Online Bible

- Reklamy -

ବିଚାରକର୍ତ୍ତା 7 - ଓଡିଆ ବାଇବେଲ


ଗିଦିୟୋନ୍‍ ଦ୍ୱାରା ମିଦୀୟନର ପରାଜୟ

1 ଏଥିଉତ୍ତାରେ ଯିରୁବ୍ବାଲ୍‍, ଅର୍ଥାତ୍‍, ଗିଦିୟୋନ୍‍ ଓ ତାଙ୍କର ସଙ୍ଗୀ ସମସ୍ତ ଲୋକ ପ୍ରଭାତରେ ଉଠି ହାରୋଦ ନିର୍ଝର ନିକଟରେ ଛାଉଣି କଲେ; ସେ ସମୟରେ ମିଦୀୟନର ଛାଉଣି ସେମାନଙ୍କ ଉତ୍ତର ଆଡ଼େ ମୋରି ପର୍ବତ ନିକଟସ୍ଥ ତଳଭୂମିରେ ଥିଲା।

2 ଏଥିଉତ୍ତାରେ ସଦାପ୍ରଭୁ ଗିଦିୟୋନ୍‍ଙ୍କୁ କହିଲେ, ତୁମ୍ଭ ସଙ୍ଗୀ ଲୋକମାନେ ଏତେ ଅଧିକ ଯେ, ଆମ୍ଭେ ମିଦୀୟନୀୟମାନଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କରି ନ ପାରୁ; କଲେ, ଆମ୍ଭ ନିଜ ହସ୍ତ ଆମ୍ଭକୁ ଉଦ୍ଧାର କରିଅଛି, ଏହା କହି ଇସ୍ରାଏଲ ଅବା ଆମ୍ଭ ବିରୁଦ୍ଧରେ ଦର୍ପ କରିବ।

3 ଏଣୁ ଏବେ ଏହା କର, ଯେ କେହି ଭୟାର୍ତ୍ତ ଓ କମ୍ପିତ, ସେ ଫେରି ଗିଲୀୟଦ ପର୍ବତରୁ ଚାଲିଯାଉ, ଏହା କହି ଲୋକମାନଙ୍କ କର୍ଣ୍ଣରେ ଘୋଷଣା କର। ତହିଁରେ ଲୋକମାନଙ୍କ ମଧ୍ୟରୁ ବାଇଶ ହଜାର ଲୋକ ଫେରିଗଲେ ଓ ଦଶ ହଜାର ଲୋକ ରହିଲେ।

4 ତହୁଁ ସଦାପ୍ରଭୁ ଗିଦିୟୋନ୍‍ଙ୍କୁ କହିଲେ, ତଥାପି ବହୁତ ଲୋକ ଅଛନ୍ତି; ସେମାନଙ୍କୁ ଜଳ ନିକଟକୁ ଆଣ, ସେଠାରେ ଆମ୍ଭେ ତୁମ୍ଭ ନିମନ୍ତେ ସେମାନଙ୍କୁ ପରୀକ୍ଷା କରିବା; ତହିଁରେ ଆମ୍ଭେ ଯାହା ବିଷୟରେ ତୁମ୍ଭକୁ କହିବା, ଏ ତୁମ୍ଭ ସଙ୍ଗରେ ଯିବ, ସେ ତୁମ୍ଭ ସଙ୍ଗରେ ଯିବ; ପୁଣି ଯାହା ବିଷୟରେ ଆମ୍ଭେ ତୁମ୍ଭକୁ କହିବା, ଏ ତୁମ୍ଭ ସଙ୍ଗରେ ଯିବ ନାହିଁ, ସେ ଯିବ ନାହିଁ।

5 ତେଣୁ ସେ ଲୋକମାନଙ୍କୁ ଜଳ ନିକଟକୁ ଆଣିଲେ; ତହିଁରେ ସଦାପ୍ରଭୁ ଗିଦିୟୋନ୍‍ଙ୍କୁ କହିଲେ, କୁକ୍କୁର ପରି ଆପଣା ଜିହ୍ୱାରେ ଚାକୁ ଚାକୁ କରି ଜଳ ଖାଇବା ପ୍ରତ୍ୟେକ ଲୋକକୁ, ସେହିପରି ପାନ କରିବାକୁ ଆଣ୍ଠୁ ଉପରେ ନଇଁ ପଡ଼ିବା ପ୍ରତ୍ୟେକ ଲୋକକୁ ପୃଥକ୍‍ କର।

6 ତହିଁରେ ଯେଉଁମାନେ ଆପଣା ଆପଣା ମୁଖରେ ହାତ ଦେଇ ଚାକୁ ଚାକୁ କରି ଜଳ ଖାଇଲେ, ସେମାନେ ସଂଖ୍ୟାରେ ତିନି ଶହ ଲୋକ ହେଲେ; ମାତ୍ର ଅବଶିଷ୍ଟ ଲୋକ ସମସ୍ତେ ଜଳପାନ କରିବାକୁ ଆଣ୍ଠୁ ଉପରେ ନଇଁ ପଡ଼ିଲେ।

7 ତହୁଁ ସଦାପ୍ରଭୁ ଗିଦିୟୋନ୍‍ଙ୍କୁ କହିଲେ, ଯେଉଁ ତିନି ଶହ ଲୋକ ଚାକୁ ଚାକୁ କରି ଜଳ ଖାଇଲେ, ସେମାନଙ୍କ ଦ୍ୱାରା ଆମ୍ଭେ ତୁମ୍ଭମାନଙ୍କୁ ଉଦ୍ଧାର କରିବା ଓ ମିଦୀୟନୀୟମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବା; ଆଉ ସମସ୍ତ ଲୋକ ଆପଣା ଆପଣା ସ୍ଥାନକୁ ଚାଲି ଯାଆନ୍ତୁ।

8 ଏଥିରେ ଲୋକମାନେ ଆପଣା ଆପଣା ହସ୍ତରେ ଖାଦ୍ୟଦ୍ରବ୍ୟ ଓ ତୂରୀ ଘେନିଲେ; ପୁଣି ସେ ଇସ୍ରାଏଲର ସମସ୍ତ ଲୋକଙ୍କୁ ଆପଣା ଆପଣା ତମ୍ବୁକୁ ବିଦାୟ କଲେ, ମାତ୍ର ସେହି ତିନି ଶହ ଲୋକଙ୍କୁ ରଖିଲେ; ସେ ସମୟରେ ମିଦୀୟନୀୟ ଛାଉଣି ତାହାର ନୀଚସ୍ଥ ତଳଭୂମିରେ ଥିଲା।

9 ଏଥିଉତ୍ତାରେ ସେହି ରାତ୍ରିରେ ସଦାପ୍ରଭୁ ତାଙ୍କୁ କହିଲେ, ଉଠ, ସେହି ଛାଉଣିକୁ ଓହ୍ଲାଇ ଯାଅ; କାରଣ ଆମ୍ଭେ ତୁମ୍ଭ ହସ୍ତରେ ତାହା ସମର୍ପଣ କଲୁ।

10 ମାତ୍ର ତୁମ୍ଭେ ଯିବାକୁ ଭୟ କଲେ, ତୁମ୍ଭ ଦାସ ଫୁରାକୁ ସଙ୍ଗେ ନେଇ ଛାଉଣିକୁ ଓହ୍ଲାଇ ଯାଅ।

11 ଆଉ, ସେମାନେ ଯାହା କହନ୍ତି, ତୁମ୍ଭେ ତାହା ଶୁଣିବ; ତହିଁ ଉତ୍ତାରେ ଛାଉଣିକୁ ଓହ୍ଲାଇ ଯିବା ପାଇଁ ତୁମ୍ଭ ହସ୍ତ ବଳବାନ ହେବ। ତହିଁରେ ସେ ଆପଣା ଦାସ ଫୁରା ସହିତ ଛାଉଣିରେ ଥିବା ସସଜ୍ଜ ଲୋକମାନଙ୍କ ବାହାରସ୍ଥ ସୀମାର ପ୍ରାନ୍ତ ପର୍ଯ୍ୟନ୍ତ ଗଲେ।

12 ସେହି ମିଦୀୟନୀୟ ଓ ଅମାଲେକୀୟ ଓ ପୂର୍ବଦେଶୀୟ ଲୋକମାନେ ବହୁସଂଖ୍ୟକ ହେତୁରୁ ପଙ୍ଗପାଳ ପରି ତଳଭୂମିରେ ପଡ଼ି ରହିଥିଲେ; ସେମାନଙ୍କର ଓଟ ବହୁସଂଖ୍ୟକ ହେତୁରୁ ସମୁଦ୍ରତୀରସ୍ଥ ବାଲି ପରି ଅସଂଖ୍ୟ ଥିଲେ।

13 ପୁଣି ଗିଦିୟୋନ୍‍ ଉପସ୍ଥିତ ହେଲା ବେଳେ, ଦେଖ, ଜଣେ ଲୋକ ଆପଣା ସଙ୍ଗୀକି ଗୋଟିଏ ସ୍ୱପ୍ନ ଜଣାଇ କହିଲା, ଦେଖ, ମୁଁ ସ୍ୱପ୍ନ ଦେଖିଲି ଯେ, ଏକ ଯବ-ରୁଟି ମିଦୀୟନୀୟ ଛାଉଣି ଆଡ଼କୁ ଗଡ଼ି ତମ୍ବୁକୁ ଆସି ଆଘାତ କରନ୍ତେ, ତାହା ପଡ଼ିଗଲା; ପୁଣି ତାକୁ ଓଲଟାଇ ପକାନ୍ତେ, ସେହି ତମ୍ବୁ ଶୋଇ ପଡ଼ିଲା।

14 ତହୁଁ ତାହାର ସଙ୍ଗୀ ଉତ୍ତର କରି କହିଲା, ଏହା ଇସ୍ରାଏଲୀୟ ଯୋୟାଶ୍‍ର ପୁତ୍ର ଗିଦିୟୋନ୍‍ଙ୍କର ଖଡ୍ଗ ଛଡ଼ା ଆଉ କିଛି ନୁହେଁ; ପରମେଶ୍ୱର ମିଦୀୟନକୁ ଓ ସମୁଦାୟ ସୈନ୍ୟଦଳକୁ ତାହା ହସ୍ତରେ ସମର୍ପଣ କରିଅଛନ୍ତି।

15 ସେତେବେଳେ ଗିଦିୟୋନ୍‍ ସେହି ସ୍ୱପ୍ନର କଥା ଓ ତହିଁର ଅର୍ଥ ଶୁଣି ପ୍ରଣାମ କଲେ; ପୁଣି ସେ ଇସ୍ରାଏଲ ଛାଉଣିକୁ ଫେରି ଆସି କହିଲେ, ଉଠ, କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ହସ୍ତରେ ମିଦୀୟନୀୟ ସୈନ୍ୟଦଳକୁ ସମର୍ପଣ କରିଅଛନ୍ତି।

16 ତହୁଁ ସେ ସେହି ତିନି ଶହ ଲୋକଙ୍କୁ ତିନି ଦଳରେ ବିଭାଗ କରି ସେସମସ୍ତଙ୍କ ହସ୍ତରେ ତୂରୀ ଓ ଶୂନ୍ୟ କଳଶ ଓ କଳଶ ମଧ୍ୟରେ ଦିହୁଡ଼ି ଦେଲେ।

17 ଆଉ ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ମୋ’ ପ୍ରତି ଦୃଷ୍ଟି ରଖି ମୋ’ ପରି କର୍ମ କର; ପୁଣି ମୁଁ ଛାଉଣି ବାହାରସ୍ଥ ସୀମା-ପ୍ରାନ୍ତରେ ଉପସ୍ଥିତ ହେଲେ ଯେରୂପ କରିବି, ତୁମ୍ଭେମାନେ ମଧ୍ୟ ସେରୂପ କରିବ।

18 ଯେତେବେଳେ ମୁଁ ଓ ଆମ୍ଭ ସଙ୍ଗୀ ସମସ୍ତେ ତୂରୀ ବଜାଇବୁ, ସେତେବେଳେ ତୁମ୍ଭେମାନେ ମଧ୍ୟ ସମୁଦାୟ ଛାଉଣିର ଚାରିଆଡ଼େ ତୂରୀ ବଜାଅ ଓ କୁହ, (ଖଡ୍ଗ) ସଦାପ୍ରଭୁଙ୍କ ପକ୍ଷ ଓ ଗିଦିୟୋନ୍‍ଙ୍କର ପକ୍ଷ।

19 ଏଥିଉତ୍ତାରେ ମଧ୍ୟାହ୍ନ-ପ୍ରହରର ଆରମ୍ଭରେ ମିଦୀୟନୀୟମାନେ ନୂତନ ପ୍ରହରୀ ସ୍ଥାପନ କରନ୍ତେ, ଗିଦିୟୋନ୍‍ ଓ ତାଙ୍କର ସଙ୍ଗୀ ଏକ ଶହ ଲୋକ ଛାଉଣିର ବାହାରସ୍ଥ ସୀମା-ପ୍ରାନ୍ତରେ ଉପସ୍ଥିତ ହେଲେ; ପୁଣି ସେମାନେ ତୂରୀ ବଜାଇ ସେମାନଙ୍କ ହସ୍ତରେ ଥିବା କଳଶ କଚାଡ଼ି ଭାଙ୍ଗି ପକାଇଲେ।

20 ଏରୂପେ ତିନିଦଳସ୍ଥ ଲୋକ ତୂରୀ ବଜାଇଲେ ଓ କଳଶ ଭାଙ୍ଗିଲେ, ପୁଣି ବାମ ହସ୍ତରେ ଦିହୁଡ଼ି ଓ ଦକ୍ଷିଣ ହସ୍ତରେ ବଜାଇବା ତୂରୀ ଧରିଲେ ଓ ସେମାନେ ଡାକ ପକାଇ କହିଲେ, ଖଡ୍ଗ, ସଦାପ୍ରଭୁଙ୍କ ପକ୍ଷ ଓ ଗିଦିୟୋନ୍‍ଙ୍କର ପକ୍ଷ।

21 ପୁଣି ସେମାନେ ପ୍ରତ୍ୟେକ ଛାଉଣି ଚାରିଆଡ଼େ ଆପଣା ଆପଣା ସ୍ଥାନରେ ଠିଆ ହୋଇ ରହିଲେ; ତହିଁରେ ସୈନ୍ୟଦଳ ଦଉଡ଼ାଦଉଡ଼ି କଲେ; ତେବେ ଇସ୍ରାଏଲୀୟ ଲୋକମାନେ ଜୟଧ୍ୱନି କରି ସେମାନଙ୍କୁ ପଳାୟନ କରାଇଲେ।

22 ପୁଣି ସେମାନେ ସେହି ତିନି ଶହ ତୂରୀ ବଜାନ୍ତେ, ସଦାପ୍ରଭୁ ପ୍ରତ୍ୟେକ ଲୋକର ଖଡ୍ଗ ଆପଣା ସଙ୍ଗୀ ଓ ସମୁଦାୟ ସୈନ୍ୟଦଳ ବିରୁଦ୍ଧରେ ଚଳାଇଲେ; ତହିଁରେ ସୈନ୍ୟଦଳ ସରୋଦା ଆଡ଼େ ବେଥ୍-ଶିଟା ପର୍ଯ୍ୟନ୍ତ, ଟବ୍ବତ ନିକଟସ୍ଥ ଆବେଲ୍‍-ମହୋଲାର ସୀମା ପର୍ଯ୍ୟନ୍ତ ପଳାୟନ କଲେ।

23 ଏଥିଉତ୍ତାରେ ନପ୍ତାଲି ଓ ଆଶେର ଓ ସମୁଦାୟ ମନଃଶି ଦେଶରୁ ଇସ୍ରାଏଲୀୟ ଲୋକେ ଏକତ୍ରିତ ହୋଇ ମିଦୀୟନୀୟମାନଙ୍କ ପଛେ ପଛେ ଗୋଡ଼ାଇଲେ।

24 ପୁଣି ଗିଦିୟୋନ୍‍ ଇଫ୍ରୟିମର ପର୍ବତମୟ ସମସ୍ତ ଦେଶର ଚାରିଆଡ଼େ ଏହି କଥା କହିବାକୁ ଦୂତ ପଠାଇଲେ, ମିଦୀୟନ ବିରୁଦ୍ଧରେ ଓହ୍ଲାଇ ଆସ ଓ ସେମାନଙ୍କ ଆଗେ ବେଥ୍ବାରା ପର୍ଯ୍ୟନ୍ତ ସମସ୍ତ ଜଳ, ମଧ୍ୟ ଯର୍ଦ୍ଦନ ହସ୍ତଗତ କର; ତହିଁରେ ଇଫ୍ରୟିମର ସମସ୍ତ ଲୋକ ଏକତ୍ରିତ ହୋଇ ବେଥ୍-ବାରା ପର୍ଯ୍ୟନ୍ତ ସମସ୍ତ ଜଳ, ମଧ୍ୟ ଯର୍ଦ୍ଦନ ହସ୍ତଗତ କଲେ।

25 ଏଥିରେ ସେମାନେ ଓରେବ୍‍ ଓ ସେବ୍‍ ନାମକ ମିଦୀୟନର ଦୁଇ ଅଧିପତିଙ୍କୁ ଧରିଲେ; ପୁଣି ସେମାନେ ଓରେବ୍‍କୁ ଓରେବ୍‍-ଶୈଳ ନିକଟରେ ବଧ କଲେ, ଆଉ ସେବ୍‍କୁ ସେମାନେ ସେବ୍‍-ଦ୍ରାକ୍ଷାଯନ୍ତ୍ର ନିକଟରେ ବଧ କରି ମିଦୀୟନର ପଛେ ପଛେ ଗୋଡ଼ାଇଲେ; ପୁଣି ସେମାନେ ଓରେବ୍‍ ଓ ସେବ୍‍ର ମସ୍ତକ ଯର୍ଦ୍ଦନ ସେପାରିକି ଗିଦିୟୋନ୍‍ଙ୍କ ନିକଟକୁ ଆଣିଲେ।

© 2017 Bridge Connectivity Solutions. Released under the Creative Commons Attribution Share-Alike license 4.0

Bridge Connectivity Solutions Pvt. Ltd.
Následuj nás:



Reklamy