ଫିଲିପୀୟ INTRO1 - ପବିତ୍ର ବାଇବଲ (CL) NT (BSI)ଉପକ୍ରମଣିକା ୟୁରୋପ ମହାଦେଶରେ ପାଉଲ ପ୍ରଥମ ଖ୍ରୀଷ୍ଟୀୟ ମଣ୍ଡଳୀ ସ୍ଥାପନ କରିଥିଲେ, ରୋମୀୟ ପ୍ରଦେଶ ମାସିଦୋନିଆର ଫିଲିପୀ ସହରରେ। ରୋମ୍ ନଗରୀର କାରାଗାରରେ ବନ୍ଦୀ ଥିବା ସମୟରେ ପାଉଲ ଏହି ପତ୍ର ଫିଲିପୀୟ ମଣ୍ଡଳୀକୁ ଲେଖିଥିଲେ। ତାଙ୍କ ପ୍ରତି ଅନ୍ୟ ଖ୍ରୀଷ୍ଟିୟାନ କର୍ମୀମାନଙ୍କର ବିରୋଧ ଭାବ ଓ ଫିଲିପୀ ମଣ୍ଡଳୀରେ ଭ୍ରାନ୍ତ ଶିକ୍ଷାର ପ୍ରଚାର ତାଙ୍କୁ ବ୍ୟଥିତ କରିଥିଲା। ତଥାପି ଖ୍ରୀଷ୍ଟ ଯୀଶୁଙ୍କଠାରେ ତାଙ୍କର ଗଭୀର ବିଶ୍ୱାସ ଥିବାରୁ ଯେ ଯେଉଁ ଆନନ୍ଦ ଓ ଆତ୍ମବିଶ୍ୱାସ ଅନୁଭବ କରୁଥିଲେ, ଏହି ପତ୍ରରେ ସେ ତାହା ପ୍ରକାଶ କରିଛନ୍ତି। ପାଉଲଙ୍କ ଅଭାବ ସମୟରେ ତାଙ୍କ ସାହାଯ୍ୟାର୍ଥେ ଫିଲିପୀର ଖ୍ରୀଷ୍ଟିୟାନମାନେ ତାଙ୍କ ନିକଟକୁ ଦାନ ପଠାଇଥିଲେ। ସେଥିପାଇଁ ସେମାନଙ୍କୁ ଧନ୍ୟବାଦ ଦେବା ଏହି ପତ୍ରର ଅନ୍ୟତମ ଉଦ୍ଦେଶ୍ୟ ଥିଲା। ସବୁ ଦୁଃଖକ୍ଲେଶ ବାଧାବିଘ୍ନ ସତ୍ତେ୍ୱ ଧୈର୍ଯ୍ୟଚ୍ୟୁତ ନ ହୋଇ ସାହସର ସହିତ ଖ୍ରୀଷ୍ଟଙ୍କର ବିଶ୍ୱସ୍ତ ଅନୁଗାମୀ ହୋଇ ରହିବା ପାଇଁ ପାଉଲ ଏ ପତ୍ରରେ ଫିଲିପୀୟ ମଣ୍ଡଳୀର ସସଦ୍ୟମାନଙ୍କୁ ଉତ୍ସାହିତ କରିଛନ୍ତି। ସେମାନଙ୍କୁ ସବୁ ସ୍ୱାର୍ଥପରତା, ଗର୍ବ ଓ ଆତ୍ମପ୍ରତିଷ୍ଠାର ଦୂରାକାଂକ୍ଷା ବର୍ଜନ କରି, ପ୍ରଭୁ ଯୀଶୁଙ୍କ ପରି ନମ୍ର, ନିର୍ଦ୍ଦୋଷ ଓ ପବିତ୍ର ଜୀବନ ଯାପନ କରିବାକୁ ହେବ। ତାହାହେଲେ, ସେମାନେ ଏ ଜଗତର ଆଲୋକ ସ୍ୱରୂପ ହେବେ। ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ସେମାନେ ଯେଉଁ ନୂତନ ଜୀବନ ପାଇଛନ୍ତି, ତାହା କେବଳ ଈଶ୍ୱରଙ୍କ ଅନୁଗ୍ରହର ଦାନ; ଇହୁଦୀ ବ୍ୟବସ୍ଥାର ବାହ୍ୟିକ ଧର୍ମ କର୍ମ ଦ୍ୱାରା ତାହା ସେମାନେ ଲାଭ କରି ନାହାନ୍ତି। ଏ ପତ୍ରର କେତେକ ବିଶେଷ ପ୍ରସଙ୍ଗ ହେଉଛି, ଆଧ୍ୟାତ୍ମିକ ଦୌଡ଼ ପ୍ରତିଯୋଗିତାରେ ପାଉଲଙ୍କ ଏକାଗ୍ରତା, ଖ୍ରୀଷ୍ଟୀୟ ଜୀବନରେ ଆନନ୍ଦ, ସ୍ତୁତିବାଦ, ଭରସା ଓ ଶାନ୍ତି। ଏଥିରେ ସନ୍ନିବେଶିତ ଉଚ୍ଚକୋଟୀର ଉପଦେଶମାନଙ୍କ ମଧ୍ୟରେ ରହିଛି: “ଯେଉଁ ସମସ୍ତ ବିଷୟ ସତ୍ ଓ ପ୍ରଶଂସ୍ୟ, ଯାହା ସବୁ ସତ୍ୟ ଓ ମହତ୍, ଯାହା ଯଥାର୍ଥ, ବିଶୁଦ୍ଧ, ପ୍ରୀତିକର ଓ ସମ୍ମାନଜନକ, ସେସବୁ ତୁମ୍ଭମାନଙ୍କର ଚିନ୍ତନୀୟ ବିଷୟ ହେଉ।” (୪:୮) ଖ୍ରୀଷ୍ଟ ଧର୍ମର ଚରମ ଉତ୍ସାହ ବାଣୀ ହେଉଛି, “ମୋର ଶକ୍ତିଦାତା ଖ୍ରୀଷ୍ଟଙ୍କ ସାହାଯ୍ୟରେ ମୁଁ ସବୁ କିଛି କରିପାରେ।” (୪:୧୩) ବିଷୟ ସୂଚୀ ପୂର୍ବାଭାସ - ୧:୧-୧୧ ପାଉଲଙ୍କ ବ୍ୟକ୍ତିଗତ ପରିସ୍ଥିତି - ୧:୧୨-୨୬ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ଜୀବନ - ୧:୨୭-୨:୧୮ ତୀମଥି ଓ ଏପାଫ୍ରଦିତଙ୍କ ପାଇଁ କାର୍ଯ୍ୟକ୍ରମ - ୨:୧୯-୩୦ ଶତ୍ରୁମାନଙ୍କ ବିରୁଦ୍ଧରେ ଚେତାବନୀ - ୩:୧-୪:୯ ପାଉଲ ଓ ତାଙ୍କର ଫିଲିପୀୟ ବନ୍ଧୁଗଣ - ୪:୧୦-୨୦ ଉପସଂହାର - ୪:୨୧-୨୩ |
Odia (CL) NT - ପବିତ୍ର ବାଇବଲ
© The Bible Society of India, 2018.
Used by permission. All rights reserved worldwide.
Bible Society of India