Online Bible

- Reklamy -

ଗୀତସଂହିତା 55 - ଓଡିଆ ବାଇବେଲ


ବନ୍ଧୁ ଦ୍ୱାରା ପ୍ରତାରିତ ଲୋକର ପ୍ରାର୍ଥନା
ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍‍।

1 ହେ ପରମେଶ୍ୱର, ମୋ’ ପ୍ରାର୍ଥନାରେ କର୍ଣ୍ଣପାତ କର; ମୋ’ ବିନତିରୁ ଆପଣାକୁ ଲୁଚାଅ ନାହିଁ।

2 ମୋ’ ପ୍ରତି ମନୋଯୋଗ କରି ମୋତେ ଉତ୍ତର ଦିଅ; ଶତ୍ରୁମାନଙ୍କ ରବ ସକାଶୁ, ଦୁଷ୍ଟମାନଙ୍କ ଦୌରାତ୍ମ୍ୟ ସକାଶୁ ମୁଁ ଭାବନାରେ ଅସ୍ଥିର ହୋଇ ରୋଦନ କରୁଥାଏ;

3 କାରଣ ସେମାନେ ମୋ’ ଉପରେ ଅଧର୍ମ ଆରୋପ କରନ୍ତି ଓ କ୍ରୋଧରେ ମୋତେ ଘୃଣା କରନ୍ତି।

4 ମୋ’ ଅନ୍ତରରେ ମୋ’ ହୃଦୟ ଅତ୍ୟନ୍ତ ବ୍ୟଥିତ ହେଉଅଛି ଓ ମୋ’ ଉପରେ ମୃତ୍ୟୁୁର ତ୍ରାସ ପଡ଼ିଅଛି।

5 ମୋତେ ଭୟ ଓ କମ୍ପ ଆକ୍ରମଣ କରିଅଛି, ପୁଣି, ମହାତ୍ରାସ ମୋତେ ଆଚ୍ଛନ୍ନ କରିଅଛି।

6 ଯଦି କପୋତ ପରି ମୋହର ପକ୍ଷ ଥା’ନ୍ତା ! ଏଣୁ ମୁଁ କହିଲି, ଆଃ, ତେବେ ମୁଁ ଉଡ଼ିଯାଇ ବିଶ୍ରାମ ପାଆନ୍ତି।

7 ଦେଖ, ତେବେ ମୁଁ ଦୂରରେ ଭ୍ରମଣ କରନ୍ତି, ମୁଁ ପ୍ରାନ୍ତରରେ ବାସ କରନ୍ତି। [ସେଲା]

8 ମୁଁ ପ୍ରବଳ ବାୟୁ ଓ ତୋଫାନରୁ ଆଶ୍ରୟ ନେବା ପାଇଁ ପଳାୟନ କରନ୍ତି।

9 ହେ ପ୍ରଭୁ, ବିନାଶ କର ଓ ସେମାନଙ୍କର ଅନେକ ଜିହ୍ୱା ଜନ୍ମାଅ; କାରଣ ମୁଁ ନଗର ମଧ୍ୟରେ ଦୌରାତ୍ମ୍ୟ ଓ କଳହ ଦେଖିଅଛି।

10 ଶତ୍ରୁମାନେ ଦିବାରାତ୍ର ତହିଁର ପ୍ରାଚୀର ଦେଇ ଭ୍ରମଣ କରନ୍ତି; ମଧ୍ୟ ଅଧର୍ମ ଓ ଉତ୍ପାତ ତହିଁ ମଧ୍ୟରେ ଅଛି।

11 ଦୁଷ୍ଟତା ତହିଁର ମଧ୍ୟବର୍ତ୍ତୀ, ଦୌରାତ୍ମ୍ୟ ଓ ଛଳନା ତହିଁର ଛକସ୍ଥାନସବୁ ଛାଡ଼େ ନାହିଁ।

12 କାରଣ କୌଣସି ଶତ୍ରୁ ମୋତେ ତିରସ୍କାର କଲା ନାହିଁ; କଲେ ତାହା ମୁଁ ସହ୍ୟ କରି ପାରନ୍ତି; କିଅବା ମୋହର ଘୃଣାକାରୀ ମୋ’ ବିରୁଦ୍ଧରେ ଦର୍ପ କଲା ନାହିଁ, କଲେ ତାହାଠାରୁ ମୁଁ ଆପଣାକୁ ଲୁଚାନ୍ତି;

13 ମାତ୍ର ମୋ’ ପରି ମନୁଷ୍ୟ, ମୋହର ସଙ୍ଗୀ ଓ ମୋହର ଆତ୍ମୀୟ ଯେ ତୁମ୍ଭେ, ତୁମ୍ଭେ ତାହା କଲ।

14 ଆମ୍ଭେମାନେ ଏକତ୍ର ମଧୁର ମନ୍ତ୍ରଣା କଲୁ, ଜନତା ସଙ୍ଗେ ପରମେଶ୍ୱରଙ୍କ ଗୃହରେ ଗମନାଗମନ କଲୁ।

15 ମୃତ୍ୟୁୁ ସେମାନଙ୍କୁ ହଠାତ୍‍ ଆକ୍ରମଣ କରୁ, ସେମାନେ ପାତାଳକୁ ଜୀଅନ୍ତା ଗମନ କରନ୍ତୁ, କାରଣ ସେମାନଙ୍କ ବାସସ୍ଥାନରେ, ସେମାନଙ୍କ ମଧ୍ୟରେ ଦୁଷ୍ଟତା ଅଛି।

16 ମାତ୍ର ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରିବି; ପୁଣି, ସଦାପ୍ରଭୁ ମୋତେ ପରିତ୍ରାଣ କରିବେ।

17 ସନ୍ଧ୍ୟା, ପ୍ରଭାତ ଓ ମଧ୍ୟାହ୍ନ କାଳରେ ମୁଁ ପ୍ରାର୍ଥନା କରି ରୋଦନ କରିବି; ଆଉ, ସେ ମୋ’ ରବ ଶୁଣିବେ।

18 ସେ ମୋ’ ପ୍ରତିକୂଳ ଯୁଦ୍ଧରୁ କୁଶଳରେ ମୋ’ ପ୍ରାଣ ମୁକ୍ତ କରିଅଛନ୍ତି; କାରଣ ମୋ’ ସଙ୍ଗେ ବିରୋଧକାରୀ ଅନେକ ଥିଲେ।

19 ପରମେଶ୍ୱର ଶୁଣିବେ ଓ ସେମାନଙ୍କୁ ଉତ୍ତର ଦେବେ, ସେ ଚିରକାଳ ବିଦ୍ୟମାନ, [ସେଲା] ସେହି ଲୋକମାନଙ୍କ କୌଣସି ପରିବର୍ତ୍ତନ ଘଟି ନାହିଁ, ପୁଣି, ସେମାନେ ପରମେଶ୍ୱରଙ୍କୁ ଭୟ କରନ୍ତି ନାହିଁ।

20 ସେ ଆପଣା ସଙ୍ଗେ ମିଳନରେ ଥିବା ଲୋକ ବିରୁଦ୍ଧରେ ହାତ ଉଠାଇଅଛି; ସେ ଆପଣା ନିୟମ ଲଙ୍ଘନ କରିଅଛି।

21 ତାହାର ମୁଖ ଲବଣୀ ତୁଲ୍ୟ ଚିକ୍‍କଣ, ମାତ୍ର ତାହାର ଅନ୍ତଃକରଣ ଯୁଦ୍ଧପୂର୍ଣ୍ଣ; ତାହାର କଥାସବୁ ତୈଳଠାରୁ କୋମଳ, ତଥାପି ତାହାସବୁ ନିଷ୍କୋଷ ଖଡ୍ଗ ତୁଲ୍ୟ।

22 ତୁମ୍ଭେ ସଦାପ୍ରଭୁଙ୍କ ଉପରେ ଆପଣା ଭାର ପକାଅ, ତହିଁରେ ସେ ତୁମ୍ଭକୁ ସମ୍ଭାଳିବେ; ସେ ଧାର୍ମିକକୁ କଦାପି ବିଚଳିତ ହେବାକୁ ଦେବେ ନାହିଁ।

23 ମାତ୍ର ହେ ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ସର୍ବନାଶର ଗର୍ତ୍ତକୁ ଆଣିବ; ରକ୍ତପିପାସୁ ଓ ପ୍ରବଞ୍ଚକ ଲୋକମାନେ ଆପଣା ଆପଣା ଆୟୁଷର ଅର୍ଦ୍ଧେକ ବଞ୍ଚିବେ ନାହିଁ; ମାତ୍ର ମୁଁ ତୁମ୍ଭ ଉପରେ ନିର୍ଭର କରିବି।

© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0

Bridge Connectivity Solutions Pvt. Ltd.
Následuj nás:



Reklamy