ ଇସ୍ରାଏଲର ତତ୍ତ୍ୱାବଧାରକ ଥିଲେ। 31 ହିବ୍ରୋଣୀୟମାନଙ୍କ ପିତୃବଂଶାନୁଯାୟୀ ବଂଶାବଳୀରେ ଯିରୀୟ ହିବ୍ରୋଣୀୟମାନଙ୍କ ମଧ୍ୟରେ ପ୍ରଧାନ ଥିଲା। ଦାଉଦଙ୍କ ରାଜତ୍ଵର ଚାଳିଶ ବର୍ଷରେ ସେମାନଙ୍କର ଅନୁସନ୍ଧାନ କରାଯାʼନ୍ତେ, ସେମାନଙ୍କ ମଧ୍ୟରେ ଗିଲୀୟଦସ୍ଥ ଯାସେରରେ ମହାବିକ୍ରମଶାଳୀ ଲୋକମାନେ ଦେଖାଗଲେ। 32 ଆଉ ଯିରୀୟର ଭ୍ରାତୃଗଣ ବିକ୍ରମଶାଳୀ, ପିତୃବଂଶର ପ୍ରଧାନ, ଦୁଇ ସହସ୍ର ସାତ ଶହ ଲୋକ ଥିଲେ; ଦାଉଦ ରାଜା ସେମାନଙ୍କୁ ପରମେଶ୍ୱରଙ୍କ ସମ୍ବନ୍ଧୀୟ ସକଳ ବିଷୟ ନିମନ୍ତେ ଓ ରାଜକାର୍ଯ୍ୟ ନିମନ୍ତେ ରୁବେନୀୟ ଓ ଗାଦୀୟମାନଙ୍କ ଓ ମନଃଶିର ଅର୍ଦ୍ଧ ବଂଶ ଉପରେ ନିଯୁକ୍ତ କଲେ। |
ORY-IRV
Creative Commons License
Indian Revised Version (IRV) - Odia (ଇଣ୍ଡିଆନ୍ ରିୱାଇଜ୍ଡ ୱର୍ସନ୍ - ଓଡିଆ), 2019 by Bridge Connectivity Solutions Pvt. Ltd. is licensed under a Creative Commons Attribution-ShareAlike 4.0 International License. This resource is published originally on VachanOnline, a premier Scripture Engagement digital platform for Indian and South Asian Languages and made available to users via vachanonline.com website and the companion VachanGo mobile app.
Bridge Connectivity Solutions Pvt. Ltd.